ନୂଆଦିଲ୍ଲୀ, ୨୫।୧୨: କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ୨୬ ତାରିଖ ଅର୍ଥାତ୍ ଗୁରୁବାର ଦିନ ବୀର ବାଲ ଦିବସ ପାଳନ କରାଯିବ । ନୂଆଦିଲ୍ଲୀର ଭାରତ ମଣ୍ଡପରେ ଜାତୀୟ ସ୍ତରୀୟ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ମନୋନୀତ ୧୭ ଜଣ ପିଲାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କରିବେ । ଏମାନଙ୍କ ମଧ୍ୟରେ ୭ ଜଣ ପୁଅ ଓ ୧୦ ଜଣ ଝିଅ ଅଛନ୍ତି ।
କଳା ଓ ସଂସ୍କୃତି, ଶୌର୍ଯ୍ୟ, ନବସୃଜନ, ବିଜ୍ଞାନ ଓ ପ୍ରଯୁକ୍ତି, ସମାଜସେବା, କ୍ରୀଡ଼ା ଓ ପରିବେଶ ସୁରକ୍ଷା ଆଦି ୭ଟି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସିଥିବା ପିଲାମାନଙ୍କୁ ଏହି ପୁରସ୍କାର ପ୍ରଦାନ ଲାଗି ମନୋନୀତ କରାଯାଇଛି । ପୁରସ୍କାର ସ୍ୱରୂପ ପ୍ରତି ପିଲାଙ୍କୁ ମେଡାଲ, ପ୍ରମାଣପତ୍ର ଓ ପ୍ରଶଂସା ପତ୍ର ପୁସ୍ତିକା ମିଳିବ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଉପସ୍ଥିତ ରହିବେ । ପୁରସ୍କୃତ ହେବାକୁ ଥିବା ପିଲାଙ୍କ ସମେତ ୩୫୦୦ ପିଲା ଏହି କାର୍ଯ୍ୟକ୍ରମରେ ଯୋଗଦେବେ ।