ସପ୍ତାହରେ ସାତଟି ବାର ଅଛି । ମାତ୍ର ରବିବାରର କଥା ନିଆରା । ଯେତେ ସବୁ କାମ ବାକି ରହିଥାଏ, ଏହି ସପ୍ତାହାନ୍ତ ଦିବସଟିରେ ତାହା ସମାପନ କରିବା ସକାଶେ ଯୋଜନା କରାଯାଇଥାଏ । ଏଠାରେ କାମର ଅର୍ଥ- ଯାବତୀୟ କାମ । ଯେମିତି: ଏକଦା ମୂଷା, ମଶା ଓ ମାଛି ଗୋଟିଏ ସଭା କରିବା ପାଇଁ ରବିବାରକୁ ବାଛିଲେ । ଏଥିପାଇଁ ସ୍ଥାନ ଧାର୍ଯ୍ୟ କଲେ ନିଧି ନାମକ ଗୋଟିଏ ବୁଢ଼ାର ବାରିପଟକୁ । ସେତେବେଳେ ଶ୍ରାବଣ ମାସ । ଆଲୋଚନା ଓ ବିଚାର ପାଇଁ ଯେଉଁ ଦିନଟି ସ୍ଥିର କଲେ ତାହା ଥିଲା ରବିବାର । ନିଧି ବୁଢ଼ାର ବାସସ୍ଥାନ ଉପଯୁକ୍ତ ବୋଲି ସେମାନେ ଆଗରୁ ଜାଣିଥିଲେ । ତେବେ ଅଲଗା ଅଲଗା ଭାବେ । ମିଳିତ ହୋଇ ଇଚ୍ଛିତ କାମ କରିବାକୁ ଗୋଟିଏ ସଭା ଆବଶ୍ୟକ ପଡ଼ିଲା । ପ୍ରତ୍ୟେକ ନିଜ ନିଜର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଲେ । ମୂଷାର ଭୂମିକା ହେଲା ଯେ, ବୁଢ଼ାର ମାଟିଘରକୁ ଖୋଳି ପକାଇବ । ସେ ରଖିଥିବା ଧାନ, ମାଣ୍ଡିଆ, କୋଳଥ ଖାଇ ସଫା କରିଦେବ । ତାର ଲୁଗାପଟା, କାଗଜପତ୍ର କାଟି ପକାଇବ । ଏମିତିକି ତାକୁ ଭିକାରି କରିଦେବା ପରେ ତାର ଚୁଟି କାଟି ଅପମାନିତ କରିବ । ଏହା ଶୁଣି ମଶା ତାର ପରାକ୍ରମ ବଖାଣିଲା । ସେ ଜଣାଇଲା ଯେ, ବୁଢ଼ା ବିନା ମଶାରିରେ ଘୁଙ୍ଗୁଡ଼ି ମାରି ଶୋଉଛି । ତାର ରକ୍ତ ଟାଣି ତା’ ଦେହରେ ଜୀବାଣୁ ଛାଡ଼ିଦେବ । ତାକୁ ମ୍ୟାଲେରିଆ ଜ୍ୱର ଧରିବ । ପାଳି ହେଇ ଆସୁଥିବା ଜ୍ୱରରେ ପଡ଼ି ତା’ ଜୀବନ ହନ୍ତସନ୍ତ ହେଇଯିବ ।
ତେବେ ମାଛି ପୂର୍ବ ବକ୍ତାଙ୍କ ପରି ବେଶ୍ ସମର୍ଥ ଥିଲା । ତାର ବକ୍ତବ୍ୟ ହେଲା ଯେ, ସେ ପୋଖରୀ ହୁଡ଼ାରେ ଖୋଲା ପଡ଼ିଆରେ ଲୋକେ ଯେମିତି ମଳ ମୂତ୍ର ତ୍ୟାଗ କରୁଛନ୍ତି ସେଥିରେ ବସିବା ପରେ ବୁଢ଼ାର ଖାଦ୍ୟରେ ବସି ଖାଇବା । ବୁଢ଼ା ଯେମିତି ବେପରବାୟ ଭାବେ ଏକଲୟରେ ଖାଇ ନଉଛି ଓ ତାର ଉପସ୍ଥିତିକୁ ହେୟଜ୍ଞାନ କରୁଛି, ଏକାଥରକେ ଶିକ୍ଷା ପାଇଯିବ । ତାକୁ ହଇଜା