ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ। ଆମେରିକା ଦୁଇ ଦେଶ ମଧ୍ୟରେ ନିରନ୍ତର ଭାବରେ ଶାନ୍ତି ଆଲୋଚନା ପାଇଁ ଚେଷ୍ଟା କରୁଛି, କିନ୍ତୁ ଏହା ସତ୍ତ୍ୱେ ଆକ୍ରମଣ ଏବେ ବି ଚାଲିଛି। ଏହି ଯୁଦ୍ଧରେ ଅନେକ ନିରୀହ ଲୋକ ପ୍ରାଣ ହରାଇଛନ୍ତି । ଅନେକ କୋଠା ଧ୍ୱଂସ ହୋଇଯାଇଛି। ଏହି କ୍ରମରେ ୟୁକ୍ରେନୀୟ ସୀମା ନିକଟରେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ରୁଷିଆନ୍ ଟିଭି ସାମ୍ବାଦିକା ଆନ୍ନା ପ୍ରୋକୋଫିଭାଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ତାଙ୍କ କ୍ୟାମେରା ମ୍ୟାନ୍ ଗୁରୁତର ଆହତ ହୋଇଛନ୍ତି। ଏବେ ଆସନ୍ତୁ ଜାଣିବା ଆନ୍ନା ପ୍ରୋକୋଫିଭା କିଏ ?
ରଏଟର୍ସ ସରକାରୀ ଗଣମାଧ୍ୟମକୁ ଉଦ୍ଧୃତ କରି କହିଛି ଯେ, ଆନ୍ନା ପ୍ରୋକୋଫିଭା ଏବଂ କ୍ୟାମେରାମ୍ୟାନ୍ ଦିମିତ୍ରୀ ଭୋଲକୋଭ ୟୁକ୍ରେନୀୟ ସେନା ଦ୍ୱାରା ବିଛା ଯାଇଥିବା ଏକ ଲ୍ୟାଣ୍ଡମାଇନ୍ ଦ୍ୱାରା ଆଘାତ ପାଇଥିଲେ। ଏହି କାରଣରୁ ସାମ୍ବାଦିକାଙ୍କ ମୃତ୍ୟୁ ହୋଇଛି, ଯେତେବେଳେ କି ତାଙ୍କ କ୍ୟାମେରା ମ୍ୟାନ୍ ଆହତ ହୋଇଛନ୍ତି।
ସୂଚନାଥାଉକି,ଯେ ରୁଷର ଦକ୍ଷିଣ ବେଲଗୋରୋଡ ଅଞ୍ଚଳରେ ୟୁକ୍ରେନରୁ ନିରନ୍ତର ଡ୍ରୋନ ଏବଂ ଗୁଳିମାଡ ଆକ୍ରମଣ ଚାଲିଛି । ୟୁକ୍ରେନ ସୀମାବର୍ତ୍ତୀ ଅନ୍ୟ ଏକ ରୁଷୀୟ ଅଞ୍ଚଳ କୁର୍ସ୍କରୁ ୟୁକ୍ରେନର ପଛକୁ ହଟିବା ମଧ୍ୟରେ ସେଠାରେ ସ୍ଥଳ ଯୁଦ୍ଧ ଜାରି ରହିଛି । ତେବେ ଚଳିତ ସପ୍ତାହର ଆରମ୍ଭରେ, ପୂର୍ବ ୟୁକ୍ରେନର ଲୁହାନସ୍କ ଅଞ୍ଚଳର ମସ୍କୋ-ନିୟନ୍ତ୍ରିତ ଅଂଚଳରେ ନିଯୁକ୍ତ ଥିବା ଦୁଇ ରୁଷୀୟ ସାମ୍ବାଦିକ ଏବଂ ସେମାନଙ୍କ ଡ୍ରାଇଭରଙ୍କ ସମେତ ୬ ଜଣଙ୍କର ଏକ ତୋପ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ତଥ୍ୟ ଅନୁସାରେ, ଫେବୃଆରୀ ୨୦୨୨ ରେ ରୁଷିଆ ୟୁକ୍ରେନ ଉପରେ ପୂର୍ଣ୍ଣ ଆକ୍ରମଣ ଆରମ୍ଭ କରିବା ପର ଠାରୁ ପ୍ରାୟ ୨୦ ଜଣ ଗଣମାଧ୍ୟମ କର୍ମଚାରୀଙ୍କୁ ହତ୍ୟା କରାଯାଇଛି।
ମସ୍କୋ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ,ପ୍ରୋକୋଫିଭା୨୦୨୩ ମସିହାରୁ ଚ୍ୟାନେଲ ୱାନ୍ ପାଇଁ ୟୁକ୍ରେନ୍ ଯୁଦ୍ଧକୁ କଭରେଜ୍ କରୁଥିଲେ। ମଙ୍ଗଳବାର ଟେଲିଗ୍ରାମରେ ତାଙ୍କର ଶେଷ ପୋଷ୍ଟରେ ସାମ୍ବାଦିକଙ୍କୁ ସାମରିକ ପୋଷାକ ପିନ୍ଧି ଏବଂ ମୁଣ୍ଡରେ କ୍ୟାମେରା ଧରି ଜଙ୍ଗଲରେ ବସିଥିବାର ଦେଖାଯାଇଥିଲା। ଏହି ପୋଷ୍ଟରେ ସେ ବହୁତ ହସୁଥିଲେ।