ଆତ୍ମଅଧ୍ୟୟନ ଏକ ସାଧାରଣ ମଣିଷକୁ ମାନବେତର କରିଥାଏ । ସମ୍ଭବତଃ ଏହି କାରଣରୁ ଭାରତୀୟ ଅଧ୍ୟାତ୍ମଦର୍ଶନ ଯୁଗେଯୁଗେ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଆସିଛି । ଆମ ଅଧ୍ୟାତ୍ମଦର୍ଶନର ସର୍ବକାଳୀନ ପ୍ରେରଣାପ୍ରଦ ଗ୍ରନ୍ଥ ଭଗବଦ୍ ଗୀତା କେବଳ ଯେ ସ୍ୱାମୀ ବିବେକାନନ୍ଦ, ମହାଯୋଗୀ ଶ୍ରୀଅରବିନ୍ଦ, ଜାତିର ଜନକ ମହାତ୍ମା ଗାନ୍ଧୀ ବା ସର୍ବପଲ୍ଲୀ ଡ. ରାଧାକ୍ରିଷ୍ଣନ ଭଳି ମହାମାନବମାନଙ୍କୁ ପ୍ରଭାବିତ କରିଛି ତାହା ନୁହେଁ ।
ବିଗତ କେଇ ଦଶନ୍ଧି ମଧ୍ୟରେ ଆମ ଲୋକଚରିତ୍ର କ୍ରମାଗତ ଭାବରେ ଏବଂ ବହୁଭାବରେ ବଦଳିବାରେ ଲାଗିଛି । ସେହି ପରିବର୍ତ୍ତନ ସମ୍ପର୍କରେ ବିଭିନ୍ନ ଫୋରମରେ ଆଲୋଚନା କରାଯିବାର ଆବଶ୍ୟକତା ରହିଛି । କାରଣ ଆମ ଲୋକଚରିତ୍ର ବି ଆମ ଜାତୀୟ ଚରିତ୍ରର ଏକ ଅଂଶବିଶେଷ । ଲୋକଚରିତ୍ରର ତର୍ଜମା ନହେଲେ ଆଗକୁ ଯାଇ ଆମର କ୍ରମକ୍ଷୟିଷ୍ଣୁ ଜାତୀୟ ଚରିତ୍ରକୁ ତାହା ଆହୁରି ତଳିତଳାନ୍ତ କରିଦେବ । ସେଥିପାଇଁ ଏଭଳି ଏକ ପ୍ରସଙ୍ଗର ଅବତାରଣା । ଗୋଟିଏ ଜାତି (ଇଂରାଜୀ ଭାଷାରେ "ନେସନ’) ର ସାମଗ୍ରିକ ବିକାଶ ତାହାର ଜାତୀୟ ଚରିତ୍ର ଆଧାରରେ ହୋଇଥାଏ । ସେଠିକାର ଲୋକମାନଙ୍କର ଚିନ୍ତା, ଚେତନା, ଅନ୍ୟପ୍ରତି ସେମାନଙ୍କର ଆଚରଣ, କର୍ତ୍ତବ୍ୟପରାୟଣତା, ସତ୍ୟନିଷ୍ଠତା, ପାରସ୍ପରିକ ସହନଶୀଳତା, ସମୁଦାର ଭାବ, ଲୋକଙ୍କ ମାନସିକତା ଆଦି ଜାତୀୟ ଚରିତ୍ରର ମାନଦଣ୍ଡ ହୋଇପାରେ । ଭାରତବର୍ଷକୁ ଦେଖିଲେ ଏଠିକାର ଜାତୀୟ ଚରିତ୍ର ନିହାତି ଭାବେ ଅଧ୍ୟାତ୍ମ ଚେତନା ପରିପୂରିତ ।
ଅଧ୍ୟାତ୍ମ ବା ଆତ୍ମଅଧ୍ୟୟନ ଜଣେ ମଣିଷକୁ ନିଜ ସହିତ ପରିଚିତ କରାଇଥାଏ । ନିଜ ସାମର୍ଥ୍ୟ, ନିଜ ଅମାପ ଶକ୍ତି ବିଷୟରେ ଅବଗତ କରାଇଥାଏ । ମଣିଷର ଚେତନାସ୍ତରକୁ ବଢ଼ାଇଥାଏ । ଆତ୍ମଅଧ୍ୟୟନ ଏକ ସାଧାରଣ ମଣିଷକୁ ମାନବେତର କରିଥାଏ । ସମ୍ଭବତଃ ଏହି