ଭୁବନେଶ୍ୱର: ଜୁନ୍ ପହିଲା । ଦେଶ ପ୍ରତି ବଡ଼ କର୍ତ୍ତବ୍ୟ, ମତଦାନ । ସେଥିରେ ପୁଣି ଗାଁ ବୁଥ୍ରେ ସକାଳୁ ସକାଳୁ ଧାଡ଼ିରେ ଆଗରେ ରହି ଭୋଟ ଦେବାର ମଜା ନିଆରା । ହାତର ରଙ୍ଗୋଲି, ପାଦର ଅଳତା କି ହଳଦୀପାଣି ଏସବୁ ରଙ୍ଗ ତୁଳନାରେ ଭୋଟକାଳିଟା ଆଙ୍ଗୁଳିକୁ ଅପରିଷ୍କାର ଦେଖାଯାଏ । କିନ୍ତୁ ଅନ୍ୟ ରଙ୍ଗଗୁଡ଼ିକରେ ପରାଧୀନତାର ଗନ୍ଧ ଥିବାବେଳେ ଭୋଟକାଳିରେ ସ୍ୱାଧୀନତାର ଚମକ ଓ ଗର୍ବର ଭାବନା ଆସେ । ବୁଥ୍ରୁ ବେଶ୍ କିଛି ଦୂରରେ କାର୍ରୁ ଓହ୍ଲାଇ ତରତର ହୋଇ ଯିବାବେଳକୁ ଚିହ୍ନା ପରିଚିତମାନଙ୍କ ପାଟି ଶୁଭିଲା- ଆରେ ଏଥର ବିଳମ୍ବ କଲୁ? ଏଇ ଦେଖ କାଳି, ଆମେ ଦେଇସାରିଲୁଣି । ହସିଦେଇ ଆଗେଇଲି । ହଠାତ୍ ବରଗଛ ମୂଳରୁ ଶୁଭିଲା- ଓ ରାଜଧାନୀ ବାବୁ! ଆସିଗଲ ଭୋ...ଅ...ଟ ଦେଇ । ଭୁବନେଶ୍ୱରରେ ନଦେଇ ତେଲ ଖର୍ଚ୍ଚ କରି ଦୌଡ଼ୁଛୁ ? ବୁଲିପଡ଼ି ଅନାଇଲି । ଆମ ଗାଁର- କାକା । ପିଲାବେଳୁ ଦେଖିଛି ଆମ ଘରେ ମଜୁରି ଲାଗିବାର । ଆମ୍ବ ଗୋଟାଇବା ବେଳେ କି ମାଙ୍କଡ଼ ଘଉଡ଼ାଇବା ବେଳେ ପାଖରେ ଥାଆନ୍ତି । ଏବେ ବୟସ ବାଧକ ହେଲାଣି । ସିଧା ଛିଡ଼ା ହୋଇପାରୁନାହାନ୍ତି । ପାଖକୁ ଗଲି, ପଚାରିଲି- କାକା ଭୋଟ ଦେଲଣି, ଏଠି କାହିଁକି ବସିଛ । କହିଲେ- ନାତିକୁ ଅପେକ୍ଷା କରିଛି, ଗାଡ଼ି ଆଣିଲେ ବୁଥକୁ ନେଇଯିବ । ମୋ ତୁଳନାରେ କାକାଙ୍କ ପ୍ରଶ୍ନ ଥିଲା ଅନେକ- କ’ଣ କରୁଛୁ, ବାପା କେମିତି ଅଛନ୍ତି, ତୋ ଭାଇ କୁଆଡ଼େ ଗଲା, ପିଲା ଛୁଆ କେତୋଟି? ଏସବୁର ଅସ୍ପଷ୍ଟ ଉତ୍ତର ଦେଇ ପଚାରିଲି- କାହାକୁ ଭୋଟ ଦେବ?
