ବୈଜ୍ଞାନିକମାନଙ୍କ ମଧ୍ୟରେ ସହଯୋଗ ହିଁ ବିଜ୍ଞାନ ପ୍ରଗତିର ମୁଖ୍ୟ କଥା । ତଥାପି କିଛି ଟ୍ରେଡ ସିକ୍ରେଟକୁ ମଧ୍ୟ ଗ୍ରହଣ କରାଯାଇଛି ସମ୍ମିଳନୀରେ, ଯେପରିକି ଏହି କେତେକ ନୂତନ ଆବିଷ୍କାର ଖୁବ୍ ଆବଶ୍ୟକ, କିନ୍ତୁ ଏହାର ଖୋଲାଖୋଲି ସେୟାରିଂ ଖୁବ୍ ବିପଜ୍ଜନକ । ଏହି ଡାଟା ବେସ୍ ଦ୍ୱାରା ଯଦି କୌଣସି ସ୍ଥାନରେ ସମଗ୍ର ବିଶ୍ୱରେ ବାୟୋଲଜିକାଲ ସ୍ପ୍ରିଟ୍ ବା ବିପଦ ସୃଷ୍ଟି ହେଲା ଏହା ସହଜରେ ଚିହ୍ନଟ ହୋଇପାରିବ ।
ବିଶ୍ୱର ସବୁଠୁ ସମ୍ମାନଜନକ ପଦବିରେ ଥିବା ପଦାର୍ଥ ଓ ମହାକାଶ ବିଜ୍ଞାନୀ ଷ୍ଟିଫେନ ହକିଂ ଥରେ କହିଥିଲେ, ଶକ୍ତିଶାଳୀ କୃତ୍ରିମ ବୁଦ୍ଧିମତାର ବିକାଶ ମାନବ ସଭ୍ୟତା ପାଇଁ ହୋଇପାରେ ସବୁଠାରୁ ଉତ୍ତମ ଅବା ସବୁଠାରୁ ଏବେ ଏହି କ୍ଷେତ୍ରରେ ଟେକ୍ନୋଲଜିର ବିକାଶ ଓ ନୈତିକ ଦାୟିତ୍ୱବୋଧ ମଧ୍ୟରେ କ୍ରମ ବର୍ଦ୍ଧମାନ ବିଭାଜନ ଦେଖିବାକୁ ମିଳିଛି । ଏବର୍ଷ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିବା ଦୁଇ ପଦାର୍ଥ ବିଜ୍ଞାନୀ ଜିଓଫ୍ରେ ହିନଟନ ଓ ଜନ୍ ହପ୍ଫିଲ୍ଡ ଦର୍ଶାଇଛନ୍ତି ଏହି କୃତ୍ରିମ ବୁଦ୍ଧିମତା ବା ଏଆଇର କିଭଳି ସାମର୍ଥ୍ୟ ଅଛି ମାନବ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା କ୍ଷେତ୍ରରେ । ତାହା ସହିତ ମାନବ ସଭ୍ୟତା ପାଇଁ କେତେ ବିପଜ୍ଜନକ ହେଇପାରେ ଏହି ବୁଦ୍ଧିମତାର ବିକାଶ ତାହା ମଧ୍ୟ ସୂଚିତ କରିବାକୁ ସେମାନେ କୁଣ୍ଠା ପ୍ରକାଶ କରିନାହାଁନ୍ତି । ସେମାନେ ଦାୟୀ କରିଛନ୍ତି ସେହି କ୍ଷେତ୍ରରେ ନେତୃତ୍ୱ ନେଉଥିବା ବ୍ୟକ୍ତିବିଶେଷଙ୍କୁ ଓ ପରିଚାଳନା କରୁଥିବା କୋଟି କୋଟି ଡଲାରର କଂପାନୀମାନଙ୍କ ସିଇଓମାନଙ୍କୁ । ଏପରିକି