ନୂଆଦିଲ୍ଲୀ,୨୮/୦୬: ଓମ୍ ବିର୍ଲା ଦ୍ୱିତୀୟ ଥର ପାଇଁ ଲୋକସଭା ବାଚସ୍ପତି ନିର୍ବାଚିତ ହୋଇଛନ୍ତି । କିନ୍ତୁ ଉପ ବାଚସ୍ପତି ପଦ ଖାଲି ପଡ଼ିଛି । କୁହାଯାଉଛି ଯେ ଏଥର ଉପ ବାଚସ୍ପତି ପଦ ବିରୋଧୀ ପକ୍ଷକୁ ଦିଆଯିବ ନାହିଁ । ଏନ୍ଡିଏ ଏହାକୁ ନିଜ ପାଖରେ ରଖିବ । ଏନ୍ଡିଏ ସହଯୋଗୀ ଦଳ ଟିଡିପି କିମ୍ବା ଜେଡିୟୁର ଜଣେ ସାଂସଦଙ୍କୁ ଏହି ପଦରେ ଅଧିଷ୍ଠିତ କରାଯାଇପାରେ । ତେବେ ଏଭଳି କରି NDA ଏ ପର୍ଯ୍ୟନ୍ତ ଚଳିଆସୁଥିବା ପରମ୍ପରାକୁ ଭାଙ୍ଗିଦେବ। ସହଯୋଗୀ ଦଳକୁ ଖୁସି କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇପାରେ । ଖୁବଶୀଘ୍ର ଉପ ବାଚସ୍ପତି ପଦ ପାଇଁ ନାମ ଘୋଷଣା କରାଯିବ ।
ଅଟଳ ବିହାରୀ ବାଜପେୟୀଙ୍କ ସରକାର ବେଳେ ଏନ୍ଡିଏ ସହଯୋଗୀ ଦଳ ଟିଡିପିର ଜିଏମ୍ସି ବାଲଯୋଗୀ ବାଚସ୍ପତି ରହିଥିଲେ । ତେଣୁ ଏଥର ତାଙ୍କ ପୁଅ ହରିଶ ବାଲଯୋଗୀଙ୍କୁ ଉପ ବାଚସ୍ପତି କରାଯାଇପାରେ । ଉଲ୍ଲେଖଯୋଗ୍ୟ, ସାଧାରଣତଃ ଲୋକସଭା ବାଚସ୍ପତି ପଦ ଶାସକ ଦଳ ପାଖରେ ରହୁଥିବା ବେଳେ ଉପ ବାଚସ୍ପତି ପଦ ବିରୋଧୀଙ୍କୁ ମିଳିଥାଏ । ୧୯୯୦ରୁ ୨୦୧୪ ପର୍ଯ୍ୟନ୍ତ ବିରୋଧୀଙ୍କ ପାଖରେ ଏହି ପଦ ରହିଥିଲା । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଶାସକ ମେଣ୍ଟ ଏହି ପଦ ରଖିଥିଲା ବେଳେ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ଏହା ଖାଲି ପଡ଼ିଥିଲା ।