ଭୁବନେଶ୍ୱର, ୨୧/୦୫ : ଷ୍ଟ୍ରିଟ୍ଲାଇଟ୍ ସେବା ଯୋଗାଣରେ ପାତରଅନ୍ତର । ସହରର ମୁଖ୍ୟ ରାସ୍ତା ଅନ୍ଧାର । କିନ୍ତୁ ଶାଖା ରାସ୍ତାରେ ଗଣ୍ଡା ଗଣ୍ଡା ଷ୍ଟ୍ରିଟ୍ଲାଇଟ ଥାଇ ପୁଣି ନୂଆ ଖୁଣ୍ଟିରେ ଏଲ୍ଇଡି ଲାଗୁଛି । ଏଭଳି ଦୃଶ୍ୟ ବଡ଼ଗଡ଼ କେନାଲ ରୋଡରେ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ବଡ଼ଗଡ଼ ଛକ ଠାରୁ ଟଙ୍କପାଣି ରୋଡ ଜଗନ୍ନାଥ ଆଶ୍ରମ ପର୍ଯ୍ୟନ୍ତ ୪ ଥାକିଆ ରାସ୍ତାରେ ସନ୍ଧ୍ୟା ପରେ ଅନ୍ଧାର ରାଜୁତି କରୁଛି । ବିଏମସି ପକ୍ଷରୁ ଏଭଳି ଅଯଥା ଷ୍ଟ୍ରିଟ୍ ଲାଇଟ୍ ଲଗାଯିବା ପଛରେ କଣ ଉଦ୍ଦେଶ୍ୟ ରହିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବଡ଼ଗଡ଼ କେନାଲ ରୋଡର ଉଭୟ ପାର୍ଶ୍ୱ ପଳାଶୁଣି ଗ୍ରାମ ପର୍ଯ୍ୟନ୍ତ ଲମ୍ବିଛି। ପ୍ରାୟ ୧୨ କିମି ଲମ୍ବ ବିଶିଷ୍ଟ ଏହି ରାସ୍ତାରେ ପୂର୍ବରୁ ଖୁଣ୍ଟି ପୋତା ହୋଇ ଏଲଇଡି ଲାଇଟ୍ ଲାଗିଛି । ଯାହାକି ରାସ୍ତାକୁ ଯଥେଷ୍ଟ ଆଲୋକିତ କରୁଛି । ଏହା ସତ୍ତ୍ଵେ ବିଏମସି ପକ୍ଷରୁ ଏହି ରାସ୍ତାରେ ଦୋହରା ଆଲୋକୀକରଣ କାର୍ଯ୍ୟ ଚାଲିଛି। ପ୍ରାୟ ଦେଢ଼ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହି ରାସ୍ତା ସାରା ଶତାଧିକ ନୂଆ ଖୁଣ୍ଟି ପୋତାଯାଇ ସେଥିରେ ଏଲ୍ଇଡି ବଲବ ଲଗା ଯାଇଛି । ଏହି କାର୍ଯ୍ୟକୁ ଦିଲ୍ଲୀର ଏକ କମ୍ପାନୀ କରିଛି। ଏହାର ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ କମ୍ପାନୀ ହାତରେ ନ୍ୟସ୍ତ ରହିଛି । କିନ୍ତୁ ପ୍ରକୃତରେ ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ କମ୍ପାନୀ କର୍ମଚାରୀ କରୁନାହାନ୍ତି । କମ୍ପାନୀର କାମ ବିଏମସିର ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ଓ କର୍ମଚାରୀ ମାନେ ତୁଲାଉଛନ୍ତି । କମ୍ପାନୀର ନିଜସ୍ୱ ଗାଡ଼ି ନାହିଁ । ବିଏମସିର ହାଇଡ୍ରା ପାୱାର ଲାଡର ଗାଡ଼ି ମଧ୍ୟ ରକ୍ଷଣାବେକ୍ଷଣ କାର୍ଯ୍ୟରେ ବ୍ୟବହାର କରାଯାଉଛି । ତା’ ବଦଳରେ କମ୍ପାନୀ ସେମାନଙ୍କୁ ଯଥେଷ୍ଟ ପାରିଶ୍ରମିକ ଦେଉଥିବାର ଅଭିଯୋଗ ହେଉଛି।
