ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ପୁଣି ଥରେ ବିଜେପିରେ ସାମିଲ ହୋଇପାରନ୍ତି । ସେ ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରହଣ ମଧ୍ୟ କରିଛନ୍ତି । ସେପଟେ ମିଜୋରାମ ରାଜ୍ୟପାଳ ଡଃ ହରିବାବୁ କମ୍ଭମପତିଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବରେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି । ଖାସ କଥା ହେଉଛି, ରଘୁବର ଦାସ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ବେଳେ ପୁଣି ଥରେ ସେ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି ।
ବିଜେପିର ବରିଷ୍ଠ ନେତାଙ୍କ ମଧ୍ୟରେ ଅନ୍ୟତମ ରଘୁବର ଦାସ ୨୦୧୪-୨୦୧୯ ଯାଏଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ରହିଛନ୍ତି । ରଘୁବର ଦାସ ଜାମସେଦପୁର ଇଷ୍ଟରୁ ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ । ରଘୁବରଙ୍କୁ ୧୮ ଅକ୍ଟୋବର ୨୦୨୩ରେ ଓଡ଼ିଶାର ରାଜ୍ୟପାଳ ନିଯୁକ୍ତ କରାଯାଇଥିଲା ଏବଂ ସେ ୩୧ ଅକ୍ଟୋବର ୨୦୨୩ରେ ଦାୟିତ୍ବ ଗ୍ରହଣ କରିଥିଲେ । ବିଜେପିର ଫାଉଣ୍ଡର ମେମ୍ବର ତାଲିକାରେ ରଘୁବର ଦାସଙ୍କ ନାଁ ସାମିଲ କରାଯାଏ । ସେ ୧୯୭୭ରେ ଜନତା ପାର୍ଟିରେ ସାମିଲ ହୋଇଥିଲେ ଏବଂ ୧୯୮୦ରେ ପ୍ରତିଷ୍ଠାତା ସଦସ୍ୟ ରୂପେ ବିଜେପିର ସଦସ୍ୟତା ନେଇଥିଲେ ।
ରାଜ୍ୟ ଏବଂ ରାଷ୍ଟ୍ରୀୟ ସ୍ତରରେ ବିଜେପି ପାଇଁ ବିଭିନ୍ନ ପଦରେ କାର୍ଯ୍ୟ କରିଛନ୍ତି ରଘୁବର ଦାସ । ରଘୁବର ଦାସ ଆରଏସଏସ୍ର ପୂର୍ବତନ ପଦାଧିକାରୀ ଏବଂ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରହିସାରିଛନ୍ତି । ସେହିଭଳି ୧୯୯୫ରୁ ଜାମସେଦପୁର ଇଷ୍ଟ ବିଧାନସଭା ଆସନରୁ ୫ ଥର ପ୍ରତିନିଧିତ୍ବ କରିଛନ୍ତି । ପ୍ରଥମେ ବିହାର ଏବଂ ପରେ ଝାଡ଼ଖଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିବା ରଘୁବର ଦାସ କେବେ ବି ନିର୍ବାଚନରେ ପରାସ୍ତ ହୋଇନାହାନ୍ତି ।