ଭୁବନେଶ୍ୱର,୨୫/୧୨ : ଚଳିତ ମାସର ଦ୍ୱିତୀୟାର୍ଦ୍ଧ ଏବଂ ଜାନୁୟାରୀ ୨୦୨୫ର ପ୍ରଥମାର୍ଦ୍ଧରେ ୫ଟି ଗ୍ରହକୁ ଖାଲି ଆଖିରେ ଦେଖିହେବ । ଏହାକୁ ଗ୍ରହ ସମାବେଶ ବା ଇଂରାଜୀରେ "ପ୍ଲାନେଟ୍ ପରେଡ୍' କୁହାଯାଉଛି । ଯଦିଓ ଏହି ଶବ୍ଦର କୌଣସି ବୈଜ୍ଞାନିକ ସଜ୍ଞା ନାହିଁ କିନ୍ତୁ ଜ୍ୟୋତିର୍ବିଜ୍ଞାନରେ ଏହା ବହୁଳ ଭାବରେ ବ୍ୟବହୃତ ହେଉଛି, ଯାହା ଏକ ବିରଳ ମହାଜାଗତିକ ଘଟଣା ଭାବେ ବିବେଚନା କରାଯାଏ ।
ସୂର୍ଯ୍ୟ ଚାରିପଟେ ୮ଟି ଗ୍ରହ ପରିକ୍ରମା କରୁଛନ୍ତି । ଏହି ୮ଟି ଗ୍ରହ ଭିତରୁ ପୃଥିବୀକୁ ଛାଡ଼ି ୫ଟି ଗ୍ରହକୁ ଖାଲି ଆଖିରେ ଦେଖିହୁଏ । ସୂର୍ଯ୍ୟାସ୍ତ ପରେ ପଶ୍ଚିମ ଦିଗବଳୟର କିଛି ଉପରେ ଦେଖାଯିବ ଉଜ୍ଜଳ ଶୁକ୍ର ଗ୍ରହ, ତାର କିଛ ଉପରକୁ ଥିବ ଇସତ୍ ହଳଦି ରଙ୍ଗର ଶନି ଗ୍ରହ ଓ ପୂର୍ବ ଦିଗବଳୟର ଉପରେ ଥିବ ଉଜ୍ଜ୍ୱଳ ବୃହଷ୍ପତି ଗ୍ରହ । ରାତି ବଢ଼ିବା ସଙ୍ଗେ ସଙ୍ଗେ ଏହି ଗ୍ରହ ଗୁଡ଼ିକ ପୂର୍ବରୁ ପଶ୍ଚିମ ଆଡ଼କୁ ଗତିକରି କ୍ରମାନ୍ୱୟରେ ଅସ୍ତ ହୋଇଥାନ୍ତି । ରାତି ୯ଟା ବେଳକୁ ପ୍ରଥମେ ଶୁକ୍ର ଗ୍ରହ ଅସ୍ତ ହେବ ଓ ପ୍ରାୟ ସେତିକି ବେଳକୁ ଲାଲ ରଙ୍ଗର ମଙ୍ଗଳ ଗ୍ରହ ପୂର୍ବ ଦିଗବଳୟରେ ଉଦୟ ହେବ।
ବୁଧ ଗ୍ରହ ପୂର୍ବ ଦିଗବଳୟରେ ଭୋର ସମୟରେ ଉଦୟ ହେବ । ଡିସେମ୍ବର ୨୫ରେ ବୁଧ ଗ୍ରହକୁ ଦେଖିବାର ସବୁଠାରୁ ଭଲ ସୁଯୋଗ ଆସିବ ଯେତେବେଳେ ଏହା ପୃଥିବୀ ଅକ୍ଷ ସହ ସର୍ବାଧିକ ୧୭ ଡିଗ୍ରୀ ଉପରେ ରହିବ । ବୁଧ ଗ୍ରହକୁ ଦେଖିବା ଏତେ ସହଜ ନୁହେଁ କାରଣ ଏହା ବର୍ଷରେ ଖୁବ୍ କମ ଦିନ ପାଇଁ ପୂର୍ବ ଅଥବା ପଶ୍ଚିମ ଦିଗବଳୟରେ ଦେଖାଯାଏ । ଏହା ଛଡା ୟୁରାନସ୍ ଓ ନେପଚୁନ୍ ଗ୍ରହକୁ ମଧ୍ୟ ଦୂରବୀକ୍ଷଣରେ ଦେଖିହେବ ବୋଲି ଜନବିଜ୍ଞାନୀ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।