ପ୍ରମୂଖ ଖବର
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ପୁଲୱାମାରେ ଦେଖିବାକୁ ମିଳିଲା ଆର୍କଟିକ୍‌ର ଦୁର୍ଲଭ ପେଚା, ପ୍ରଜନନ ପାଇଁ ଆସିଥିବା ଅନୁମାନ

Published By : Prameya | April 9, 2025 9:11 AM

ନୂଆଦିଲ୍ଲୀ ୦୯/୦୪: ମେରୁ (ଆର୍କଟିକ୍‌) ଓ ଏହାର ଆଖପାଖରେ ବିଚରଣ କରୁଥିବା ଦୁର୍ଲଭ ପେଚା ଏବେ କାଶ୍ମୀରରେ ବୁଲୁଛି । ପ୍ରାୟ ୨ ବର୍ଷ ପରେ ଏହାକୁ ପୁଲୱାମାରେ ଦେଖିବାକୁ ମିଳିଛି । ପୁଲୱାମାର ବନ୍ୟଜୀବ ଫଟୋଗ୍ରାଫର ରଈସ ଉଲ ହସନ ଏହାର ଫଟୋ ଉଠାଇଛନ୍ତି, ଯାହା ବନ୍ୟଜୀବପ୍ରେମୀଙ୍କ ଉତ୍ସାହକୁ ବଢ଼ାଇଛି । ଏହି ପେଚାକୁ ଦେଖିବାକୁ ଅନେକ ଫଟୋଗ୍ରାଫର ପୁଲୱାମା ଆସୁଛନ୍ତି । 




ସାଧାରଣତଃ ଗଛ ପତ୍ର ପଛରେ ଲୁଚି ରହୁଥିବା ଏହି ପେଚା ମୂଷା, ପୋକ ଓ ଛୋଟ ପକ୍ଷୀଙ୍କୁ ଶିକାର କରନ୍ତି । ଏହାର ଫଟୋ ଉଠାଇବାକୁ ରଈସ ଉଲ ହସନଙ୍କୁ ଖୁବ୍‌ ପରିଶ୍ରମ କରିବାକୁ ପଡ଼ିଛି । ଲମ୍ବା କାନ ଓ ନାରଙ୍ଗୀ ଆଖି ପାଇଁ ଏହି ପେଚା ପରିଚିତ । ସେଥିପାଇଁ ଏହାକୁ ଲଙ୍ଗ୍‌ ଇୟର୍ଡ ଅଉଲ୍‌ କୁହାଯାଏ । ନର୍ଦନ୍‌ ଲଙ୍ଗ୍‌ ଇୟର୍ଡ ଅଉଲ୍‌ ନାମରେ ମଧ୍ୟ ଏହାକୁ ସମ୍ବୋଧନ କରାଯାଏ । ଏହି ପେଚା ସାଧାରଣତଃ ଉତ୍ତର ଆମେରିକା, ୟୁରୋପ, ରୁଷ୍‌ ଓ ମେରୁ ଅଞ୍ଚଳରେ ଦେଖାଯାଆନ୍ତି । ଦୁଇ ବର୍ଷ ପୂର୍ବେ ଗାନ୍ଦରବଲଠାରେ ମାନସବଲ ହ୍ରଦ ନିକଟରେ ଏହା ଦେଖାଯାଇଥିଲା । ଏବେ ପୁଲୱାମାରେ ଦେଖାଯାଇଛି । ସେଠାରେ ଏବେ ଆଲ୍‌ମଣ୍ଡ ବ୍ଲସମ୍‌ ଋତୁ ଚାଲିଛି । ଉତ୍ତର ଆମେରିକାରେ ୧୯ ଓ ୟୁରୋପରେ ଏହାର ୧୩ ପ୍ରଜାତି ଅଛନ୍ତି । ପ୍ରଜନନ ଓ ଶିକାର ଉଦ୍ଦେଶ୍ୟରେ ଏହି ପେଚା ଭାରତ ଆସିଥିବା ବିଶେଷଜ୍ଞମାନେ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.