କାର୍ତ୍ତିକ ବ୍ରତର ଏକ ବିଶେଷ ଦିଗ ହେଉଛି ଦେବତା ଭାବରେ ବୃକ୍ଷପୂଜା । କାର୍ତ୍ତିକ ମାସସାରା ବର, ପିପ୍ପଳ ଓ ତୁଳସୀ ଆଦି ପବିତ୍ର ବୃକ୍ଷମାନଙ୍କୁ ଦେବାତ୍ମା ଜ୍ଞାନରେ ବିଧିମତେ ପୂଜା କରିବା ପାଇଁ ବିଭିନ୍ନ ପୁରାଣରେ ପରାମର୍ଶ ଦିଆଯାଇଛି । ଏହି ବ୍ରତର ଆଧାର ପୁରାଣ ପଦ୍ମପୁରାଣରେ ବଟ ପିପ୍ପଳ ବୃକ୍ଷର ମହିମା ବିଶେଷ ଭାବରେ ବର୍ଣ୍ଣିତ । ଏହି ବିଧି ଭାରତୀୟ ପରମ୍ପରାର ତରୁ-ମହିମା ଉପରେ ଆଧାରିତ । ସ୍କନ୍ଦପୁରାଣର କାଶୀଖଣ୍ଡରେ ପିପ୍ପଳ ବୃକ୍ଷପୂଜା ସଂପର୍କରେ ବିସ୍ତୃତ ବିଧିବିଧାନର ବର୍ଣ୍ଣନା ରହିଛି । ଏହା ସହିତ ଏହି ପୁରାଣରେ ପଲାସ, ତୁଳସୀ, ବେଲ, ବର ପ୍ରମୁଖ ମହିମାମୟ ବୃକ୍ଷମାନ ପୂଜା କରିବା ପାଇଁ ନିର୍ଦ୍ଦେଶ ରହିଛି । ଶ୍ରୀମଦ୍ ଭାଗବତ ମହାପୁରାଣରେ ଜଗତର ପାଳନକର୍ତ୍ତା ବିଷ୍ଣୁ କୃଷ୍ଣାବତାର ହୋଇ ଦେବକୀଙ୍କ ଗର୍ଭରୁ ଜନ୍ମ ହେବାପରେ ଦେବଗଣମାନେ ତାଙ୍କୁ "ସଂସାର ମଧ୍ୟସ୍ଥ କାୟାବୃକ୍ଷ' ଭାବରେ ସ୍ତୁତି କରିଛନ୍ତି । ବୃକ୍ଷ-ଦେବତା ସଂପର୍କୀୟ ବିଶ୍ୱାସ ବୌଦ୍ଧ ଯୁଗରେ ଅଧିକ ରହିଥିଲା । ବୌଦ୍ଧ କାହାଣୀ ଅନୁସାରେ ଲୋକମାନେ ରୁକ୍ଖଦେବତା(ବୃକ୍ଷଦେବତା)ଙ୍କୁ ବଳି ପ୍ରଦାନ କରୁଥିଲେ । ବଳି ପ୍ରଦାନ ଦ୍ୱାରା ବୃକ୍ଷଦେବତା ସାକ୍ଷାତ ଦର୍ଶନ ଦିଅନ୍ତି ବୋଲି ଉପାସକମାନେ ବିଶ୍ୱାସ କରୁଥିଲେ ।
