ନିଜ ହାତରେ ଫଳେଇଥିବା ଫସଲ ସେଦିନ ନିଜ ଆଖି ସାମ୍ନାରେ ପଚାସଢା ହୋଇ ନଷ୍ଟ ହୋଇଯିବାର ଦୃଶ୍ୟ କେତେ ଯେ ହୃଦୟ ବିଦାରକ ହୋଇପାରେ ଜଣେ ଚାଷୀ ହିଁ କେବଳ ବୁଝିପାରିବ! ସେଦିନ ଅନୁଭବ ହେଲା “ଚାଷ ଅଛି ଯାହାର କେତେ ଦୁଃଖ ତାହାର/ ସେହି ସିନା ଦୁନିଆଠୁ ନିତି ଖାଏ ପାହାର’ । ଚାଷରୁ ମୋହ ଭାଙ୍ଗିଲା, ଭଙ୍ଗା ହୃଦୟ ନେଇ ଫେରିଆସିଲେ ପୁଣି ସେହି ସହରକୁ ।
୨୦୦୨ ମସିହାର କଥା । ସରକାରୀ ଚାକିରିରୁ ଅବସର ନେଇଥାନ୍ତି ଇଞ୍ଜିନିଅର ବାବୁ, ଚାଷୀପୁଅ ସେ, ଛୋଟବେଳୁ ମାଟିର ମହକ ସାଙ୍ଗେ ଯୋଡ଼ି ହୋଇଥିବା ମଣିଷ କ’ଣ କେବେ ଗାଁ ମାଟିର ବାସ୍ନାରୁ ଦୂରେଇ ରହିପାରେ? ଘରବାଡ଼ିକୁ ଲାଗି ପ୍ରାୟ ୧୦ ଏକର ବିଲରେ ପିଲାବେଳୁ ଦେଖିଥିବା ପାଚିଲା ବିଅଳି ଧାନକେଣ୍ଡାରୁ ହଜାର ହଜାର ବାଇଆ ଚଢ଼େଇଙ୍କୁ ଘଉଡ଼ାଇବା ପାଇଁ ହଳିଆ ସାଙ୍ଗରେ ଯାଇ ଟିଣା ବାଡେଇବା ମଜା ଓ ଶୀତଦିନେ ପନିପରିବା ଚାଷବେଳେ ନୂଆ ଲଗାହୋଇଥିବା ଚାରାଗଛରେ ପାଣି ଦେବା ପରେ କାଗଜ ଠୋଲା ଘୋଡ଼େଇବାର ଆନନ୍ଦ ପୁଣି ଥରେ ତାଙ୍କୁ ଟାଣିଆଣିଲା ଗାଁକୁ । କଲମ ଚାଷ ଛାଡ଼ି ଲଙ୍ଗଳ ଚାଷ ପାଇଁ ମନ ବଳେଇଲେ । ଦୃଢ଼ ନିଷ୍ପତ୍ତି ନେଇ ସହରରେ ପିଲାଛୁଆଙ୍କୁ ଛାଡ଼ି ଗାଁରେ ଆସି ଆରମ୍ଭ କଲେ ଚାଷକାମ । ଉଦ୍ଦେଶ୍ୟ ଥିଲା ଚାଷରୁ ମୁହଁ ବୁଲେଇ ନେଇଥିବା ଗାଁ ଲୋକମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ଓ ପୁଣି ଥରେ ସେମାନଙ୍କୁ ଚାଷ କାମରେ ଅନୁପ୍ରାଣିତ କରିବା । ସେ ନିଜେ କରି ଦେଖାଇଦେବେ "ଚାଷ ଅଛି ଯାହାର, କି ଆନନ୍ଦ ତାହାର/ ଚାଷୀ ଭାଇ ଯୋଗାଉଛି ଦୁନିଆକୁ ଆହାର' ।