ହିନଟନ ଉଲ୍ଲେଖ କରିଛନ୍ତି, ମୋର ଜଣେ ଛାତ୍ର ଯାହାର ହାତ ଥିଲା ଓପ୍ନ ଏଆଇର ସିଇଓ ସାମ୍ ଅଲଟମେନଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିବାରେ, ସେଥିପାଇଁ ମୁଁ ଗର୍ବ ଅନୁଭବ କରେ । ଜିଓଫ୍ରେ ହିନଟନଙ୍କୁ କୁହାଯାଏ ଏଆଇର ଗଡ୍ଫାଦର । ତେବେ ଏହି ଏଆଇର ବିକାଶ ଓ ନୈତିକ ଦାୟିତ୍ୱବୋଧ ମଧ୍ୟରେ ବିଭାଜନକୁ ନିବାରଣ କରିବା ପାଇଁ ଆବଶ୍ୟକ ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକମାନେ ପରସ୍ପର ସହଯୋଗରେ ମାନବ ସମାଜର ବିକାଶ ପାଇଁ କାର୍ଯ୍ୟରତ ହେବା ଓ କମ୍ପାନୀମାନଙ୍କର ଅର୍ଥ ଉପାର୍ଜନର ଲୋଭକୁ ଖାତିର ନକରିବା । ଯେପର୍ଯ୍ୟନ୍ତ ଏହା ହୋଇପାରିନାହିଁ ସେପର୍ଯ୍ୟନ୍ତ ଏଆଇର ବିକାଶକୁ ସ୍ଥଗିତ ରଖିବା, ଏହା ଉଲ୍ଳେଖ କରିଛନ୍ତି ହିନଟନ । ଏହା ମଧ୍ୟ ଠିକ୍ ଯେ ଏହି କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଯିଏ ଯେତେ ଶକ୍ତିଶାଳୀ ହୋଇପାରିବ ସେ ସେତେ ନିୟନ୍ତ୍ରଣ କରିବାର ସାମର୍ଥ୍ୟ ଲାଭ କରିବ ବିଶ୍ୱ ବଜାରକୁ ।
ଏଭଳି ଘଟଣା ଘଟିଚାଲିଥିବା ବେଳେ ରସାୟନ ବିଜ୍ଞାନରେ ବିପ୍ଳବ ଆଣି ପାରିଥିବା ୩ଜଣ ରସାୟନବିତଙ୍କୁ ପ୍ରଦାନ କରାଯାଇଛି ଏବର୍ଷର ନୋବେଲ ପୁରସ୍କାର । ସେମାନେ କୃତ୍ରିମ ବୁଦ୍ଧିମତାକୁ ଯୋଡ଼ି ଦେଇଛନ୍ତି ପ୍ରୋଟିନ ସଂଶ୍ଳେଷଣ ବା ପ୍ରୋଟିନ ସିନ୍ଥେସିସ୍ରେ । ସେମାନେ ହେଲେ ଆମେରିକାର ୱାଶିଂଟନ ବିଶ୍ୱବିଦ୍ୟାଳୟ ତଥା ହାବାର୍ଡ ହଗ୍ସ ମେଡିକାଲ ଇନଷ୍ଟିଚ୍ୟୁଟର ପ୍ରଫେସର ଡାଭିଡ ବେକର ଏବଂ ଇଂଲଣ୍ଡର ଗୁଗୁଲ ଡିପ୍ ମାଇଣ୍ଡ ଟେକ୍ନୋଲଜିର ସିଇଓ ତଥା କମ୍ପ୍ୟୁଟର ବୈଜ୍ଞାନିକ ଡେମିସ ହାସାବିସ ଓ ସେଇ କମ୍ପାନୀର ଡାଇରେକ୍ଟର ତଥା ଆମେରିକୀୟ ରସାୟନବିତ୍ ଜନ୍ ଏମ ଜମ୍ପର । ବେକରଙ୍କୁ କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନ ବା ଗଣନାମୂଳକ ପ୍ରୋଟିନର ନକ୍ସା ପାଇଁ ଓ ଡେମିସ, ଜମ୍ପରଙ୍କୁ ପ୍ରୋଟିନ ଗଠନର ପୂର୍ବାନୁମାନ ଓ ପ୍ରୋଟିନର ଚମତ୍କାର ଗଠନର ନିୟମ ସଂହିତା ବା କୋଡ୍କୁ ବିନିର୍ମୁକ୍ତ କରିବା ପାରିଥିବା ଯୋଗୁଁ ପ୍ରଦାନ କରାଯାଇଛି ଏହି ସମ୍ମାନଜନକ ପୁରସ୍କାର । ଅର୍ଥାତ୍ ଏବର୍ଷର ରସାୟନ ବିଜ୍ଞାନର ନୋବେଲ ପୁରସ୍କାର ହେଉଛି ପ୍ରୋଟିନକୁ ନେଇ । ପ୍ରୋଟିନ ହେଉଛି ପ୍ରତିଟି ଜୀବ ଶରୀରରେ ଥିବା ପ୍ରକୃତିଦତ୍ତ ଉଦ୍ଭାବନୀ ରାସାୟନିକ ସରଞ୍ଜାମ । ବେକର ସଫଳ ହୋଇଛନ୍ତି ସଂପୂର୍ଣ୍ଣ ଅସମ୍ଭବ ମନେ ହେଉଥିବା ନୂତନ ପ୍ରକାର ପ୍ରୋଟିନ ସୃଷ୍ଟି କରିବାରେ ଏବଂ ଡେମିସ୍ ଓ ଜମ୍ପର ବିକଶିତ କରିଛନ୍ତି ଏଆଇର ଏକ ନୂତନ ମଡେଲ³ ଯାହା ମାଧ୍ୟମରେ ୫୦ବର୍ଷ ଧରି ଲାଗିରହିଥିବା ଏକ ସମସ୍ୟାର ସମାଧାନ କରାଯାଇପାରିଛି ପ୍ରୋଟିନର ଜଟିଳ ଗଠନ ପ୍ରକ୍ରିୟା ବା ଏମିନୋ ଏସିଡ୍ଗୁଡ଼ିକର ସିକ୍ୱେନ୍ସ ବା କ୍ରମକୁ ନେଇ ।
ପ୍ରୋଟିନଗୁଡ଼ିକ ଜୀବ ଶରୀରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି । ଯଥା- ଭୂତାଣୁ କିମ୍ବା ବ୍ୟାକଟେରିଆ ବିରୁଦ୍ଧରେ ଲଢ଼ିବା, ଶରୀର ଭିତରେ ଟିସ୍ୟୁ ଗଠନ କରିବା, ଯେତେ ସବୁ ଏନଜାଇମ, ହର୍ମୋନ ଆଦି ସେସବୁ ହିଁ ପ୍ରୋଟିନ, ଜିନ୍ର ଏକ୍ସପ୍ରେସନକୁ ନିୟମାଧୀନ କରିବା । କୌଣସି ରୋଗକୁ ବୁଝିବାର କେନ୍ଦ୍ର ହେଉଛି ଏଇ ପ୍ରୋଟିନ । ଅର୍ଥାତ୍ ଏହି ପ୍ରୋଟିନ ଜୀବ ଗଠନର ନିର୍ମାଣ ଖଣ୍ଡ ବା ବିଲଡିଂ ବ୍ଲକ । ଏଯାବତ୍ ୨୦ ହଜାରରୁ ଊଦ୍ଧ୍ୱର୍ ପ୍ରୋଟିନ ଆବିଷ୍କୃତ ହେଲାଣି । ସେମାନେ ନିୟନ୍ତ୍ରଣ କରନ୍ତି ଶରୀର ଭିତରେ ଚାଲିଥିବା ବିଭିନ୍ନ ରାସାୟନିକ ପ୍ରକ୍ରିୟାକୁ । ଜୀବନର ବିବିଧତା ଏଇ ପ୍ରୋଟିନ ଯୋଗୁଁ ହିଁ ସମ୍ଭବ ହୋଇଛି । ଏଗୁଡ଼ିକ ଆଣ୍ଟିବଡି ହିସାବରେ ବି କାର୍ଯ୍ୟ କରନ୍ତି । ଅର୍ଥାତ୍ ଏହି ତିନି ବୈଜ୍ଞାନିକଙ୍କ ଆବିଷ୍କାର ଅନେକ ସମ୍ଭାବନାର ପଥ ଖୋଲି ଦେଇଛି ।
ପ୍ରୋଟିନଗୁଡ଼ିକ ୨୦ଟି ବିଭିନ୍ନ ରକମର ଆମିନୋଏସିଡ ଦ୍ୱାରା ଗଠିତ । ସେଇ କ୍ଷୁଦ୍ର ୟୁଟିନଗୁଡ଼ିକ ପ୍ରୋଟିନ ଗଠନର ନିର୍ମାଣ ଖଣ୍ଡ ବା ବ୍ଲକ ୨୦୦୩ ମସିହାରେ ଡାଭିଡ ବେକର ପ୍ରଥମେ ସଫଳ ହୋଇଥିଲେ ଏହି ବ୍ଲକଗୁଡ଼ିକୁ ବ୍ୟବହାର କରି ଏକ ନୂତନ ପ୍ରୋଟିନର ନକ୍ସା ତିଆରି କରିବାରେ । ତାହା ଅନ୍ୟ ପ୍ରୋଟିନ, ଯେଉଁଗୁଡ଼ିକ ପ୍ରକୃତିରେ ଥାଏ, ତା’ଠାରୁ ସଂପୂର୍ଣ୍ଣ ଭିନ୍ନ । ଏହି ସଫଳତା ପରେ ପରେ ତାଙ୍କ ରିସର୍ଚ୍ଚ ଗ୍ରୁପ୍ର ଗବେଷକମାନେ ଗୋଟିକ ପରେ ଗୋଟିଏ ନୂତନ ପ୍ରୋଟିନ ସୃଷ୍ଟି କରିଚାଲିଲେ । ସେଗୁଡ଼ିକ ମଧ୍ୟରେ ଥିଲା ଏପରି ପ୍ରୋଟିନ ଯେଉଁଗୁଡ଼ିକୁ ବ୍ୟବହାର କରାଯାଇପାରିବ ଔଷଧ ତିଆରି କରିବାରେ । ଟିକା ତିଆରିରେ କ୍ଷୁଦ୍ରାଦପି କ୍ଷୁଦ୍ର ଉପାଦାନ ବା ନାନୋ ମ୍ୟାଟେରିଆଲ ତିଆରିରେ, ଏପରିକି କ୍ଷୁଦ୍ର ସେନ୍ସର ତିଆରିରେ । ପ୍ରୋଟିନ ଭିତରେ ଏମିନୋ ଏସିଡଗୁଡ଼ିକ ପରସ୍ପର ସହିତ ଯୋଡ଼ି ହୋଇଥାନ୍ତି ଲମ୍ବା ଷ୍ଟ୍ରିଙ୍ଗ ବା ତନ୍ତୁରେ, ଯେଉଁଗୁଡ଼ିକ ଗୁଡ଼େଇ ହେଇ ସୃଷ୍ଟି କରିଦିଅନ୍ତି ଥ୍ରିଡାଇମେନସନାଲ ଷ୍ଟ୍ରକ୍ଚର । ଏହି ଷ୍ଟ୍ରକଚର ହିଁ ନିର୍ଣ୍ଣାୟକ ହେଇଥାଏ ପ୍ରୋଟିନଟି କିଭଳି କ୍ରିୟା ସଂପାଦନ କରିବ ।
