ଭୁବନେଶ୍ୱର,୨୪/୧୨ : ଆଜି (ବୁଧବାର) ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା ଅଛି । ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା,କୋରାପୁଟ, ମାଲକାନଗିରି ଓନବରଙ୍ଗପୁରରେ ସ୍ୱଳ୍ପ ବର୍ଷା ହୋଇପାରେ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ଟ୍ବିନ ସିଟିରେ କୋହଲା ପାଗ ସହ ହାଲୁକା ବର୍ଷା ହୋଇଛି । ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।
ମଙ୍ଗଳବାର ସକାଳ ସାଢ଼େ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ଭିତରେ କଟକରେ ୧୧.୪ ମିମି ବର୍ଷା ହୋଇଛି । ଦାରିଙ୍ଗିବାଡ଼ିରେ ୭ମିମି, କୋରାପୁଟରେ ୪.୨, ଅନୁଗୁଳରେ ୩, ପାରଳାଖେମୁଣ୍ଡିରେ ୨.୪,ଢେଙ୍କାନାଳରେ ୧.୨ମିମି ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର, ସମ୍ବଲପୁର ଓ ରାୟଗଡ଼ାରେ ବି ବର୍ଷା ଛିଞ୍ଚିଛି । ମଙ୍ଗଳବାର ଦିନବେଳା ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ କୋହଲା ଥିଲା । ଶୁକ୍ରବାର ଯାଏ ରାଜ୍ୟର ସବୁ ଅଞ୍ଚଳର ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ ।
ଶୁକ୍ରବାରଠାରୁ ପାରଦ ୨ରୁ ୩ ଡିଗ୍ରୀ ଖସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । କୋରାପୁଟର ରାତି ତାପମାତ୍ରା ସବୁଠୁ କମ୍ ବା ୧୨ ଡିଗ୍ରୀ ରେକର୍ଡ ହୋଇଥିଲା । ଫୁଲବାଣୀରେ ୧୩, ରାଉରକେଲାରେ ୧୩.୧, ଝାରସୁଗୁଡ଼ାରେ ୧୩.୬, ନବରଙ୍ଗପୁର ଓ ସୁନ୍ଦରଗଡ଼ରେ ୧୪ରେ ଏବଂ ଖୋର୍ଦ୍ଧାରେ ୧୪.୫ ଡିଗ୍ରୀ ରେକର୍ଡ ହୋଇଥିଲା । ଅଦିନିଆ ଲଘୁଚାପ ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଛି । ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ବର୍ଷା କମିବା ପରେ ଶୀତ ବଢିବାଟା ନିଶ୍ଚୟ ।