କାରଣରୁ ଭାରତୀୟ ଅଧ୍ୟାତ୍ମଦର୍ଶନ ଯୁଗେଯୁଗେ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଆସିଛି । ଆମ ଅଧ୍ୟାତ୍ମଦର୍ଶନର ସର୍ବକାଳୀନ ପ୍ରେରଣାପ୍ରଦ ଗ୍ରନ୍ଥ ଭଗବଦ୍ ଗୀତା କେବଳ ଯେ ସ୍ୱାମୀ ବିବେକାନନ୍ଦ, ମହାଯୋଗୀ ଶ୍ରୀଅରବିନ୍ଦ, ଜାତିର ଜନକ ମହାତ୍ମା ଗାନ୍ଧୀ ବା ସର୍ବପଲ୍ଲୀ ଡ. ରାଧାକ୍ରିଷ୍ଣନ ଭଳି ମହାମାନବମାନଙ୍କୁ ପ୍ରଭାବିତ କରିଛି ତାହା ନୁହେଁ । ସେ ପରମାଣୁର ପରୀକ୍ଷଣ କରିଥିବା ରବର୍ଟ ଓପେନହାଇମର ହୁଅନ୍ତୁ ବା ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଆବିଷ୍କାର କରିଥିବା ଆଇନଷ୍ଟାଇନ ହୁଅନ୍ତୁ, ନେଲସନ ମାଣ୍ଡେଲା ହୁଅନ୍ତୁ ବା ପାଶ୍ଚାତ୍ୟ ଲେଖକ ୱାଲ ହ୍ୱାଇଟମ୍ୟାନ ଓ ରବର୍ଟ ଫ୍ରଷ୍ଟ ଭଳି ପ୍ରଥିତଯଶା ସାହିତ୍ୟିକ ହୁଅନ୍ତୁ, ସମସ୍ତଙ୍କୁ ଜୀବନର ଗତିପଥ ଦେଖାଇଛି । ଭାରତର ପୁରାଣାଦି ଧର୍ମଗ୍ରନ୍ଥ ଅନ୍ୟପାଇଁ ଆଜି ବି ଗବେଷଣାର ପ୍ରସଙ୍ଗ ।
ଆମ ପୁରାଣ ବର୍ଣ୍ଣନାର ଅନେକ ଆଖ୍ୟାନ ଭିତରୁ ଅଷ୍ଟବକ୍ର ଋଷିଙ୍କ ଏକ ଉକ୍ତିରେ ସମସ୍ତଙ୍କୁ ଚକିତ କରିଦେବା ଭଳି ଦର୍ଶନ ରହିଛି । ଅଷ୍ଟବକ୍ର ଋଷିଙ୍କ ଶରୀରରେ ଅନେକ କୁଜ ଥିଲା । କୁଜଗୁଡ଼ିକ ପାଇଁ ତାଙ୍କ ଶରୀର ବକ୍ର ହୋଇଯାଇଥିଲା । ତାଙ୍କ ଶରୀରର ଗଠନ ଦେଖି ଅନ୍ୟମାନେ ତାତ୍ସଲ୍ୟ କରୁଥିବାବେଳେ ଅଷ୍ଟବକ୍ର ନିଜେ ନିଜକୁ ଦେଖି ଆତ୍ମବିଭୋର ହୋଇପଡ଼ିଥିଲେ । ନିଜ ଶରୀରର ସଂରଚନା ବିଷୟରେ ଚିନ୍ତାକରି ବିସ୍ମିତ ହେବାସହ ସ୍ରଷ୍ଟାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ନିଜ ଭିତରେ ସେ ବ୍ରହ୍ମକୁ ଅନୁଭବ କରି କହିଥିଲେ "ସୋ ଅହଂ, ଅହଂ ବ୍ରହ୍ମୋସ୍ମି’ । ମୁଁ ହେଉଛି ସିଏ, ଯାହା ଭିତରେ ବ୍ରହ୍ମ ବିଦ୍ୟମାନ । ଏହା ହେଉଛି ଭାରତୀୟ ଦର୍ଶନ । ରାତିପାହିଲେ ରାଜ୍ୟାଭିଷେକ ହେବାକୁ ଯାଉଥିବା ଶ୍ରୀରାମଚନ୍ଦ୍ର ପିତୃସତ୍ୟ ପାଳନ କରିବା ପାଇଁ ସର୍ବସ୍ୱ ତ୍ୟାଗକରି ବନସ୍ତକୁ ଯାଇପାରନ୍ତି । ପୁଣି ବନବାସରୁ ଫେରିବାପରେ ବନକୁ ଯିବାର ସର୍ତ୍ତ ରଖିଥିବା ମାତାଙ୍କୁ ନିଜ ଜନ୍ମଦାତ୍ରୀଠାରୁ ଅଧିକ ସମ୍ମାନଦେଇ ମର୍ଯ୍ୟାଦାର ସମସ୍ତ ସ୍ତର ଅତିକ୍ରମ କରିପାରନ୍ତି ।
ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ପଦାଙ୍କ ହେଉଛି ଆମ ଜାତୀୟ ଚରିତ୍ର । ନଟନାଗରଙ୍କ ଲୀଳାଖେଳା ଭିତରେ ଗୀତାଃସାରରେ ବର୍ଣ୍ଣିତ ମାନବ ଧର୍ମ, ନିଷ୍କାମ କର୍ମ ହେଉଛି ଆମ ଜାତୀୟ ଚରିତ୍ର । ବିଶ୍ୱର କଲ୍ୟାଣ ପାଇଁ ନିଜ ଶରୀରର ଅସ୍ଥିରୁ ବଜ୍ର ପ୍ରସ୍ତୁତ ହେବ ବୋଲି ଜାଣିବା ପରେ ନିଃସଙ୍କୋଚରେ ଜୀବନ ତ୍ୟାଗ କରିଦେଇଥିବା ମହାମୁନି ଦଧିଚୀଙ୍କ ତ୍ୟାଗ ହେଉଛି ଆମ ଜାତୀୟ ଚରିତ୍ର । ବ୍ୟାସ-ବଶିଷ୍ଠଙ୍କ ନିର୍ଲିପ୍ତ ସାଧନା, ଧ୍ରୁବ ପ୍ରହଲ୍ଲାଙ୍କ ତଲ୍ଲୀନ ଉପାସନା, ଶ୍ରେଷ୍ଠତ୍ୱ ସିଦ୍ଧ କରିଥିବା ଅର୍ଜୁନଙ୍କ ଲକ୍ଷ୍ୟଭେଦ, ବଳି ଓ ବାଳିଙ୍କ ଭିତରର ପ୍ରଭେଦ ହେଉଛି ଆମ ଜାତୀୟ ଚରିତ୍ର । ଯାହାକି ଗାନ୍ଧି, ଗୋପବନ୍ଧୁଙ୍କ ଠାରୁ ଆରମ୍ଭକରି ଆମର ମହାପୁରୁଷ, ସମସାମୟିକ ମହାମାନବମାନଙ୍କ ଭିତରେ ଦେଖିବାକୁ ମିଳେ । ଏହାବାଦ୍ ରାବଣଙ୍କ ଜ୍ଞାନ, କର୍ଣ୍ଣଙ୍କ ଦାନ, ଦୁର୍ଯ୍ୟୋଧନଙ୍କ ମାନ ଭଳି ଅନେକ କଥା ଓ କଥନ ଯୁଗେଯୁଗେ ନାଟକ ଆକାରରେ ପ୍ରଦର୍ଶିତ ହୋଇ ଆମ ଜନମାନସରେ ପ୍ରଭାବ ବିସ୍ତାର କରିଆସିଛି । ମହାକବି କାଳିଦାସ ରଚିତ ଅଭିଜ୍ଞାନ ଶକୁନ୍ତଳମ୍, କୁମାର ସମ୍ଭବ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲାବଣ୍ୟବତୀ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ସୁଭଦ୍ରା ପରିଣୟ, ସ୍ୱଭାବକବି ଗଙ୍ଗଧରଙ୍କ ରଚିତ ପ୍ରଣୟବଲ୍ଲରୀ, କୀଚକବଧ, ତପସ୍ୱିନୀ ଭଳି ଅନେକ ଚିର ଅମ୍ଳାନ କାବ୍ୟକବିତାର ଗ୍ରନ୍ଥାଦି ରହିଛି । ସେଗୁଡ଼ିକର ପଠନ ଆମ ଲୋକଚରିତ୍ରକୁ, ଆମ ଜାତୀୟ ଚରିତ୍ରକୁ ଅନେକାଂଶରେ ଆଲୋକିତ କରିଥାଏ । ସେଗୁଡ଼ିକର ନାଟ୍ୟରୂପ ପ୍ରଦର୍ଶନ ଆମ ଜନଜୀବନକୁ ସମୃଦ୍ଧ କରିବାରେ ଅତୀତରେ ସହାୟକ ହୋଇଛି ଏବଂ ଆଗାମୀ ଦିନଗୁଡ଼ିକରେ ମଧ୍ୟ ହେଉଥିବ ।
