ପୁରୀ, ୨୧/୦୫ : ରଥ ଖଳାରେ ମୁଖ୍ୟତଃ ରଥର ଚକ ଓ ଚଉତା କାମ ଚାଲିଛି । ନିର୍ମାଣକାରୀ ଚକ ତିଆରି ଶେଷ କରିବାକୁ ଲାଗିଛନ୍ତି । ଭଉଁରି ପୂର୍ବରୁ ଚକର ଘେର କଟା ସରିଥିଲା। ମଙ୍ଗଳବାର ସୁଦ୍ଧା ମେସିନ୍ ସାହାଯ୍ୟରେ ୩୦ଟି ସିଙ୍ଗଡ଼ାର ଅଖ ବିନ୍ଧ ଶେଷ ହୋଇଛି । ଖରା ଦାଉରୁ ସୁରକ୍ଷା ପାଇଁ ପ୍ରସ୍ତୁତ ଚକରେ ମଙ୍ଗଳବାର ଚାଞ୍ଚ ଘୋଡ଼ାଯାଇଛି। ଏଥିସହ ବିଶ୍ୱକର୍ମାମାନେ ନିରାଡ଼ି କାମ ଆରମ୍ଭ କରିଥିବା ଜଣାଯାଇଛି।
ରଥର ତିନି ଭୂଇଁ ପାଇଁ ୧୨ଟି ଚଉତା କାଠ କଟାହେବ ବୋଲି କହିଛନ୍ତି ନିର୍ମାଣକାରୀ। ଚକଗୁଡ଼ିକର ତିଆରି ଜୋର୍ସୋର୍ରେ ଚାଲିଛି । ପହିକୁ ଅପେକ୍ଷା କରିଥିଲେ ବିଶ୍ୱକର୍ମା । ଏବେ ଅଖ କରତକଳରୁ ପହି ପହଞ୍ଚିବା ପରେ ଚକ କାର୍ଯ୍ୟ ଆଗଉଛି । ଭୋଇ ସେବକମାନେ ସିଙ୍ଗଡ଼ା ବାଡ଼େଇ ବିଶ୍ୱକର୍ମାଙ୍କୁ ଦେଉଛନ୍ତି । ମଙ୍ଗଳବାର ଗରଗରା କଣ୍ଟା ତିଆରି ଆରମ୍ଭ ହୋଇଛି । ରଥର ୨ଟି ଗରଗରାକୁ ଦଣ୍ଡା ସହ ଫିଟିଂ କରିବ ଏହି କଣ୍ଟା । ବଡ଼ଦାଣ୍ଡରେ ସାଇତା କାଠରୁ ଅଖ ଓ ଗୟଳ ହଣା ପାଇଁ ୪୦ ଫୁଟିଆ କାଠ ଖୋଜା ଚାଲିଛି । ମୁଖ୍ୟ ବିଶ୍ୱକର୍ମାଙ୍କ ତତ୍ତ୍ୱାବଧାନରେ ଆଗେଇ ଚାଲିଛି ରଥ ନିର୍ମାଣ ।