ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା କମିଥିବାରୁ ଗ୍ରାପ୍-୪ କଟକଣା ହଟାଇ ଦିଆଯାଇଛି । ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ (ଗ୍ରାପ୍)-୪ ପ୍ରତ୍ୟାହାର କରିନେବା ପରେ ଏବେ ସାଧାରଣ ଜୀବନ ଯାତ୍ରା ସ୍ବାଭାବିକ ହୋଇପାରିବ । ଏହି କଟକଣା ଦ୍ବାରା ଦିଲ୍ଲୀରେ ନିର୍ମାଣ ଗତିବିଧି ଉପରେ ସଂପୂର୍ଣ୍ଣ ରୂପେ ପ୍ରତିବନ୍ଧକ ଲାଗିଥିଲା ଏବଂ ସହରକୁ ଜରୁରି ନଥିବା ଟ୍ରକଗୁଡ଼ିକର ପ୍ରବେଶ ନିଷେଧ ଥିଲା ।
ଏବେ ଏହି କଟକଣା ଉଠାଇ ଦିଆଯାଇଥିଲେ ମଧ୍ୟ ଗ୍ରାପ୍ ୧,୨ ଓ ୩ କଟକଣା ଲାଗୁ ରହିବ । ସେପଟେ କଟକଣା କୋହଳ ହୋଇଯିବା ପରେ ଛାତ୍ରଛାତ୍ରୀ ସ୍କୁଲ ଆସି ପଢ଼ିପାରିବେ । ଦିଲ୍ଲୀରେ ଅନୁକୂଳ ଜଳବାୟୁ ଯୋଗୁଁ ପ୍ରଦୂଷଣର ମାତ୍ରା କମ୍ ହୋଇଛି । ଏୟାର କ୍ବାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ)ରେ ଲଗାତାର ସୁଧାର ଆସୁଥିବା ବେଳେ କଟକଣା କୋହଳ କରାଯାଇଛି । ସୁପ୍ରିମକୋର୍ଟ ଧାର୍ଯ୍ୟ କରିଥିବା ସ୍ତର ଠାରୁ ଆଜି ଦିଲ୍ଲୀର ଏକ୍ୟୁଆଇ ୩୬ ପଏଣ୍ଟ କମ୍ ଥିଲା, ତେଣୁ ଗ୍ରାପ୍-୪ କଟକଣା ହଟାଇ ଦେଇଛନ୍ତି ଦିଲ୍ଲୀ ସରକାର ।
ପ୍ରତିବର୍ଷ ଜାତୀୟ ରାଜଧାନୀ ଦିଲ୍ଲୀରେ ଶୀତ ଋତୁରେ ବାୟୁର ମାନ ଅତ୍ୟନ୍ତ ଖରାପ ହୋଇପଡ଼େ । ଧିମା ପବନ, ଗାଡ଼ିମୋଟରରୁ ନିର୍ଗତ ଧୂଆଁ ଏବଂ ନଡ଼ାପୋଡ଼ି ଲାଗି ରାଜଧାନୀର ବାୟୁ ପାଲିଟି ଯାଏ ଜହର ଏବଂ ଲୋକେ ହନ୍ତସନ୍ତ ହୁଅନ୍ତି । ଏହାକୁ ନଜରରେ ରଖି, ଦିଲ୍ଲୀ ସରକାର ବର୍ଷ ସାରା ବାଣ ଉପରେ ବ୍ୟାନ ଲଗାଇଛନ୍ତି । ସେପଟେ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ଏବଂ ହରିୟାଣା ସରକାରଙ୍କୁ ବାଣ ବ୍ୟାନ୍ କରିବାକୁ ପରାମର୍ଶ ଦେଇଛନ୍ତି ।