ଅନ୍ୟପକ୍ଷରେ ବଡ଼ଗଡ଼ ଗ୍ରାମ ମୁଖ୍ୟ ଛକ ଠାରୁ ଜଗନ୍ନାଥ ଆଶ୍ରମ ଟଙ୍କପାଣି ରୋଡ ପର୍ଯ୍ୟନ୍ତ ଲମ୍ବିଥିବା ଚାରିଥାକିଆ ମୁଖ୍ୟ ରାସ୍ତାର ଆଲୋକୀକରଣ କଥା ବିଏମସି ଭୁଲି ଯାଇଛି । ପ୍ରାୟ ଏକ ବର୍ଷରୁ ଅଧିକ ସମୟ ହେବ ଏହି ରାସ୍ତା ନିର୍ମାଣ ସରି ଗାଡ଼ିମୋଟର ଯାତାୟାତ କଲାଣି । ଏହି ରାସ୍ତାର ଗୁରୁତ୍ୱ ଅଧିକ। ଏହି ରାସ୍ତା ବିଭିନ୍ନ ଐତିହ୍ୟସ୍ଥଳୀ ଓ ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରିଛି । ଟଙ୍କପାଣି ରୋଡଟି ପୁରୀ କଟକ ବାଇପାସ୍ ରାସ୍ତାକୁ ଲାଗିଥିବାରୁ ଏହି ରାସ୍ତାରେ ପ୍ରବଳ ଗାଡି ମୋଟର ଭିଡ଼ ଲାଗି ରହିଥାଏ । ଏହି ରାସ୍ତା କଡ଼ରେ ଗୋଟିଏ ବି ଷ୍ଟ୍ରିଟ୍ ଲାଇଟ୍ ନାହିଁ । କେବଳ ରାସ୍ତାର ଗୋଟିଏ ପାଶ୍ୱର୍ରେ କିଛି ସ୍ଥାନରେ ୧୧ କେଭି ଟିପିସିଓଡିଏଲର କଙ୍କ୍ରିଟ୍ ଖୁଣ୍ଟରେ ବିଏମସିର ନାମକୁ ମାତ୍ର ପୁରୁଣା ବଲ୍ବ ଝୁଲାଇ ଦେଇ କାମ ସାରି ଦେଇଛନ୍ତି । ମାତ୍ର ଅପର ପାର୍ଶ୍ୱରେ ଆଦୌ ଷ୍ଟ୍ରିଟ୍ ଲାଇଟ୍ ନଥିବା କାରଣରୁ ଅନ୍ଧାର ହେଲେ ରାସ୍ତାଟି ଅସୁରକ୍ଷିତ ହୋଇପଡ଼ିଛି । ସମୟ ବ୍ୟବଧାନରେ ଏହି ରାସ୍ତାରେ ଲୁଟ୍, ଛିନତାଇ ଆଦି ଅପରାଧ ଘଟୁଛି ।
ବଡ଼ଗଡ଼ କେନାଲ ରୋଡ ପୂର୍ତ୍ତ ବିଭାଗ ଅଧୀନରେ । ଏହି ରାସ୍ତା ଆଲୋକୀକରଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ବିଏମସିକୁ କୌଣସି ଆର୍ଥିକ ଅନୁଦାନ ଦିଆଯାଇନାହିଁ । ରାସ୍ତାରେ ଷ୍ଟ୍ରିଟ୍ ଆଲୁଅ ଥାଇ ପୁଣି ଏହି ଦୋହରା ଆଲୋକୀକରଣ କରିବା ଅର୍ଥ କେବଳ ଟିକସଦାତାଙ୍କ ଟଙ୍କା ବରବାଦ ଛଡା ଅନ୍ୟ କିଛି ନୁହେଁ ବୋଲି ସାଧାରଣ ଜନତା କହୁଛନ୍ତି । ଏପଟେ ମୁଖ୍ୟ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ଲାଗିବା ପାଇଁ ବିଏମସି ପାଖରେ ଟଙ୍କା ନାହିଁ । ଏହି ସମ୍ପର୍କରେ ବିଏମସି ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ସୁକାନ୍ତ କୁମାର ସାବତଙ୍କୁ ଅବଗତ କରା ଯାଇଥିଲା । ସେ କହିଥିଲେ, ବଡ଼ଗଡ଼ ଗ୍ରାମ ମୁଖ୍ୟ ପ୍ରବେଶ ପଥ ଠାରୁ ଜଗନ୍ନାଥ ଆଶ୍ରମ ପର୍ଯ୍ୟନ୍ତ ସଂଯୋଗ ହୋଇଥିବା ଚାରିଥାକିଆ ରାସ୍ତାର ଆଲୋକୀକରଣ ପାଇଁ ପୂର୍ତ୍ତ ବିଭାଗ ଆମକୁ ଅର୍ଥ ଦେଇନାହିଁ । ତେଣୁ ସେହି କାମ ଏ ପର୍ଯ୍ୟନ୍ତ ହୋଇ ପାରିନାହିଁ । ତେବେ କେନାଲ ରାସ୍ତା ପୂର୍ତ୍ତ ବିଭାଗ ଅଧିନରେ ଥିବା ବେଳେ ବିଭାଗ ପକ୍ଷରୁ ଏହି ରାସ୍ତାର ଆଲୋକୀକରଣ ପାଇଁ କୌଣସି ଅନୁଦାନ ବିଏମସିକୁ ଦିଆଯାଇ ନ ଥିବା ଜଣାଯାଇଛି । ତାହା ସତ୍ତ୍ଵେ ଅଯଥାରେ ଏହି ଭଳି ଟଙ୍କା ବ୍ୟୟ କରିବା ପଛରେ କାହାର ହାତ ଅଛି, ତାହା ସନ୍ଦେହ ପରିସରଭୃକ୍ତ। ଏହା ନଗର ଉନ୍ନୟନ ବିଭାଗ ଦ୍ୱାରା ତଦନ୍ତ କରାଯାଉ ବୋଲି ସାଧରଣରେ ଦାବି ହୋଇଛି।