ନୂଆଦିଲ୍ଲୀ,୨୩/୦୭: ଲଗାତର ଧାନ ଚାଷ ଲାଗି ମରୁଭୂମି ପାଲଟିବାକୁ ଯାଉଛି ପଞ୍ଜାବ । ବଡ଼ ଧରଣର ଜଳବାୟୁ ସଂକଟର ସାମ୍ନା କରୁଛି ଏହି ରାଜ୍ୟ । ଅଦ୍ୱେତ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ଆଚାର୍ଯ୍ୟ ପ୍ରଶାନ୍ତ ଏହା କହିଛନ୍ତି । ଏକଦା ସବୁଜ ବିପ୍ଳବର କେନ୍ଦ୍ର ଥିଲା ପଞ୍ଜାବ । ଆଜି ଏହା ଭୟଙ୍କର ଜଳ ସଂକଟ ଦେଇ ଗତି କରୁଛି । ଏହାର ମୁଖ୍ୟ କାରଣ ହେଉଛି ଧାନ ଚାଷ । ଗୋଟିଏ କିଲୋ ଚାଉଳ ଉତ୍ପାଦନ ପାଇଁ ୪୦୦୦ରୁ ୫,୦୦୦ ଲିଟର ପାଣି ବ୍ୟବହାର ହୋଇଥାଏ । ପଞ୍ଜାବ ଏହାର ଭୂତଳ ଜଳର ୯୭% ଚାଉଳ ଉତ୍ପାଦନରେ ବ୍ୟବହାର କରୁଛି । ଫଳରେ ଏହା ଭାରତର ସର୍ବବୃହତ୍ ଭୂଜଳ ଉତ୍ତୋଳନ କରୁଥିବା ରାଜ୍ୟ ପାଲଟିଛି । ଯଦି ଏହା ଜାରି ରୁହେ, ତେବେ ଆଗାମୀ ୧୦ରୁ୧୪ ବର୍ଷରେ ପଞ୍ଜାବର ଭୂଜଳ ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯିବ ବୋଲି ଚେତାବନୀ ଦେଇଛନ୍ତି ଆଚାର୍ଯ୍ୟ ପ୍ରଶାନ୍ତ ।
ପ୍ରଶାନ୍ତଙ୍କ ଅନୁସାରେ, ଲଗାତର ଧାନ ଚାଷ ଯୋଗୁ ପଞ୍ଜାବ ମରୁଭୂମି ପାଲଟିବାକୁ ଯାଉଛି । ଏକଦା ରାଜ୍ୟର ସଫଳତାର ପ୍ରତୀକ ଥିଲା ଚାଉଳ ଚାଷ । ଆଜି ଏହି ଚାଉଳ ହିଁ ରାଜ୍ୟକୁ ମରୁଭୂମି ଆଡ଼କୁ ନେଉଛି । ଆଚାର୍ଯ୍ୟ ପ୍ରଶାନ୍ତ ଲିଙ୍କ୍ଡଇନ୍ରେ ଏକ ପୋଷ୍ଟ୍ ସେୟାର କରିଛନ୍ତି । ଏଥିରେ ସେ ଚାଉଳ ଚାଷର ସତ୍ୟ ବଖାଣିଛନ୍ତି । ସେ ଲେଖିଛନ୍ତି, କିଲେ ଚାଉଳ ଉତ୍ପାଦନ ଲାଗି ୪,୦୦୦ରୁ ୫,୦୦୦ ଲିଟର ପାଣି ବ୍ୟବହାର ହୋଇଥାଏ । ବିଶ୍ୱର ସବୁଠାରୁ ଅଧିକ ଜଳ ଆବଶ୍ୟକ କରୁଥିବା ଫସଲ ମଧ୍ୟରେ ଅନ୍ୟତମ ହେଉଛି ଚାଉଳ । ତଥାପି ଏହା ପଞ୍ଜାବର ମୁଖ୍ୟ ଫସଲ । ରାଜ୍ୟ ପ୍ରତିବର୍ଷ ପାଖାପାଖି ୧.୨ କୋଟି ଟନ୍ ଚାଉଳ ଉତ୍ପାଦନ କରିଥାଏ । ଏଥିପାଇଁ ଏହା ଉତ୍ତୋଳନ କରୁଥିବା ଭୂତଳ ଜଳର ୯୭% ବ୍ୟବହାର କରିଥାଏ । ଯଦି ଏହା ଜାରି ରୁହେ, ତେବେ ପଞ୍ଜାବର ଭୂଜଳ ୧୦ରୁ ୧୪ ବର୍ଷ ମଧ୍ୟରେ ଶେଷ ହୋଇଯିବ।
