ନୂଆଦିଲ୍ଲୀ,୧୦/୦୫: ଗତକାଲି ପ୍ରେସ୍ ଇନଫର୍ମେଶନ୍ ବ୍ୟୁରୋ ବା PIBର ତଥ୍ୟ ଯାଞ୍ଚ ୟୁନିଟ୍ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦୁଇଟି ପ୍ରମୁଖ ମିଥ୍ୟା ଦାବିକୁ ଖଣ୍ଡନ କରିଛି। ପ୍ରଥମ ଦାବିଟି ଭାରତର ପାୱାର ଗ୍ରୀଡ ଉପରେ ଏକ କଥିତ ସାଇବର ଆକ୍ରମଣ ସହିତ ଜଡିତ ଥିବା ବେଳେ ଦ୍ୱିତୀୟ ଦାବିଟି ଏକ ଗୁରୁଦ୍ୱାର ଉପରେ ଆକ୍ରମଣ ସହିତ ଜଡିତ ଥିଲା। ପିଆଇବି ଉଭୟ ଦାବିକୁ ମିଥ୍ୟା ବୋଲି କହିଛି । ଏଥିସହ ଏପରି ଗୁଜବରେ ବିଶ୍ୱାସ ନ କରିବାକୁ ଲୋକଙ୍କୁ ଅପିଲ୍ କରିଛି।
ସୋସିଆଲ ମିଡିଆରେ ଏକ ପୋଷ୍ଟ ବହୁତ ଭାଇରାଲ ହେବାରେ ଲାଗିଥିଲା, ଯେଉଁଥିରେ ଦାବି କରାଯାଇଥିଲା ଯେ ପାକିସ୍ତାନ ସେନା ସାଇବର ଆକ୍ରମଣ କରି ଭାରତର ୭୦% ପାୱାର ଗ୍ରୀଡକୁ ନିଷ୍କ୍ରିୟ କରିଦେଇଛି। ଏହି ପୋଷ୍ଟଟି “ଗ୍ଲୋବାଲ୍ ଡିଫେନ୍ସ ଇନସାଇଟ୍” ଏବଂ “ଡକ୍ଟର କମର ଚିମା” ନାମକ ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଥିଲା। ପୋଷ୍ଟରେ କୁହାଯାଇଛି,'ପାକିସ୍ତାନୀ ସେନା ଅନୁଯାୟୀ,ଏକ ସାଇବର ଆକ୍ରମଣ ଭାରତର ୭୦% ପାୱାର ଗ୍ରୀଡକୁ ବନ୍ଦ କରିଦେଇଛି।'
PIB ଫ୍ୟାକ୍ଟ ଚେକ୍ ଏହି ଦାବିର ସତ୍ୟତା ଯାଞ୍ଚ କରିଛି ଏବଂ ଏହାକୁ ସମ୍ପୂର୍ଣ୍ଣ ନକଲି ବୋଲି ଜାଣିପାରିଛି। PIB ତାର ଅଫିସିଆଲ୍ ଏକ୍ସ ଆକାଉଣ୍ଟରୁ ପୋଷ୍ଟ କରି କହିଛି ଯେ 'ପାକିସ୍ତାନ ସାଇବର ଆକ୍ରମଣ ମାଧ୍ୟମରେ ଭାରତର ୭୦% ପାୱାର ଗ୍ରୀଡ୍ ଅକ୍ଷମ କରିଦେଇଛି ବୋଲି ଦାବି ସମ୍ପୂର୍ଣ୍ଣ ମିଥ୍ୟା।'ଅନ୍ୟପକ୍ଷରେ, ସୋସିଆଲ ମିଡିଆରେ ଆଉ ଏକ ମିଥ୍ୟା ଦାବି ପ୍ରସାରିତ ହେଉଥିଲା ଯେ, ଭାରତ ନାନକାନା ସାହିବ ଗୁରୁଦ୍ୱାର ଉପରେ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ଏହା ବିଷୟରେ ସୂଚନା ଦେଉଛନ୍ତି। ଯାହାର ପଛପଟେ ଖଲିସ୍ତାନ ଲେଖାଯାଇଛି।PIB ଫ୍ୟାକ୍ଟ ଚେକ୍ ମଧ୍ୟ ଏହି ଦାବିର ସତ୍ୟତା ଯାଞ୍ଚ କରି ଏହାକୁ ନକଲି ବୋଲି କହିଛି। ଭାରତ-ପାକ୍ ଉତ୍ତେଜନା ମଧ୍ୟରେ ମିଥ୍ୟା ଖବର ପ୍ରସାରିତ ହେଉଛି ।