ପ୍ରମୂଖ ଖବର
  • ରାୟଗଡା ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ, ଶ୍ରମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଜବତ୍
  • ||
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ସଂସଦ ଅଧିବେଶନ: ‘ରୌଦ୍ର’ ରୂପ ଦେଖାଇବାକୁ ପ୍ରସ୍ତୁତ ବିରୋଧୀ, ନିଟ୍‌ ବିଭ୍ରାଟ, ଅଗ୍ନିବୀର ଯୋଜନା ମୁଖ୍ୟ ପ୍ରସଙ୍ଗ

ନୂଆଦିଲ୍ଲୀ,୨୪/୦୬: ନରେନ୍ଦ୍ର ମୋଦିଙ୍କ  ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ତୃତୀୟ  ପାଳିର ପ୍ରଥମ ସଂସଦ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେଉଛି । ସୋମବାର ଠାରୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ବସୁଥିବା ବେଳେ ଗୁରୁବାର ଠାରୁ ରାଜ୍ୟସଭାର ବୈଠକ ଆରମ୍ଭ ହେବ । ବିରୋଧୀ ଦଳ ପକ୍ଷରୁ  ଏକଥା ସ୍ପଷ୍ଟ କରିଦିଆଯାଇଛି କି ସରକାରଙ୍କୁ ଏଥର  ଗୃହରେ ବିରୋଧୀଙ୍କ ‘ରୌଦ୍ର’ ରୂପ ଦେଖିବାକୁ  ପଡିବ । ଅର୍ଥାତ ଅଧିବେଶ କାଳରେ ଜୋରଦାର  ହଙ୍ଗାମା ହେବାର ସମ୍ଭାବନା ରହିଛି । ଏନ୍‌ଡିଏ ଓ  ଇଣ୍ଡିଆ ମେଣ୍ଟର ପ୍ରଥମ ମୁକାବିଲା ଲୋକସଭା  ବାଚସ୍ପତି ନିର୍ବାଚନକୁ ନେଇ ହୋଇପାରେ ।  ଅତୀତରେ ଲୋକସଭା ବାଚସ୍ପତି ଓ ଉପବାଚସ୍ପତି  ପଦ ସହମ୍ମତି ଭିତ୍ତିରେ ହେଉଥିଲା । କିନ୍ତୁ ଏଥର  ସେଭଳି ସ୍ଥିତି ଦେଖିବାକୁ ମିଳିବ ନାହିଁ । ପୂର୍ବରୁ  କାମଚଳା ବାଚସ୍ପତି ଭାବେ ବିଜେପି ସାଂସଦ  ଭର୍ତ୍ତୃହରି ମହତାବଙ୍କ ନିଯୁକ୍ତିକୁ ଇଣ୍ଡିଆ ମେଣ୍ଟ  ପକ୍ଷରୁ କଡା ବିରୋଧ କରାଯାଇଛି । 

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଟ୍‌  ପରୀକ୍ଷାକୁ ନେଇ ସୃଷ୍ଟି ହୋଇଥିବା ବିବାଦ  ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି । ଏହାଛଡା ସେନାରେ ଅଗ୍ନିବୀର ନିଯୁକ୍ତି ଓ  ନିର୍ବାଚନ ଫଳ ପ୍ରକାଶ ପୂର୍ବଦିନ ଷ୍ଟକ ମାର୍କେଟରେ  ହୋଇଥିବା ଘୋଟାଲାକୁ ନେଇ ମଧ୍ୟ ସରକାରଙ୍କୁ  ଜୋର୍‌ଦାର ବିରୋଧ କରାଯିବ । ଏଥିସହ କେନ୍ଦ୍ର  ସରକାର ଆସନ୍ତା ଜୁଲାଇ ପହିଲାରୁ ଲାଗୁ କରିବାକୁ  ଯାଉଥିବା ୩ ନୂଆ ଅପରାଧ ଆଇନକୁ ନେଇ  କଂଗ୍ରେସ ଓ ଟିଏମ୍‌ସି ବିରୋଧ କରିବେ ବୋଲି  ପୂର୍ବରୁ ଇଙ୍ଗିତ କରିସାରିଛନ୍ତି । ଏହି ଆଇନ  ସଂସଦରେ ସେତେବେଳେ ଗୃହୀତ କରାଯାଇଥିଲା  ଯେଉଁ ସମୟରେ ବିରୋଧୀ ଦଳର ୧୪୬ ଜଣ  ସାଂସଦଙ୍କୁ ଗୃହରୁ ନିଲମ୍ବିତ କରାଯାଇଥିଲା । 

ଲୋକସଭା ନିର୍ବାଚନ ପରେ ବିରୋଧୀମାନେ ଅଧିକ  ସକ୍ରିୟ ହୋଇଉଠିଛନ୍ତି । ବିଶେଷକରି ରାହୁଲ  ଗାନ୍ଧୀ, ଅଖିଳେଶ ଯାଦବ, ମମତା ବାନାର୍ଜୀଙ୍କ  ସମେତ ଆରଜେଡି ଓ ଆପ୍‌ ନେତାମାନେ ଏନ୍‌ଡିଏ  ସରକାରଙ୍କୁ ଟାର୍ଗେଟ କରିବାରେ ଆଦୌ ହେଳା  କରୁନାହାନ୍ତି । କଂଗ୍ରେସ ନେତା ଜୟରାମ ରମେଶ  ଅଭିଯୋଗ କରିଛନ୍ତି କି ଲୋକସଭାର କଂଗ୍ରେସ  ସାଂସଦ କୁଡିକୁନ୍ନିଲ ସୁରେଶ ସବୁଠାରୁ ବରିଷ୍ଠତମ  ହୋଇଥିବା ବେଳେ ତାଙ୍କୁ ଅଣଦେଖା କରି  ଭର୍ତ୍ତୃହରିଙ୍କୁ କାମଚଳା ବାଚସ୍ପତି କରାଯାଇଛି । ଏହା  ସଂସଦୀୟ ପରମ୍ପରାର ଉଲ୍ଲଂଘନ । ମାତ୍ର ତାଙ୍କର ଏଭଳି ଅଭିଯୋଗକୁ ବିଜେପି ଖଣ୍ଡନ କରିଛି । 

କଂଗ୍ରେସ ନେତା କୋଡିକୁନ୍ନିଲ ସୁରେଶ ଓ  ବିଜେପିର ବୀରେନ୍ଦ୍ର କୁମାର ଉଭୟେ ଅଷ୍ଟାଦଶ  ଲୋକସଭାରେ ସେମାନଙ୍କର ଅଷ୍ଟମ କାର୍ଯ୍ୟକାଳ  ଆରମ୍ଭ କରିବାକୁ ଯାଉଛନ୍ତି । ୨୦୧୯ ଲୋକସଭା  ନିର୍ବାଚନ ପରେ ବୀରେନ୍ଦ୍ର କୁମାରଙ୍କୁ କାମଚଳା  ବାଚସ୍ପତି ନିଯୁକ୍ତ କରାଯାଇଥିଲା । ବୀରେନ୍ଦ୍ର କୁମାର  ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ହୋଇସାରିଛନ୍ତି । ସେଭଳି  କ୍ଷେତ୍ରରେ ବର୍ତ୍ତମାନ କୋଡିକୁନ୍ନିଲ ସୁରେଶ ସବୁଠାରୁ  ବରିଷ୍ଠ ସଦସ୍ୟ ଅଛନ୍ତି । କିନ୍ତୁ ତାଙ୍କ ବଦଳରେ  ଲୋକସଭାକୁ ୭ ଥର ନିର୍ବାଚିତ ହୋଇଥିବା  ଭର୍ତ୍ତୃହରିଙ୍କୁ କାମଚଳା ବାଚସ୍ପତି ନିଯୁକ୍ତ କରାଯିବାକୁ  କଂଗ୍ରେସ ଗ୍ରହଣ କରିପାରିନାହିଁ । ତେଣୁ ଗୃହର  ପ୍ରଥମ ଦିନରୁ ହିଁ ହଙ୍ଗାମା ସୃଷ୍ଟି ହେବାର ସମ୍ଭାବନା  ରହିଛି । ଆସନ୍ତା ୨୬ରେ ବାଚସ୍ପତି ନିର୍ବାଚନ ହେବ ।  

ଲୋକସଭାର ୫୪୩ ଆସନରୁ ବର୍ତ୍ତମାନ  ଏନ୍‌ଡିଏର ସଂଖ୍ୟା ୨୯୩ ରହିଥିଲା ବେଳେ  ସେଥିରେ ବିଜେପିର ସଦସ୍ୟ ସଂଖ୍ୟା ୨୪୦  ରହିଛି । ଗତ ୨୦୧୪ ଓ ୨୦୧୯ରେ ବିଜେପିକୁ  ପୂର୍ଣ୍ଣ ବହୁମତ ମିଳିଥିଲା ବେଳେ ଏଥର ଲୋକସଭା  ନିର୍ବାଚନରେ ତାହା ହୋଇନାହିଁ । ଯାହାଫଳରେ  ସରକାର ଗଠନ କରିବା ଲାଗି ବିଜେପି ତାର ଅନ୍ୟ  ସହଯୋଗୀ ଦଳମାନଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ  ନିର୍ଭର କରିବାକୁ ପଡିଛି । ଅନ୍ୟପକ୍ଷରେ ଇଣ୍ଡିଆ  ମେଣ୍ଟର ସଦସ୍ୟ ସଂଖ୍ୟା ୨୩୪ ରହିଛି । ଫଳରେ  ପୂର୍ବାପେକ୍ଷା ଇଣ୍ଡିଆ ମେଣ୍ଟ ଏବେ ଦୃଢ଼ ବିରୋଧୀ  ଦଳ ଭାବେ ଉଭା ହୋଇଛି । ତେଣୁ ସଂସଦରେ  ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଇଣ୍ଡିଆ  ମେଣ୍ଟକୁ ଏବେ ଶକ୍ତି ମିଳିଯାଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.