ନୂଆଦିଲ୍ଲୀ,୧୪।୧୧: ଦିଲ୍ଲୀ ନଗର ନିଗମ ନିର୍ବାଚନରେ ପୁଣିଥରେ ଆମ୍ ଆଦମୀ ପାର୍ଟିର ବିଜୟ। ଗୁରୁବାର ହୋଇଥିବା ନିର୍ବାଚନରେ ଆପ୍ ପ୍ରାର୍ଥୀ ମହେଶ କୁମାର ଖିଞ୍ଚି ମେୟର ଭାବରେ ହୋଇଛନ୍ତି ନିର୍ବାଚିତ। ସେ ବିଜେପି ପ୍ରାର୍ଥୀ କିଶନ ଲାଲଙ୍କଚ ୩ ଖଣ୍ଡରେ ହରାଇଛନ୍ତି। ଗୁରୁବାର ଦିଲ୍ଲୀ ନଗର ନିଗମର ମେୟର ଓ ଡେପୁଟି ମେୟର ପଦରେ ନିର୍ବାଚନ ହୋଇଥିଲା। ମେୟର ପଦ ପାଇଁ ମୋଟ ୨୬୫ ଖଣ୍ଡ ଭୋଟ ପଡିଥିଲା, ଯାହା ଭିତରୁ ୨ଟି ଭୋଟ ଅମାନ୍ୟ ଘୋଷିତ କରାଯାଇଥିଲା। ସେଭଳି ୨୬୩ ଖଣ୍ଡ ଭୋଟରୁ ଆପ୍ ପ୍ରାର୍ଥୀ ମହେଶ ଖିଚିଙ୍କୁ ୧୩୩ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ କିଷନଲାଲ ପାଇଛନ୍ତି ୧୩୦ ଭୋଟ୍।
ଶୈଲୀ ଓବରାୟଙ୍କ ପରେ ଏବେ କରୋଲବାଗ ଦେବନଗରରୁ କାଉନସିଲର ଥିବା ମହେଶ ଏମସିଡି ମେୟର ପଦ ସମ୍ଭାଳିବେ। ଏପର୍ଯ୍ୟନ୍ତ ମେୟର ପଦବୀରେ ଶୈଲି ଅତିରିକ୍ତ କାର୍ଯ୍ୟକାଳରେ ଥିଲେ। ଏପ୍ରିଲ ୨୦୨୪ରେ ମେୟର ନିର୍ବାଚନ ସମୟରେ ବିଜେପି ଓ ଆପ୍ ନିଜର ପ୍ରାର୍ଥୀ ଘୋଷଣା କରିଥିଲେ, କିନ୍ତୁ ପୀଠାସୀନ ଅଧିକାରୀ ପ୍ରସ୍ତୁତ କରିଥିବା ଫାଇଲ ଏହା କହି ଫେରାଇ ଦିଆଯାଇଥିଲା ଯେ, ଫାଇଲ ଉପରେ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ନଥିଲା।
ନୂଆ ମେୟର ଚୟନ ନହେବା ପର୍ଯ୍ୟନ୍ତ ବର୍ତ୍ତମାନର ମେୟରଙ୍କୁ ପଦରେ ରହିବାକୁ କୁହାଯାଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସେତେବେଳେ ଜେଲ୍ରେ ଥିଲେ,ତେଣୁ ସୁପାରିଶ ମିଳିପାରିନଥିଲା। ସେବେଠାରୁ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ମେୟର ନିର୍ବାଚନ ପାଇଁ ଅପେକ୍ଷା କରାଯାଇଥିଲା।