ହମାସ୍ ଓ ହେଜବୋଲ୍ଲା ବିପକ୍ଷରେ ଇସ୍ରାଏଲର ସଂଘର୍ଷ ଜାରି ରହିଥିଲାବେଳେ ଇରାନ ମଧ୍ୟ ସେଥିରେ ସାମିଲ ହୋଇଛି । ଦିନକୁ ଦିନ ଏହି ସଂଘର୍ଷର କରାଳ ରୂପ ସମଗ୍ର ବିଶ୍ୱରେ ସୃଷ୍ଟି କରିଛି ଉଦ୍ବେଗ । ଲେବାନନରେ ହେଜବୋଲ୍ଲାର ଗୁପ୍ତ ସ୍ଥଳୀଗୁଡ଼ିକ ଉପରେ ଇସ୍ରାଏଲର ଡିଫେନ୍ସ ଫୋର୍ସ ଘନଘନ ଆକ୍ରମଣ କରି ଅନେକ ଗୁପ୍ତ ଆଡ୍ଡା ସ୍ଥଳୀ ଧ୍ୱଂସ କରିଥିଲେ ମଧ୍ୟ କେତେକ ଆଡ୍ଡା ସ୍ଥଳୀ ଏବେ ମଧ୍ୟ ସକ୍ରିୟ । ସେଠାରେ ନିୟୋଜିତ ଜାତିସଂଘ ଶାନ୍ତି ସେନାରେ ସାମିଲ ଥିବା ଭାରତୀୟ ଶାନ୍ତି ସେନା ସଦସ୍ୟଙ୍କ ପାଇଁ ସୃଷ୍ଟି କରିଛି ବିରାଟ ଆହ୍ୱାନ ।
‘ବିଶ୍ୱ ଶାନ୍ତି’ ମିଳିତ ଜାତିସଂଘର ମୂଳ ଉଦ୍ଦେଶ୍ୟ । ୧୯୪୫ ଅକ୍ଟୋବର ୨୪ ତାରିଖରେ ମିଳିତ ଜାତିସଂଘ ଗଠିତ ହେବା ପରେ ଭାରତ ଏହାର ସଦସ୍ୟ ରହି ବିଶ୍ୱ ଶାନ୍ତି ରକ୍ଷାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି । ପିସ୍-କିପିଙ୍ଗ-ଫୋର୍ସ ବା ଶାନ୍ତି ସେନାର ମୂଳ ଲକ୍ଷ୍ୟ ଶାନ୍ତି ସ୍ଥାପନ । ଅସ୍ତ୍ର ଦ୍ୱାରା ବଳ ପ୍ରୟୋଗ ନକରି ଏହାର ସଫଳ ରୂପାୟନ ପାଇଁ ସଂଯମ, ଶୃଙ୍ଖଳା, ମିଲିଟାରୀ ଜ୍ଞାନ କୌଶଳର ସଠିକ୍ ଉପଯୋଗ ଓ ଉତ୍ତମ ବ୍ୟବହାର ପ୍ରଦର୍ଶନର ଆଶ୍ୟକତା କାରଣରୁ ଏହି ଶାନ୍ତି ସେନାର ଚୟନ ପ୍ରକ୍ରିୟା ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ । ଭାରତ ବିଶ୍ୱ ଶାନ୍ତି ରକ୍ଷା ଉଦ୍ଦେଶ୍ୟରେ ତାର ସେନା ବାହିନୀର ସଦସ୍ୟଙ୍କୁ ଲେବାନନ, ଇଥିଓପିଆ, ଇଜିପ୍ଟ, ଇସ୍ରାଏଲ, କୋରିଆ, କଙ୍ଗୋ, ଭିଏତନାମ, କାମ୍ବୋଡିଆ, ଲାଓସ, ସୁଦାନ, ମୋଜାମ୍ବିକ, ସୋମାଲିଆ, ସିଏରାଲିଓନ ପ୍ରଭୃତି ଦେଶକୁ ପଠାଇଛି । ଆଜି