ଧରିବ । ମରୁ ମରୁ ବଞ୍ଚିଗଲେ ତା’ ଭାଗ୍ୟ ଭଲ । ଏଇ ତିନି ଜୀବଙ୍କ ମିଳିତ ଆକ୍ରମଣ ସଂପର୍କରେ ଯେଉଁ ବିଚାର ଚାଲିଥିଲା, ବୁଢ଼ା ତାର ସୁରାକ ପାଇଗଲା । ଭାଡ଼ିରେ ସାଇତି ରଖିଥିବା ଯନ୍ତା କାମରେ ଲଗାଇଲା । ଘର ଚାରିପଟରେ ଥିବା ଲତାବୁଦା କାଟି ସଫା କଲା । ସେଠାକାର ଖାଲଖମା ପୋତିଦେଲା । ମଶାରି ଟାଣି ଏଣିକି ଶୋଇବାକୁ ସଂକଳ୍ପ କଲା । ଗରମ ଖାଦ୍ୟ ଖାଇଲା ଓ ଦୈବାତ୍ ମାଛି ଖାଦ୍ୟଥାଳି ଆଡ଼କୁ ଆସିବା ମାତ୍ରେ ଘଉଡ଼ାଇଲା । ଅବଶ୍ୟ ପୋଷା କୁକୁରକୁ ପୂର୍ବପରି ଖାଇବାକୁ ଦେଲା । ବିଲେଇକୁ ଗୋଟିଏ ଅଶୁଭ ଓ ଅଦରକାରୀ ଜନ୍ତୁ ବୋଲି ଆଉ ଦେଖିବା ମାତ୍ରେ ଘୃଣା କରି ଘରୁ ଘଉଡ଼ାଇଲା ନାହିଁ । ଏହି ପ୍ରକାରେ ଏହି ତିନି ଜୀବଙ୍କ ବିଚାର ବିଗିଡ଼ି ଗଲା ।
ଏହି ତଥ୍ୟ ସୁଖପାଠ୍ୟ କବିତା ଆକାରରେ ରଚନା କରାଯାଇଛି । ସେଥିରେ ପ୍ରଥମ ଓ ଶେଷ କେତେ ଧାଡ଼ି ନିମ୍ନ ପ୍ରକାରେ “ଧାରା ଶିରାବଣ ମାସ ଶେଷ ରବିବାର, ନିଧି ବୁଢ଼ା ବାରି ପଟେ ପଡ଼ିଛି ବିଚାର । ...ମଶା, ମୂଷା, ମାଛି ଘେନି ସାଙ୍ଗ ସାଥୀ ହୋଇ, ଆଶ୍ରୟ ନପାଇ ଗଲେ ବଣକୁ ପଳାଇ ।” ଉଲ୍ଲେଖଯୋଗ୍ୟ ଯେ, ଏହା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକମାନେ ଶ୍ରେଣୀରେ ଦିନେ ପଢ଼ାଉଥିଲେ । ତେବେ ଏଠାରେ ଯେମିତି ରବିବାରକୁ ନିର୍ବାଚନ କରାଯାଇଛି, ହୁଏତ ଏହା ପଛରେ ଗୋଟିଏ କାରଣ ରହିଥିବ ଯେ, ଏହି ଦିନ ବିଦ୍ୟାଳୟ ବନ୍ଦ ରହେ । ତେଣୁ ପିଲାମାନେ ଏଇ ପରାମର୍ଶମାନ ସଂପାଦନ କରିବାକୁ ଅନୁପ୍ରାଣୀତ ହେବେ ଏବଂ ପରିବାରର ସଦସ୍ୟମାନଙ୍କ ସହ ଯୋଗରେ ଶ୍ୱାସରକ୍ଷା ପରି ଏକ ଅତ୍ୟାବଶ୍ୟକ ଜରୁରି କାର୍ଯ୍ୟ ଯଥାଶୀଘ୍ର ଗମ୍ଭୀରତାର ସମାପନ କରିବେ । ରବିବାର ଏଥିପାଇଁ ସ୍ୱତନ୍ତ୍ର ଯେ, ଏହା ଗୋଟିଏ ଛୁଟିଦିନ ଭାବେ ପ୍ରାୟତଃ ପ୍ରଚଳିତ ଓ ପାଳିତ । ସପ୍ତାହର ଅନ୍ୟ ବାରମାନଙ୍କ ପରି ନିର୍ଦ୍ଦିଷ୍ଟ କାର୍ଯ୍ୟ ନିର୍ଘଣ୍ଟ ମାନିବାକୁ ବାଧ୍ୟବାଧକତା ନଥାଏ । ଏତାଦୃଶ ଜଞ୍ଜାଳରୁ ଯେଉଁ ମୁକ୍ତି ପାଏ, ତାହା ଏଥିପାଇଁ ଆଦରଣୀୟ ଯେ, ଦୀର୍ଘ ଛଅ ଦିନର ଆତୁର ହୋଇ ଅପେକ୍ଷା କରିବା ପରେ ସେ ବିଶ୍ରାମ ନେବାକୁ ସୁଯୋଗ ପାଏ । କର୍ମସ୍ଥଳର କାର୍ଯ୍ୟଚାପ ତାକୁ ବ୍ୟସ୍ତ ବିବ୍ରତ କରିନଥାଏ । (ଏଠାରେ ଅବଶ୍ୟ ଉଲ୍ଲେଖନୀୟ, ଆଜିକାଲି କେତେକ କ୍ଷେତ୍ରରେ ଶନିବାରକୁ ମଧ୍ୟ ରବିବାର ପରି ଛୁଟି ଦିବସ ଭାବେ ମଞ୍ଜୁର ହୋଇଛି ।)
ରବୀନ୍ଦ୍ର ନାଥ ଠାକୁର ଚତୁର୍ଥ ଶ୍ରେଣୀ ପିଲାଙ୍କ ପାଇଁ ‘ରବିବାର’ ଶୀର୍ଷକ ଗୋଟିଏ କବିତା ରଚନା କରିଛନ୍ତି । ସେଥିରେ ସେ ଏହି ନିୟମିତ ଛୁଟି ଦିନଟି ପ୍ରତି ପିଲାମାନଙ୍କ ମନୋଭାବ କଥା ବର୍ଣ୍ଣନା କରିଛନ୍ତି । ସପ୍ତାହର ଅନ୍ୟ ଦିନଗୁଡ଼ିକ ସ୍କୁଲକୁ ଯାଇ ଶ୍ରେଣୀ ପ୍ରକୋଷ୍ଠରେ ପାଠ ପଢ଼ିବା ଚାପ ପଡ଼ୁଥିବାରୁ ଏହାର ଅବଧି ବଢ଼ିଯିବା ପରି ଅସହନୀୟ ଲାଗେ । କେତେ ଶୀଘ୍ର ରବିବାର ପହଞ୍ଚିବ, ସେମାନେ ଆତୁର ହୋଇ ଅପେକ୍ଷା କରିଥାନ୍ତି । କିନ୍ତୁ ଏହି ଇପ୍ସିତ ଦିନଟି ଆସିବା ପରେ ଏତେଶୀଘ୍ର ବିତିଯାଏ ଯେ, ଏହା ଚବିଶ ଘଣ୍ଟା ବଦଳେ ବାର ଘଣ୍ଟା ସହ ସମାନ ହେଇଯାଏ । ରବିବାର ସକାଳେ ଶେଯ ଛାଡ଼ିବା ବେଳେ ମୁଖମଣ୍ଡଳ ଯେମିତି ହର୍ଷୋଲ୍ଲାସରେ ଉଜ୍ୱଳ ହେଇଯାଏ, ସୋମବାର ଦିନ ସକାଳେ ଏହା ହତାଶା ଓ ହତୋତ୍ସାହରେ ମଳିନ ପଡ଼ିଯାଏ । ରବିବାର ପ୍ରତି ପିଲାମାନଙ୍କର ଯେମିତି ଉପରୋକ୍ତ ମନୋଭାବ ପରିଲକ୍ଷିତ ହେଉଥିବା ଦର୍ଶାଯାଇଛି, ତାହା ପିଲାଳିଆମି ବୋଲି କହିବା ସତ୍ୟର ଅପଳାପ ମାତ୍ର । କାରଣ ଏହି ମାନସିକତା ସେମାନେ ବଡ଼ ହେଲେ ଅପରିବର୍ତ୍ତିତ ରହେ । ମଣିଷ ସମାଜକୁ ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ପ୍ରତିଭାତ ହେଇଥାଏ । କର୍ମଚାରୀମାନଙ୍କ ପ୍ରବଳ ଦାବି ହେଉଛି, ବାରମ୍ବାର ରବିବାର । ଅଧିକ ଛୁଟିଦିନ ।