୧୯୭୦ ମସିହାରୁ ୨୦୨୦ ଯାଏ ସୁଦୀର୍ଘ ୫୦ବର୍ଷ ଧରି ଗବେଷକମାନେ ସଫଳ ହୋଇପାରୁନଥିଲେ ଗୋଟିଏ ପ୍ରୋଟିନର ଷ୍ଟ୍ରକଚରକୁ ପ୍ରେଡିକ୍ଟ କରିବାରେ ବା ପୂର୍ବାନୁମାନ କରିବାରେ ଯେ ଏମିନୋ ଏସିଡଗୁଡ଼ିକ ଯୋଡ଼ିହୋଇ କିଭଳି ପ୍ୟାଟର୍ଣ୍ଣ ଗଠନ କରିବେ । ଏହା ଥିଲା ଏକଦମ୍ ଅସମ୍ଭବ । ୨୦୨୦ ମସିହାରେ ଏହାର ପୂର୍ଣ୍ଣଚ୍ଛେଦ ଟାଣି ଦେଇଥିଲେ ଦୁଇ ବ୍ରଟିଶ ବୈଜ୍ଞାନିକ ଡେମିସ ଏବଂ ଜମ୍ପର । ସେମାନେ କୃତ୍ରିମ ବୁଦ୍ଧିମତା ବା ଏଆଇର ଏକ ନୂତନ ମଡେଲ ଉପସ୍ଥାପନ କଲେ, ଯାହାର ନାଁ ଥିଲା ଆଲଫା ଫୋଲଡ-୨ । ଏପରିକି ଭର୍ଚଆଲି ୨୦୦ ନିୟୁତ ପ୍ରୋଟିନର ଗଠନ ଜାଣିବାର ବିବରଣୀ ପ୍ରଦତ୍ତ ହେଇଗଲା । ଏହି ଆଲଫା ଫୋଲଡ-୨କୁ ଏବେ ବ୍ୟବହାର କରୁଛନ୍ତି ସମଗ୍ର ବିଶ୍ୱର ୨୦ଲକ୍ଷ ଗବେଷକ ୧୯୦ଟି ରାଷ୍ଟ୍ରର । ସେମାନେ ବୁଝିବାକୁ ସକ୍ଷମ ହୋଇପାରୁଛନ୍ତି ଏକଦା ଅସମ୍ଭବ ମନେ ହେଉଥିବା ପ୍ରୋଟିନ ଅଣୁଗୁଡ଼ିକର ନିର୍ମାଣ ପ୍ରକ୍ରିୟା ଏବଂ କାହିଁକି କେତେକ ପ୍ରୋଟିନ ଦେଖାନ୍ତି ଆଣ୍ଟିବାୟୋଟିକ ରେଜିଷ୍ଟାନ୍ସ ଓ ଏପରିକି ପ୍ରତିଲିପି ସୃଷ୍ଟି କରିପାରୁଛନ୍ତି ଯେଉଁ ଏଞ୍ଜାଇମଗୁଡ଼ିକ ପ୍ଲାଷ୍ଟିକକୁ ଡିକମ୍ପୋଜ ବା ଭାଙ୍ଗି ନଷ୍ଟ କରିବାରେ ସକ୍ଷମ । ପ୍ରୋଟିନର ନକ୍ସା ତିଆରି କରାଯାଇ ପାରିବ ସ୍କାନ୍ରୁ ବା ତାକୁ କୁହାଯାଏ ଡି ନୋଭୋ ଡିଜାଇନ ।
ପୂର୍ବ ନିର୍ଦ୍ଧାରିତ ପ୍ରୋଟିନର ଖଣ୍ଡ ଖଣ୍ଡ ଟୁକୁରାଗୁଡ଼ିକୁ ଓ ଏହାର ଏମିନୋ ଏସିଡଗୁଡ଼ିକର କ୍ରମକୁ ଜାଣି ଏହା କରାଯାଇପାରିବ ଓ ତାକୁ କୁହାଯାଏ ପ୍ରୋଟିନ ରିଡିଜାଇନ ବା ନୂତନ ପ୍ରୋଟିନର ନକ୍ସା ପୁନଃ ନିର୍ମାଣ କରିବା । ଏହି କ୍ରମ ପ୍ରକୃତିରେ ମିଳୁଥିବା ପ୍ରୋଟିନ ଠାରୁ ଭିନ୍ନ । ଶରୀରର ଗୋଟିଏ କୋଷକୁ ପ୍ରୋଟିନ ତିଆରି କରିବା ଆବଶ୍ୟକ ହେଲେ କେଉଁ ଧରଣର ପ୍ରୋଟିନ ଆବଶ୍ୟକ ତାହା ଜାଣିବା ପାଇଁ କୋଷ ମଧ୍ୟରେ ଥିବା ଡିଏନଏ ଭିତରର ସ୍ପେଶିଆଲ ଜିନ୍କୁ ପ୍ରଥମେ ନକଲ କରାଯିବ ଓ ପରିବର୍ତ୍ତନ କରାଯିବ ସନ୍ଦେଶବାହକ ବା ମେସେଞ୍ଜର ଆଇଏନଏକୁ । ଏହି ପ୍ରତିଲିପିକୁ ପ୍ରତ୍ୟାରୋପଣ କରିବ ଆମିନୋଏସିଡର ଶୃଙ୍ଖଳ ଭିତରେ, ଯାହା ପରବର୍ତ୍ତୀ ସୋପାନରେ ଫୋଲଡିଂ ହୋଇ ଆବଶ୍ୟକୀୟ କ୍ରିୟାଶୀଳ ପ୍ରୋଟିନରେ ପରିଣତ ହେବ । ୨୦୨୦ ମସିହା ଆଲଫା ଫୋଲଡ-୨ ଆବିଷ୍କାର ହେଇଯିବା ପରେ ୨୦୨୩ ମସିହାରେ ଆହୂତ ହେଇଥିଲା କୃତ୍ରିମ ବୁଦ୍ଧିମତାର ସେଫ୍ଟି ସମ୍ମିଟ୍ ବା ନିରାପତ୍ତା ସମ୍ମିଳନୀ । ସେଠାରେ ବିଶେଷଜ୍ଞମାନେ ସମ୍ମତ ହୋଇଥିଲେ ଏଆଇ ଦ୍ୱାରା ସୃଷ୍ଟ ପ୍ରୋଟିନ ଡିଜାଇନର ଡକ୍ୟୁମେଣ୍ଟେସନ କରିବା ପାଇଁ ଓ ଏହି ନୂତନ ଡିଜାଇନର ପ୍ରାକୃତିକ ପ୍ରତିପକ୍ଷକୁ ଡିଏନଏର ଜେନେଟିକ କୋଡ୍ ମାଧ୍ୟମରେ ନିର୍ଦ୍ଧାରିତ କରିବା ପାଇଁ । ଫଳରେ ଏକ ଡାଟା ବେସ୍ ସୃଷ୍ଟି କରାଯିବ, ଯାହାକୁ ବ୍ୟବହାର କରି ସହଜରେ ଜାଣିହେବ କେଉଁଗୁଡ଼ିକ ବିପଦ ସୃଷ୍ଟିକାରୀ ଡିଜାଇନ । ଅର୍ଥାତ୍ ଯଦି ଗୋଟିଏ ନୂତନ ନିର୍ମିତ ପ୍ରୋଟିନର ଗଠନ ବିଶ୍ୱରେ ଥିବା ରୋଗ ସୃଷ୍ଟିକାରୀ ବ୍ୟାକଟେରିଆ ବା ପାଥୋଜେନ ସହିତ ସାଦୃଶ୍ୟ ଥିବ, ତାହାକୁ ଚିହ୍ନଟ କରି ବାଦ୍ ଦବାକୁ ହେବ ।
ବୈଜ୍ଞାନିକମାନଙ୍କ ମଧ୍ୟରେ ସହଯୋଗ ହିଁ ବିଜ୍ଞାନ ପ୍ରଗତିର ମୁଖ୍ୟ କଥା । ତଥାପି କିଛି ଟ୍ରେଡ ସିକ୍ରେଟକୁ ମଧ୍ୟ ଗ୍ରହଣ କରାଯାଇଛି ସମ୍ମିଳନୀରେ, ଯେପରିକି ଏହି କେତେକ ନୂତନ ଆବିଷ୍କାର ଖୁବ୍ ଆବଶ୍ୟକ, କିନ୍ତୁ ଏହାର ଖୋଲାଖୋଲି ସେୟାରିଂ ଖୁବ୍ ବିପଜ୍ଜନକ । ଏହି ଡାଟା ବେସ୍ ଦ୍ୱାରା ଯଦି କୌଣସି