କ’ଣ କହିଲୁ- ଭୋଟ କାହାକୁ? ଆରେ ଏଥର ତ ଜୋର୍ ପ୍ରଚାର । ଏଇ ଗତ ବୁଧବାର ସେ ବିଶ୍ୱାଳ ଘର ଟୋକା ଏକ କିଲୋ ଚିକେନ ଦେଇଯାଇଥିଲା । ତା’ ପରଦିନ ଘଡ଼େଇ ପୁଅ ୫୦୦ ଟଙ୍କା ଲେଖାଏଁ ଆମ ଘରର ୪ଟି ଭୋଟ ପାଇଁ ୨ହଜାର ଦେବ କହି, ତେଲ ଖର୍ଚ୍ଚ ଶହେ ଟଙ୍କା କାଟି ଦେଇଗଲା । କାଲି ପୁଣି ସରପଞ୍ଚ ପଠାଇଥିଲା ଜଣକୁ, ଭୋଟ ଗୋଟା ୪ଶହ ଲେଖାଏଁ ବାଣ୍ଟି ଦେଇଗଲା । ଆଚ୍ଛା ଏତେ କଥା, ତାହେଲେ ଭୋଟ ଯିବ କୁଆଡ଼େ କାକା? ବୁଝିଲୁ ପୁଅ, ତୁ ତ ଗାଁରେ ରହୁନୁ, ରହିଲେ ଜାଣିବୁ । କିଏ ବିଧାୟକ, ସାଂସଦ ହେଲା କିମ୍ବା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ହେଲା, ଏଗୁଡ଼ା ଆମ ପାଇଁ କେବଳ ଶୁଣିବାର କଥା । କେହି ଆମ କାମବେଳେ ନଥାନ୍ତି । ଆମ କଥା ସବୁବେଳେ ଆମ ଗାଁ ଛୋଟା ପୁଅ ବୁଝେ । ମୋର, ତୋ କାକୀର ଭତ୍ତା ସେ କରିଦେଇଥିଲା । ଆବାସ, ଶୌଚାଳୟ ସବୁ କରେଇ ଦେଲା । ଟଙ୍କିକିଆ ଚାଉଳ ବି କଲା । ମୁଁ ଡାକ୍ତରଖାନାରେ ମୋତିଆବିନ୍ଦୁ ଅପରେସନ ହେଲି, ଟଙ୍କାଟେ ଖର୍ଚ୍ଚ ହେଲାନି । କ’ଣ ସେ କାର୍ଡଟା ମ! ସରକାର ଦେଇଛନ୍ତି, ସେଇଟା ବି ଛୋଟା ପୁଅ ବୁଝୁଥିଲା । ନାତିର ବାହାଘର ଯୋଗାଡ଼ କଲା, ନାତୁଣୀ ବୋହୂର ପିଲା ହେଲାବେଳକୁ ଡାକ୍ତରଖାନା ପଇସା ବୁଝିଲା । କଣ୍ଟାକୁ ଧାନ କେମିତି ଯିବ ବୁଝିଲା । ଗାଁକୁ କେହି ବି ସରକାରୀ ବାବୁ ଆସିଲେ, ଛୋଟା ପୁଅ ତା’ ଚାକିରି ଛାଡ଼ି ତାଙ୍କ ସହ ଆସେ ଆମ ସମସ୍ତଙ୍କ ଭଲ ମନ୍ଦ ବୁଝିବାକୁ । ଭୋଟ ପ୍ରଚାର ବେଳେ ସବୁ ଦଳର ସଭାକୁ ନାତିକୁ ପଇସା ଖାଇବା ପିଇବା ଦେଇ ଡାକି ନେଉଥିଲା । ଏବେ ଭୋଟଟା ସେ ଯାହାକୁ କହିଛି ଆମେ ଦେବୁ । କାକାଙ୍କ କଥା ଶୁଣି ମୋ ମୁଣ୍ଡ ଗୋଲ୍ ।
ଖରା ବଢ଼ୁଥିବା ଦେଖି ବୁଥକୁ ଦୌଡ଼ିଲି, ଭୋଟ କାଳି ଲଗାଇ ପୁଣି ତୁରନ୍ତ ରାଜଧାନୀ ଫେରିଲି ଖବରକାଗଜ ଅଫିସରେ ସତମିଛ ଖବର ଭିତରେ ଘାଣ୍ଟି ହେବାକୁ । କିନ୍ତୁ ଫୁରୁସତରେ କାକାଙ୍କ କଥାରେ ମୁଣ୍ଡଟା ଘାଣ୍ଟି ହେଉଥିଲା । ଆମ ଗାଁ ଛୋଟା ପୁଅ । ସେ କ’ଣ ମୋଦି-ନବୀନଙ୍କ ଠାରୁ ଅଧିକ ପାରିବାବାଲା? କଥାରେ ଯେ ବାସ୍ତବତା ନାହିଁ ତାହା ନୁହେଁ । ତିନି ଦଶନ୍ଧିର ସାମ୍ବାଦିକତା ଜୀବନରେ ଏହା ମୁଁ ମଧ୍ୟ ଅନୁଭବ କରିଛି। କେବଳ ଆମ ଗାଁ ନୁହେଁ, ପ୍ରତିଟି ଗାଁରେ ରାଜନୈତିକ ଦଲାଲ ବା ମଧ୍ୟସ୍ଥିମାନେ ହିଁ ସର୍ବେସର୍ବା । ସେମାନେ ଲୋକପ୍ରତିନିଧି ଓ ସରକାରୀ ବାବୁଙ୍କ ଚାରିପାଖରେ ଘୂରି ବୁଲୁଥାନ୍ତି । କୌଣସି ସରକାରୀ ଯୋଜନାର ସୁଫଳ ସେମାନଙ୍କ ମୋହର ବିନା ଗରିବଗୁରୁବା ନିକଟରେ ପହଞ୍ଚିବା କଷ୍ଟକର । ଗାଁରେ କିଏ କାଳିଆ, ଆବାସ ପାଇବ, ଋଣ ପାଇବ, କେଉଁ ସାହି ରାସ୍ତା କଂକ୍ରିଟ ହେବ, ଗାଁ ମେଲଣକୁ କିଏ ଅତିଥି ଆସିବ ସବୁର ନିଷ୍ପତ୍ତି ସେମାନେ କରନ୍ତି । ପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ ଅଫିସ, ସୋସାଇଟି, ବ୍ୟାଙ୍କ, ଥାନା, କୋର୍ଟ, ଏମିତିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାରଣ୍ଡାରେ ଏମାନଙ୍କ ଅବାଧ ପ୍ରବେଶ । ଇଣ୍ଟରନେଟର ବ୍ୟବହାର ଘରେ ଘରେ ବଢ଼ୁଥିଲେ ମଧ୍ୟ ଗାଁ ଗହଳିର ସଂଖ୍ୟାଧିକ ଲୋକଙ୍କ ପାଇଁ ଏଭଳି ଦଲାଲ/ମଧ୍ୟସ୍ଥିମାନେ ଏବେ ବି ଆକାଶବାଣୀର ଭୂମିକା ବେଶ୍ ଭଲଭାବେ ତୁଲାଉଛନ୍ତି ।
ରାଜନୈତିକ ଦଲାଲମାନେ ଗ୍ରାମାଞ୍ଚଳର ଗରିବ ଓ ମଧ୍ୟବିତ୍ତଙ୍କ ମାନସିକତାକୁ ମାପି ନିର୍ବାଚନ ପ୍ରଚାର ପ୍ରକ୍ରିୟାକୁ ନିଜ କବ୍ଜାରେ ରଖିବାରେ ସଫଳ ହୋଇଥାନ୍ତି । ଶତ ପ୍ରତିଶତ ଭୋଟ ସେମାନଙ୍କ ହାତରେ ନଥିଲେ ମଧ୍ୟ ଭୋଟ ଫଳକୁ ମୋଡ଼ ବୁଲାଇବା ଭଳି ଭୋଟ ସେମାନଙ୍କ ହାତରେ ଥାଏ । ତେଣୁ ନେତାମାନେ ନିର୍ବାଚନୀ ଟିକଟ ମିଳିବା ପରେ ଏମାନଙ୍କ ଶରଣ ହିଁ ପଶିଥାନ୍ତି । ଆଜିର ଭାରତୀୟ ଗଣତନ୍ତ୍ରରେ ଅର୍ଥର ଜୁଆର ଉଚ୍ଚା ଥିବା ବେଳେ ଏହା ଭୋଟରଙ୍କ ପାଖରେ ପହଞ୍ଚିବା ପୂର୍ବରୁ ମଧ୍ୟସ୍ଥିଙ୍କ ପାଖରେ ଭଲ ଭାବେ ବାଟମାରଣା ହୋଇଥାଏ । ମୁଁ ଅନୁଭବ କରିଛି, ଜଣେ ନେତା ନିର୍ବାଚିତ ହୋଇ ବିଧାୟକ ହେଲେ ମଧ୍ୟ ନିର୍ବାଚନମଣ୍ଡଳୀରେ ସମ୍ପୂର୍ଣ୍ଣ ଗ୍ରହଣୀୟ ହୋଇପାରନ୍ତି ନାହିଁ । ତାଙ୍କ ସପକ୍ଷରେ ଭୋଟ ଦେଇଥିବା ଲୋକେ କୁହନ୍ତି ‘ଆମ ବିଧାୟକ’, ବିପକ୍ଷ ଦଳର ସମର୍ଥକ କୁହନ୍ତି ‘ତାଙ୍କ ବିଧାୟକ’ । ଖାସ୍ ଏଥିପାଇଁ ଗ୍ରାମାଞ୍ଚଳରେ ବିକାଶର ଭୂଗୋଳ ଆବଡ଼ା ଖାବଡ଼ା ହୋଇଥାଏ ।
