ନୂଆଦିଲ୍ଲୀ: ବାବାସାହେବ ଭୀମରାଓ ଆମ୍ବେଦକରଙ୍କୁ ନେଇ ରାଜନୀତି ଜୋର ଧରିଛି । ଆମ୍ବେଦକରଙ୍କୁ କଂଗ୍ରେସ ଅପମାନ କରିଛି ବୋଲି ବିଜେପି ଅଭିଯୋଗ କରୁଥିବା ବେଳେ କଂଗ୍ରେସ ମଧ୍ୟ ପାଲଟା ଆକ୍ରମଣ କରୁଛି । ଏହାରି ମଧ୍ୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସ ଉପରେ ବର୍ଷିଛନ୍ତି । କଂଗ୍ରେସ ଆମ୍ବେଦକରଙ୍କ ସମେତ ଦେଶର ପଛୁଆ ବର୍ଗଙ୍କୁ ଅସମ୍ମାନ କରିଛି ବୋଲି ଯୋଗୀ ଆଦିତ୍ୟନାଥ ଅଭିଯୋଗ କରିଛନ୍ତି ।
ଏହା ବ୍ୟତୀତ ବାବାସାହେବଙ୍କ ନିର୍ବାଚନୀ ପରାଜୟ ଲାଗି କଂଗ୍ରେସ ଷଡ଼ଯନ୍ତ୍ର କରିଥିବା ବେଳେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବାରେ ବିଫଳ ହୋଇଛି ବୋଲି ସେ ଦାବି କରିଛନ୍ତି । ସେପଟେ ବିଜେପି ଆମ୍ବେଦକରଙ୍କୁ ସମ୍ମାନ ଦେବାକୁ ପଦକ୍ଷେପ ନେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ । ସେହିଭଳି ଦେଶରେ ଜରୁରୀ ସ୍ଥିତି ସମୟରେ କଂଗ୍ରେସ ସମ୍ବିଧାନର Preamble(ପ୍ରସ୍ତାବନା)ରେ ଧର୍ମନିରପେକ୍ଷ ଏବଂ ସମାଜବାଦୀ ଭଳି ଶବ୍ଦ ଯୋଡ଼ିଥିଲା । ଯାହାକି ଆମ୍ବେଦକରଙ୍କ ମୂଳ ଦର୍ଶନର ଅଂଶକ ନୁହେଁ ବୋଲି ଯୋଗୀ ଆଦିତ୍ୟନାଥ ଯୁକ୍ତି ବାଢ଼ିଛନ୍ତି ।
ଏହା ବ୍ୟତୀତ ସେ ଜୋର ଦେଇ କହିଛନ୍ତି ଯେ, ବିଜେପି ଦଳିତ ଏବଂ ପଛୁଆ ବର୍ଗର ଉତ୍ଥାନ ଲାଗି ନିରନ୍ତର ଭାବରେ କାର୍ଯ୍ୟ କରୁଛି । କଂଗ୍ରେସ ଅପେକ୍ଷା ବହୁତ ଭଲ କାମ କରୁଛି ବିଜେପି । ସେ ଆହୁରି କହିଛନ୍ତି, ‘କଂଗ୍ରେସ ଦ୍ବାରା ସମୟ ସମୟରେ ବାବାସାହେବଙ୍କ ପ୍ରତି ଅସାମ୍ବିଧାନିକ ଏବ ଅନୈତିକ ବ୍ୟବହାରକୁ ଉଜାଗର କରିବା ଲାଗି ଆଜିର ଏହି ସାମ୍ବାଦିକ ସମ୍ମିଳନୀର ଉଦ୍ଦେଶ୍ୟ । ଦେଶର ସ୍ବାଧୀନତା ଏବଂ ସମ୍ବିଧାନ ନିର୍ମାଣ କ୍ଷେତ୍ରରେ ଆମ୍ବେଦକରଙ୍କ ଗରୁତ୍ବପୂର୍ଣ୍ଣ ଭୂମିକା ଥିଲା । ପ୍ରତି ଭାରତୀୟଙ୍କ ମନରେ ବାବାସାହେବଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ରହିଛି । ଭାରତୀୟ ଜନତା ପାର୍ଟି ଆମ୍ବେଦକରଙ୍କ ସ୍ବପ୍ନର ଦେଶ ତିଆରି କରିବାକୁ କାମ କରିଛି । ବିଜେପି ବାବାସହେବ ଆମ୍ବେଦକରଙ୍କୁ ଉଚିତ ସମ୍ମାନ ଦେଇଛି ।’