ଭୁବନେଶ୍ଵର : ହିନ୍ଦୀ ଓ ଦକ୍ଷିଣ ଭାରତୀୟ ସିନେମାର ପ୍ରଶଂସକଙ୍କ ପାଇଁ ୨୦୨୫ ବର୍ଷ ସ୍ୱତନ୍ତ୍ର ହେବାକୁ ଯାଉଛି। ନିକଟରେ ଆଇଏମ୍ଡିବି ପକ୍ଷରୁ ଏକ ତାଲିକା ପ୍ରକାଶିତ ହୋଇଛି । ଏହି ତାଲିକାରେ ଏଭଳି କିଛି ସିନେମାର ନାଁ ରହିଛି, ଯେଉଁଗୁଡ଼ିକର ରିଲିଜକୁ ଖୁବ୍ ଉତ୍ସୁକତା ଓ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଦର୍ଶକ । ଏହି ତାଲିକା ଆଇଏମ୍ଡିବିର ‘ରିୟଲ ଟାଇମ୍ ପପୁଲାରିଟି’ ଉପରେ ଆଧାରିତ, ଯାହା ଏକଥା ଦର୍ଶାଏ ଯେ କେଉଁ ଫିଲ୍ମକୁ ଦେଖିବା ପାଇଁ ଦର୍ଶକ ସବୁଠୁ ଅଧିକ ଉତ୍କଣ୍ଠିତ ଅଛନ୍ତି । ତାଲିକାରେ ସ୍ଥାନିତ ଫିଲ୍ମଗୁଡ଼ିକର ନାଁ ଜାଣନ୍ତୁ ।
କୁଲି
ନିର୍ଦ୍ଦେଶକ ଲୋକେଶ କନାଗରାଜଙ୍କ ଫିଲ୍ମ ‘କୁଲି’ ଏକ ଆକ୍ସନ ଓ ଥ୍ରୀଲର ଫିଲ୍ମ । ଏଥିରେ ମୁଖ୍ୟ ଚରିତ୍ର ନିର୍ବାହ କରିଛନ୍ତି ରଜନୀକାନ୍ତ । ତାଙ୍କ ବ୍ୟତୀତ ଏ ଫିଲ୍ମରେ ନାଗାର୍ଜୁନ, ଉପେନ୍ଦ୍ର, ଶ୍ରୁତି ହାସନ ଓ ଆମୀର ଖାନ ମଧ୍ୟ ଅଭିନୟ କରିଛନ୍ତି । ଅଗଷ୍ଟ ୧୪ ତାରିଖରେ ସିନେମାଘରକୁ ଆସିବ ଏ ଫିଲ୍ମ ।
ୱାର-୨
ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଫିଲ୍ମ ‘ୱାର’ର ସିକ୍ୱେଲ ‘ୱାର ୨’ ମଧ୍ୟ ଅଗଷ୍ଟ ୧୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏ ଫିଲ୍ମରେ ହ୍ରିତିକ ରୋଶନଙ୍କ ବ୍ୟତୀତ ଜୁନିୟର ଏନ୍ଟିଆର୍ ଓ କିଆରା ଆଡଭାନୀ ଦେଖିବାକୁ ମିଳିବେ । ଫିଲ୍ମରେ ରହିଛି ଜବରଦସ୍ତ ଆକ୍ସନ, ଯାହାକୁ ବେଶ୍ ପସନ୍ଦ କରିବେ ଦର୍ଶକ ।
ଉଦୟପୁର ଫାଇଲ୍ସ
ଉଦୟପୁରର ଜଣେ ଦର୍ଜି କହ୍ନେୟା ଲାଲ୍ଙ୍କ ହତ୍ୟା ଘଟଣା ଉପରେ ଆଧାରିତ ଏ ଫିଲ୍ମର କାହାଣୀ । ଏଥିରେ ବିଜୟରାଜ ମୁଖ୍ୟ ଚରିତ୍ର ନିର୍ବାହ କରିଛନ୍ତି । କ୍ରାଇମ୍ ଡ୍ରାମା ଦେଖିବାକୁ ଭଲପାଉଥିବା ଦର୍ଶକଙ୍କୁ ଏ ଫିଲ୍ମ ଭରପୂର ମନୋରଞ୍ଜନ ଦେବ । ତେବେ ଏ ଫିଲ୍ମ କେବେ ରିଲିଜ ହେବ ତାହା ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ ।