ରାଜ୍ୟର କେତେକ ଜିଲାରେ ଜଳ ସ୍ତର ୩୦୦ ଫୁଟ୍ରୁ ତଳକୁ ଚାଲିଯାଇଛି । ଏହାମଧ୍ୟରେ ରହିଛି ମୋଗା ଏବଂ ପଟିଆଲା ଭଳି ଜିଲା । ଆଚାର୍ଯ୍ୟ ପ୍ରଶାନ୍ତଙ୍କ କହିବାନୁସାରେ, ଚାଉଳ ଉପରେ ଧ୍ୟାନ ଦେବାର ମୁଖ୍ୟ କାରଣ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ଯୋଜନା ରହିଛି । ଚାଉଳ ଏବଂ ଗହମ ଭଳି କିଛି ଫସଲ ଅଛି, ଯାହାକୁ ସରକାର କିଣିଥାନ୍ତି । ଏହାର ମୂଲ୍ୟ ଗ୍ୟାରେଣ୍ଟି ଦିଅନ୍ତି । ଏଭଳି ସ୍ଥିତିରେ ଚାଷୀ ଏହାକୁ ଲଗାଇବା ଦ୍ୱାରା ଅଧିକ ଲାଭ ପାଇଥାନ୍ତି । ଏହା ପରିବେଶକୁ କ୍ଷତି ପହଞ୍ଚାଉଥିବା ସତ୍ତେ୍ୱ ଚାଷୀ ଏହି ଫସଲ ଉପରେ ହିଁ ଅଧିକ ଧ୍ୟାନକେନ୍ଦ୍ରିତ କରୁଛନ୍ତି । ଏହି ସମସ୍ୟା ନୂଆ ନୁହେଁ ।
କୃଷି ଅର୍ଥନୀତିଜ୍ଞ ଡ. ସରଦାରା ସିଂହ ଜୋହଲ ଅନେକ ବର୍ଷ ତଳେ ଏ ସମସ୍ୟାକୁ ନେଇ ଚେତାବନି ଦେଇଥିଲେ । ସେ ଫସଲ ବଦଳାଇବାର ପରାମର୍ଶ ଦେଇଥିଲେ । ଅର୍ଥାତ୍ ଗୋଟିଏ ବର୍ଷ ଚାଉଳ ଚାଷ କଲେ ପରବର୍ତ୍ତୀ ବର୍ଷ ଅନ୍ୟ କୌଣସି ଚାଷ କରିବା ପାଇଁ କହିଥିଲେ । ୧୯୮୬ ଏବଂ ୨୦୦୨ରେ ସେ ସରକାରଙ୍କୁ ୧,୬୦୦ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ କହିଥିଲେ । ଏହି ଟଙ୍କା କମ୍ ଜଳ ବ୍ୟବହାର କରୁଥିବା ଫସଲ ଯେପରି ଡାଲି ଏବଂ ତୈଳବୀଜ ଉତ୍ପାଦନ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଥିଲା । ସେ କହିଥିଲେ ଯେ, ଅର୍ଥ ମନ୍ତ୍ରାଳୟ ଏହି ଯୋଜନାକୁ ମଞ୍ଜୁରି ଦେଇଥିଲା । କିନ୍ତୁ କୃଷି ମନ୍ତ୍ରାଳୟରେ ଏହା ଅଟକିଥିଲା । ତେଣୁ ଏହା ଲାଗୁ ହୋଇପାରିଲା ନାହିଁ ।
ଆଚାର୍ଯ୍ୟ ପ୍ରଶାନ୍ତ ଲୋକଙ୍କୁ ସଚେତନ କରିବା ଏବଂ ନେତାମାନଙ୍କୁ ଉତ୍ତରଦାୟୀ କରିବାକୁ କହିଛନ୍ତି । ସେ ଲେଖିଛନ୍ତି ଯେ, ଲୋକତନ୍ତ୍ରରେ ନେତା ଜନତାଙ୍କୁ ଅନୁସରଣ କରନ୍ତି । ଯଦି ଲୋକେ ଜଳ ସମସ୍ୟାକୁ ଗୁରୁତ୍ୱର ସହ ନେବେ ତେବେ ନେତା ସେମାନଙ୍କ କଥା ଶୁଣିବାକୁ ବାଧ୍ୟ ହେବେ । ଜଳବାୟୁ ବରିବର୍ତ୍ତନ ଦ୍ରୁତ ଗତିରେ ହେଉଛି । ଏଭଳି ସ୍ଥିତିରେ ପଞ୍ଜାବର କୃଷି ମଡେଲ ସଂକଟରେ । ଏହାଦ୍ୱାରା କେବଳ ଖାଦ୍ୟ ସୁରକ୍ଷା ସମସ୍ୟାରେ ନାହିଁ, ରାଜ୍ୟର ଅସ୍ଥିତ୍ୱ ବି ସଂକଟରେ ।