ପ୍ରମୂଖ ଖବର
  • ଜଗତସିଂହପୁର : ଚାଷୀଙ୍କ ଆଖିରେ ଲୁହ ଦେଇଗଲା ବର୍ଷା, ୫୦ହଜାର ହେକ୍ଟର ଜମିର ଫସଲ ନଷ୍ଟ
  • ||
  • ରାଜଧାନୀରେ ବର୍ଷା ପାଇଁ ପଥ ଉତ୍ସବ ବାତିଲ, ଏକ୍ସରେ ସୂଚନା ଦେଲା ବିଏମ୍‌ସି
  • ||
  • ବୋରିଗୁମ୍ମା : ହଷ୍ଟେଲରେ ପାନୀୟ ଜଳ ସମସ୍ୟା ନେଇ ଚେତିଲେ ଅବିଭାବକ, ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ
  • ||
  • ବ୍ରାଜିଲରେ ଭୟଙ୍କର ଦୁର୍ଘଟଣା, ଟ୍ରକକୁ ପିଟିଲା ବସ୍, ୩୮ ମୃତ ୯ ଗୁରୁତର
  • ||
  • ୨୭ରୁ ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ଦକ୍ଷିଣରେ ହାଲୁକା ବର୍ଷା, ବାକି ଅଞ୍ଚଳ ଶୁଖିଲା
  • ||
  • ବଣାଇ : ଜକେଇକେଲା ଗାଁରେ ଅଘଟଣ, ଦନ୍ତା ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ
  • ||

ମଲ୍‌ ଓ ହଲ୍‌ ମାଲିକଙ୍କ ବିବାଦରୁ ଖୋଲିଲାନି ପ୍ରେକ୍ଷାଳୟ, ନିରାଶ ହୋଇ ଘରକୁ ଫେରିଲେ ଅଲ୍ଲୁ ଅର୍ଜୁନଙ୍କ ଫ୍ୟାନ୍‌

Published By : Prameya | December 5, 2024 12:23 PM

ସମ୍ବଲପୁର,୦୫/୧୨: ସାରା ଦେଶରେ ମୁକ୍ତିଲାଭ କରିଛି ଲୋକପ୍ରିୟ ସିନେମା ପୁଷ୍ପା-୨: ଦ ରୁଲ୍‌ । ଏଥିପାଇଁ କାହିଁରେ  କଣ କ୍ରେଜ୍‌ । ହେଲେ ସମ୍ବଲପୁରରେ ଏହି ସିନେମା  ଦେଖିବାକୁ ମିଳୁନି । ସହରରେ ଏକମାତ୍ର ପ୍ରେକ୍ଷାଳୟ  ବନ୍ଦ ଥିବାରୁ ସମ୍ବଲପୁରରେ ଫିଲ୍ମ ରିଲିଜ୍‌ ହୋଇପାରିନାହିଁ । ଲୋକପ୍ରିୟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ  ଫ୍ୟାନ୍‌ ବୁଧବାର ଦିନସାରା ପ୍ରେକ୍ଷାଳୟ ବାହାରେ ଟିକଟ୍‌ କାଟିବାକୁ ଅପେକ୍ଷା କରି ଶେଷରେ ନିରାଶ ହୋଇ  ଫେରିଥିଲେ । ଆଉ ସମସ୍ତଙ୍କ ମୁହଁରେ ଗୋଟିଏ କଥା  ଥିଲା ‘ସମ୍ବଲପୁରରେ ନଇଁଲା ପୁଷ୍ପା’ ।   

ସମ୍ବଲପୁରରେ ଏକ ମଲ୍‌ରେ ଏକମାତ୍ର ପ୍ରେକ୍ଷାଳୟ ରହିଛି । ହେଲେ ମଲ୍‌ ଓ ହଲ୍‌ ମାଲିକଙ୍କ ମଧ୍ୟରେ ଥିବା  ବିବାଦରୁ ଗତ ୫ ଦିନ ହେଲା ଏହା ବନ୍ଦ ରହିଛି ।  ଏମିତ କି, ପ୍ରେକ୍ଷାଳୟର ବିଦ୍ୟୁତ୍‌ ବି କଟାଯାଇଛି ।  ତେଣୁ ସମ୍ବଲପୁରବାସୀ ଗତ କିଛି ଦିନ ହେଲା ସିନେମା  ଦେଖାରୁ ବଞ୍ଚିତ ହୋଇଛନ୍ତି । ଦିନେ, ସମ୍ବଲପୁରରେ  ସିନେମାକୁ ନେଇ କାହିଁରେ କଣ କ୍ରେଜ୍‌ ଥିଲା ।  ସେତେବେଳେ ୩ଟି ହଲ୍‌ ବି ଥିଲା । ହେଲେ ଏବେ  ସହର ବଢ଼ିଥିଲେ ମଧ୍ୟ ସିନେମା ଶିଳ୍ପର ବିକାଶ ନ ହେବାରୁ ହଲ୍‌ ବି ବୁଡ଼ିଗଲା । କେବଳ ଏକ ମାତ୍ର  ପ୍ରେକ୍ଷାଳୟରେ ସମ୍ବଲପୁରବାସୀ ସିନେମା ଦେଖିବାକୁ  ସୁଯୋଗ ପାଉଥିଲେ । ହେଲେ ହଲ୍‌ ଓ ମଲ୍‌ ମାଲିକଙ୍କ ବିବାଦ ପାଇଁ ଏହା ବି ବନ୍ଦ ରହିଛି । 