ମହାବତାର ନରସିଂହ
ଜୁଲାଇ ୨୫ ତାରିଖରେ ରିଲିଜ ହେବ ‘ମହାବତାର ନରସିଂହ’ । ଏହା ଏକ ଆନିମେଟେଡ ଫିଲ୍ମ, ଯେଉଁଥିରେ ରହିଛି ଭଗବାନ ନୃସିଂହ ଓ ଭକ୍ତ ପ୍ରହଲ୍ଲାଦଙ୍କ କାହାଣୀ । ଏ ଫିଲ୍ମ ଦେଖିବାକୁ ମଧ୍ୟ ସିନେପ୍ରେମୀ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି । ଏହାର ଶୁଭମୁକ୍ତି ତାରିଖ ଏ ପର୍ଯ୍ୟନ୍ତ ଘୋଷଣା ହୋଇନାହିଁ ।
ସନ୍ ଅଫ୍ ସର୍ଦ୍ଦାର ୨
ଏହା ଅଜୟ ଦେବଗନଙ୍କ ‘ସନ୍ ଅଫ୍ ସର୍ଦ୍ଦାର’ର ସିକ୍ୱେଲ । ଏ ମାସ ୨୫ ତାରିଖରେ ମୁକ୍ତିଲାଭ କରୁଛି ‘ସନ୍ ଅଫ୍ ସର୍ଦ୍ଦାର ୨’ । ପ୍ରଥମ ଭାଗରେ ଦର୍ଶକ ପଞ୍ଜାବର କାହାଣୀ ଦେଖିଥିବାବେଳେ ଦ୍ୱିତୀୟ ଭାଗରେ ସ୍କଟଲ୍ୟାଣ୍ଡର କାହାଣୀ ଦେଖିବେ । ଅଜୟଙ୍କ ବ୍ୟତୀତ ଏ ଫିଲ୍ମରେ ମୃଣାଳ ଠାକୁର, ରବି କିଷନଙ୍କ ଭଳି କଳାକାର ଅଭିନୟ କରିଛନ୍ତି ।
କିଙ୍ଗଡମ୍
ବିଜୟ ଦେବରାକୋଣ୍ଡାଙ୍କ ଏ ଫିଲ୍ମ ଏକ ସ୍ପାଇ ଥ୍ରୀଲର୍, ଯେଉଁଥିରେ ତାଙ୍କର ପୁନର୍ଜନ୍ମ ଓ ଯୁଦ୍ଧର କାହାଣୀ ଦେଖିବେ ଦର୍ଶକ । ଏହି ସିନେମାରେ ବିଜୟ ଖୁବ୍ ଦମ୍ଦାର ଲୁକ୍ରେ ନଜର ଆସିବେ । ଜୁଲାଇ ୩୧ ତାରିଖରେ ଏ ଫିଲ୍ମ ଆସୁଛି ପ୍ରେକ୍ଷାଳୟକୁ । ତାଲିକାରେ ‘ଧଡ଼କ’ର ଦ୍ୱିତୀୟ ସଂସ୍କରଣ ‘ଧଡ଼କ ୨’ ସ୍ଥାନ ପାଇଛି, ଯାହା ଅଗଷ୍ଟ ୧ ତାରିଖରେ ମୁକ୍ତିଲାଭ କରିବ । ଜାତିଭେଦ ଓ ସମାଜର ଚାପ ସହ ଲଢ଼େଇ କରି ଦୁଇ ପ୍ରେମୀ କିଭଳି ପରସ୍ପରକୁ ସାହଚର୍ଯ୍ୟ ଦେଉଛନ୍ତି, ତା’ର କାହାଣୀ ରହିଛି ଏ ସିନେମାରେ । ଟାଇଗର ଶ୍ରଫ, ସଞ୍ଜୟ ଦତ୍ତ ଓ ସୋନମ ବାଜୱା ଷ୍ଟାରର୍ ହାଇ ଅକ୍ଟେନ ଆକ୍ସନ ଫିଲ୍ମ ‘ବାଗି ୪’ ସିନେମାଘରକୁ ଆସୁଛି ସେପ୍ଟେମ୍ବର ୫ରେ । ଏସବୁ ଫିଲ୍ମ ସମ୍ବନ୍ଧରେ ସିନେପ୍ରେମୀ ବର୍ତ୍ତମାନ ଆଇଏମ୍ଡିବିରେ ସର୍ବାଧିକ ସର୍ଚ୍ଚ କରୁଛନ୍ତି । ଏହା ପ୍ରମାଣିତ କରୁଛି ଯେ, ଦର୍ଶକ ଅତ୍ୟନ୍ତ ଉତ୍ସୁକତାର ସହ ଏସବୁ ସିନେମାର ମୁକ୍ତିଲାଭକୁ ଅପେକ୍ଷା କରି ରହିଛନ୍ତି ।