ପ୍ରମୂଖ ଖବର
  • ରାୟଗଡା ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ, ଶ୍ରମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଜବତ୍
  • ||
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ନିଟ୍‌, ଦରବୃଦ୍ଧି ଓ ଜିଏସ୍‌ଟିରେ ପେଟ୍ରୋଲ ପ୍ରସଙ୍ଗରେ ବିଜେଡି ମୁହଁରେ ତୁଣ୍ଡି, କେତେ ଆକ୍ରମଣାତ୍ମକ ହେବ ଦଳ?

ଭୁବନେଶ୍ୱର, ୨୬/୦୬ : ‘ନିଟ୍‌’ ପରୀକ୍ଷାକୁ ନେଇ ସାରା ଦେଶ ଉଠୁଛି ପଡ଼ୁଛି । ବିଜେଡି କିନ୍ତୁ ମୁହଁରେ ତୁଣ୍ଡି ବାନ୍ଧି ବସିଛି । ଲଗାମହୀନ ଦରଦାମକୁ ନେଇ ସାଧାରଣ ଲୋକ ଛଟପଟ । ବିଜେଡି ଉଁ କି ଚୁଁ କରୁନି । ବିଜେଡିର ଏଭଳି ଆଭିମୁଖ୍ୟକୁ ନେଇ ରାଜନୈତିକ ମହଲ ସହ ଦଳର ତୃଣମୂଳସ୍ତରର କର୍ମୀ ତାଜୁବ୍‌ । ବିରୋଧୀ ଦଳ ଭାବେ ବିଜୁ ଜନତା ଦଳର ଅସମ୍ଭବ ନିରବତାକୁ ନେଇ ପ୍ରଶ୍ନ ଉଠୁଛି । ଦଳ ସଂସଦର ଚଳିତ ଅଧିବେଶନରେ ରାଜ୍ୟସଭାରେ ବେଶ୍‌ ଆକ୍ରମଣାତ୍ମକ ଢଙ୍ଗରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବ ବୋଲି ନିଷ୍ପତ୍ତି ନେଇଛି । ମାତ୍ର ଦଳର ଏବେର ଆଭିମୁଖ୍ୟକୁ ଦେଖିଲେ ବିଜେଡି ସ୍ୱରକୁ କେତେ ଶାଣିତ କରିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ନିଟ୍‌ ପରୀକ୍ଷା ବିଭ୍ରାଟକୁ ନେଇ ସାରା ଦେଶରେ ଏବେ ନାହିଁ ନଥିବା ଅବସ୍ଥା । ପ୍ରାୟ ସବୁ ରାଜ୍ୟରେ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ ଚାଲିଛି । ଲୋକସଭାରେ ସାଂସଦଙ୍କ ଶପଥ ଗ୍ରହଣ ଉତ୍ସବରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ସମ୍ବଳିତ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜୁ ଜନତା ଦଳ କିନ୍ତୁ ପ୍ରତିକ୍ରିୟା ପ୍ରକାଶ କରିନାହିଁ । ୨୪ ବର୍ଷ କାଳ ଶାସନ ଗାଦିରେ ବସିଥିବା ବିଜେଡି ଏବେ ବିରୋଧୀ ଆସନରେ । ମାତ୍ର ଏକ ଦାୟିତ୍ୱବାନ ବିରୋଧୀ ଦଳ ଭାବେ ଦାୟିତ୍ୱ ତୁଲାଇବାକୁ ଦଳ କାହିଁକି କୁନ୍ଥକୁନ୍ଥ ହେଉଛି? ବଜାର ଦରରେ ଏବେ ଲାଗିଛି ନିଆଁ । ପନିପରିବାରୁ ଆରମ୍ଭ କରି ରୋଷେଇ ଘରର ସବୁ ସାମଗ୍ରୀ ଦର ହୁ ହୁ ହୋଇ ବଢ଼ି ଚାଲିଛି । ଏଭଳି ବେଗରେ ଦରବୃଦ୍ଧି ସହ କଳାବଜାରୀକୁ ନେଇ ସାଧାରଣ ଲୋକ ଛଟପଟ ହେଉଛନ୍ତି । ବିରୋଧୀ ବିଜେଡି ଶିବିର କିନ୍ତୁ ନିରବ । 

ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟି ଅଧୀନକୁ ଆଣିବାକୁ କେନ୍ଦ୍ର ବିଚାର କରୁଛି । ଅଣବିଜେପି ଶାସିତ ରାଜ୍ୟ ସରକାର ଓ ବିରୋଧୀ ଦଳଗୁଡ଼ିକ ଏହା ବିରୋଧରେ ଜୋରଦାର ପ୍ରତିବାଦ କରୁଛନ୍ତି । ବିଜେଡି ନା ପ୍ରତିକ୍ରିୟା ରଖୁଛି ନା ବିରୋଧରେ କିଛି ବୟାନ ଦେଉଛି । ଲାଗୁଛି ଦଳ ସମ୍ପୂର୍ଣ୍ଣ ‘ନିରବ ମୁଦ୍ରା’ରେ ରହିଛି । ଦଳ ଏ ମୌନତା ଭାଙ୍ଗି ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ସରକାରଙ୍କୁ ଆଗକୁ କେତେ ଘେରିବ ସେ ନେଇ ପ୍ରଶ୍ନ ଉଠୁଛି । ରାଜ୍ୟରେ ଏବେ ନୂଆ ସରକାର ଆଉ ନୂଆ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ସାଧାରଣ ସଭାକୁ ଯାଉଛନ୍ତି ବିଜେଡି ସରକାର ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟ ସରକାର ଥିଲା ବୋଲି ଖୋଲା ଅଭିଯୋଗ କରୁଛନ୍ତି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ବିଜେଡି ସରକାରର କାର୍ଯ୍ୟାବଳୀକୁ କଠୋର ସମାଲୋଚନା କରୁଛନ୍ତି । ମାତ୍ର ବିଜେଡି ଏହାର ମୁହଁତୋଡ଼ ଜବାବ ଦେବାକୁ ଆଗପଛ ହେଉଛି । 

ଯଦିଓ ଦଳ ପକ୍ଷରୁ ପ୍ରତାପ ଦେବ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତି ଜବାବ ଦେଇଛନ୍ତି । ମାତ୍ର ଦଳ ଯେଭଳି ସଂଗଠିତ ଭାବେ ପ୍ରତିକ୍ରିୟା ପ୍ରକାଶ କରିବା କଥା କରୁନି । ଦଳର ଅଧିକାଂଶ ନେତା ନିଜ ସୋସିଆଲ ମିଡିଆରେ ମଧ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ଆଖି ବୁଜି ଦେଉଛନ୍ତି । ଏଥିରେ ଦଳ କିଭଳି ବିରୋଧୀ ଭୂମିକାକୁ ନିଷ୍ଠାର ସହ ତୁଲାଇବ ବୋଲି ଖୋଦ୍‌ ଦଳର ତୃଣମୂଳସ୍ତରର କର୍ମୀ ମଧ୍ୟ ଆଲୋଚନା କରୁଛନ୍ତି । ସଂସଦ ଅଧିବେଶନ ପାଇଁ ବିଜେଡି ସଂସଦୀୟ ଦଳର ରଣନୀତି ବୈଠକରେ ବିଜେଡି ସୁପ୍ରିମୋ ଦଳର ରାଜ୍ୟସଭା ସାଂସଦମାନଙ୍କୁ ମନ୍ତ୍ର ଦେଇଛନ୍ତି, ସଂସଦରେ ବିଜେଡି ଶାଣିତ ଭାବେ ରାଜ୍ୟର ସମସ୍ୟାକୁ ଉଠାଇବ । ସାଢ଼େ ୪ କୋଟି ଲୋକଙ୍କ ସ୍ୱର ହୋଇ କାମ କରିବ ଦଳ । 

ସ୍ୱତନ୍ତ୍ର ପାହ୍ୟା ଓ କୋଇଲା ରୟାଲ୍‌ଟି ବୃଦ୍ଧି ପ୍ରସଙ୍ଗକୁ ଦଳ ତଗଡ଼ା ସ୍ୱରରେ ଉଠାଇବ । କେନ୍ଦୁପତ୍ରରୁ ଜିଏସ୍‌ଟି ପ୍ରତ୍ୟାହାର, ଚାଷୀମାନଙ୍କୁ ଶୀଘ୍ର ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନ, ଧାନ ଏମ୍‌ଏସ୍‌ପି ବୃଦ୍ଧି ସହ କଟକ-ସମ୍ବଲପୁର ଭଳି ବିଭିନ୍ନ ଜାତୀୟ ରାଜପଥ ସମସ୍ୟାକୁ ଆକ୍ରମଣାତ୍ମକ ଢଙ୍ଗରେ ଉପସ୍ଥାପନ କରିବ ବିଜେଡି । ବିଗତ କିଛି ବର୍ଷ ହେବ ସଂସଦରେ କେନ୍ଦ୍ର ସରକାର ପ୍ରତି ବିଜେଡି ଅନୁକୂଳ ମନୋଭାବ ପ୍ରଦର୍ଶନ କରି ଆସୁଥିଲା । ମାତ୍ର ଭୋଟରେ ବଡ଼ ବିପର୍ଯ୍ୟୟ ପରେ ଦଳ ଯେଉଁଭଳି ମୌନବ୍ରତ ଧରିଛି ତା’କୁ ଦେଖିଲେ ବିଜେପି ବିରୋଧରେ ବିଜେଡି କେତେ ସଶକ୍ତ ଭାବେ ରାଜ୍ୟସଭା, ବିଧାନସଭା ଏବଂ ରାଜରାସ୍ତାରେ ଲଢ଼ିବ ତା’କୁ ନେଇ ଆଶଙ୍କା ସୃଷ୍ଟି ହୋଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.