ପର୍ଯ୍ୟନ୍ତ ଭାରତ ଏକଲକ୍ଷ ଅଶି ହଜାରରୁ ଊଦ୍ଧ୍ୱର୍ ସୈନିକଙ୍କୁ କରିଛି ନିୟୋଜିତ । ବର୍ତ୍ତମାନ ବିଶ୍ୱର ୧୫୭ ଦେଶରୁ ନିୟୋଜିତ ଶାନ୍ତି ସେନାଙ୍କ ସଂଖ୍ୟା ୧ଲକ୍ଷ ୪ହଜାର ଥିଲାବେଳେ ଭାରତୀୟ ସଦସ୍ୟଙ୍କ ସଂଖ୍ୟା ୮୧୦୮ ଜଣ ।
୨୦୧୪ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଶାନ୍ତି ମିଶନରେ ଅଂଶଗ୍ରହଣ କରିଥିବା ଭାରତୀୟ ସେନାର ୩୨୬୩ ଜଣ ଜୀବନ ହରାଇଛନ୍ତି, ଯାହାକି ଅଂଶଗ୍ରହଣକାରୀ ସମସ୍ତ ଦେଶ ତୁଳନାରେ ସର୍ବାଧିକ । ୧୯୫୪ ମସିହା ଠାରୁ ୧୯୭୦ ମସିହା ପର୍ଯ୍ୟନ୍ତ ଭିଏତନାମ, କାମ୍ବୋଡିଆ ଓ ଲାଓସରେ ଭାରତୀୟ ସେନା ଯୁଦ୍ଧ ବିରତି ନିରୀକ୍ଷଣ, ଯୁଦ୍ଧବନ୍ଦୀ ଆଦାନ ପ୍ରଦାନ ଏବଂ ବିଦ୍ରୋହୀଙ୍କ ଦମନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଇଜିପ୍ଟ ଓ ଇସ୍ରାଏଲ ମଧ୍ୟରେ ଶତ୍ରୁତା ସୃଷ୍ଟି ହେବା କାରଣରୁ ୟୁନାଇଟେଡ ନେସନ୍ସ ଇମରଜେନ୍ସି ଫୋର୍ସ ଗଠନ କରାଗଲା । ସୃଷ୍ଟ ବିଷମ ପରିସ୍ଥିତିକୁ ଲକ୍ଷ୍ୟରଖି ଶାନ୍ତି ସେନା ସେଠାରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ କାର୍ଯ୍ୟ ସଂପାଦନ ପାଇଁ ହୋଇଥିଲେ ନିୟୋଜିତ । ସବୁଠାରୁ କଷ୍ଟଦାୟକ ଏବଂ ସଂଘର୍ଷପୂର୍ଣ୍ଣ ଶାନ୍ତି ମିଶନ ଥିଲା ସୋମାଲିଆରେ ୧୯୯୩-୧୯୯୪ ମସିହାରେ । ଏହି ଶାନ୍ତି ମିଶନରେ ଭାରତୀୟ ସେନାର ସ୍ଥଳବାହିନୀ ଓ ନୌବାହିନୀର ସଦସ୍ୟ ଅଂଶଗ୍ରହଣ କରିଥିଲେ ।
