ମାଲକାନଗିରି : ଡଃ ଆମ୍ବେଦକରଙ୍କୁ ସମାଲୋଚନା କରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦେଇଥିବା ବିବୃତିର ପ୍ରତିବାଦ। ଆଜି ମାଲକାନଗିରି ଜିଲ୍ଲା ବହୁଜନ ସମାଜ ପାର୍ଟି ପକ୍ଷରୁ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଏହାସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।
ବହୁଜନ ସମାଜ ପାର୍ଟି ଜିଲ୍ଲା ସଭାପତି ଜାରାଶବର ମାଡିଙ୍କ ନେତୃତ୍ୱରେ ସଦର ମହକୁମା ବସ୍ଷ୍ଟାଣ୍ଡ ନିକଟରେ ଥିବା ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରୁ ଏକ ବିରାଟ ଶୋଭାଯାତ୍ରା ବାହାରିବା ସହ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଗତ ଶୀତକାଳୀନ ଅଧିବେଶନରେ ଡଃ. ଭିମରାଓ ଆମ୍ବେଦକରଙ୍କ ବିଷୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଶାଳୀନ ମନ୍ତବ୍ୟ ଦେଇ ଥିଲେ। ଏଥିସହ ସେ କହିଥିଲେ ଯେ, ସମସ୍ତେ କେବଳ ଆମ୍ବେଦକର, ଆମ୍ବେଦକର କହିବା ଫ୍ୟାଶନ ହୋଇ ଯାଇଛି। ଯଦି ଜନସାଧାରଣ ଭଗବାନ, ଭଗବାନ ବୋଲି କହିବେ ତାଙ୍କୁ ମୁକ୍ତି ମିଳିଥାନ୍ତା । ଏହାକି ଭାରତର ଭାରତରତ୍ନ ଡଃ ଆମ୍ବେଦକର ଓ ଭାରତର ଜନସାଧାରଣଙ୍କ ଆବେଗକୁ ଆଘାତ କରିଛି । ଏହାକୁ ପ୍ରତିବାଦ କରି ଏହି ରାଲି ଅନୁଷ୍ଠିତ ହୋଇ ଥିଲା, ଏହି ବିକ୍ଷୋଭ ଓ ଶୋଭାଯାତ୍ରା ରେ ଶତାଧିକ ବହୁଜନ ସମାଜ ପାର୍ଟି ର ସଦସ୍ୟ ମାନେ ଯୋଗଦେଇଥିଲେ।