ଏହା ସତ ଯେ, ପରିବର୍ତ୍ତନ ହେଉଛି ପ୍ରକୃତିର ଅପରିବର୍ତ୍ତିତ ନିୟମ । ପରିବର୍ତ୍ତନକୁ କେହି ରୋକିପାରିବେ ନାହିଁ । କିନ୍ତୁ ପରିବର୍ତ୍ତନର ସୁଅରେ ଆମ ସାଂସ୍କୃତିକ, ସାମାଜିକ ଅବକ୍ଷୟ କ୍ରମଶଃ ଉତ୍କଟ ହେବାରେ ଲାଗିଛି । ଗୋଟିଏପଟେ ଆମ ଅଧ୍ୟାତ୍ମ ଜୀବନ ଓ ଭାରତୀୟ ଦର୍ଶନର ଆଧାର/ଆଦର୍ଶ ବୋଲି ଯେଉଁ ଚରିତ୍ରମାନଙ୍କୁ ଆମେ ମାନିଆସୁଥିଲେ ସେମାନଙ୍କୁ ଆମ ତଥାକଥିତ କେତେକ ସାମାଜକର୍ମୀ ମିଥ୍ ବୋଲି ଆଖ୍ୟାୟିତ କରୁଛନ୍ତି । ଅନ୍ୟପଟେ ଆମ ଜନଜୀବନରେ ସମ୍ପ୍ରତି ଯେଉଁ ଚରିତ୍ରମାନଙ୍କୁ ଆମେ ଆଦର୍ଶ ବୋଲି ଚିନ୍ତା କରୁଛୁ ବା ସେମାନଙ୍କ ଜୀବନଚର୍ଯ୍ୟାକୁ ନାଟକ ଆକାରରେ ଦେଖିବାକୁ ଚାହୁଁଛୁ/ଦେଖୁଛୁ ତାହା ହିଁ ସମୃଦ୍ଧ ସମାଜ ପାଇଁ ଏକ ବିରାଟ ଆହ୍ୱାନ । ହୁଏତ ମନୋରଞ୍ଜନ ପାଇଁ ହୋଇପାରେ, କିନ୍ତୁ ବିଗତ କେଇ ଦଶନ୍ଧି ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ, ଭିନ୍ନ ଭିନ୍ନ ସ୍ଥାନରେ କଂସ ଦରବାର, ରାବଣ ଦରବାର, ନାରକାସୁର, ମୁରାସୁର ଦରବାର, ହିରଣ୍ୟକଶିପୁ, ମହୀରାବଣ ଦରବାର, ମହିଷାସୁର ଦରବାର ଆଦିର ଆୟୋଜନ ବ୍ୟାପକ ରୂପ ଧାରଣ କରିଛି । ଅବଶ୍ୟ ଅତୀତରେ ବି ଏଭଳି ଅନେକ ପୌରାଣିକ ନାଟକ ହେଉଥିଲା । କିନ୍ତୁ ସେହି ନାଟକଗୁଡ଼ିକର ନାମକରଣ ଥିଲା ‘ମହିଷାସୁର ବଧ’, ‘କଂସ ବଧ’, ‘ତାରକାସୁର ବଧ’ ଆଦି । ସେଭଳି ନାଟକଗୁଡ଼ିକରେ ଅସୁରଙ୍କୁ ବଧ କରୁଥିବା ଚରିତ୍ରମାନେ ମୁଖ୍ୟ ଥିଲେ । ମୋର ମନେଅଛି, ପିଲାବେଳେ ଗ୍ରୀଷ୍ମ ଅବକାଶରେ ଆମେମାନେ ମାମୁଘରକୁ ଯାଉଥିଲୁ ।