ପରଦିନ ପାର୍କରେ ଭେଟ ହେଲେ ସାମ୍ବାଦିକ ବନ୍ଧୁ । ରାଜନୀତିକୁ ସେ ଆକଣ୍ଠ ପାନ କରିଛନ୍ତି, ସମୟ ପାଇଲେ ଟିଭିରେ ସଦ୍ବ୍ୟବହାର କରନ୍ତି । ଆଲୋଚନା ପ୍ରସଙ୍ଗରେ ଏକଥା କହିବାରୁ ଉତ୍ତର ଦେଲେ- ଏଇଟା କ’ଣ ନୂଆ କଥା ଯେ । ଆମ ଦୈନନ୍ଦିନ ଚଳଣିରେ ତ ମଧ୍ୟସ୍ଥିଙ୍କ ଭୂମିକା ସବୁବେଳେ ଗୁରୁତ୍ୱ ରଖେ । ଡାକ୍ତରଖାନା ଗଲେ ବେଡ୍ କି କ୍ୟାବିନଟିଏ ପାଇବାକୁ ଦଲାଲଙ୍କ ସୁପାରିସ ଦରକାର । ଯଦି ପ୍ରେମବିବାହ ସୁଯୋଗ ନାହିଁ, ତେବେ ତ ମଧ୍ୟସ୍ଥିଙ୍କ ପିଛା ଦୌଡ଼ିବାକୁ ପଡ଼ିବ । ପୁଅଝିଅ ଇଣ୍ଟରଭ୍ୟୁ ଦେଉଥିଲେ ବାପାମାଆଙ୍କ ଆଖି ଖୋଜିବୁଲେ କିଛି ରାକେଟ ଅଛି କି ବେକାରୀ ନୌକା ପାରି କରିବାକୁ । କୋର୍ଟ କଚେରିରେ ତାରିଖ ଆଗପଛ କରିବାର କୌଶଳ କାହାକୁ ଜଣା, ସମସ୍ତେ ଜାଣନ୍ତି । ଏମିତିକି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ଯାଇଥିଲେ ମଧ୍ୟସ୍ଥିଙ୍କ ପକେଟ କଥା ବୁଝିଦେଲେ, ଧାଡ଼ି ବଦଳରେ ଭିନ୍ନ ଦ୍ୱାରରେ ପ୍ରବେଶ ମିଳିଯାଏ । କାହିଁ କେଉଁ କାଳରୁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ରୂପରେ ମଧ୍ୟସ୍ଥିମାନେ କାନ୍ଥ ହୋଇ ଛିଡ଼ା ହୋଇଥାନ୍ତି ।
ଭାଇ! ବାସ୍ ବାସ୍, ଟିଭିରେ ପଇସା ପାଉଛ ବୋଲି ଗପୁଛ । ମୋ ପାଖରେ ଏତେ ଉଦାହରଣ ଦେଲେ କିଛି ମିଳିବନି କହି ପାର୍କରୁ ଫେରିଲି । କିନ୍ତୁ ଭାବୁଥିଲି ସବୁ ତ ଅକାଟ୍ୟ ସତ୍ୟ । ମୁଁ ବି ନୂଆ ନୂଆ ଚାକିରି ବେଳେ ଖୋଜୁଥିଲି ସମ୍ପାଦକଙ୍କ ପ୍ରିୟ କିଏ ଅଛି, ଟିକେ ମୋ ପାଇଁ କୁହାକୁହି କରନ୍ତାନି । ଅବଶ୍ୟ କାହାକୁ ଭରସି ପାରିନଥିଲି ଏବଂ ବହୁବର୍ଷ ଅର୍ଥାଭାବରେ ସନ୍ତୁଳି ହୋଇଛି । ଅଚାନକ ମୋବାଇଲ ଫୋନ୍ ବାଜିଲା । ସହକର୍ମୀ ଜଣେ ଫୋନ୍ କରିଥିଲେ । ଏତେ ସକାଳୁ କ’ଣ କାମ ଭାବି ଫୋନ୍ ଉଠାଇଲି । ସେପଟୁ ପ୍ରଶ୍ନ ଥିଲା- ସାର୍ ମାର୍ଚ୍ଚ ମାସ ଗଲାଣି ଏଥର ଦରମା ବଢ଼ିବନି କି? କ’ଣ ଗୋଟେ କରୁନାହାଁନ୍ତି । ମୋ ପାଖରେ ଉତ୍ତର ନଥିଲା ।