ବୁଦ୍ଧଚରିତରୁ ଜଣାପଡ଼େ ଯେ "ସୁଜାତା'ର ସେବକ "ପୂର୍ଣ୍ଣ' ଯେତେବେଳେ ପ୍ରଥମେ ବୁଦ୍ଧଙ୍କୁ ବରଗଛ ମୂଳରେ ବସିଥିବାର ଦେଖିଲା ସେତେବେଳେ ସେ ସାକ୍ଷାତ ବୃକ୍ଷଦେବତା ମାନବ ରୂପରେ ପ୍ରକଟ ହୋଇ ବସିଥିବାର ବିଶ୍ୱାସ କରି ସୁଜାତାଙ୍କୁ ଯାଇ ଏହି ବର୍ତ୍ତା ଦେଲା । ଏହାପରେ "ସୁଜାତା' ସେହି ବୃକ୍ଷଦେବତା(ବୁଦ୍ଧ)ଙ୍କୁ ନୈବେଦ୍ୟ ଅର୍ପଣ କରିବା ପାଇଁ ପାୟସାନ୍ନ ପ୍ରସ୍ତୁତ କରି ସେଠାରେ ପହଞ୍ଚିଲେ ଓ ବୁଦ୍ଧ ତାହା ଗ୍ରହଣ କରିଥିଲେ । "ରୁଖ୍ଖଧମ୍ମ ଜାତକ'ରେ ଏକଦା ବୋଧିସତ୍ତ୍ୱ ଏକ ଶାଳବଣରେ ଅସାମାନ୍ୟ ଶକ୍ତିସଂପନ୍ନ ବୃକ୍ଷଦେବତା ରୂପରେ ଜନ୍ମଗ୍ରହଣ କରିଥିବାର କୁହାଯାଇଛି । ସେହି ଶାଳବଣର ପ୍ରତ୍ୟେକ ବୃକ୍ଷରେ ବୃକ୍ଷଦେବତାମାନେ ବାସ କରୁଥିଲେ, ଫଳରେ ସେହି ସବୁ ବୃକ୍ଷମାନ ପୂଜନୀୟ ହୋଇଥିଲେ । ବୌଦ୍ଧମତ ଓ ଜୈନମତରେ ବୃକ୍ଷପୂଜାର ମହିମା ଏତେ ବେଶୀ ଯେ ପ୍ରତ୍ୟେକ ବୁଦ୍ଧ ଓ ତୀର୍ଥଙ୍କରଙ୍କ ପାଇଁ ଏକ ଏକ ନିର୍ଦ୍ଦିଷ୍ଟ ବୃକ୍ଷ ନିର୍ବାଚିତ ହୋଇ ରହିଛି । ବୌଦ୍ଧ ମତ ଅନୁସାରେ ବୁଦ୍ଧମାନେ ଅବସ୍ଥାନ କରୁଥିବା ବୃକ୍ଷକୁ "ବୋଧି-ବୃକ୍ଷ' କୁହାଯାଏ । ସନାତନ ଧର୍ମରେ ବୃକ୍ଷପୂଜାର ଅନେକ ଉପଚାର ସ୍ୱୀକୃତି ପାଇଛି।
"ବୃକ୍ଷାୟୁର୍ବେଦ' ନାମକ ଏକ ଗ୍ରନ୍ଥରେ ଏ ସଂପର୍କରେ ବହୁ ତଥ୍ୟ ଲିପିବଦ୍ଧ ହୋଇଛି । ପବିତ୍ର ଗୀତା ରହସ୍ୟବାଦ ମଧ୍ୟରେ ଜଗତ ବା ବିଶ୍ୱକୁ ଏକ "ଓଲଟ-ଅଶ୍ୱତ୍ଥ-ବୃକ୍ଷ' ଭାବେ ବର୍ଣ୍ଣନା କରିଥିବାବେଳେ (୧୫.୧) ଋଗବେଦ ଜାଗତିକ ସ୍ୱରୂପକୁ ସହସ୍ରଶାଖା ସମନ୍ୱିତ ବନଷ୍ପତି ରୂପରେ ବର୍ଣ୍ଣନା କରିଛନ୍ତି । (ବନଷ୍ପତିମ୍ ପବମାନ ମଧ୍ୱା ସମଂଗ୍ଧି ଧାରୟା । ସହସ୍ର ବଲଶ୍ୱଂ ହରିତାମ୍ ଭ୍ରାଜମାନଂ ହିରଣ୍ୟୟମ । । (୯.୫.