ଭାରତୀୟ ନୌସେନାର ଯୁଦ୍ଧଜାହାଜ ସୋମାଲିଆ ତଟବର୍ତ୍ତୀ ସମୁଦାୟ ଜଳରାଶିରେ ପାଟ୍ରୋଲିଂ କରିବା ସହ ସ୍ଥଳଭାଗରେ ଆର୍ମି ଯବାନ ସାଧାରଣ ନାଗରିକଙ୍କୁ ମାନିକତା ଦୃଷ୍ଟିରୁ ସହାୟତା ପ୍ରଦାନ କାର୍ଯ୍ୟ ସଂପାଦନ କରି ହୋଇଥିଲେ ଆସ୍ଥାଭାଜନ । ଭାରତୀୟ ସ୍ଥଳ ସେନାବାହିନୀ ସହ ବାୟୁ ସେନାବାହିନୀର ସଦସ୍ୟ କଙ୍ଗୋରେ ନିୟୋଜିତ ଥାଇ ଶାନ୍ତି ସେନା ମିଶନରେ ୟୁଟିଲିଟି ହେଲିକୋପ୍ଟର ଓ ଏଟାକ୍ ହେଲିକୋପ୍ଟର ବ୍ୟବହାର କରିବା ଘଟଣା ଥିଲା ଚମକପ୍ରଦ । ୨୦୧୪ ମସିହାରେ ବିଶ୍ୱ ଶାନ୍ତି ମିଶନରେ ଭାରତର ୮୧୨୩ ଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଥିଲେ ପୋଲିସ ବାହିନୀର ୯୯୧ ଜଣ, ଯେଉଁଥିରେ ମହିଳା ପୋଲିସ ମଧ୍ୟ ସାମିଲ । ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ଲାଗି ରହିଛି । ଇସ୍ରାଏଲ ବିପକ୍ଷରେ ହମାସ୍, ହେଜବୋଲ୍ଲା ଏବଂ ହୁତୀ ହୁଙ୍କାର ଦେଇ ସଂଘର୍ଷ ଜାରି ରଖିଥିଲାବେଳେ ଇରାନ ମଧ୍ୟ ସେମାନଙ୍କ ସପକ୍ଷରେ କେବଳ ସ୍ୱର ଉତ୍ତୋଳନ କରିନାହିଁ, ଇସ୍ରାଏଲ ଉପରକୁ ଅନେକ ମିଜାଇଲସ ଓ ଡ୍ରୋନ କ୍ଷେପଣ କରି ସ୍ଥିତିକୁ କରିଛି ଅଧିକ ଗମ୍ଭୀର ।
ଇସ୍ରାଏଲ ଓ ଲେବାନନ ମଧ୍ୟରେ ଘଟିଥିବା ସଂଘର୍ଷ ବହୁ ପୁରୁଣା । ଏହି ଦୁଇ ଦେଶ ମଧ୍ୟରେ ସୀମାକୁ ନେଇ ସ୍ଥାୟୀ ସମାଧାନ ହୋଇପାରି ନଥିବାରୁ ଜାତିସଂଘ ସେଠାରେ ଶାନ୍ତି ସ୍ଥାପନ ପାଇଁ ଶାନ୍ତି ସେନା ନିୟୋଜିତ ରଖିଛି, ଯେଉଁଥିରେ ଭାରତର ସେନା ସଦସ୍ୟ ମଧ୍ୟ ସାମିଲ ଅଛନ୍ତି । ଯଦି ଇତିହାସ ପୃଷ୍ଠାକୁ ଓଲଟାଇବା, ତେବେ ୧୯୭୮ ମସିହାରେ ଇସ୍ରାଏଲ ଓ ଲେବାନନ ମଧ୍ୟରେ ଜାତିସଂଘ ଦ୍ୱାରା ନିର୍ଦ୍ଧାରିତ ୧୨୦ କି.ମି. ଦୀର୍ଘ ସୀମା ଯାହାକି ବ୍ଲୁ-ଲାଇନ ଭାବେ ବିଦିତ³ ସେଠାରେ ଶାନ୍ତି ଓ ସୁରକ୍ଷା ଜାରି ରହିବାକୁ ୟୁନାଇଟେଡ ନେସନ୍ସ ଇଣ୍ଟେରିମ ଫୋର୍ସ-ଇନ୍-ଲେବାନନ, ସଂକ୍ଷେପରେ (ୟୁ.ଏନ.ଆଇ.ଏଫ.ଆଇ.ଏଲ୍) ନିୟୋଜିତ ଅଛନ୍ତି । ବିଶ୍ୱର ୩୪ଟି ଦେଶର ୯୫୩୨ ଜଣ ସେନା ସଦସ୍ୟ ସେଠାରେ ଥାଇ ଶାନ୍ତି ରକ୍ଷା କରିବାରେ ତତ୍ପର । ସେମାନଙ୍କ ମଧ୍ୟରୁ ଇଣ୍ଡୋନେସିଆର ସର୍ବାଧିକ ୧୨୧୫ ଜଣ ସେନା ସଦସ୍ୟ ଥିଲାବେଳେ ଇଟାଲୀର ୯୬୩ ଜଣ, ଭାରତର ୮୭୬ ଜଣ, ନେପାଳର ୮୫୮ ଜଣ ଏବଂ ଘାନାର ୮୫୭ ଜଣ ନିୟୋଜିତ ରହିଛନ୍ତି ।
୧୯୮୨ ମସିହାରେ ଇସ୍ରାଏଲ ପୁଣି ଲେବାନନ ଉପରେ ଆକ୍ରମଣ କରି ପାଲେଷ୍ଟାଇନ ଲିବେରେସନ ଫୋର୍ସ (ପି.ଏଲ.ଓ) ସଦସ୍ୟଙ୍କୁ ହଟାଇ ଦେଇଥିଲା, ମାତ୍ର କିଛି ସମୟ ଅତିକ୍ରାନ୍ତ ପରେ ହେଜବୋଲ୍ଲା ସଂଗଠନ ସେଠାରେ ତାର କାୟା ବିସ୍ତାର କଲା । ୧୯୮୦ରୁ ୧୯୯୦ ମସିହା ପର୍ଯ୍ୟନ୍ତ ହେଜବୋଲ୍ଲା ଓ ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇ.ଡି.ଏଫ.) ମଧ୍ୟରେ ବହୁବାର ସଂଘର୍ଷ ଘଟି ଯାଇଛି । ୨୦୦୦ ମସିହାରେ ଇସ୍ରାଏଲ ଲେବାନନରୁ ତାର ସେନା ପ୍ରତ୍ୟାହାର ପରେ ଜାତିସଂଘ ନିୟୋଜିତ ଶାନ୍ତି ସେନା ଦକ୍ଷିଣ ଦିଗରେ ଥିବା ଅଞ୍ଚଳରେ ଶାନ୍ତି ସ୍ଥାପନ ପାଇଁ ଉଦ୍ୟମ ଜାରି ରଖିଲେ । ୨୦୦୬ ମସିହାରେ ହେଜବୋଲ୍ଲା ସୀମାବର୍ତ୍ତୀ ଅଞ୍ଚଳ ସଂଲଗ୍ନ ଇସ୍ରାଏଲର ସହର ଉପରକୁ ଆକ୍ରମଣ କରିବାରୁ ଅନେକ କ୍ଷୟକ୍ଷତି ଘଟିଲା । ଇସ୍ରାଏଲ ପୁଣି ଆକ୍ରମଣ ଜାରି ରଖିବାର ୩୪ଦିନ ପରେ ଜାତିସଂଘର ପ୍ରତ୍ୟକ୍ଷ ଉଦ୍ୟମରେ ସିଜଫାୟାର ବା ଅସ୍ତ୍ରବିରତି ଘୋଷିତ ହେଲା ଏବଂ ଇସ୍ରାଏଲ ସେଠାରୁ ଓହରି ଆସିଥିଲା । ଶାନ୍ତି ସ୍ଥାପନ ପାଇଁ ଜାତିସଂଘ ଦ୍ୱାରା ପ୍ରେରିତ ଶାନ୍ତି ସେନା ସେଠାରେ ପୁଣି ନିୟୋଜିତ ରହିଥିଲେ ମଧ୍ୟ ଦକ୍ଷିଣ ଲେବାନନ ପ୍ରାୟତଃ ହେଜବୋଲ୍ଲା ଅଧୀନରେ ରହିଛି ।