ସଂପ୍ରତି ଏହି ପ୍ରସଙ୍ଗ ତୁମୂଳ ତର୍କ ବିତର୍କର କେନ୍ଦ୍ର ସାଜିଛି । ବହୁ ଉଚ୍ଚଶିକ୍ଷିତ ଓ ବୈଷୟିକ ଜ୍ଞାନରେ ତାଲିମପ୍ରାପ୍ତ ଯୁବ ସମାଜ ପାଇଁ ଆଇଟି ସେକ୍ଟର କର୍ମସଂସ୍ଥାନର ବର୍ତ୍ତମାନ ପ୍ରମୁଖ କ୍ଷେତ୍ର ଭାବେ ଉଭା ହୋଇଛି । ସେପ୍ଟେମ୍ବର ୨୦୨୪ର ଗୋଟିଏ ମର୍ମନ୍ତୁଦ ଘଟଣା । ଆନ୍ନା ସେବାଷ୍ଟିଆନ ପେରାୟିଲ ନାମ୍ନୀ ଜଣେ ଛବିଶ ବର୍ଷ ବୟସ୍କା ତରୁଣୀ କଷ୍ଟସାଧ୍ୟ ଚାର୍ଟାର୍ଡ ଆକାଉଣ୍ଟାନ୍ସି ପରୀକ୍ଷାରେ ସଫଳ ହୋଇ ୟନ୍ନଷ୍ଟ ଆଣ୍ଡ ୟଙ୍ଗ(ଇୟୁ) ଟ୍ରେଡ ନାମ ବହନ କରିଥିବା ବହୁଦେଶୀୟ ବ୍ରିଟିଶ ଘରୋଇ କମ୍ପାନୀରେ ଯୋଗ ଦେଇଥିଲେ । ବିଶ୍ୱର ଚାରିଟି ସର୍ବବୃହତ୍ ଆକାଉଣ୍ଟିଂ ଫାର୍ମ ମଧ୍ୟରେ ଏହା ସ୍ଥାନିତ । ଏହାର କର୍ମଚାରୀ ସଂଖ୍ୟା ପ୍ରାୟ ଚାରି ଲକ୍ଷ । ଆନ୍ନା ଏମିତି ଏକ ବିଶ୍ୱସ୍ତରୀୟ ସଂସ୍ଥାରେ ଚାକିରି କରିବା ସୁଯୋଗ ପାଇଥିବାରୁ ଅବଶ୍ୟ ନିଜକୁ ଭାଗ୍ୟବତୀ ମନେ କରିଥିବେ । ତାଙ୍କ ପରିବାର ମଧ୍ୟ ଉଚ୍ଚ ଆଶା ପୋଷଣ କରିଥିଲେ । ମାତ୍ର ଚାରି ମାସର ଚାକିରି ପରେ ସେ ଅସହ୍ୟ କର୍ମଚାପରୁ ପ୍ରାଣତ୍ୟାଗ କଲେ ।
ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି ଯେ, ସେ ବିଳମ୍ବରେ ଅଫିସ୍ରୁ ଫେରନ୍ତି । ତେବେ ଘରେ ଶାନ୍ତିରେ ବିଶ୍ରାମ ନେବାପାଇଁ ଆତୁର ଥିବାବେଳେ ଅଫିସ ତାଙ୍କ ଉପରେ ଆହୁରି ଅଧିକ କାମ ଲଦି ଦିଏ । ଜୀବନ ଓ ଜୀବିକା ମଧ୍ୟରେ ଯେଉଁ ପ୍ରକାରେ ଅମେଳ ବିଷମ ଆଜିକାଲିର ବୃତ୍ତିମାନଙ୍କରେ ଦେଖାଦେଇଛି ତାହା ଉଦ୍ବେଗଜନକ । ଏମିତି ଦୁଃସ୍ଥିତିରେ ଆମ ନଜରରେ ପଡ଼େ ୧୯୮୨ରେ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ବିଜୟୀ ହୋଇଥିବା କଲମ୍ବିଆର ଲେଖକ ଗାବ୍ରିଏଲ ଗାର୍ସିଆ ମାକ୍ୱେର୍ଜ (୧୯୨୭-୨୦୧୪)ଙ୍କ ଗୋଟିଏ ଉକ୍ତି ‘ଈଶ୍ୱର ଯଦି ରବିବାର ଦିନ ବିଶ୍ରାମ ନେଇନଥାନ୍ତେ, ତାହାହେଲେ ସୃଷ୍ଟିକୁ ସଂପୂର୍ଣ୍ଣ କରିପାରିଥାନ୍ତେ’ । ଏହାକୁ ଜଣେ ପରିହାସ ବୋଲି ହସରେ ଉଡ଼ାଇଦେବ ଅଥବା ଗମ୍ଭୀରତାର ସହ ବିବେଚନା କରିବ, ଏହା ଯେ ଛୁଟିଦିନ ପ୍ରସଙ୍ଗରେ ଏକ ବିତର୍କର ବିଷୟ ହେବ ଏଥିରେ ଦ୍ୱିରୁକ୍ତି ନାହିଁ ।