୧୦) ସୃଷ୍ଟିକୁ ବୃକ୍ଷ ସହିତ ଉପମିତ କରି କୁହାଯାଇଛି ଯେ, ଈଶ୍ୱରଙ୍କ ଦ୍ୱାରା ବିଧାନ ହୋଇଥିବା ସନାତନ ନିୟମ ଯାହା "ଋତ' ଓ "ମଧୁ' ନାମରେ ବିଦିତ ତାହା ବିଶ୍ୱବୃକ୍ଷରେ ହିଁ ସଞ୍ଚିତ ହୋଇ ରହିଛି । ଏହି ବିଶ୍ୱବୃକ୍ଷ ଚିରନ୍ତନ ଓ ନିତ୍ୟନୂତନ ଅଟେ । ଏହି ବୃକ୍ଷ ତିନୋଟି ଗୁଣାଲୋକ- ସତ୍ତ୍ୱ, ରଜ ଓ ତମ ରୂପକ ସୁବର୍ଣ୍ଣ ଶାଖା ଦ୍ୱାରା ଉଦ୍ଭାସିତ । ସନାତନ-ବିଶ୍ୱବୃକ୍ଷର "ସହସ୍ରବଲଶ୍ୱ' ବା ସହସ୍ରଶାଖା ପ୍ରତୀକାତ୍ମକ ଭାବେ ଅସଂଖ୍ୟ ବିଶ୍ୱ ଓ ପ୍ରାକୃତିକ ନିୟମକୁ ବୁଝାଇଥାଏ । ଲୌକିକମତେ ସରଳ ଭାବରେ ଏସବୁକୁ ଧରିପାରିବା ଯେହେତୁ ମଣିଷର ମାନସସ୍ତରରେ ସମ୍ଭବ ନୁହେଁ, ତେଣୁ ପ୍ରକୃତିର ଅଶ୍ୱତ୍ଥ ବୃକ୍ଷକୁ ରୂପକ ଭାବରେ ଆମ ପୂର୍ବଜମାନେ ଉପସ୍ଥାପିତ କରିଛନ୍ତି । ଏହା ପ୍ରକାରାନ୍ତରେ ବ୍ରହ୍ମସ୍ୱରୂପ ଜିଜ୍ଞାସା ହିଁ ଅଟେ । କାରଣ ତୈତ୍ତିରୀୟ ବ୍ରାହ୍ମଣ ମତରେ ବୃକ୍ଷ ଓ ବନ ମଧ୍ୟ ବ୍ରହ୍ମସ୍ୱରୂପକୁ ବୁଝାଇଥାଏ । (ବ୍ରହ୍ମ ତଦ୍ବନମ୍, ବ୍ରହ୍ମ ସଃ ବୃକ୍ଷ ଆସିତ୍) । ସହସ୍ର ଶାଖା ସମନ୍ୱିତ ଏହି ସୃଷ୍ଟିତରୁ ବା ବିଶ୍ୱବୃକ୍ଷ ପରି ଗୀତାରେ ବର୍ଣ୍ଣିତ ଅଶ୍ୱତ୍ଥ ବୃକ୍ଷକୁ ମଧ୍ୟ "ଊଦ୍ଧ୍ୱର୍ମୂଳ' ଓ "ଅଧୋଶାଖା' ସଂପନ୍ନ ବୋଲି ଉଲ୍ଲେଖ କରାଯାଇଛି ।
ସରଳ ଭାବରେ ବୁଝିଲେ, ଅଶ୍ୱତ୍ଥ ବୃକ୍ଷର ପୂଜା ହେଉଛି ଏକାଧାରରେ ନିର୍ଗୁଣ ନିରାକାର ବ୍ରହ୍ମ (ଅଦୃଶ୍ୟ) ଏବଂ ସଗୁଣବ୍ରହ୍ମ (ଦୃଶ୍ୟମାନ)ଙ୍କର ଉପାସନା, ଯେହେତୁ ଦୃଶ୍ୟମାନ ଜଗତଟି ବ୍ରହ୍ମଙ୍କର ସଗୁଣ ବା ଦୃଶ୍ୟମାନ ପ୍ରକାଶ । ପୁନଶ୍ଚ ଅଶ୍ୱତ୍ଥ ବୃକ୍ଷରେ ସମସ୍ତ ଦେବତା ବାସ କରୁଥିବାର ଅଥର୍ବ ବେଦ କହନ୍ତି । (ଅଶ୍ୱତ୍ଥ ଦେବ-ସଦନଃ) ଭାରତୀୟ ଲୋକବିଶ୍ୱାସରେ ମଧ୍ୟ ପିପ୍ପଳ ବୃକ୍ଷର ଶାଖାମାନଙ୍କରେ ସମସ୍ତ ଦେବତା ଓ ଗଣ୍ଡିରେ ସ୍ୱୟଂ ବିଷ୍ଣୁ ଅବସ୍ଥାନ କରିଥାନ୍ତି । ଏଥିପାଇଁ ହିନ୍ଦୁ ଧର୍ମରେ ପିପ୍ପଳ ବୃକ୍ଷ ଛେଦନ କରିବା ସଂପୂର୍ଣ୍ଣ ମନା । କାର୍ତ୍ତିକ ମାସରେ ପିପ୍ପଳବୃକ୍ଷକୁ ନିଷ୍ଠାର ସହ ବ୍ରତବିଧାନ ମଧ୍ୟରେ ପୂଜା କରିବାର ଯଥାର୍ଥତା ସମ୍ଭବତ ଏହିଠାରେ ରହିଛି । ଭାରତୀୟ ସମାଜରେ ବୃକ୍ଷପୂଜାର ମହାନ ପରମ୍ପରାରୁ ହିଁ ସମୁଦ୍ର ମନ୍ଥନରୁ ଜାତ "କଳ୍ପବୃକ୍ଷ'ର ପରିକଳ୍ପନା କରାଯାଇଛି । ବିଭିନ୍ନ କଳ୍ପବୃକ୍ଷର ବର୍ଣ୍ଣନାମାନ ଆମେ ରାମାୟଣ, ମହାଭାରତ, ଅଷ୍ଟାଦଶ ମହାପୁରାଣ, ଉପପୁରାଣ, ଜାତକସାହିତ୍ୟ, ଦିବ୍ୟବଦାନ, ଜୈନସୂତ୍ର ଆଦିରେ ପାଇଥାଉଁ । ପୁରୁଷୋତ୍ତମ କ୍ଷେତ୍ର ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ଥିବା "କଳ୍ପବଟ' ପ୍ରଳୟ କାଳରେ ମଧ୍ୟ "ଅକ୍ଷୟବଟ' ଭାବରେ ତିଷ୍ଠି ରହିଥାଏ ବୋଲି ଆଖ୍ୟାନ ରହିଛି । ଏହି ବଟତଳେ କାର୍ତ୍ତିକ ବ୍ରତ କଲେ ଅକ୍ଷୟ ପୁଣ୍ୟ ମିଳେ । ମହାଭାରତର ଭୀଷ୍ମପର୍ବ, ସ୍କନ୍ଦପୁରାଣର କାଶୀଖଣ୍ଡ, ପଦ୍ମପୁରାଣ, ବ୍ରହ୍ମପୁରାଣ ଓ ବ୍ରହ୍ମବୈବର୍ତ୍ତ ପୁରାଣର ସୃଷ୍ଟି ପ୍ରକରଣ ତଥା "ମହାବାଣିଜ ଜାତକ'ରେ କଳ୍ପବୃକ୍ଷ ସଂପର୍କରେ ରୋଚକ ତଥ୍ୟମାନ ରହିଛି । "ମହାବାଣିଜ ଜାତକ'ର କଥାବସ୍ତୁ ଅନୁସାରେ ଥରେ ଏକ ବଣିକ ଦଳ ଧନରତ୍ନ ଖୋଜିବା ଲକ୍ଷ୍ୟରେ ଭ୍ରମଣ କରୁଥିବାବେଳେ ପଥ ମଧ୍ୟରେ ଏକ ପବିତ୍ର ବଟବୃକ୍ଷ ତଳେ ଯାଇ ପହଞ୍ଚିଲେ ।
ଏହି ବଟବୃକ୍ଷଟି ସ୍ୱରୂପରେ ଅଲୌକିକ ଶକ୍ତିସଂପନ୍ନ ଚତୁଃଶାଖା ବିଶିଷ୍ଟ ଏକ କଳ୍ପବୃକ୍ଷ ଥିଲା । ଏହି ପବିତ୍ର ବୃକ୍ଷର ପୂର୍ବଶାଖା ଜଳଦାନ, ଦକ୍ଷିଣଶାଖା ଖାଦ୍ୟ ଓ ପାନୀୟ ଦାନ ଓ ପଶ୍ଚିମ ଶାଖା ସୁନ୍ଦରୀ ତରୁଣୀ ଦାନ କରିପାରୁଥିଲା । ଏହାର ଉତ୍ତରଶାଖା ଯାଚକର ସକଳ ଇଚ୍ଛା ପୂର୍ଣ୍ଣ କରିପାରୁଥିଲା । ବୃକ୍ଷପୂଜା ବିଷୟକ ପ୍ରଚୁର ଉପାଦାନ ବୃକ୍ଷାୟୁର୍ବେଦ ଅନ୍ତର୍ଗତ "ଉପବନ ବିନୋଦ'ରୁ ମିଳିଥାଏ । ତ୍ରୟୋଦଶ ଶତାବ୍ଦୀରେ (୧୨୮୩-୧୩୦୧) ରାଜୁତି କରୁଥିବା ଶାକମ୍ବରୀ ଦେଶ ବା ଆଧୁନିକ ବୁନ୍ଦେଲଖଣ୍ଡର ରାଜା ହମ୍ମୀରଦେବଙ୍କ ରାଜସଭା ମଣ୍ଡନ କରିଥିବା ଶାଙ୍ର୍ଗଧରଙ୍କ ଦ୍ୱାରା ସଂକଳ୍ପିତ ଶାଙ୍ର୍ଗଧର ପଦ୍ଧତି (ଜ୍ଞାନକେଷ)ର ଏକ ଅଧ୍ୟାୟ ବିଶେଷ ହେଉଛି "ଉପବନ ବିନୋଦ' । ଉପବନ ବିନୋଦକୁ ଏକ ଉଚ୍ଚକୋଟୀର "ଉଦ୍ୟାନ ବିଦ୍ୟା' ବୋଲି କୁହାଯାଇପାରେ । ଏହାର ୧୫ଟି ଉପଅଧ୍ୟାୟରେ ଉପବନ ଚର୍ଯ୍ୟା ଉପରେ ବର୍ଗୀକୃତ ଜ୍ଞାନକୌଶଳମାନ ବିଷଦ ଭାବରେ ବର୍ଣ୍ଣିତ ହୋଇଛି । ଏହାର ପ୍ରଥମ ଉପଅଧ୍ୟାୟ (ଉପବନ ବିନୋଦ ଅଧ୍ୟାୟର ପ୍ରଥମ ଅଂଶ) ହେଉଛି "ତରୁମହିମା' । ଯାହାର ପ୍ରଥମ ତିନୋଟି ଶ୍ଳୋକରେ ଗୃହ ପରିବେଶ ମଧ୍ୟରେ ତଥା ବିନୋଦ କାଳରେ ଉପବନର ଏକାନ୍ତ ଆବଶ୍ୟକତା ଓ ଉତ୍କର୍ଷତାକୁ ବର୍ଣ୍ଣନା କରାଯାଇଛି । ଉପରୋକ୍ତ ତଥ୍ୟାଧାରରୁ ନିଃସନ୍ଦେହରେ ସ୍ୱୀକାର କରାଯାଇପାରେ ଯେ, କାର୍ତ୍ତିକ ବ୍ରତକାଳୀନ ବୃକ୍ଷପୂଜା ତରୁ-ମହିମା ଓ ପରିବେଶ-ବିଜ୍ଞାନ ଉପରେ ଆଧାରିତ ।