ଅନ୍‌ଲାଇନ୍‌ରେ  ସମ୍ବଲପୁରରେ ଟିକଟ୍‌ ନ ଦେଖାଇବାରୁ ବୁଧବାର ସକାଳେ  ପ୍ରେକ୍ଷାଳୟ ସମ୍ମୁଖରେ ବହୁ ଲୋକଙ୍କ ଭିଡ ଜମିଥିଲା । ଆଗୁଆ ଟିକଟ୍‌ କାଟିବାକୁ ସମସ୍ତେ ଲମ୍ବା ଧାଡି ବି  କରିଥିଲେ । କିନ୍ତୁ ହଲ୍‌ ମାଲିକ ଫିଲ୍ମ ଚାଲିବନି ବୋଲି କହିବା ପରେ ଅସନ୍ତୋଷ ଦେଖା ଦେଇଥିଲା ।  ସିନେପ୍ରେମୀ ନିରାଶ ହୋଇ ଫେରିଯାଇଥିଲେ ।  ସମ୍ବଲପୁରରେ ଗେଟି ଟକିଜ, ଲକ୍ଷ୍ମୀ ଟକିଜ ଏବଂ  ଅଶୋକା ଟକିଜର କ୍ରେଜ ଆଜିଯାଏଁ ବି ରହିଛି । କିନ୍ତୁ  ବ୍ୟବସାୟୀକ ସଫଳତା ଓ ସମୟାନୁସାରେ ପରିବର୍ତ୍ତନ  ନ ହେବାରୁ ଏହି ୩ଟି ହଲ୍‌ ବନ୍ଦ ହୋଇଯାଇଥିଲା ବୋଲି  କହିଛନ୍ତି ସମ୍ବଲପୁର ବାସିନ୍ଦା ମୁକେଶ ଜରିୱାଲ ।  ତତ୍କାଳୀନ ରାଜ୍ୟ ସରକାର ଏଥିପାଇଁ କୌଣସି  ପଦକ୍ଷେପ ଗ୍ରହଣ କଲେ ନାହିଁ । ଗୋଟିଏ ସମୟରେ  ସମ୍ବଲପୁର ସବୁ ହଲ୍‌ ବନ୍ଦ ହୋଇଯାଇଥିଲା । ଗୋଟିଏ  ବି କାର୍ଯ୍ୟକ୍ଷମ ହୋଇନଥିଲା । କିନ୍ତୁ ଏବେ ଗୋଟିଏ  ପ୍ରେକ୍ଷାଳୟ ଖୋଲିଛି । ଯଦି ଏହା ବି ବନ୍ଦ ହୋଇଯିବ,  ତାହେଲେ ଲୋକ କେଉଁଠି ଦେଖିବେ? ପୁଷ୍ପା-୨  ଦେଖିବାକୁ ଟିକଟ ପାଇଁ ଲାଇନ ଲଗାଇଥିବା ସନ୍ଦୀପ  କୁମାର ବେହେରା କହିଛନ୍ତି, ଆମେ ଜାଣିନଥିଲୁ  କେବେଠୁ ଏହି ପ୍ରେକ୍ଷାଳୟ ବନ୍ଦ ହୋଇଯାଇଛି । ତେଣୁ  ଆଗୁଆ ଟିକଟ ନେବାକୁ ଧାଇଁ ଆସିଥିଲୁ । ହେଲେ  ହଲ୍‌ ବନ୍ଦ ଥିବା ଜାଣି ଏବେ ନିରାଶରେ ଫେରୁଛୁ ।  ଏନେଇ ହଲ୍‌ କର୍ତ୍ତୃପକ୍ଷ କହିଛନ୍ତି, ଖୁବଶୀଘ୍ର ଏହି  ମାମଲାର ଅନ୍ତ ଘଟିବ । ଲୋକ ପୁଣି ଥରେ ସିନେମାର  ମଜା ନେଇପାରିବେ । ଅନ୍ୟ ପକ୍ଷେ ମଲ୍‌ ମାଲିକଙ୍କ  ପ୍ରତିକ୍ରିୟା ମିଳିନାହିଁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.