ଅସ୍ମିତା ପାଇଁ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଅସ୍ମିତା କେବଳ ଐତିହ୍ୟ ନୁହେଁ, ପରମ୍ପରା ନୁହେଁ, ଭାଷା ନୁହେଁ, ସଂସ୍କୃତି ନୁହେଁ କି ଅନ୍ୟ କିଛି ବି ନୁହେଁ, ଏ ସବୁର ଏକ ମଧୁର ସମନ୍ୱୟ ହେଉଛି ଅସ୍ମିତା³ ଯାହାକୁ ନେଇ ଜଣେ ଓଡ଼ିଆ ଗର୍ବ କରିପାରିବ ଏବଂ କହିପାରିବ ଏହା ହିଁ ଆମ ଅସ୍ମିତାର ପରିଚୟ । ପୁନଶ୍ଚ ଐତିହ୍ୟ କେବଳ ସ୍ଥାପତ୍ୟ ନୁହେଁ କି ଇତିହାସ କେବଳ ଅତୀତର କଥା କହେନାହିଁ । ଇତିହାସ ଓ ଐତିହ୍ୟର ସଂଯୋଗ ସେତୁ ହେଉଛି ଅସ୍ମିା ।
ବ୍ୟକ୍ତି ହେଉ ବା ଜାତି, ଧର୍ମ ହେଉ ବା ଦର୍ଶନ, ବିଜ୍ଞାନ ହେଉ ବା କଳା, ପ୍ରାକୃତିକ ହେଉ ବା କୃତ୍ରିମ ତାହାର ଏକ ବିକାଶ କ୍ରମ ରହିଛି । ଏହି ବିକାଶ କ୍ରମ ହିଁ ଇତିହାସ । ଏହି ଇତିହାସରୁ ଚିହ୍ନି ହୋଇଯାଏ ଅସ୍ମିତା । ଜଣେ ବର୍ତ୍ତମାନର ମଣିଷ ଅସ୍ମିତାକୁ ଜାଣିବା ଏକାନ୍ତ ଅପରିହାର୍ଯ୍ୟ, କାରଣ ଅସ୍ମିତା ଅତୀତର ପିଠି ଉପରେ ପ୍ରାୟତଃ ନିର୍ଭରଶୀଳ ।
ପୁଣି ଐତିହ୍ୟ କହିଲେ ଇତିହାସର ବହୁ ପଦଚିହ୍ନ ଭିତରୁ ହିଁ କେତେକ ପଦଚିହ୍ନ । ଯାହା ସହଜରେ ଲିଭେନାହିଁ, ହଜେନାହିଁ କି ଭୁଲି ହୋଇଯାଏ ନାହିଁ । ଜୀବନ୍ତ ଏବଂ ଚଳମାନ ଥାଏ । ଭବିଷ୍ୟତ ତିଆରିର ପ୍ରେରଣା ଦେଉଥାଏ । ଆମେ ପ୍ରତ୍ୟେକ ଜନସମୁଦାୟ ଏହି ଉତ୍ପ୍ରେରକଗୁଡ଼ିକୁ ନିଜର ଅସ୍ମିତାର ପରିଚୟ ବୋଲି ଦାବି କରୁ । ଏହି ସ୍ୱତନ୍ତ୍ର ପରିଚୟର ପରିଭାଷା ହିଁ ଅସ୍ମିତା ।
ଏବେ ଆମେ ପୃଥିବୀର ଓଡ଼ିଆ ନାମକ ଜାତିର ଅସ୍ମିତାର ସୂଚୀପତ୍ର ପଢ଼ିବା । ଆମେ, ଯେଉଁମାନେ ନିଜକୁ ଓଡ଼ିଆ ବୋଲି କହୁଛୁ, ଅତୀତରେ ସେମାନେ ସେପରି ନଥିଲେ । ଏଠି ବହୁ ଜାତି, ବହୁ ଧର୍ମବିଶ୍ୱାସ, ବହୁ ସଂସ୍କୃତି, ବହୁ ସାମାଜିକ ରାଜନୀତିର ଚଳଣି ଥିଲା । ସମୟକ୍ରମେ ସେମାନେ ସଂଗଠିତ ହୋଇଛନ୍ତି । ସେମାନଙ୍କ ସଂଗଠିତ ରୂପ-ଭାଷା, ଗୁମ୍ଫା, ସ୍ଥାପତ୍ୟ, ଚିତ୍ର, ସଙ୍ଗୀତ, ସାହିତ୍ୟ, ଦର୍ଶନ ଆଦି ସୃଜନଶୀଳତାର ନାନାକ୍ଷେତ୍ରରେ ପ୍ରକଟିତ ହୋଇଛି । ପୁଣି ସେମାନେ ନିଜ ମାଟିର ସୀମା ବାହାରକୁ ବି ଯାଇଛନ୍ତି ।
ସାଧାରଣତଃ ଏକ ଜାତିର ଅସ୍ମିତାର ବିକାଶ ତା'ର ପ୍ରାକୃତିକ ସମ୍ଭାର, ଅର୍ଥନୈତିକ ସ୍ୱଚ୍ଛଳତା, ରାଜନୈତିକ ସ୍ଥିରତା, ଧର୍ମ ପ୍ରତି ନିଷ୍ଠା ଏବଂ କ୍ଷମତାର ପୃଷ୍ଠପୋଷକତା ଉପରେ ହିଁ ନିର୍ଭରଶୀଳ । ଏହା ନିଶ୍ଚିତ ଯେ, ଏହି ସବୁଗୁଡ଼ିକ ଓଡ଼ିଶାରେ ଗଚ୍ଛିତ ଥିଲା । କାରଣ ସେ କାଳରେ ଓଡ଼ିଆ ଜାତି ଥିଲା ନୌବାଣିଜ୍ୟରେ ଧୂରୀଣ । ଅମୂଲ୍ୟ ଧନରତ୍ନ ବୋହି ଆଣୁଥିଲେ ଆମ ରାଜ୍ୟକୁ । ଏକ ଦେଶର ସାଂସ୍କୃତିକ ବିପ୍ଳବ ସେତିକିବେଳେ ଆରମ୍ଭ ହୁଏ ଯେତେବେଳେ ସେ ଦେଶର ଆର୍ଥିକ ସ୍ୱଚ୍ଛଳତା ଥାଏ । ଓଡ଼ିଶାରେ ତାହା ହିଁ ଥିଲା । ସେମାନେ ନିଜ ଭୂମିର ଅସ୍ମିତାକୁ ଅନ୍ୟ ଭୂମିକୁ ନେଇଯାଉଥିଲେ ଏବଂ ଅନ୍ୟକୁ ନିଜ ଭୂମିକୁ ବୋହି ଆଣୁଥିଲେ । ଅର୍ଥାତ୍, ଉଭୟ ଦେଶର ସାଂସ୍କୃତିକ ବିକାଶ ସମ୍ଭବ ହୋଇପାରୁଥିଲା । ଆଜି ଯେତେବେଳେ ଆମେ ଓଡ଼ିଶାର ଅସ୍ମିତା କଥା କହୁ, ସେତେବେଳେ ଦରିଆପାରି ଭୂମିର ଅସ୍ମିତାକୁ ବିଶ୍ଳେଷଣ ବି କରୁ । ସେଠି ନିଜକୁ ଦେଖି ଖୁସି ବି ହେଉ । ବାଲିଯାତ୍ରା ଏହାର ଏକ ସୁନ୍ଦର ଉଦାହରଣ ।
ଏବେ ଆମେ ପ୍ରାଚୀନ ଓଡ଼ିଶାର ସ୍ଥାପତ୍ୟ ସଂପର୍କରେ ଚର୍ଚ୍ଚା କରିବା । ଅଶୋକଙ୍କ ସମୟରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଧଉଳିଗିରିର ପଥର ଖୋଦିତ ସୁନ୍ଦର ହସ୍ତୀ ଏହାର ଏକ ବଳିଷ୍ଠ ଉଦାହରଣ ନୁହେଁ କି? ଏହା ପୂର୍ବରୁ କଳିଙ୍ଗରେ ଜୈନଧର୍ମର ପ୍ରଚଳନ ଥିଲା । କଳିଙ୍ଗର ଶିଳ୍ପୀମାନେ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ନିର୍ମାଣରେ ନିପୂଣ ଥିଲେ, ଯାହାର ଉଦାହରଣ ଖାରବେଳଙ୍କ ରାଜତ୍ୱକାଳର ଖଣ୍ଡଗିରି ଓ ଉଦୟଗିରିରେ ଶୋଭା ପାଉଥିବା କାରୁକାର୍ଯ୍ୟପୂର୍ଣ୍ଣ ଗୁମ୍ଫାରାଜି । ମଞ୍ଚପୁରୀ, ଅଳକାପୁରୀ, ରାଣୀଗୁମ୍ଫା ଆଦି କଳିଙ୍ଗର ଗୁମ୍ଫାରାଜି ଆମ ଓଡ଼ିଆ ଅସ୍ମିତାର ନିଚ୍ଛକ ନିଦର୍ଶନ ।
ଆମେ କଥା ହେଉଥିଲେ ଆମ ସ୍ଥାପତ୍ୟ ଓ ଇତିହାସର ଅସ୍ମିତାର କଥା । ଯେଉଁଠି ସକଳ ସୃଜନ ଭିତରେ ଲୁଚି ରହିଛି ଉତ୍କଳୀୟ ଭାସ୍କର୍ଯ୍ୟ ଓ କାରୁକାର୍ଯ୍ୟ । ଉତ୍କଳୀୟ ମନ୍ଦିରଶୈଳୀ ପରମ୍ପରା ଓଡ଼ିଆ ଅସ୍ମିତାର ସର୍ବଶ୍ରେଷ୍ଠ ନିଦର୍ଶନ- ଓଡ଼ିଶାର ମନ୍ଦିର ଭାସ୍କର୍ଯ୍ୟର ପ୍ରଥମ ସ୍ମାରକୀ ସ୍ୱରୂପ ୫୭୫ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା ଲକ୍ଷ୍ମଣେଶ୍ୱର ମନ୍ଦିର, ପରେ ପରେ ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର, ପର୍ଶୁରାମେଶ୍ୱର ମନ୍ଦିର ଏବଂ ୭୦୦ ଖ୍ରୀଷ୍ଟାବ୍ଦରେ ପଶ୍ଚିମେଶ୍ୱର, ଉତ୍ତରେଶ୍ୱର, ତାଳେଶ୍ୱର ମନ୍ଦିର ଗଢ଼ାଯାଇଥିଲା ।
ଅଷ୍ଟମ ଶତାବ୍ଦୀ ବେଳକୁ ବୈତାଳ, ଗୌରୀ ମନ୍ଦିର ଆଦି ଅନେକ ମନ୍ଦିର ନିର୍ମିତ ହୋଇଥିବାବେଳେ ୭୫୦ ଖ୍ରୀଷ୍ଟାବ୍ଦ ପରେ ନିର୍ମାଣ ହେଲା ବୈତାଳ ମନ୍ଦିର । ମନ୍ଦିର ନିର୍ମାଣ ପରମ୍ପରା ସୃଷ୍ଟି ହେଲା ୯୦୦ ଖ୍ରୀଷ୍ଟାବ୍ଦରେ । ସେଗୁଡ଼ିକ ମଧ୍ୟରେ ୯୫୦ରେ ଗୌରୀ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର (୯୫୦-୧୦୦୦) ଖ୍ରୀଷ୍ଟାବ୍ଦରେ ଡାକରା ଭୀମେଶ୍ୱର ମନ୍ଦିର ଏବଂ ପରେ ପରେ ରାଜାରାଣୀ ମନ୍ଦିର, ଲିଙ୍ଗରାଜ ମନ୍ଦିର ଏବଂ ତା'ପରେ ଶ୍ରୀମନ୍ଦିର ଓ ଓଡ଼ିଆ ଭାସ୍କର୍ଯ୍ୟକଳାର ସର୍ବଶ୍ରେଷ୍ଠ କୃତି କୋଣାର୍କର ସୂର୍ଯ୍ୟମନ୍ଦିରକୁ ଗ୍ରହଣ କରାଯାଇପାରେ । ଏଗୁଡ଼ିକ ଆମ ସ୍ଥାପତ୍ୟ ଓ ଅସ୍ମିତାର ପରିଚୟ ।