ହମାସ୍ ଓ ହେଜବୋଲ୍ଲା ବିପକ୍ଷରେ ଇସ୍ରାଏଲର ସଂଘର୍ଷ ଜାରି ରହିଥିଲାବେଳେ ଇରାନ ମଧ୍ୟ ସେଥିରେ ସାମିଲ ହୋଇଛି । ଦିନକୁ ଦିନ ଏହି ସଂଘର୍ଷର କରାଳ ରୂପ ସମଗ୍ର ବିଶ୍ୱରେ ସୃଷ୍ଟି କରିଛି ଉଦ୍ବେଗ । ଲେବାନନରେ ହେଜବୋଲ୍ଲାର ଗୁପ୍ତ ସ୍ଥଳୀଗୁଡ଼ିକ ଉପରେ ଇସ୍ରାଏଲର ଡିଫେନ୍ସ ଫୋର୍ସ ଘନଘନ ଆକ୍ରମଣ କରି ଅନେକ ଗୁପ୍ତ ଆଡ୍ଡା ସ୍ଥଳୀ ଧ୍ୱଂସ କରିଥିଲେ ମଧ୍ୟ କେତେକ ଆଡ୍ଡା ସ୍ଥଳୀ ଏବେ ମଧ୍ୟ ସକ୍ରିୟ । ସେଠାରେ ନିୟୋଜିତ ଜାତିସଂଘ ଶାନ୍ତି ସେନାରେ ସାମିଲ ଥିବା ଭାରତୀୟ ଶାନ୍ତି ସେନା ସଦସ୍ୟଙ୍କ ପାଇଁ ସୃଷ୍ଟି କରିଛି ବିରାଟ ଆହ୍ୱାନ । ୨୦୨୪ ସେପ୍ଟେମ୍ବରରେ ହେଜବୋଲ୍ଲା ମୁଖ୍ୟ ହାସାନ ନସରଲ୍ଲାଙ୍କୁ ଇସ୍ରାଏଲ ସେନା ନାଟକୀୟ ଭାବେ ହତ୍ୟା କରିବା ସହ ଅନ୍ୟ କେତେକ ଟପ୍ କମାଣ୍ଡରଙ୍କୁ ନିପାତ କରିବାରେ ସଫଳ ହେବା ପରେ ସୃଷ୍ଟି ହୋଇଛି ଉତ୍ତେଜନା ।
ହେଜବୋଲ୍ଲା ଓ ଇସ୍ରାଏଲ ସେନା ମଧ୍ୟରେ ସୃଷ୍ଟ ସଂଘର୍ଷପୂର୍ଣ୍ଣ ସ୍ଥିତିରେ ଜାତିସଂଘ ନିୟୋଜିତ ଶାନ୍ତି ସେନାର ଲେବାନନରେ ଥିବା ନାକୌରା ମୁଖ୍ୟାଳୟ ଏବଂ ଅନ୍ୟ କେତେକ ଶାନ୍ତି ସେନା ପୋଷ୍ଟ ଉପରେ ଇସ୍ରାଏଲର ଗ୍ରାଉଣ୍ଡ ଫୋର୍ସ ଅକ୍ଟୋବର ୧୦ ତାରିଖରେ ଆକ୍ରମଣ କରିବାରୁ ସେଠାରେ ନିୟୋଜିତ ଶାନ୍ତି ସେନା ପାଇଁ ଥିବା ଭେହିକିଲ ଏବଂ ଯୋଗାଯୋଗ ପାଇଁ କମ୍ୟୁନିକେସନ ଇକ୍ୱିପମେଣ୍ଟ ତଥା ଉପକରଣ ନଷ୍ଟ ହୋଇଥିବାର ସୂଚନା ମିଳେ । ଇସ୍ରାଏଲ ସେନାର ଦୁଇଟି ଟ୍ୟାଙ୍କ ୨୦୨୪ ଅକ୍ଟୋବର ୧୩ ତାରିଖରେ ଶାନ୍ତି ସେନା ନିୟୋଜିତ ଥିବା ଅଞ୍ଚଳରେ ମୁଖ୍ୟ ଗେଟ୍ ଭାଙ୍ଗିଦେଇ ସେଠାରେ ସେମାନଙ୍କ ବ୍ୟବହୃତ ସାମଗ୍ରୀଗୁଡ଼ିକ ଧ୍ୱଂସ ବିଧ୍ୱସ୍ତ କରିଦେଇଥିଲେ । ସ୍ମୋକ୍-ବୋମା କ୍ଷେପଣ କରାଯିବାରୁ ଶାନ୍ତି ସେନା ସଦସ୍ୟଙ୍କ ମଧ୍ୟରୁ କେତେଜଣ ଚର୍ମ ପୀଡ଼ାରେ ଜର୍ଜରିତ । ଆଉ କେତେ ଜଣ ସଦସ୍ୟ ଆହତ ହୋଇଥିବାର ସୂଚନା ମିଳେ । ଇସ୍ରାଏଲ ସେନା ଶାନ୍ତି ସେନା ପୋଷ୍ଟ ଉପରେ ଆକ୍ରମଣ ପୂର୍ବରୁ ସେଠାରୁ ହଟିଯିବାକୁ ନିବେଦନ କରିଥିଲେ, କାରଣ ସେମାନଙ୍କ ଉପସ୍ଥିତି ହେଜବୋଲ୍ଲାକୁ ହ୍ୟୁମାନ ସିଲ୍ଡ ଯୋଗାଇବାରେ ହେଉଥିଲା ସମର୍ଥ ।
ଶାନ୍ତି ସେନା ସଦସ୍ୟଙ୍କ ଉପରେ ଆକ୍ରମଣ ଘଟଣା ବିଶ୍ୱର ଅନେକ ରାଷ୍ଟ୍ରଙ୍କୁ କରିଛି ବ୍ୟଥିତ । ବିଶ୍ୱର ବିଭିନ୍ନ ଦେଶର ଶାନ୍ତି ସେନା ସଦସ୍ୟ ଶାନ୍ତି ରକ୍ଷା ପାଇଁ ଉଦ୍ୟମରତ ଥିଲାବେଳେ ଇସ୍ରାଏଲ ସେନାର ଆକ୍ରମଣକୁ ସହଜରେ ଗ୍ରହଣ କରିପାରି ନାହାନ୍ତି । ଜାତିସଂଘର ପତାକା ତଳେ କାର୍ଯ୍ୟରତ ଏହି ସଦସ୍ୟଙ୍କ କୌଣସି କ୍ଷତି ଯେଭଳି ନଘଟିବ ସେଥିପାଇଁ ଏକ ମିଳିତ ବିବୃତି ଜାରି ହୋଇଛି । ମାତ୍ର ଭାରତ ସେଥିରେ ସାମିଲ ନହୋଇ ଇସ୍ରାଏଲକୁ ସିଧାସଳଖ ନିଜ ମନୋଭାବ ଜଣାଇବା କାରଣରୁ ଅନ୍ୟ ଦେଶଗୁଡ଼ିକ ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି । ଭାରତର ବୈଦେଶିକ ମନ୍ତ୍ରାଳୟ ଅକ୍ଟୋବର ୧୧ ତାରିଖରେ ଏକ ବିବୃତିରେ ଦର୍ଶାଇଛି³ ବ୍ଲୁ-ଲାଇନରେ ବିଗୁଡୁଥିବା ସୁରକ୍ଷା ସ୍ଥିତିକୁ ନେଇ ଭାରତ ଚିନ୍ତିତ ଏବଂ ଏହାର ସ୍ଥିତି ଉପରେ ନଜର ରଖିଛି ।
ତ୍ୟାଗ ଓ ବଳିଦାନ ହେଉଛି ଭାରତର ପରମ୍ପରା । ଜାତିସଂଘ ଶାନ୍ତିରକ୍ଷା ଅଭିଯାନରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଶାନ୍ତି ଅଭିଯାନକୁ ଆଗେଇ ନେବା ଲାଗି ଭାରତ ସବୁ ସମୟରେ ଦୃଢ଼ତାର ସହ ଛିଡ଼ା ହୋଇଛି ଓ ଭବିଷ୍ୟତରେ ମଧ୍ୟ ଛିଡ଼ା ହେବ, ଏଥିରେ ସନ୍ଦେହର ଅବକାଶ ନାହିଁ