ଜମି ଚାରିପଟେ ପ୍ରଥମେ ତାର ବାଡ଼ ଦେଇ ଆବଦ୍ଧ କରିବାରେ କିଛି ପଇସା ଖର୍ଚ୍ଚ କଲେ, କିଛି ପିଲାଙ୍କୁ ରୋଜଗାର ଯୋଗାଇଲେ । ଇଞ୍ଜିନିଅର ଜଣେ ସେ । ତେଣୁ ବିଭିନ୍ନ କଥା ବିଶ୍ଳେଷଣ କରି ସ୍ଥିର କଲେ ଯାହା କମ୍ ଖର୍ଚ୍ଚ ଓ କମ୍ ସମୟରେ ଉତ୍ପାଦନ କରିହେବ ସେହି ଚାଷ କରିବେ । ତେଣୁ ପ୍ରଥମ ଥର ପରୀକ୍ଷାମୂଳକ ଭାବରେ କେବଳ ହଜାରେ ବୋଦା କଖାରୁ ଓ ହଜାରେ ବୋଦା ତରଭୁଜ ଲଗେଇଲେ ଏବଂ ସେଥିରେ ଦିନ ରାତି ଏକ କରି ମୂଲିଆଙ୍କ ସାଙ୍ଗରେ ନିଜେ ପରିଶ୍ରମ କରି ଦିନ କେଇଟାରେ ପୂରା ଜମିଟାକୁ ସବୁଜରେ ସଜେଇଦେଲେ, କିଛିଦିନ ପୂର୍ବରୁ ପଡ଼ିଆ ପଡ଼ିଥିବା ଜମିଟି ସେଦିନ ଗୋଟିଏ ସୁନ୍ଦର ଛନଛନିଆ ସବୁଜ ପରଦାର ଭ୍ରମ ସୃଷ୍ଟି କଲା । ଖବର ବ୍ୟାପିଗଲା "ଜଣେ ଇଞ୍ଜିନିଅର ତାଙ୍କ ବାଡ଼ିରେ ଯାଦୁ କରିଦେଇଛନ୍ତି', ପାଖଆଖ ଗାଁରୁ ଲୋକମାନଙ୍କର ଭିଡ଼ ଦେଖି ସେହି ପାଠୁଆ ଚାଷୀର ଶ୍ରମ ସାର୍ଥକ ହୋଇଗଲା କହିଲେ ଭୁଲ୍ ହେବନାହିଁ । ମାତ୍ର କିଛିଦିନ ଭିତରେ ଜମିରେ ହସ ଫୁଟିଲା, ଫୁଲ ଫଳରେ ଭର୍ତ୍ତି ହୋଇଗଲା, ଶହ ଶହ କଖାରୁ ତରଭୁଜ ବିଲରେ ଗଡ଼ିଲା, ଦେଖି ଦେଖି ପେଟ ପୂରୁଥିଲା ସିନା ସେ ଖୁସି ଆଉ ବେଶୀ ଦିନ ରହିଲା ନାହିଁ! ଏତେ ଗୁଡ଼ାଏ କଖାରୁ ଓ ତରଭୁଜ ରଖିବା ପାଇଁ ଜାଗାର ଅଭାବ ପଡ଼ିଲା, ନିଜର ଗୋଟିଏ ଗୁହାଳ ଘର ବି ସମ୍ପୂର୍ଣ୍ଣ ଭରିଗଲା, ମୂଷା ଖୋଳ କରିବାକୁ ଆରମ୍ଭ କଲେ, ବିଲରେ ତରଭୁଜ ପାଚି କୁଆ ଖାଇଗଲେ । ମାତ୍ର ଜଣେ ଦୁଇଜଣ ବାହାଘର ଭୋଜି ପାଇଁ ହଜାର ଦୁଇ ହଜାର ଟଙ୍କାର କଖାରୁ ଯାହା ନେଇଥିଲେ । ନଈ ନାଳ ପାରି ହୋଇ ସେ ଗାଁକୁ ବେପାରୀ ଆସିବାକୁ ପସନ୍ଦ କଲେନି । ଟ୍ରକରେ ଭୁବନେଶ୍ୱର ଆଣି ରାସ୍ତାକଡ଼ରେ ଅଜାଡ଼ି ଦେଲେ ଆପେ ଆପେ ବିକ୍ରିେ ହାଇଯିବ ଭାବି ବୁଝାବୁଝି କରି ଜାଣିଲେ ଯେ ଡଙ୍ଗା ପାରି, ମୁଲିଆ ଓ ଟ୍ରକ ଭଡ଼ା ଏତେ ଅଧିକ ଯେ, ଆଉ ମନ ବଳେଇଲେ ନାହିଁ! ଖରସ୍ରୋତା ଓ ବ୍ରାହ୍ମଣୀ ନଦୀର ମଝିରେ ସେହି ଅଞ୍ଚଳ । ପୋଲ ବା ରାସ୍ତା କିଛି ନଥିଲା ସେତେବେଳେ । ନଦୀ ନାଳଘେରା ଅଞ୍ଚଳକୁ କେଉଁ ବେପାରୀ ବା କାହିଁକି ଯିବେ! ନିଜ ହାତରେ ଫଳେଇଥିବା ଫସଲ ସେଦିନ ନିଜ ଆଖି ସାମ୍ନାରେ ପଚାସଢା ହୋଇ ନଷ୍ଟ ହୋଇଯିବାର ଦୃଶ୍ୟ କେତେ ଯେ ହୃଦୟ ବିଦାରକ ହୋଇପାରେ ଜଣେ ଚାଷୀ ହିଁ କେବଳ ବୁଝିପାରିବ!
ସେଦିନ ଅନୁଭବ ହେଲା "ଚାଷ ଅଛି ଯାହାର କେତେ ଦୁଃଖ ତାହାର/ ସେହି ସିନା ଦୁନିଆଠୁ ନିତି ଖାଏ ପାହାର' । ଚାଷରୁ ମୋହ ଭାଙ୍ଗିଲା, ଭଙ୍ଗା ହୃଦୟ ନେଇ ଫେରିଆସିଲେ ପୁଣି ସେହି ସହରକୁ । ଆଜି ବି ଅଶିବର୍ଷ ବୟସରେ ହାତରେ ଖବରକାଗଜ ଖଣ୍ଡେ ଧରି ଉନ୍ନତ ମାନର ଚାଷ ପ୍ରଣାଳୀ ବିଷୟରେ ଗପ ଶୁଣେଇବା ଭୁଲୁନାହାନ୍ତି ସେ! ସେଦିନ ସିନା ଗମନାଗମନର ସୁବିଧା ନଥିଲା, ନଈ ନାଳ ହୁଲିଡଙ୍ଗାରେ ପାରି ହେବାକୁ ପଡୁଥିଲା, କିନ୍ତୁ ଆଜି ତ ସେ ଅବସ୍ଥା ନାହିଁ, ପ୍ରତି ନଦୀରେ ପୋଲ ହୋଇସାରିଛି, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ପ୍ରତି ଗ୍ରାମ ଯୋଡ଼ି ହୋଇସାରିଛି, ତଥାପି କାହିଁକି ଏମିତି ହଜାର ହଜାର ହେକ୍ଟର ଚାଷଜମି ସେହି ଅଞ୍ଚଳରେ ମୂଲ୍ୟହୀନ ହୋଇ ପଡ଼ିରହିଛି ଆଜି ଯାଏଁ? ଯେ କୌଣସି ବ୍ୟବସାୟ ପରିଚାଳନାର ମୁଖ୍ୟ ଉପାଦାନଗୁଡ଼ିକ ହେଲା: ମନି (ଅର୍ଥ), ମ୍ୟାଟେରିଆଲ (ସାମଗ୍ରୀ), ମେସିନ (ଯନ୍ତ୍ର) ଏବଂ ମ୍ୟାନପାୱାର (ମାନବ ଶକ୍ତି), ଯାହାକୁ ମ୍ୟାନେଜମେଣ୍ଟରେ ‘ଚାରି ଏମ୍' ଭାବରେ ଗୁରୁତ୍ୱ ଦିଆଯାଇଥାଏ । କିନ୍ତୁ ପରବର୍ତ୍ତୀ ସମୟରେ ଦେଖାଗଲା ଯେ, ଏହିସବୁ ଉପାଦାନର ଯଥେଷ୍ଟ ଯତ୍ନର ସହିତ ପରିଚାଳନା ସତ୍ତେ୍ୱ ଯେତେବେଳେ ବ୍ୟବସାୟରେ ବେଶୀ କିଛି ଉନ୍ନତି ପରିଲକ୍ଷିତ ହୋଇପାରିଲା ନାହିଁ, ସେତେବେଳେ ଆଉ ଗୋଟିଏ "ଏମ୍'ର ମୁଖ୍ୟ ଭୂମିକା ଆବିଷ୍କାର କରାଗଲା, ତାହାକୁ କୁହାଗଲା "ମାର୍କେଟ ମ୍ୟାନେଜମେଣ୍ଟ' (ବଜାର ପରିଚାଳନା) । ଓଡ଼ିଶାରେ ବିଶେଷକରି ଉପକୂଳ ଜିଲ୍ଲାମାନଙ୍କରେ କୃଷି କ୍ଷେତ୍ରରେ ଭୟଙ୍କର ବିଫଳତା ବା ଅବନତି ପାଇଁ ଯଦିଓ ମ୍ୟାନପାୱାର ଅଭାବ, ପ୍ରାଥମିକ ଭାବରେ ଦାୟୀ କିନ୍ତୁ ମାର୍କେଟ ମ୍ୟାନେଜମେଣ୍ଟର ଭୂମିକାକୁ ଏଡ଼ାଇ ଦିଆଯାଇ ପାରିବନାହିଁ । ବିଗତ ୨୫ବର୍ଷ ଭିତରେ ସରକାରଙ୍କ ବିଭିନ୍ନ ଭୋଟ ରାଜନୀତି ଯୋଜନା ହିଁ ମ୍ୟାନପାୱାର ଅଭାବର ମୁଖ୍ୟ କାରଣ ହୋଇପାରେ । କିନ୍ତୁ ପ୍ରକୃତରେ ଚାଷୀମାନଙ୍କର ଅର୍ଥନୈତିକ ଅବସ୍ଥାରେ ବାସ୍ତବ ଉନ୍ନତି ଆଣିବାର ଏକମାତ୍ର ଉପାୟ ହେଉଛି କୃଷିଜାତ ଫସଲର ବଜାରୀକରଣ, ଏଥିରେ ସମସ୍ତ ଅର୍ଥନୀତିଜ୍ଞ ତଥା କୃଷି ବିଶେଷଜ୍ଞମାନେ ଏକମତ ହେବେ ନିଶ୍ଚୟ ।
ବଜାର ଓ କୃଷକ ମଧ୍ୟରେ ସିଧାସଳଖ ସମ୍ପର୍କ ସ୍ଥାପିତ ହେଲେ ଯାଇ କୃଷିର ପ୍ରକୃତ ବଜାରୀକରଣ ସାଧିତ ହୋଇପାରିବ । ଯଦି ଏହା ହୋଇଥାନ୍ତା ସେହି ଇଞ୍ଜିନିଅର ଚାଷୀ ଭଳି ଅନେକ ପାଠୁଆ ଚାଷୀ ଆଜି କୃଷିକ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଥାନ୍ତେ! ଦୁର୍ଭାଗ୍ୟ ଯେ ଆଜିଯାଏ ବି ଚାଷୀ ପାଇଁ ସେମିତି କିଛି ବ୍ୟବସ୍ଥା ହୋଇପାରିଲା ନାହିଁ! ଏହି ଜିଲ୍ଲାମାନଙ୍କରେ ବିଗତ ତିନି ଦଶନ୍ଧି ଭିତରେ କୌଣସି ନୂତନ ଜଳସେଚନ ଯୋଜନା ହୋଇନାହିଁ । ତେଣୁ ପ୍ରତିବର୍ଷ ବର୍ଷା ବନ୍ୟା ବାତ୍ୟାରେ ଫସଲ ହାନି ହୋଇ ଚାଷୀର ଅଣ୍ଟା ଭାଙ୍ଗିଯାଏ । ବର୍ଷକର ସଞ୍ଚୟ ଚାଷବାସରେ ନିବେଶ କରିବା ପରେ ବି ବାର୍ଷିକ ଚାରି ପାଞ୍ଚ ହଜାର ଟଙ୍କା ପାଇବା ଦୁରୂହ ବ୍ୟାପାର, ତେଣୁ ଚାଷବାସରୁ ଅବ୍ୟାହତି ନେଇ ଘରେ ବସି ତା’ଠାରୁ କିଛି ଅଧିକ ମାତ୍ରାରେ ସରକାରୀ ସହାୟତା ପାଉଥିବାରୁ ଚାଷରୁ ମୁହଁ ଫେରାଇନେଲା ଚାଷୀ । ଯଦି ଏହି ଅଞ୍ଚଳର ଚାଷୀ ଚାଷ ଛାଡ଼ିଦେଲା ତେବେ କୃଷି ବିଭାଗର ଆଉ କି ଆବଶ୍ୟକତା ଏଠି? କୃଷି ବିଭାଗର ମୁଖ୍ୟ ଭୂମିକା ହେଲା ଫସଲ ଉତ୍ପାଦନ, ପଶୁପାଳନ ପରିଚାଳନା, କୀଟନାଶକ ନିୟନ୍ତ୍ରଣ ଏବଂ କୃଷି ଭିତ୍ତିଭୂମି ସହିତ କୃଷି ପ୍ରଣାଳୀର ବିଭିନ୍ନ ଦିଗର ତଦାରଖ ଏବଂ ପରିଚାଳନା କରିବା । ଜଣେ ବୃତ୍ତିଗତ କୃଷି ଅଧିକାରୀ ଯିଏ କୃଷକମାନଙ୍କୁ ବୈଷୟିକ ସହାୟତା ଏବଂ ପରାମର୍ଶ ପ୍ରଦାନ କରିବା ପାଇଁ ନିଯୁକ୍ତି ପାଇଥାଆନ୍ତି । ସେମାନେ କୃଷି ଉତ୍ପାଦନ, ଲାଭ, ସ୍ଥିରତା ଏବଂ ସେମାନଙ୍କର ଫସଲ ଏବଂ ଗୁଣରେ ଉନ୍ନତି ଆଣିବାରେ ସାହାଯ୍ୟ କରିବା କଥା । ଉତ୍ତମ ଜମି ବ୍ୟବହାର ଏବଂ ଅମଳ ହାସଲ କରିବା ପାଇଁ ଫସଲ ରୋପଣ, ସାର, ଅମଳ ଏବଂ ସଂରକ୍ଷଣର ନୂତନ ପଦ୍ଧତି ଚିହ୍ନଟ କରିବାରେ ସାହାଯ୍ୟ କରିବା କୃଷି ଅଧିକାରୀଙ୍କ ଦାୟିତ୍ୱ । କିନ୍ତୁ ସରକାରଙ୍କର କୃଷି ବିଭାଗରେ ବ୍ଲକସ୍ତରରେ ବସିଥିବା କୃଷି ଅଧିକାରୀ ଦିନେ କେବେ ଫିଲ୍ଡ ପରିଦର୍ଶନ କରିଛନ୍ତି କି?
ପଞ୍ଚାୟତ ସ୍ତରରେ ବୋଧେ କେହି କେବେ ଜଣେ ଭି.ଏ.ଡବ୍ଲୁ.ଙ୍କର ଚେହେରା ଦେଖିନଥିବେ! କୃଷି, କୃଷକ ଓ କୃଷି ଅଧିକାରୀମାନେ ସାବତ ମାଆର ଆଚରଣର ଶିକାର ହୋଇଥାନ୍ତି, କାହାର ଯେମିତି ନିଘା ନଥାଏ ଏହି ବିଭାଗ ଉପରେ, ଯେମିତି ସରକାରଙ୍କ ଉପରେ ଏମାନେ ଗୋଟିଏ ବୋଝ! ଉଦାହରଣ ସ୍ୱରୂପ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ମାନପୁର ଠାରୁ ଯାଜପୁର ଜିଲ୍ଲାର ବରି ବ୍ଲକ (ପ୍ରାୟ ୩୦ରୁ ୫୦କିମି. ଦୂରତ୍ୱ) ଯାଏଁ ହଜାର ହଜାର ହେକ୍ଟର ପଡ଼ିଆ ପଡ଼ିଥିବା ଚାଷଜମି ଉପରେ କ’ଣ କେବେ କାହାରି ନଜର ପଡ଼ିନି? ବ୍ରାହ୍ମଣୀ ଓ ଖରସ୍ରୋତା ନଦୀଘେରରେ ରହିଥିବା ଏହି ଉର୍ବର ଜମିରେ ନା ଧାନ, ବିରି ନା ପନିପରିବା ଚାଷ ହେଉଛି? ସେଠାକାର କୃଷି ଅଧିକାରୀମାନେ କ’ଣ କେବେ ଏହାର କାରଣ ଖୋଜିଛନ୍ତି? ନଦୀକୂଳ ବାଲିଆ ଜମି ହୋଇଥିବାରୁ ପୂର୍ବରୁ ଏ ଅଞ୍ଚଳରେ ବହୁତ ଆଳୁଚାଷ ହେଉଥିଲା । ଏବେ ଆଳୁ ପାଇଁ ହାହାକାର ପଡୁଛି । କିନ୍ତୁ ଏହି ଆଳୁଚାଷ ଉପଯୋଗୀ ନଦୀପଠା ଜମି ଏମିତି ପଡ଼ିଆ ପଡ଼ିଛି କାହିଁକି ତାହାର କାରଣ ତର୍ଜମା କରାଯିବା ଦରକାର । ସରକାର ଯଦି ସେଠିକାର କୃଷି ଅଧିକାରୀମାନଙ୍କୁ ଫିଲ୍ଡ ପରିଦର୍ଶନ କରି ରିପୋର୍ଟ ଦେବାକୁ ଆଦେଶ ଦିଅନ୍ତେ ଏବଂ ଲୋକମାନଙ୍କୁ ଚାଷକାମରେ ପ୍ରୋତ୍ସାହନ ଦେଇ ଉପଯୁକ୍ତ ଫସଲ ଚାଷ କରିବାର ପ୍ରେରଣା ଦିଅନ୍ତେ ଏବଂ ଧାନଚାଷ ଭଳି ଆଳୁ ପିଆଜ ଆଦି ପନିପରିବାର ଯଦି ଏମ୍.ଏସ.ପି ନିର୍ଦ୍ଧାରଣ କରନ୍ତେ, ଚାଷୀମାନଙ୍କର ଅର୍ଥନୈତିକ ସୁଧାର ହୋଇପାରିବା ସଙ୍ଗେ ସଙ୍ଗେ ଚାଷ ପ୍ରତି ଲୋକମାନଙ୍କର ଆଗ୍ରହ ବୃଦ୍ଧି ପାଆନ୍ତା ଓ ମାନସିକତାରେ ଅନେକ ପରିବର୍ତ୍ତନ ଘଟନ୍ତା!