ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ବେଳାଭୂମିରେ ବେଆଇନ୍‌ ଗୃହ ନିର୍ମାଣ, କାର୍ଯ୍ୟ ବନ୍ଦ ଲାଗି କାନ୍ଥରେ ନୋଟିସ୍‌ ମାରିଲା ପିକେଡିଏ

ପୁରୀ,୨୭/୦୭: ବଳିଆପଣ୍ଡାସ୍ଥିତ ଷ୍ଟର୍ଲିନ୍‌ ଗୋଲେଇ ଛକ ନିକଟ ବେଳାଭୂମିରେ ବେଆଇନ୍‌  ଭାବେ ନିର୍ମାଣାଧୀନ ଏକ କୋଠାର ନିର୍ମାଣ  କାର୍ଯ୍ୟକୁ ବନ୍ଦ କରିଛି ଜିଲ୍ଲାପ୍ରଶାସନ । ଜିଲ୍ଲାପାଳ  ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ପିକେଡିଏ  ତରଫରୁ ଗୃହ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ଲାଗି  କାନ୍ଥରେ ଏକ ନୋଟିସ୍‌ ଲଗାଯାଇଛି । ଆଗକୁ ଆଉ  ନିର୍ମାଣ ନ କରିବାକୁ ନୋଟିସ୍‌ରେ ଉଲ୍ଲେଖ ରହିଛି ।  ଏନେଇ ମଧ୍ୟ ଗୃହ ନିର୍ମାଣକାରୀ ହରଚଣ୍ଡୀସାହି  ନାଗାମଠଲେନ୍‌ର ପୂର୍ଣ୍ଣିମା ପଟ୍ଟନାୟକଙ୍କୁ ନୋଟିସ୍‌  କରିଛି ପିକେଡିଏ । 

ଏସମ୍ପର୍କରେ ଜିଲ୍ଲାପାଳ ଶ୍ରୀ  ସ୍ୱାଇଁ କହିଛନ୍ତି, ବେଳାଭୂମିରେ ଗୃହ ନିର୍ମାଣ କାର୍ଯ୍ୟ  ବେଆଇନ୍‌ । ତେବେ ପୂର୍ବରୁ ସେଟେଲମେଣ୍ଟ  ସମୟରେ ବେଳାଭୂମିର କିଛି ଅଂଶ ସ୍ଥିତିବାନ ଜମି ଭାବେ ଲୋକଙ୍କୁ ମିଳିଥିଲା । ସେହି ଆଳରେ ସେମାନେ ବେଳାଭୂମିରେ ଗୃହ ନିର୍ମାଣ  କରୁଛନ୍ତି । ତେବେ ପ୍ରଥମେ ବେଳାଭୂମିରେ  ଗୃହ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଇଛି । ଏହା  ସହିତ ସେହି ନିକଟରେ ବେଳାଭୂମିକୁ ମଧ୍ୟ ଖଣ୍ଡ  ଖଣ୍ଡ କରି ପ୍ଲଟିଂ କରାଯାଇଛି । ତେବେ ତାଙ୍କୁ  କିଭଳି ବେଳାଭୂମିରେ ଜମି ମିଳିଲା ସେ ନେଇ  ଖୁବ୍‌ଶୀଘ୍ର ତଦନ୍ତ କରିବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ପରେ ବେଆଇନ୍‌  ନିର୍ମାଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ । ସେହିଭଳି କୌଣସି ବ୍ୟକ୍ତି ସରକାରୀ ଜମିକୁ ନୋଟାରୀ ଜରିଆରେ କିଣନ୍ତୁ  ନାହିଁ ବୋଲି ଅପିଲ କରିଛନ୍ତି ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ।  

