ଭୁବନେଶ୍ୱର, ୩।୨: ଇଟି ନାଓ ଇଣ୍ଡଷ୍ଟ୍ରି ଆଇକନ୍ସ -୨୦୨୫ ଇଷ୍ଟ ଚାପ୍ଟରର ପ୍ରଥମ ସଂସ୍କରଣର ସମ୍ମାନ ପ୍ରଦାନ ଉତ୍ସବରେ ସୁମା ରିୟଲ୍ ମିଡିଆ ପ୍ରାଇଭେଟ ଲିମିଟେଡ୍ର ଓଡ଼ିଆ ସମ୍ବାଦପତ୍ର ‘ପ୍ରମେୟ’କୁ ଓଡ଼ିଶାର ଏକ ନମ୍ବର ସମ୍ବାଦପତ୍ର ଭାବେ ସମ୍ମାନିତ କରାଯାଇଛି । ସୁମା ରିୟଲ୍ ମିଡିଆ ପ୍ରାଇଭେଟ ଲିମିଟେଡ୍ର ଗ୍ରୁପ୍ ଡାଇରେକ୍ଟର (ସେଲ୍ସ ଆଣ୍ଡ ମାର୍କେଟିଂ) ହିମାଂଶୁ ଭୂଷଣ ହୋତା ଏହି ସମ୍ମାନ ଗ୍ରହଣ କରିଥିଲେ । ଭାରତୀୟ ଶାସ୍ତ୍ରୀୟ ସଂଗୀତଜ୍ଞ ତଥା ସରୋଦ ବାଦକ ଅମନ୍ ଅଲ୍ଲୀ ବଙ୍ଗସ୍ ଶ୍ରୀ ହୋତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । କୋଲକାତା ଠାରେ ଗତ ଶୁକ୍ରବାର ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଟାଇମ୍ସ ଗ୍ରୁପ୍ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ସମ୍ମାନିତ ଅତିଥି ଯୋଗ ଦେଇଥିବା ବେଳେ ଭାରତୀୟ ଅଭିନେତ୍ରୀ ତଥା ପ୍ରଯୋଜିକା ଋତୁପର୍ଣ୍ଣା ସେନ୍ଗୁପ୍ତା ଚକ୍ରବର୍ତୀ ମଧ୍ୟ ସାମିଲ ହୋଇଥିଲେ । ଟାଇମ୍ସ ନେଟୱାର୍କର ଆସିଷ୍ଟାଣ୍ଟ ଭାଇସ୍ ପ୍ରେସିଡେଣ୍ଟ ତଥା ପୂର୍ବାଞ୍ଚଳର ଆଞ୍ଚଳିକ ମୁଖ୍ୟ ବିମନ୍ ଦତ୍ତ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।