ସୁବର୍ଣ୍ଣପୁର ଜିଲ୍ଲା ମେଣ୍ଡା ଗାଁର କଥା । ସେତେବେଳେ ଟେଲିଭିଜନର ଏତେ ପ୍ରସାର ହୋଇନଥିଲା । ମନୋରଞ୍ଜନ ପାଇଁ ମୋବାଇଲ ବା କୌଣସି ସୌଖୀନ ଖେଳନା ନଥିଲା । ପ୍ରତ୍ୟହ ମଧ୍ୟାହ୍ନରେ ଗାଁ ପିଲାମାନେ ଆଖଡ଼ାଘରକୁ ଯାଇ ନାଟକ ଅଭ୍ୟାସ କରୁଥିଲେ । ମେଣ୍ଡାର ଯୁବଗୋଷ୍ଠୀଙ୍କ ଦ୍ୱାରା ପ୍ରଦର୍ଶିତ ପୌରାଣିକ ନାଟକ ‘ଜୟଦ୍ରଥ ବଧ’ ସମଗ୍ର ଅଞ୍ଚଳରେ ଖ୍ୟାତିଲାଭ କରିଥିଲା । ସେ ନାଟକ ଏବେ ବି ମନ ଭିତରେ ଶିହରଣ ସୃଷ୍ଟିକରେ । ଏଭଳି ପ୍ରତିବର୍ଷ ଭିନ୍ନ ଭିନ୍ନ ନାଟକ ହେଉଥିଲା । ସେତେବେଳେ ଅନ୍ୟ ଗାଁଗୁଡ଼ିକରେ ମଧ୍ୟ ଅନୁରୂପ ନାଟକ ହେଉଥିଲା । ଏବେ କିନ୍ତୁ ଆଉ ଗାଁ ନାଟକ ପରମ୍ପରା ନାହିଁ କହିଲେ ଚଳେ । ଗାଁ ନାଟକ ବଦଳରେ ଆରମ୍ଭ ହୋଇଛି ପେସାଦାର ଯାତ୍ରା । ଗାଁ ଗାଁରେ ଧନୁଯାତ୍ରା ହେଉଛି । କଂସ, ରାବଣ, ତାରକାସୁର ଆଦିଙ୍କ ଦରବାର ହେଉଛି । ବିଡ଼ମ୍ବନାର ବିଷୟ ହେଉଛି, ବିଶ୍ୱପ୍ରସିଦ୍ଧ ବରଗଡ଼ ‘ଧନୁଯାତ୍ରା’ କୃଷ୍ଣ ରସାମୃତ ଉପରେ ଆଧାରିତ ।
କଂସର ନିଧନ ସହ ଅସତ୍ୟ ଉପରେ ସତ୍ୟର ବିଜୟ ହିଁ ସେଠାରେ ଉଦ୍ଘୋଷିତ ହୋଇଥାଏ । ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସମୟରେ ଗୋପପୁର ପାଲଟୁଥିବା ଅମ୍ବାପାଲି କିଛିଦିନ ପାଇଁ ସତସତିକା ଗୋପପୁରର ଭ୍ରମ ସୃଷ୍ଟିକରେ । ଅମ୍ବାପାଲି ନଗରବାସୀ ସ୍ୱାଭାବିକ ଭାବରେ ଦ୍ୱାପର ଯୁଗରେ ବଞ୍ଚିବା ଭଳି ଆଚରଣ କରନ୍ତି । ଅମ୍ବାପାଲିରେ ଧନୁଯାତ୍ରାର ଶେଷପର୍ବ, କୃଷ୍ଣଙ୍କ ମଥୁରା ଗମନ ସମୟରେ କିଏବା ନକାନ୍ଦେ? ସେ ଦୃଶ୍ୟ ଯିଏ ଚାକ୍ଷୁସ ନଦେଖିଛି ସିଏ ଅନୁଭବ କରିପାରିବ ନାହିଁ । କିନ୍ତୁ ବରଗଡ଼ ଧନୁଯାତ୍ରା ଅନୁକରଣରେ ଆଜି ଅନେକ ସ୍ଥାନରେ ଧନୁଯାତ୍ରା ହେଉଛି । ଯେଉଁଠାରେ କଂସ ହିଁ ପାଲଟୁଛି ମୁଖ୍ୟ ଚରିତ୍ର । କଂସ ମଞ୍ଚ, ମଞ୍ଚରେ କଂସର ଉଦ୍ଧତ୍ତାଚରଣ, ଫାଇନ ଆଦାୟ ସମେତ ସେଠାରେ ପ୍ରଦର୍ଶିତ ନୃତ୍ୟଗୀତ ଆଦି ବିଭିନ୍ନ ଗଣମାଧ୍ୟମର ଶିରୋନାମା