ସ୍ଥାନରେ ସମଗ୍ର ବିଶ୍ୱରେ ବାୟୋଲଜିକାଲ ସ୍ପ୍ରିଟ୍ ବା ବିପଦ ସୃଷ୍ଟି ହେଲା ଏହା ସହଜରେ ଚିହ୍ନଟ ହୋଇପାରିବ ଏହାର ମୂଳ କେଉଁଠି । ପୁଣି ଯଦି ପ୍ରୋଟିନର ନୂତନ ନକ୍ସାରୁ ଏହା ସିନ୍ଥେସିସ୍ କରାଯାଇପାରିଲା ତାହେଲେ ମାସ୍ ସ୍ପେକଟୋଗ୍ରାଫି ମାଧ୍ୟମରେ ଏହାକୁ ଖଣ୍ଡ ଖଣ୍ଡ କରି, କ୍ଷୁଦ୍ର ଟୁକୁରା ଗୁଡ଼ିକରୁ ଏମିନୋ ଏସିଡଗୁଡ଼ିକର କ୍ରମ ଜଣାଯାଇପାରିବ । ଏହାକୁ ଜେନୋମିକ ଡାଟା ସହିତ ତୁଳନା କରାଯାଇ ସେହି ପ୍ରୋଟିନକୁ ଚିହ୍ନଟ କରାଯାଇ ପାରିବ ।
ଏଠାରେ ଉଲ୍ଲେଖନୀୟ, ଡିଏନଏ ମଧ୍ୟରେ ଲୁକ୍କାୟିତ ଥାଏ ଇନଷ୍ଟ୍ରକ୍ସନ୍ସ ବା ନିର୍ଦ୍ଦେଶ ଗୋଟିଏ ଜୀବର ବଞ୍ଚି ରହିବା, ବିକଶିତ ହେବା ଓ ବଂଶ ବୃଦ୍ଧି କରିବା । ସେଥିପାଇଁ ଡିଏନରେ କ୍ରମକୁ ପରିବର୍ତ୍ତନ କରାଯାଏ ସେସେଜକୁ ଯାହାକୁ ବ୍ୟବହାର କରି ଜୀବ ମଧ୍ୟସ୍ଥ ଜୀବକୋଷ ନୂତନ ଧରଣର ଆବଶ୍ୟକୀୟ ପ୍ରୋଟିନ ସଂଶ୍ଳେଷଣ ବା ସିନ୍ଥେସିସ୍ କରିବାକୁ ସମର୍ଥ ହୁଏ । ତେବେ ଏଇ ବର୍ଷର ରସାୟନ ବିଜ୍ଞାନର ନୋବେଲ ପୁରସ୍କାର ଦିଆଯାଇଛି ସେଇଭଳି ରସାୟନବିତ୍ ଓ ଉତ୍କୃଷ୍ଟ କୃତ୍ରିମ ବୁଦ୍ଧିମତାର ବ୍ୟବହାର କିପରି ରସାୟନ ବିଜ୍ଞାନର ନୂତନ ଦିଗନ୍ତ ଖୋଲି ଦବାର ସାମର୍ଥ୍ୟ ବହନ କରେ ତାହାକୁ ସୂଚିତ କରି । ସେଥିପାଇଁ ପୁରସ୍କାର ଅର୍ଥର ଅର୍ଦ୍ଧେକ ଦିଆଯାଇଛି ବେକରଙ୍କୁ ଓ ବଳକା ଅର୍ଦ୍ଧେକ ବଣ୍ଟାଯାଇଛି ଆଲଫା ଫୋଲଡର ଦୁଇ ନିର୍ମାତା- ଡେମିମ ଓ ଜମ୍ପରକୁ ସମାନ ଭାବରେ । ମାନବ କଲ୍ୟାଣ, ମାନବ ଜୀବନ ରକ୍ଷାର ଏଭଳି ପ୍ରଶଂସନୀୟ ଆବିଷ୍କାରକୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରାଯାଇଛି ଏହି ସର୍ବୋଚ୍ଚ ପୁରସ୍କାର ପ୍ରଦାନ ମାଧ୍ୟମରେ ।