ଏବେ ଆମେ ସଂସ୍କୃତି ପାଖକୁ ଆସିବା । ସାଂସ୍କୃତିକ ଅସ୍ମିତା ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ପରମ୍ପରା । କାରଣ ମଣିଷର ବଞ୍ଚିବା ପାଇଁ ଯେତେ ଯାହା ଆବଶ୍ୟକ ତାହାକୁ ଗୋଟିଏ ମାତ୍ର ଶବ୍ଦରେ କୁହାଯାଇପାରିବ, ତାହା ହେଉଛି ‘ସଂସ୍କୃତି' । ଆମକୁ ମନେ ରଖିବାକୁ ହେବ ଯେ, ସଂସ୍କୃତି ମୃତ ନୁହେଁ, ସ୍ରୋତ, ଗତିଶୀଳ ଓ ଜୀବନ୍ତ³ ଯାହାକୁ ଇଂରାଜୀରେ କୁହାଯାଏ ଉଙ୍କକ୍ଷଗ୍ଧଙ୍କକ୍ସବକ୍ଷ ୠକ୍ଷକ୍ଟଙ୍ଗ । ଏହି ପ୍ରବାହରେ ଜଣେ ବ୍ୟକ୍ତି ବଦଳୁଥାଏ ଓ ତା’ ସହିତ ତା’ ସଂସ୍କୃତି ବି ବଦଳୁଥାଏ । ଯେମିତିକି ଶିଶୁଟିଏ ଜନ୍ମ ହୁଏ, ଜନ୍ମ ହେବା ପରଠାରୁ ତା’ ସହିତ ସଂସ୍କୃତି ଯୋଡ଼ି ହୋଇଯାଏ । ତାହା ନାଭିକଟା ଠାରୁ ଆରମ୍ଭ ହୋଇ ସତ୍କାରରେ ସରିଥାଏ । ଜନ୍ମ ପରେ ପାଞ୍ଚ ଦିନକୁ କୁହାଯାଏ ପଞ୍ଚୁଆତି । ଏଥିରେ ପାଞ୍ଚ ପ୍ରକାରର ଶସ୍ୟ (ଗହମ, ଅରୁଆ ଚାଉଳ, ରାଶି, ମାଣ୍ଡିଆ ଓ ଫେଶି)- କାଠଜାଳରେ ନଡ଼ିଆଖଡ଼ିକାରେ ମାଟିହାଣ୍ଡିରେ ଭଜାଯାଇ ଶିଶୁର ଆୟୁ ବୃଦ୍ଧି ପାଇଁ ଘରର ଚାରି କୋଣରେ ବିଛାଯାଏ । ଷଷ୍ଠଦିନ ଶିଶୁର ଶୟନକକ୍ଷରେ ଷଠିଘରଟିଏ ତିଆରି କରାଯାଏ । ସେହି ଷଠିଘରେ ଷଠିମାତାଙ୍କର ଏକ ପ୍ରତୀକାତ୍ମକ ଚିତ୍ର କରାଯାଏ । ସେଥିରେ ଛଅଟି କଉଡ଼ି ସ୍ଥାପନା କରାଯାଏ । ଶିଶୁର ମାଆ ତା’ ସନ୍ତାନର ଆୟୁଷ କାମନା କରି ପୂଜା କରିଥାଏ । ତା'ପରେ ବାରଦିନ ଅନୁଷ୍ଠିତ ହୁଏ ବାରଯାତ୍ରା କାର୍ଯ୍ୟକ୍ରମ । ଏହିଦିନ ଶିଶୁ ଓ ମାତାକୁ ଶୌଚ କରାଯାଏ ଏବଂ ପୂଜା କରାଯାଏ । ଏହାପରେ ଏକ ଉତ୍ସବ ପାଳନର ସମୟ ଆସିଯାଏ, ଯାହାର ନାଁ ଏକୋଇଶିଆ । ଏକୋଇଶିଆ ପରେ ଧୀରେ ଧୀରେ ଶିଶୁଟି ଆଗକୁ ଅଗ୍ରସର ହୁଏ । ପାଠ ପଢ଼େ, କର୍ମସଂସ୍ଥାନ ଯୋଗାଡ଼ କରେ, ପୁଣି ଏକ ସଂସ୍କୃତି ଭିତରକୁ ଛନ୍ଦି ହୋଇଯାଏ, ଯାହାର ନାଁ ବାହାଘର । ତା’ ପୂର୍ବରୁ ନିର୍ବନ୍ଧର ପ୍ରଥା ମଧ୍ୟ ରହିଛି । ଏହାପରେ ସମୟ ବିତି ଯାଉଥାଏ । ଜଣେ ମଣିଷ ଯେତେବେଳେ ମର ଶରୀରକୁ ତ୍ୟାଗ କରିଥାଏ ସେତେବେଳେ ମଧ୍ୟ ଓଡ଼ିଆ ସଂସ୍କୃତିର ପଦଧ୍ୱନି ଶୁଣିବାକୁ ମିଳେ- ଖଇ କଉଡ଼ି ସାଙ୍ଗକୁ ‘ରାମ ନାମ ସତ୍ୟ ହେ' । ଏସବୁ ଓଡ଼ିଆ ପ୍ରାଣର ଅସ୍ମିତାର ପରିଚୟ ।
ଯେଉଁସବୁ ସାଂସ୍କୃତିକ ଅସ୍ମିତାଗୁଡ଼ିକୁ ନେଇ ଆମେ ଓଡ଼ିଆ ଗର୍ବ କରୁ, ସେଗୁଡ଼ିକ ମଧ୍ୟରେ ଓଡ଼ିଶାର ବିଶେଷ ପର୍ବପର୍ବାଣୀ ଯଥା- ଦୁର୍ଗାପୂଜା, ଧନୁଯାତ୍ରା, ସାହିଯାତ, ପାଲା, ଦାସକାଠିଆ, ମୋଗଲ ତାମସା, ପ୍ରହଲ୍ଲାଦ ନାଟକ ଏହିପରି ଅନେକ ପାରମ୍ପରିକ ତଥା ସାଂସ୍କୃତିକ ଅସ୍ମିତାକୁ ପ୍ରତିପାଦନ କରେ । ଏସବୁକୁ ବାଦ୍ଦେଇ ଅନେକ ଓଷାବ୍ରତ, ଯାନିଯାତ୍ରା, ସେଥିମଧ୍ୟରେ ଦଣ୍ଡନାଟ, ଝାମୁଯାତ୍ରା, ପଣାସଂକ୍ରାନ୍ତି, ଖୁଦୁରୁକୁଣୀ ଓଷା, କୁମାରପୂର୍ଣ୍ଣିମା ଓଷା, ଶୀତଳଷଷ୍ଠୀ, ନୂଆଁଖାଇ ଏସବୁ ଅନ୍ତର୍ଭୁକ୍ତ । ମାତ୍ର ପ୍ରତ୍ୟେକ ଓଡ଼ିଆର ପ୍ରାଣସ୍ପନ୍ଦନ ଭାବେ ଯାହାକୁ ବିଚାର କରାଯାଏ ତାହା ହେଉଛି ରଥଯାତ୍ରା । ମଝିରେ ମଝିରେ ଆସେ ନବକଳେବର, ନାଗାର୍ଜୁନ ବେଶ, ରଘୁନାଥ ବେଶ- ଏମିତି କେତେ କଥା । ଏହା ଓଡ଼ିଆମାନଙ୍କର ଆତ୍ମାର ଅସ୍ମିତା । ଆମେ ଚର୍ଚ୍ଚା କରୁଥିଲେ ଇତିହାସ, ସ୍ଥାପତ୍ୟ, ସଂସ୍କୃତି, ଏକ ଶିଶୁର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସାଂସ୍କୃତିକ ଯାତ୍ରା, ପର୍ବପର୍ବାଣୀ, ଯାନିଯାତ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର କଥା ।