ପୁରୀ ସହର ପରିସରରୁ ଆରମ୍ଭ କରି  ବେଳାଭୂମି ପର୍ଯ୍ୟନ୍ତ ଅନେକ ବେଆଇନ୍‌ ଭାବେ  ନିର୍ମାଣ କରାଯାଉଛି । କେଉଁଠି ପିକେଡିଏ ନିୟମ ତ, ଅନ୍ୟ କେଉଁଠି ସିଆରଜେଡ୍‌ ନିୟମକୁ  ଖୋଲାଖୋଲି ଉଲ୍ଲଘଂନ କରାଯାଇ ବେଧଡ଼କ  ଭାବେ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏନେଇ ଅଭିଯୋଗ ସତ୍ତେ୍ୱ ପ୍ରଶାସନର ଆଖିଦୃଶିଆ  ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ପରୋକ୍ଷରେ  ସେମାନଙ୍କୁ ସାହସକୁ ଦ୍ୱିଗୁଣିତ କରିଛି । ଯାହାର  ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଷ୍ଟର୍ଲିନ୍‌  ଛକ ସିପସରୁବାଲି ମୌଜାରେ । ଏହି ଛକ  ଦେଇ ରାଜ୍ୟର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ  ଯାତାୟତ କରୁଥିବା ବେଳେ କାହାରି ନଜର  ଏହି ବେଆଇନ୍‌ ନିର୍ମାଣ ଉପରେ ପଡୁନାହିଁ ।  ଦିନଦ୍ୱିପ୍ରହରରେ ବେଳାଭୂମିରେ ଏସବୁ  ବେଆଇନ୍‌ ଗୃହ ନିର୍ମାଣ ଚାଲୁଛି । କେତେକ  ଗୃହର ମୂଳଦୁଆ ପଡ଼ିଥିବା ବେଳେ କେତେକର  ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଛି । ଏସବୁ ବେଆଇନ୍‌  ନିର୍ମାଣ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଅବଗତ  ହେବା ପରେ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ଲାଗି  ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ସିଆର୍‌ଜେଡ୍‌  ନିୟମ ଅନୁସାରେ ବେଳାଭୂମିର ୫୦୦ ମିଟର  ଦୂରରେ ଗୃହ ନିର୍ମାଣ ହେବା କଥା । କିନ୍ତୁ ଏହି ନିୟମକୁ ଉଲ୍ଲଘଂନ କରାଯାଇ ୩୦୦ମିଟର  ପରିସରରେ କଂକ୍ରିଟ୍‌ରେ ଗୃହ ନିର୍ମାଣ କରିବା ସହ  ନିକଟରେ ଥିବା ବେଳାଭୂମିକୁ ପ୍ଲଟିଂ କରାଯାଇଛି ।  

ଏହି ପ୍ଲଟିଂ ଜାଗାଗୁଡ଼ିକ ପାଚେରି ତିଆରି  କରାଯାଇ ଦଖଲରେ ନିଆଯାଇଛି । ତେବେ ଏହା  ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀଙ୍କ ମହଲରେ ଦାବି ଜୋର ଧରିଛି । ଏସମ୍ପର୍କରେ  ପିକେଡିଏ ସଚିବ ମାୟାଧର ବେହେରା କୁହନ୍ତି,  ସିପସରୁବାଲି ମୌଜାର ଖାତା ନଂ ୧୪୨/୪୯/୬୦  ହୋଇଥିବା ବେଳେ ପ୍ଲଟ ନଂ ୨୫୬/୫୬୦ରେ  ଗୃହ ନିର୍ମାଣ କରୁଥିଲେ ପୂର୍ଣ୍ଣିମା ପଟ୍ଟନାୟକ । ତାଙ୍କ  ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଇଛି । ସିଆର୍‌ଜେଡ  ନିୟମ ଉଲ୍ଲଘଂନ ହେଉଥିବା ବେଳେ ଉକ୍ତ ଗୃହ  ମାଲିକଙ୍କୁ ଅନେକ ଆପତ୍ତିବିହୀନ ପ୍ରମାଣପତ୍ର  ଅଣାଯିବାକୁ ଚିଠି ଲେଖାଯାଇଥିଲା । ତେବେ  ସେସବୁ ନ ଥିବା ସ୍ଥଳେ ସେ କିଭଳି ନିର୍ମାଣ  ଆରମ୍ଭ କରୁଛନ୍ତି ତାହା ଆଶ୍ଚର୍ଯ୍ୟର ବିଷୟ ।  ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି ।  ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ପିକେଡିଏ  ପକ୍ଷରୁ ନିର୍ମାଣାଧୀନ କୋଠାର କାର୍ଯ୍ୟ ବନ୍ଦ  କରାଯାଇଛି । ପରବର୍ତ୍ତୀ ସମୟରେ ଏହାକୁ ଭାଙ୍ଗି  ଦିଆଯିବ । 

ସୂଚନାଥାଉକି, କିଛି ବର୍ଷପୂର୍ବେ ଏହି  ସ୍ଥାନରେ ବେଆଇନ୍‌ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ  ହୋଇଥିଲା । ଏନେଇ ଗଣମାଧ୍ୟମରେ ଖବର  ପ୍ରକାଶ ପାଇବା ପରେ ପୂର୍ବତନ ଉପଜିଲ୍ଲାପାଳ  ନିର୍ମାଣ କାର୍ଯ୍ୟ ବନ୍ଦ କରିଥିଲେ । ପୁଣି ସେହି  ସ୍ଥାନରେ ନିର୍ମାଣ କାର୍ଯ୍ୟ ସହ ପ୍ଲଟିଂ କରାଯାଇ  ଲୋକେ ଦଖଲ ନେଇ ଖୁଣ୍ଟ ପୋତିଛନ୍ତି । ଏସବୁ  ବେଆଇନ୍‌ କାର୍ଯ୍ୟ ଉପରେ ନଜର ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.