ନୂଆଦିଲ୍ଲୀ, ୨୫।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ୩ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଥିଲା ବେଳେ ୨ଟି ରାଜ୍ୟରେ ରାଜ୍ୟପାଳଙ୍କୁ ବଦଳାଇଛନ୍ତି । ରାଷ୍ଟ୍ରପତି ଭବନ ପକ୍ଷରୁ ଆଜି ସନ୍ଧ୍ୟାରେ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଛି । ପୂର୍ବତନ ସ୍ୱରାଷ୍ଟ୍ର ସଚିବ ଅଜୟ କୁମାର ଭଲ୍ଲାଙ୍କୁ ହିଂସା ଉପଦ୍ରୁତ ମଣିପୁରର ନୂଆ ରାଜ୍ୟପାଳ ନିଯୁକ୍ତ କରାଯାଇଛି । ଏଠାରେ ଗତ ୧ ବର୍ଷରୁ ଅଧିକ ସମୟ ହେଲା କୁକି ଓ ମୈତେଇ ସମୁଦାୟ ମଧ୍ୟରେ ସଂଘର୍ଷ ଲାଗି ରହିଛି । ଯାହାଫଳରେ ଅନେକ ଧନଜୀବନ ହାନି ହୋଇଛି । ଏଠାରେ ରାଜ୍ୟପାଳ ଭାବେ ଅବସ୍ଥାପିତ ଅନୁସୂୟା ଉଇକେଙ୍କୁ ହଟାଇ ତାଙ୍କ ସ୍ଥାନରେ ଭଲ୍ଲାଙ୍କୁ ନିଯୁକ୍ତ କରାଯାଇଛି । ଭଲ୍ଲା ୧୯୮୪ ବ୍ୟାଚ୍ ଆସାମ-ମେଘାଳୟ କ୍ୟାଡାର ଆଇଏଏସ୍ ଅଧିକାରୀ । ସ୍ୱରାଷ୍ଟ୍ର ସଚିବ ଭାବେ ଦୀର୍ଘ ୫ ବର୍ଷ ଧରି କାର୍ଯ୍ୟ କରିଥିଲେ । ସେହିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେନେରାଲ ବିଜୟ କୁମାର ସିଂହ ମିଜୋରାମର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ଓ ଦ୍ୱିତୀୟ ପାଳିରେ ସେ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।
ସେପଟେ ଓଡ଼ିଶାର ରାଜ୍ୟପାଳ ପଦରୁ ରଘୁବର ଦାସ ଇସ୍ତଫା ଦେଇଥିବା ବେଳେ ତାଙ୍କ ଇସ୍ତଫାପତ୍ରକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି । ଏଥିସହ ତାଙ୍କ ସ୍ଥାନରେ ମିଜୋରାମ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ଓଡ଼ିଶାର ଦାୟିତ୍ୱ ଦିଆଯାଇଛି । ଆରିଫ ମହମ୍ମଦ ଖାନ୍ଙ୍କୁ ବିହାର ରାଜ୍ୟପାଳ ନିଯୁକ୍ତ କରାଯାଇଛି । ସେ ବର୍ତ୍ତମାନ କେରଳ ରାଜ୍ୟପାଳ ଅଛନ୍ତି । ବିଭିନ୍ନ ପ୍ରସଙ୍ଗକୁ ନେଇ କେରଳ ସରକାରଙ୍କ ସହ ତାଙ୍କର ବହୁଦିନ ହେଲା ବିବାଦ ଲାଗି ରହିଥିଲା । ବିହାର ରାଜ୍ୟପାଳ ଥିବା ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ସେମାନଙ୍କ ନିଯୁକ୍ତି କାର୍ଯ୍ୟକାରୀ ହେବ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ବିଜ୍ଞାପ୍ତିରେ କୁହାଯାଇଛି । କେନ୍ଦ୍ରରେ ରାଷ୍ଟ୍ରପତିଙ୍କ ଭଳି ରାଜ୍ୟରେ ରାଜ୍ୟପାଳମାନେ ସାମ୍ବିଧାନିକ ମୁଖ୍ୟ ଭାବେ କାର୍ଯ୍ୟ କରିଥାନ୍ତି ।