ପାଲଟୁଛି । ନାରକାସୁର, ମୁରାସୁର ଦରବାର ହେଉ ବା ରାବଣ ଦରବାର କିମ୍ବା ତାରକାସୁର ଦରବାର । ସବୁଠାରେ ସୁରା, ଶାକୀ, ଉନ୍ମାଦଭରା ନୃତ୍ୟର ଦୃଶ୍ୟାଭିନୟକୁ ପ୍ରାଧାନ୍ୟ ଦିଆଯାଉଛି । ଶ୍ରୀରାମ, ଶ୍ରୀକୃଷ୍ଣ, କାର୍ତ୍ତିକେୟଙ୍କ ବଦଳରେ ଆସୁରିକ ଚରିତ୍ରମାନେ ପ୍ରାଧାନ୍ୟ ପାଉଛନ୍ତି । ସେଥିପାଇଁ ଗାଁ ଗାଁରେ ହେଉଥିବା ଧନୁଯାତ୍ରା, ମୁରାସୁର ଦରବାର ଆଦିରେ କୃଷ୍ଣବରଣ କରାଯାଉଥିର ବିଶେଷ ଦୃଷ୍ଟାନ୍ତ ନାହିଁ । ଅଥଚ କଂସବରଣ, ନାରକାସୁର, ମୁରାସୁର ଆଦିଙ୍କ ବରଣ ପାଇଁ ଏକ ଉତ୍ସବର ଆୟୋଜନ ହେଉଛି । ଆୟୋଜକମାନେ ନଡ଼ିଆ, ପଇତା, ଗୁଆ, ହଳଦୀ, ପାଟବସ୍ତ୍ର, ମିଷ୍ଟାନ୍ନ ଆଦି ନେଇ ରାକ୍ଷସ ଚରିତ୍ର ପାଇଁ ଅଭିନେତା ବରଣ କରିବାକୁ ଯାଉଛନ୍ତି । ମୋଟା ଅଙ୍କର ପ୍ରାପ୍ୟ ବି ଦେଉଛନ୍ତି । ପରେ ପରେ ସମଗ୍ର ଅଞ୍ଚଳରେ ଆସୁରିକ ଶକ୍ତିର ଅଟ୍ଟହାସ୍ୟ ଶୁଣିବାକୁ ମିଳୁଛି । ବର୍ଷକୁ ବର୍ଷ ଏହା ଆହୁରି ବ୍ୟାପକ ହେବାରେ ଲାଗିଛି ।
ଚଳିତବର୍ଷ ଦଶହରା ସମୟରେ କେତେକ ସ୍ଥାନରେ ରାବଣପୋଡ଼ି ବେଳେ ରାବଣ ପ୍ରତିକୃତିରେ ଲାଗିଥିବା ବାଣଫୋଟକା ଫାଟି ଦର୍ଶକଙ୍କ ଆଡ଼କୁ ମାଡ଼ିଆସିଥିଲା । ସାମାଜିକ ଗଣମାଧ୍ୟମରେ ତାହାକୁ ‘ରାବଣର ପାଲଟା ଆକ୍ରମଣ’ ବୋଲି ଆଖ୍ୟାୟିତ କରାଗଲା ଏବଂ ତାହା ବହୁଳ ଭାବେ ଭାଇରାଲ ହୋଇଥିଲା । ଏବେ ଏବେ ‘ରାବଣ ହୁଁ ମୈ’ ଶୀର୍ଷକ ଏକ ହିନ୍ଦୀ ଗୀତ ବିଭିନ୍ନ ଶୋଭାଯାତ୍ରା ଆଦିରେ ଟ୍ରେଣ୍ଡ କରୁଛି । ହୁଏତ ଏଭଳି ନାଟତାମସା ସାମୟିକ ଆନନ୍ଦ ଦେଉଥାଇପାରେ । କିନ୍ତୁ ଆଗକୁଯାଇ ସେଭଳି ଦୃଶ୍ୟାଭିନୟ, ସେଭଳି ଚରିତ୍ରଗୁଡ଼ିକର ପ୍ରସାରଣ ଜନମାନସକୁ ପ୍ରଭାବିତ କରିବା ସ୍ୱାଭାବିକ । ଏହା ଆମ ଲୋକଚରିତ୍ରକୁ କବଳିତ କରିବାପରେ କ୍ରମଶଃ ଜାତୀୟ ଚରିତ୍ରକୁ ଗ୍ରାସ ନକରୁ । ଏଥିରୁ ନିଷ୍କୃତି ପାଇଁ ଆମମାନଙ୍କୁ ସମ୍ମିଳିତ ଭାବେ ବାଟ ଖୋଜିବାକୁ ପଡ଼ିବ ।