ମୁମ୍ବାଇ ୨୨/୦୭: ଫିଲ୍ମ ଇଣ୍ଡଷ୍ଟ୍ରି ଏପରି ଏକ ଦୁନିଆ, ଯେଉଁଠାରେ ଜଣେ ଗୋଟିଏ ମୁହୂର୍ତ୍ତରେ ଆକାଶକୁ ଛୁଇଁଯାଏ, ଆଉ ପରବର୍ତ୍ତୀ ମୁହୂର୍ତ୍ତରେ ସ୍ମୃତିର ଅନ୍ଧକାରରେ କେଉଁଠି ହଜିଯାଏ। ଏଠାରେ କିଏ ଚମକୁଥାଏ ତ ଆଉ କିଏ ଫିକା ପଡିଯାଏ। ଏପରି ଜଣେ କଳାକାର ହେଉଛନ୍ତି ସାଭି ସିନ୍ଧୁ। ଦିନେ ସେ ବି ବଲିଉଡ ଇଣ୍ଡଷ୍ଟ୍ରିରେ ଥିଲେ ଫେମସ୍। ଆଜି କେଉଁଠି ହଜିଯାଇଛନ୍ତି। ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କଠିନ ପରିଶ୍ରମ କରିଥିଲେ, ନିଜର ପ୍ରତିଭା ଦେଖାଇଥିଲେ, କିନ୍ତୁ ପ୍ରତିବଦଳରେ ସ୍ଥିରତା ପାଇ ନଥିଲେ। ଆଜି ସାଭି କେଉଁଠି ଅଛନ୍ତି, ସେ ଫିଲ୍ମରୁ କାହିଁକି ଦୂରରେ ଅଛନ୍ତି, ଆସନ୍ତୁ ଜାଣିବା ସେ ବିଷୟରେ...
ଗୋଟିଏ ସମୟ ଥିଲା ଯେତେବେଳେ ସାଭି ଅଭିନେତା ଅକ୍ଷୟ କୁମାର, ଋଷି କପୁରଙ୍କ ଭଳି କିମ୍ବଦନ୍ତୀ କଳାକାରଙ୍କ ସହ ସ୍କ୍ରିନ ସେୟାର କରୁଥିଲେ। ସେ ଅନୁରାଗ କଶ୍ୟପଙ୍କ ସମେତ ଅନେକ ବଡ଼ ବଡ ନିର୍ଦ୍ଦେଶକଙ୍କ ସହ କାମ କରିଥିଲେ, କିନ୍ତୁ ସମୟ ଏପରି ମୋଡ଼ ନେଇଥିଲା ଯେ କ୍ୟାମେରା ସାମ୍ନାରେ ଚରିତ୍ରଗୁଡ଼ିକୁ ଜୀବନ୍ତ କରୁଥିବା ସେହି ଅଭିନେତାଙ୍କୁ ଜୀବିକା ନିର୍ବାହ ପାଇଁ ସୁରକ୍ଷା କର୍ମୀ ଭାବରେ କାମ କରିବାକୁ ପଡିଲା। ଏବେ ସାଭି ଏକ କଷ୍ଟକର ଜୀବନଯାପନ କରୁଛନ୍ତି ଏବଂ ତାଙ୍କୁ ବଲିଉଡରେ କାମ ବି ମିଳୁନାହିଁ।
ଲକ୍ଷ୍ନୌରେ ଜନ୍ମିତ ସାଭି ସିଦ୍ଧୁଙ୍କ ସ୍ୱପ୍ନ ଥିଲା ମଡେଲିଂରେ କ୍ୟାରିୟର କରିବା। ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ଚଣ୍ଡିଗଡ଼ ଯାଇଥିଲେ, କିନ୍ତୁ ଭାଗ୍ୟ ତାଙ୍କୁ ଅଭିନୟ ଜଗତକୁ ଟାଣି ନେଇଥିଲା। ସେ ଘରକୁ ଫେରି ଥିଏଟରରେ ଯୋଗ ଦେଇଥିଲେ ଏବଂ ଅଭିନୟ ବିଷୟରେ ଶିଖିବା ଆରମ୍ଭ କରିଥିଲେ।