‘ବନ୍ଦେ ମାତରମ୍' ସଙ୍ଗୀତ ଏହି ଓଡ଼ିଶା ମାଟିର ଯାଜପୁରରୁ ସୃଷ୍ଟି, ଯାହା ଓଡ଼ିଆ ଅସ୍ମିତାର ଏହା ଏକ ନିଖୁଣ ପରିଚୟ । ଏବେ ଫେରିବା ଭାଷା ପାଖକୁ । ଅନେକ ସମୟରେ ଏକ ପ୍ରୀତିପଦ ଅଭିଯୋଗ ଶୁଣିବାକୁ ମିଳେ ଯେ, ଓଡ଼ିଆ ଭାଷା ଓ ସାହିତ୍ୟର ବିଶେଷ ଚର୍ଚ୍ଚା କାଳେ ହୋଇପାରିନାହିଁ । ମାତ୍ର ଏହି ଅଭିଯୋଗ ସତ ନୁହେଁ, ମିଥ୍ୟା ବି ନୁହେଁ । ଅପ୍ରୀତିକର ଏବଂ ବିପଦଜନକ । ଆମ ପ୍ରାଚୀନ ଓଡ଼ିଆ ଭାଷା, ଯାହା ଢଗଢମାଳି, କାନ୍ଦଣା ଲହରୀ, ପ୍ରାଚୀନ ଅଭିଲେଖ, ସାରଳା ମହାଭାରତ, ମାଦଳାପାଞ୍ଜି, ଚର୍ଯ୍ୟାଗୀତିକାରେ ଖୁବ୍ ଚମତ୍କାର ଭାବରେ ସଂଯୋଜିତ । ଓଡ଼ିଶାର ସମଗ୍ର ରାଜନୀତି, ସାହିତ୍ୟ, ଧର୍ମ, ଦର୍ଶନ ସବୁକିଛି ଓଡ଼ିଆ ପ୍ରାଚୀନ ଭାଷା ମଧ୍ୟରେ ସନ୍ନିହିତ । ଏହାର ବଳିଷ୍ଠ ପ୍ରମାଣ ରାଜ୍ୟ ସଂଗ୍ରହାଳୟର ପୋଥି ବିଭାଗରେ ଗଚ୍ଛିତ ଥିବା ତାଳପତ୍ର ପୋଥିଗୁଡ଼ିକରୁ ଦେଖିବାକୁ ମିଳେ । ସହସ୍ରାଧିକ ପୋଥି ମଧ୍ୟରେ ବନ୍ଧାହୋଇ ରହିଛି ଓଡ଼ିଆ ଜାତିର ଭାଷା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଅସ୍ମିତା । ତାଳପତ୍ରରେ ଖୋଦିତ ଚିତ୍ରରାଜି ପୃଥିବୀ ପ୍ରସିଦ୍ଧ । ବାସ୍ତବତଃ ଓଡ଼ିଆ ଅସ୍ମିତାର ସାନ୍ଧ୍ରତାକୁ ଏହି ଚିତ୍ରରାଜି ଭିତରେ ଅନୁଭବ କରାଯାଇପାରେ ।
ସମଗ୍ର ବିଶ୍ୱର ଅସ୍ମିତା ସଂପର୍କରେ ଆଲୋଚନା କଲାବେଳେ ଓଡ଼ିଶାର ଛବି ଆମ ଆଖିଆଗରେ ସ୍ପଷ୍ଟ ହୋଇଯାଏ । କାରଣ ଏଠାରେ ପ୍ରକୃତି ଅଛି, ତାହା ପୁଣି ଜୀବନ୍ତ । ଏଠି ସ୍ଥାପତ୍ୟ ଅଛି, ଯାହାକୁ କୁହାଯାଏ ଶିଳାର କବିତା । ଏଠି ଗୁମ୍ଫା ଅଛି, ଯେଉଁଠି ତପସ୍ୱୀ ଏବେ ବି ତପସ୍ୟା କରେ । ଏଇଠି ସଂସ୍କୃତି ଅଛି, ଯେଉଁଠି କିଛି ବି କାରଣ ନଥାଇ ବାଳିକାମାନେ ଖୁସି ହୁଅନ୍ତି । ଯେମିତିକି କୁଆଁରପୁନେଇଁ ଓ ରଜ ଉତ୍ସବରେ ଟିପିଟିପି ଚନ୍ଦନ ବିନ୍ଦୁରେ କପାଳକୁ ଆଙ୍କି ଦିଅନ୍ତି ଓ ଅଳତାରେ ପାଦକୁ ସଜାଇ ଦିଅନ୍ତି । ଖୁଦୁରୁକୁଣୀ ଓଷାପାଇଁ ରାତିଅଧରୁ ଉଠି ଫୁଲ ତୋଳି ଗଜରା ଗୁନ୍ଥି ଦିଅନ୍ତି । କଦଳୀ ପାଟୁଙ୍ଗାରେ ଡଙ୍ଗା କରି କାର୍ତ୍ତିକ ପୂର୍ଣ୍ଣିମାରେ ନଈ କିମ୍ବା ଗାଡ଼ିଆରେ ଭସେଇ ଦିଅନ୍ତି । ଯେଉଁଠି କିଛି ବି କାରଣ ନାହିଁ, ଅଥଚ ପୁଳାପୁଳା ଖୁସିରେ ସ୍ପନ୍ଦିତ ହୋଇଯାଉଥାଏ ସେମାନଙ୍କର ପ୍ରାଣସ୍ପନ୍ଦନ । ମନ ଆଉ ପ୍ରାଣ । ଏଇଠି କୁରେଇ ଫୁଲକୁ ମୁଣ୍ଡରେ ଖୋସି ଜନଜାତିର ଝିଅଟିଏ ପାହାଡ଼ି ଝରଣା ପରି ନାଚି ନାଚି ଚାଲିଯାଉଥାଏ । ଏହା ହିଁ ତ ଏକ ପ୍ରାକୃତିକ କବିତା । କେତେକେତେ ପାହାଡ଼ରୁ କେତେକେତେ ପାହାଡ଼ି ଝରଣାମାନେ ମନଖୋଲି ନାଚୁଥାନ୍ତି ଗ୍ରାମ୍ୟ ତରୁଣୀ ଭଳି । ଏହା କୌଣସି ସୁନ୍ଦରୀ ନାୟିକାର ଛନ୍ଦରୁ କମ୍ ନୁହେଁ । ଓଡ଼ିଶା ବା'ଷଠି ପ୍ରକାର ଜନଜାତିଙ୍କ ଜୀବନଚର୍ଯ୍ୟା, ଭାଷା, ସଙ୍ଗୀତ, ନୃତ୍ୟ ଓ ସବୁକିଛି ଓଡ଼ିଆ ଅସ୍ମିତାକୁ ରୁଦ୍ଧିମନ୍ତ କରେ ।
ମାର୍ଚ୍ଚ ମାସ ୧୧ ତାରିଖ ୨୦୧୪ରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରାଯାଇଛି । ଏତିକିରେ ଆମ ଓଡ଼ିଆ ଭାଷା ସୀମିତ ନୁହେଁ । ସବୁଠୁ ବଡ଼ କଥା ଏହା ଭାରତବର୍ଷର ପ୍ରଥମ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ । ଆମ ଅସ୍ମିତା ଆମ ପରିଚୟ । ଆମ ଗୌରବମୟ ଅସ୍ମିତାର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ।