ଭୁବନେଶ୍ୱର ମଧ୍ୟ ଆଜିକୁ ସାତ ଦଶନ୍ଧି ପୂର୍ବେ ଦୂରତ୍ୱ ଅନୁସାରେ ପନ୍ଦର ମିନିଟ ସହର ଭାବେ ଗଢ଼ା ଯାଇଥିଲା । କିନ୍ତୁ ସମୟ ସହିତ ତାଳ ଦେଇନପାରିବା ହେଉ ଅବା ତଳ ଦେଇ ମରୀଚିକା ପଛେ ବହୁବାର ଧାଇଁଛି । ହେଲେ ପନ୍ଦର ମିନିଟ ସହର ବର୍ତ୍ତମାନ ଏହାର ମାଧ୍ୟମ, ସେହି ମରୀଚିକାର ସହର ହେବାପାଇଁ ।
ଯୋଉମାନେ ସତୁରି ଅଶି ଦଶକରେ ଜନ୍ମଗ୍ରହଣ କରିଥିବେ, କେବେ ଭାବିନଥିବେ ଦିନେ ଯେଉଁ ରାସ୍ତାକଡ଼ରୁ କଦଳୀ ଡଜନ ହିସାବରେ କିଣୁଥିଲେ ଆଜି ତାହାକୁ କିଲୋ ହିସାବରେ କିଣିବାକୁ ପଡ଼ିବ ବୋଲି । ସେଦିନ ଯୋଉ କାର୍ଯ୍ୟ ଲାଗୁଥିଲା ବର୍ଷ ବର୍ଷ, ଆଜି କିଛି ଘଣ୍ଟାରେ ହୋଇପାରୁଛି । ସେହିପରି ବଦଳିଛି ମଧ୍ୟ ସହର ଯୋଜନା ପ୍ରଣାଳୀ, ଯାହା ଦିନେ କିଲୋମିଟର ଏବଂ ଦୂରତ୍ୱ ଆଧାରରେ ନାନା ରଙ୍ଗରେ ପ୍ରସ୍ତୁତ ହେଉଥିଲା, ତାହା ବର୍ତ୍ତମାନ ନିର୍ଭର କରୁଛି ସମୟ ଅବା କେତେ ମିନିଟର ସହର ।
ବିଶ୍ୱର ନିରନ୍ତର ସହରାଞ୍ଚଳ ବିକାଶରେ ଆଧୁନିକ ସହର ଯୋଜନା ନିଶ୍ଚିତ ଭାବେ ସହାୟକ ହେବ, ତଥା ଦେଶ ମଧ୍ୟରେ ଉଭୟ ସହରୀକରଣ ଏବଂ ସହରାଞ୍ଚଳକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୮ ତାରିଖକୁ "ବିଶ୍ୱ ନଗର ଯୋଜନା ଦିବସ’ ଭାବେ ପାଳନ କରାଯାଏ । ତେଣୁ ସହରଗୁଡ଼ିକର ଯୋଜନା ଭିତ୍ତିକ ବିକାଶ ପାଇଁ ଦିନଟି ଉତ୍ସର୍ଗୀକୃତ, ସହରୀକରଣ ସାମାଜିକ ଅନ୍ତର୍ଭୂକ୍ତିର ନୂତନ ରୂପକୁ ସକ୍ଷମ କରିଥାଏ । ଏହି ପରିପ୍ରେକ୍ଷୀରେ ପନ୍ଦର ମିନିଟ ସହର ଯୋଜନା ମାଧ୍ୟମରେ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ଅଛି। ପନ୍ଦର ମିନିଟ ସହର ଯୋଜନାର ମୁଖ୍ୟ ଆକର୍ଷଣ ହେଉଛି ଏହା ପରିସ୍ଥିତିକୁ ବଦଳାଇ ପାରିବାର ଦକ୍ଷତା ରଖୁଛି ଓ ପ୍ରତ୍ୟେକ ସହର ନିଜର ବିଭିନ୍ନ ଅଞ୍ଚଳର ଅଧିବାସୀଙ୍କର ଜରୁରତ ହିସାବରେ ଯୋଜନା ପ୍ରସ୍ତୁତ ହୋଇପାରିବ । ଫଳସ୍ୱରୂପ ପ୍ରତ୍ୟେକ ଅଞ୍ଚଳ ନିଜର ଅସ୍ତିତ୍ୱ ହରେଇବେ ନାହିଁ ଏବଂ ଗୋଟିଏ ସହର ମଧ୍ୟରେ ଅନେକେ ଆତ୍ମନିର୍ଭରଶୀଳ ସହର ଗଢ଼ିଉଠିବ । ଅନ୍ୟ ଅର୍ଥରେ, ସହର ମଧ୍ୟରେ ରହୁଥିବା ସମସ୍ତ ଅଧିବାସୀଙ୍କ ଆବଶ୍ୟକତା ପୂରଣ କରିବା ସହିତ ସହରକୁ ଏକ ଜୀବନ୍ତ ସହର ଭାବରେ ଗଢ଼ିତୋଳିବା ଓ ସମସ୍ତଙ୍କ ଭାବନାକୁ ପୂର୍ଣ୍ଣ କରିବାର ସାମର୍ଥ୍ୟ ରଖୁଛି ।
ବିଶ୍ୱ ନଗର ଯୋଜନା ଦିବସରେ ଆହ୍ୱାନ ହେଉଛି, ସହରାଞ୍ଚଳରେ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଭାବରେ କିପରି ଯୋଜନା କେବଳ ପ୍ରସ୍ତୁତ ନୁହେଁ, ବରଂ କିପରି କାର୍ଯ୍ୟକ୍ଷମ କରାଯାଇପାରିବ ସେଥିପ୍ରତି ଧ୍ୟାନଦେବାକୁ ପଡ଼ିବ । ଏହାର ଅର୍ଥ- ସହରୀ ଭବିଷ୍ୟତ ଗଠନ କରିବାରେ ସହର ଯୋଜନା ଅଧିକାରୀ ଏବଂ ବିଶେଷଜ୍ଞଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରେ । ଜଳବାୟୁ ପରିବର୍ତ୍ତନକୁ ସାମ୍ନା କରିବା ଏବଂ ସହରାଞ୍ଚଳର ବିକାଶକୁ ପ୍ରୋତ୍ସାହିତ କରିବାରେ ସ୍ଥାନୀୟ ଯୋଜନାର ଫଳସ୍ୱରୂପ ପଦକ୍ଷେପଗୁଡ଼ିକର ଗୁରୁତ୍ୱକୁ ଦର୍ଶାଏ ।
ଜାତିସଂଘର ଭବିଷ୍ୟତ ଚିନ୍ତାଧାରା ଅନୁସାରେ, ୨୦୩୦ ସୁଦ୍ଧା ସମଗ୍ର ବିଶ୍ୱରେ ୭୦% ଲୋକ ସହରରେ ବସବାସ କରିବେ । ସହରୀକରଣର ଐତିହାସିକ ପୃଷ୍ଠଭୂମି ଦେଖିଲେ ଜାଣିବାକୁ ମିଳେ ସହରୀକରଣ ବିଶ୍ୱର ବହୁ ଦେଶର ଅର୍ଥନୀତି ଅଭିବୃଦ୍ଧିରେ ବହୁତ ବଡ଼ ଭୂମିକା ଗ୍ରହଣ କରିଛି । ଏହା ମଧ୍ୟ ସତ୍ୟ, ସହରୀକରଣରେ ଅଧିକ ପ୍ରାକୃତିକ ସମ୍ବଳ ବ୍ୟବହାର ହୋଇଥାଏ ଏବଂ ଏହା ବିଶ୍ୱର ୩% ଜାଗା ବ୍ୟବହାର କରିଥାନ୍ତି । ସେହିପରି ବିଶ୍ୱର ୬୦% ସହର ଅଧିବାସୀ ଏହାର ୭୫% ସମ୍ବଳ ବ୍ୟବହାର କରିଥାନ୍ତି । ସବୁଠୁ ବଡ଼ ବିଷୟ- ସହରୀକରଣ ବିଶ୍ୱର ଦୁଇ ତୃତୀୟାଂଶ ଶକ୍ତି ବ୍ୟବହାର କରିଥାନ୍ତି ଏବଂ ସବୁଜ କୋଠରି ବାଷ୍ପ ପ୍ରଭାବର କାରଣ ମଧ୍ୟ । ଯଦି ଏହିଭଳି ବିକଶିତ ସହରମାନଙ୍କ ଭଳି ଓଡ଼ିଶାର ସହରମାନେ ସହରୀକରଣରେ ଭାଗିଦାର ହେବେ, ତେବେ ଏହାକୁ ଅପାତତଃ ଗୋଟେ ବିଶ୍ୱର ସମ୍ବଳ ଦରକାର ପଡ଼ିବ, ଯାହାକି ଅସମ୍ଭବ । ଏଣୁ ଓଡ଼ିଶାର ସହରମାନଙ୍କୁ ଏକ ଉନ୍ନତଶୈଳୀରେ ପରିବେଶ ସୁରକ୍ଷିତ ରଖି ଗଢ଼ିବାକୁ ହେବ, ଆଉ ସହରକୁ ନିରନ୍ତର ସହରୀକରଣ ଯୋଜନା ସହିତ ଆଗେଇବାକୁ ପଡ଼ିବ ।
ଅଧ୍ୟୟନରୁ ଜଣାପଡ଼େ ଯେ, ଭାରତ ଏକ ବୃହତ ସହରୀକରଣ ଆଡ଼କୁ ବଢୁଛି, ଯାହାକି ୨୦୩୦ ସୁଦ୍ଧା ସମ୍ଭବତଃ ୩୫୦ ନିୟୁତ ଜନସଂଖ୍ୟା ଏହାର ସହରରେ ବସବାସ କରୁଥିବେ ଏବଂ ୨୦୫୦ ବେଳକୁ ଏହା ୭୦୦ ନିୟୁତରେ ପହଞ୍ଚିବ । ସେହିଭଳି ଓଡ଼ିଶାର ଜନସଂଖ୍ୟାର ୧୬% ଲୋକେ ବର୍ତ୍ତମାନ ସହରରେ ବସବାସ କରୁଛନ୍ତି, ଯାହାକି ୨୦୩୦ ବେଳକୁ ସମ୍ଭବତଃ ୨୫%ରେ ପହଞ୍ଚିପାରେ । କିନ୍ତୁ ସହରାଞ୍ଚଳରେ ବସବାସ କରିବାପାଇଁ ଜାଉ ଭଳି ମାନଦଣ୍ଡର ସୁବିଧା ସୁଯୋଗ ରହିବା କଥା ଆଜି ମଧ୍ୟ ସହରରେ ଦେଖିବାକୁ ମିଳୁନି, ଯାହାଫଳରେ ସହରମାନଙ୍କରେ ସମସ୍ୟା ବହୁତ ଦେଖିବାକୁ ମିଳୁଛି- ପିଇବା ପାଣି, ପରିମଳ ଏବଂ ଗମନାଗମନର ସୁବିଧା । ଏହା ସତ୍ତେ୍ୱ ବି ସହର ଭିତ୍ତିଭୂମି ବିକାଶ ପାଇଁ ପ୍ରତି ବାସିନ୍ଦାଙ୍କ ପାଇଁ ଖର୍ଚ୍ଚ ହେଉଛି ଅପାତତଃ ୨୦ ଆମେରିକୀୟ ଡଲାର, ଯାହାକି ବ୍ରିଟେନରେ ୮୦୦ ଆମେରିକୀୟ ଡଲାର ଏବଂ ଚୀନରେ ୧୨୦ ଆମେରିକୀୟ ଡଲାର ।
ସମ୍ଭବତଃ ସହରମାନଙ୍କୁ ଗ୍ରାମାଞ୍ଚଳ ଅପେକ୍ଷା ବହୁତ କମ୍ ଅର୍ଥ ପ୍ରଦାନ କରାଯାଉଛି, ଫଳସ୍ୱରୂପ ଭାରତର ସହରମାନେ ବିଶ୍ୱସ୍ତରର ସହରମାନଙ୍କଠାରୁ ବହୁତ ପଛରେ ପଡ଼ିଯାଇଛନ୍ତି । ଏହା ବର୍ତ୍ତମାନ ଏକ ସୁଯୋଗ ଓଡ଼ିଶାର ସହରମାନଙ୍କ ପାଇଁ, ଏକ ଯୋଜନାବଦ୍ଧ ସୁନ୍ଦର ସହର ଗଢ଼ିବା ପାଇଁ । ଯୋଜନାବଦ୍ଧ ସୁନ୍ଦର ସହର ମାନେ ନୁହେଁ କେବଳ ଉଚ୍ଚ ଅଟ୍ଟାଳିକା ତିଆରି କରିବା ଅଥବା ରାସ୍ତା ଚୌଡ଼ା କରିବା, ବରଂ ଏହା ଏକ ସୁଯୋଗ ସହରକୁ ଗରିବମୁକ୍ତ କରିବା, ଅର୍ଥନୈତିକ ଅଭିବୃଦ୍ଧି, ପରିବେଶ ସନ୍ତୁଳିତ ଏବଂ ଜଳବାୟୁ ପରିବର୍ତ୍ତନକୁ ନେଇ ଏକ ଭବିଷ୍ୟତ ସହର ଗଢ଼ିବା । ଏହାର ଫଳସ୍ୱରୂପ ଭୁବନେଶ୍ୱର ଏବଂ ଆଉ କିଛି ସହରକୁ ନେଇ ଓଡ଼ିଶା ନିଜ ଛବି ସମଗ୍ର ଭାରତବର୍ଷରେ ଏକ ନୂତନ ଚିନ୍ତାଧାରା ରଚନା କରିପାରିବ ।
ଯେପରି ଦକ୍ଷିଣ କୋରିଆ ନିଜର ସିଓଲ ସହରକୁ ସମଗ୍ର ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିପାରିଲେ, ଏକ ଗରିବ କୃଷିପ୍ରଧାନ ଦେଶରୁ ବିଶ୍ୱର ପ୍ରମୁଖ ଅର୍ଥନୈତିକ ପେଣ୍ଠସ୍ଥଳୀ କେବଳ ତିରିଶି ବର୍ଷ ମଧ୍ୟରେ । ବର୍ତ୍ତମାନ ବିଶ୍ୱର ବିକଶିତ ସହରମାନଙ୍କ ମଧ୍ୟରେ ଏହା ନୂତନ ସହର ଯୋଜନା ସ୍ଥାନ ପାଇଛି । ଯାହା ପାରମ୍ପରିକ ସହର ଯୋଜନାଠାରୁ ବହୁ ମାତ୍ରାରେ ଭିନ୍ନ ଏବଂ ଲୋକାଭିମୁଖୀ । ଏହି ସହର ଯୋଜନାକୁ କୁହାଯାଉଛି ପନ୍ଦର ମିନିଟର ସହର । ଏହାର ମୁଖ୍ୟାଂଶ ହେଉଛି ଶିଳ୍ପ ବିପ୍ଳବ ପରେ ଏବଂ କାର୍ ଉଦ୍ଭାବନ ପରେ ଯେଉଁ ସହର ଯୋଜନା ପ୍ରସ୍ତୁତ ହେଉଥିଲା, ଏହା କେବଳ ଧନୀ ଏବଂ ଗରିବ ମଧ୍ୟରେ ଦୂରତ୍ୱ ସୃଷ୍ଟି କରୁଥିଲା, ସହର ମଧ୍ୟରେ ବାସସ୍ଥାନ, କର୍ମକ୍ଷେତ୍ର, ଶିଳ୍ପ, ବାଣିଜ୍ୟ ପାଇଁ ଅଲଗା ଅଲଗା ସ୍ଥାନ ନିରୂପଣ କରୁଥିଲା ଏବଂ ଗୋଟେ ସହରକୁ ଖଣ୍ଡ ବିଖଣ୍ଡ କରିଦେଉଥିଲା । ଫଳସ୍ୱରୂପ ବହୁ ସହର ବାସିନ୍ଦା ନିଜର ଅସ୍ତିତ୍ୱ ଏବଂ ନିଜ ସହର ମଧ୍ୟରେ ହଜେଇବାକୁ ବାଧ୍ୟ ହେଉଥିଲେ ।
ସିଓଲ ଭଳି ବିଶ୍ୱରେ ଅନେକ ସହର ଅଛନ୍ତି, ଯେଉଁମାନେ ନୂତନତ୍ୱକୁ ମାନଦଣ୍ଡ କରି ଆଜି ସାରା ବିଶ୍ୱପାଇଁ ଉଦାହରଣ ହେଇପାରିଛନ୍ତି । ଯାହାର ଉଦାହରଣ ଭୁବନେଶ୍ୱର ନେଇପାରିବ ଏବଂ ଏକ ବିଶ୍ୱସ୍ତରୀୟ ସହର ଭାବେ ଗଢି ଉଠିପାରିବ ।
ସେହିଭଳି କୁରୀଟିବା ସହର ନିଜର ବସ୍ ପରିବହନ ପାଇଁ ସାରା ବିଶ୍ୱରେ ଉଦାହରଣ ହୋଇପାରିଛି । ଏହି ବସ୍ ଯୋଜନା ପରେ କୁରୀଟିବା ସହର ନିଜର ପରିବହନ ସମସ୍ୟାକୁ ବହୁମାତ୍ରାରେ କମାଇପାରିଛି, ଲୋକମାନେ ନିଜର ତୈଳ ବ୍ୟବହାର ଖର୍ଚ୍ଚ କମାଇପାରିଛନ୍ତି ଏବଂ ବାୟୁକୁ ସୁନ୍ଦର କରିପାରିଛନ୍ତି । ଅନ୍ୟପଟରେ ଜାପାନର ୟୋକହମା ସହର ଲୋକସଂଖ୍ୟା ବଢ଼ିବା ପରେ ବି ୪୦% ଅଳିଆ ସହରରୁ ବାହାରିବା କମେଇପାରିଲେ କେବଳ ଲୋକଙ୍କ ମଧ୍ୟରେ ପରିବେଶ ସମ୍ବନ୍ଧୀୟ ବାର୍ତ୍ତା ମାଧ୍ୟମରେ ଏବଂ ଲୋକମାନଙ୍କ ସହଯୋଗିତା ଯୋଗୁଁ । ପନ୍ଦର ମିନିଟ ସହର ବର୍ତ୍ତମାନ ଏହାର ମାଧ୍ୟମ, ସେହି ମରୀଚିକାର ସହର ହେବାପାଇଁ ।
ପନ୍ଦର ମିନିଟ ସହର ଯୋଜନା ଏହାର କେନ୍ଦ୍ରବିନ୍ଦୁ ହେଉଛି । ଦୈନନ୍ଦିନ ଜୀବନରେ ମଣିଷର ଜୀବନଶୈଳୀରେ ଯାହା ଆବଶ୍ୟକ, ଯେପରି ପନ୍ଦର ମିନିଟ ଦୂରତ୍ୱ ମଧ୍ୟରେ ମିଳିପାରୁଥିବ, ଯାହାକୁ ଜଣେ ସାଇକେଲ ଅବା ଚାଲିକି ଯାଇ ଆଣିପାରୁଥିବ । ଏହା ଅର୍ଥ ନୁହେଁ ଜଣକୁ କେବଳ ଗୋଟେ ଅବଧି ମଧ୍ୟରେ ରହିବାକୁ ପଡ଼ିବ, ବରଂ ଯେତେବେଳେ ଦୂର ଜାଗାକୁ ଯାତ୍ରା କରିବାର ଥିବ ସେତେବେଳେ ସର୍ବସାଧାରଣ ପାଇଁ ଉଦ୍ଦିଷ୍ଟ ବସ୍ ପରିବହନ ବ୍ୟବହାର କରିପାରିବେ ଅବା ନିଜର କାର୍ ବ୍ୟବହାର କରିପାରିବେ । ପନ୍ଦର ମିନିଟ ସହର ଯୋଜନା ହେଉଛି ଲୋକମାନଙ୍କ ପାଇଁ ଏକ ବନ୍ଧୁତ୍ୱପୂର୍ଣ୍ଣ ଭାଇଚାରାର ସହର ସୃଷ୍ଟି କରିବା, ଏକ ଅଞ୍ଚଳକୁ ସ୍ୱାବଲମ୍ବୀ ଭାବରେ ଗଢ଼ିବା ।
ଏହା ବର୍ତ୍ତମାନ ସମୟରେ ଆବଶ୍ୟକତା, କାରଣ ଭବିଷ୍ୟତରେ ଜନସଂଖ୍ୟା ବୃଦ୍ଧି ସହିତ ଯେତେ ବଡ଼ ସହର ହେବ ସେତେ ଅଧିକ ସମସ୍ୟା ସୃଷ୍ଟିହେବ । ଭୂମି, ଜଳ, ଗ୍ୟାସ୍ ଏତେ ସହଜରେ ମିଳିନପାରେ । ତେଣୁ ଆମକୁ ଅଳ୍ପ ସମୟ ଏବଂ ଦୂରତ୍ୱ ମଧ୍ୟରେ କିପରି ଅଧିକ ଲୋକ ବସବାସ କରିପାରିବେ ଏବଂ ସୁରକ୍ଷିତ ରହିପାରିବେ ସେ ପ୍ରତି ଧ୍ୟାନ ଦେବାକୁ ହେବ । ଯୋଉଠି ଭଲ ପରିବହନ ସୁବିଧା ଜାଗା ପାଇପାରିବ, ଅଳିଆ ପାଣି ପୁନଃ ବ୍ୟବହାରଯୋଗ୍ୟ ହେଇପାରୁଥିବ, ବର୍ଷାଜଳ ନଦୀକୁ ଯିବା ଆପେକ୍ଷା ସହର ମଧ୍ୟରେ ବ୍ୟବହାର ହେଇପାରୁଥିବ, ଘରକୁ ବିଦ୍ୟୁତ ସୌରକିରଣରୁ ଆସୁଥିବ, ସହରର ସମସ୍ତ ଅଳିଆ ଆବର୍ଜନା ପୁନଃ ବ୍ୟବହାର ହେଇପାରୁଥିବ ଏବଂ ସମସ୍ତ ନାଗରିକ ସବୁ ପ୍ରକାର ସୁବିଧା ପାଇପାରୁଥିବେ । ସବୁକିଛି ସ୍ୱପ୍ନଭଳି ଲାଗିପାରେ, କିନ୍ତୁ ଭୁବନେଶ୍ୱର ପାଇଁ ଏସବୁ ସମ୍ଭବ ।