ରଙ୍ଗମଞ୍ଚ ତାଙ୍କୁ ମଞ୍ଚରେ ନିଜକୁ ପରୀକ୍ଷା କରିବା ଏବଂ ନିଜକୁ ଉତ୍କୃଷ୍ଟ କରିବାର ସୁଯୋଗ ଦେଇଥିଲା। ସାଭି ୧୯୯୫ ମସିହାରେ 'ତାକତ' ଫିଲ୍ମ ସହିତ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ, ଯେଉଁଠାରେ ତାଙ୍କ ଅଭିନୟ ଅନୁରାଗ କଶ୍ୟପଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପରେ, କଶ୍ୟପ ତାଙ୍କୁ ତାଙ୍କର ଲୋକପ୍ରିୟ ଫିଲ୍ମ 'ବ୍ଲାକ୍ ଫ୍ରାଇଡେ' (୨୦୦୭) ଏବଂ 'ଗୁଲାଲ୍' (୨୦୦୯) ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଇଥିଲେ। ତାଙ୍କ ଅଭିନୟକୁ ଖିବ୍ ପ୍ରଶଂସା କରାଯାଇଥିଲା।
ଏହା ପରେ, ସାଭି 'ପଟିଆଲା ହାଉସ୍' (୨୦୧୧), 'ଡେ ଡି' (୨୦୧୩), 'ବେୱକୁଫିଆଁ' (୨୦୧୪) ଏବଂ ସାଉଥ ଫିଲ୍ମ 'ଆରମ୍ଭମ୍'ରେ ଜଣେ ଆତଙ୍କବାଦୀ ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ଶେଷ ପ୍ରମୁଖ ଫିଲ୍ମ ଥିଲା 'ମସ୍କା' (୨୦୨୦)। ଏହା ପରେ ତାଙ୍କ କ୍ୟାରିଅର ଧୀରେ ଧୀରେ ତଳକୁ ଖସିଗଲା। ୨୦୧୯ ମସିହାରେ ସାଭି ସିଦ୍ଧୁଙ୍କ ନାମ ପୁଣିଥରେ ଖବରରେ ଆସିଥିଲା, କିନ୍ତୁ ଏଥର କାରଣ ଥିଲା ଫିଲ୍ମରେ କୌଣସି ଭୂମିକା ପାଇଁ ନୁହେଁ, ବରଂ ତାଙ୍କର ଆର୍ଥିକ ଦୁର୍ଦ୍ଦଶା।ତାଙ୍କୁ ଲୋଖଣ୍ଡୱାଲାର ଅନ୍ଧେରୀ ପଶ୍ଚିମରେ ଏକ କୋଠାରେ ଚୌକିଦାର ଭାବରେ କାମ କରୁଥିବାର ଦେଖାଯାଇଥିଲା। ଯେତେବେଳେ ସାମ୍ବାଦିକମାନେ ତାଙ୍କ ସହିତ କଥା ହୋଇଥିଲେ, ସେ ବହୁତ ଭାବପ୍ରବଣ ହୋଇ ତାଙ୍କ ଜୀବନ ବିଷୟରେ କହିଥିଲେ।
ସାଭି କହିଥିଲେ, 'ମୋ ଜୀବନର ସବୁଠାରୁ କଷ୍ଟକର ସମୟ ସେତେବେଳେ ଆସିଥିଲା, ଯେବେ ମୁଁ ମୋ ସ୍ତ୍ରୀ, ବାପା ଏବଂ ତା'ପରେ ମାଆଙ୍କୁ ହରାଇଲି। ମୁଁ ସମ୍ପୂର୍ଣ୍ଣ ଏକା ହୋଇଗଲି। ଆଉ କୌଣସି ସମର୍ଥନ ନଥିଲା।' ତାଙ୍କ ଆଖିରେ ସେହି ସମୟର ଯନ୍ତ୍ରଣା ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ସେ କହିଥିଲେ, 'ମୋ ପାଖରେ ବସ୍ ଟିକେଟ୍ କିଣିବା ପାଇଁ ମଧ୍ୟ ଟଙ୍କା ନଥିଲା। ଥିଏଟରକୁ ଯାଇ ଫିଲ୍ମ ଦେଖିବା ଏବେ ସ୍ୱପ୍ନ ପରି ଲାଗୁଛି।