ଓଡ଼ିଶାର ସ୍ୱାସ୍ଥ୍ୟସେବା ଇତିହାସରେ ଜାନୁଆରୀ ମାସ ୧୩ ତାରିଖ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଦେଶର ୩୩ଟି ରାଜ୍ୟ ସାମିଲ ହୋଇଥିଲେ ବି ଓଡ଼ିଶା ସମେତ ତିନିଟି ରାଜ୍ୟ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିନଥିଲେ । ରାଜ୍ୟବାସୀଙ୍କ ପ୍ରତି କରାଯାଇଥିବା ଅନ୍ୟାୟର ଅବସାନ ହୋଇଛି । ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନାର ଆମେ ଲାଭାର୍ଥୀ ହେବା । କେନ୍ଦ୍ରୀୟ ଯୋଜନାର ଲାଭାର୍ଥୀ ହେବାରୁ ବଞ୍ଚିତ ରାଜ୍ୟବାସୀଙ୍କୁ ସେବା ଦେବାକୁ ପୁଷ୍ ପୁନେଇର ଶୁଭ ଅବସରକୁ ବାଛିଲୁ । ଦେଶର ୩୪ତମ ରାଜ୍ୟଭାବେ ତାଲିକାରେ ଓଡ଼ିଶା ସ୍ଥାନ ପାଇଲା । ଏହି ଉପହାର ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ୍ ପ୍ରସାଦ ନଡ୍ଡାଜୀଙ୍କୁ ମୁଁ ଆପଣମାନଙ୍କ ସହିତ ଧନ୍ୟବାଦ ଅର୍ପଣ କରୁଛି ।
ଆପଣମାନେ ଜାଣନ୍ତି ଯେ, ସମାବେଶୀ ବିକାଶ ଲକ୍ଷ୍ୟ (ସଷ୍ଟେନବଲ୍ ଡେଭଲପମେଣ୍ଟ ଗୋଲ୍) ହାସଲ କରିବାକୁ ଭାରତ ସମେତ ବିଶ୍ୱର ସମସ୍ତ ଦେଶ ଚୁକ୍ତିବଦ୍ଧ ହୋଇଛନ୍ତି । ସେଥିରେ ଅଛି ସାର୍ବଜନୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବା ସମସ୍ତଙ୍କୁ ଯେପରି ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟସେବା ମିଳିବ, ତାହାପାଇଁ ବ୍ୟବସ୍ଥା କରିବା । ଏହି ସଂକଳ୍ପ ଅନୁସାରେ ସବୁଠୁ ପଛରେ ରହିଥିବା ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ମିଳିପାରିବ, ତାହାର ଖସଡ଼ା ପ୍ରସ୍ତୁତ କରିବାକୁ କେନ୍ଦ୍ରରେ ଥିବା ମୋଦି ସରକାର ଜାତୀୟ ସ୍ୱାସ୍ଥ୍ୟ ନୀତି-୨୦୧୭ ପ୍ରଣୟନ କରିଥିଲେ । ତାହାର ସୁପାରିସ ଅନୁଯାୟୀ ଭାରତ ସରକାରଙ୍କ ଏକ ପ୍ରମୁଖ ଯୋଜନା ଭାବେ ଆୟୁଷ୍ମାନ ଭାରତର ପରିକଳ୍ପନା ରୂପ ନେଲା । ଆୟୁଷ୍ମାନ ଭାରତ ଅଧୀନରେ ଦୁଇଟି ଆନ୍ତଃସମ୍ପର୍କିତ ଯୋଜନା ରହିଛି । ପ୍ରଥମଟି ହେଲା ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର (ହେଲ୍ଥ ୱେଲନେସ୍ ସେଣ୍ଟର) ଓ ଦ୍ୱିତୀୟଟି ହେଲା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ୨୦୧୮ ଫେବ୍ରୁଆରୀରେ, ଭାରତ ସରକାର ଦେଶରେ ଥିବା ଦେଢ଼ଲକ୍ଷ ଉପକେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକୁ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ରରେ ରୂପାନ୍ତରିତ କରିବାର ଘୋଷଣା କରିଥିଲେ । ଏହି କେନ୍ଦ୍ରଗୁଡ଼ିକ ବ୍ୟାପକ ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ସହିତ ଲୋକଙ୍କ ଘରେ ସ୍ୱାସ୍ଥ୍ୟସେବା ପହଞ୍ଚାଇ ପାରିଲା । ଫଳରେ ମା' ଏବଂ ଶିଶୁ ସ୍ୱାସ୍ଥ୍ୟସେବା ଏବଂ ଅଣ-ସଂକ୍ରାମକ ରୋଗ, ମାଗଣା ଅତ୍ୟାବଶ୍ୟକୀୟ ଔଷଧ ଏବଂ ନିଦାନ ସେବା ମିଳିପାରିଲା ।
ତତ୍କାଳୀନ ରାଜ୍ୟ ସରକାର ଏହି ପ୍ରଥମ ଯୋଜନାକୁ କାର୍ଯ୍ୟକାରୀ କରିଥିଲେ ହେଁ ଆୟୁଷ୍ମାନ ଭାରତ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ କାର୍ଯ୍ୟକାରୀ କଲେନାହିଁ । ଏହି କେନ୍ଦ୍ରୀୟ ଯୋଜନାରେ "ପ୍ରଧାନମନ୍ତ୍ରୀ' ଶବ୍ଦ ଥିବାରୁ ବୋଧହୁଏ, ଦଳୀୟ ସ୍ୱାର୍ଥ ଆଗରେ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ବଳି ଦିଆଯାଇଥିଲା । ଆମ ରାଜ୍ୟର ଯୁବବର୍ଗଙ୍କୁ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟରେ ଖଟିବାକୁ ଛାଡିଦେଇ ସେମାନଙ୍କୁ ପ୍ରବାସରେ ଥିବା ସର୍ବୋତ୍ତମ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ପାଇବାର ଅଧିକାରରୁ ବଞ୍ଚିତ କରାଯାଇଥିଲା । ଆମେ ଏହାକୁ ଏକ ପାପ ରୂପେ ମନେକରି ଓଡ଼ିଶାରେ କ୍ଷମତାକୁ ଆସିଲେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସଂକଳ୍ପ ନେଇଥିଲୁ, ଯାହା ଆମେ ଏବେ ପୂରଣ କରିବାକୁ ଯାଉଛୁ । ଏହି ଯୋଜନା ୨୩ ସେପ୍ଟେମ୍ବର, ୨୦୧୮ ଠାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲେ ହେଁ ଆସନ୍ତା ମାସଠାରୁ ଆମ ରାଜ୍ୟରେ ଲାଗୁହେବାକୁ ଯାଉଛି ।
ଆୟୁଷ୍ମାନ ଭାରତ ଯୋଜନା ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା/ଆଶ୍ୱାସନା ଯୋଜନା, ଯେଉଁଥିପାଇଁ ଆବଶ୍ୟକ ହେଉଥିବା ସମସ୍ତ ପାଣ୍ଠି ସରକାର ବହନ କରନ୍ତି । ହିସାବ କରି ଜଣାଯାଇଛି ଯେ, ପ୍ରତିବର୍ଷ କେବଳ ଖର୍ଚ୍ଚବହୁଳ ଚିକିତ୍ସା କାରଣରୁ ଆମ ଭାରତର ପ୍ରାୟ ଛଅକୋଟି ଲୋକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯାଆନ୍ତି । ବଡ଼ କଥା ଯେ, ଏହି ଯୋଜନାରେ ଡାକ୍ତରଖାନାରେ ଭର୍ତ୍ତି ହେବାର ୩ଦିନ ପୂର୍ବରୁ ରୋଗ ନିର୍ଣ୍ଣୟ ଖର୍ଚ୍ଚ ଏବଂ ଡାକ୍ତରଖାନାରେ ଚିକିତ୍ସା ପାଇ ଘରକୁ ଯିବାର ୧୫ଦିନ ପର୍ଯ୍ୟନ୍ତ ଔଷଧ ଖର୍ଚ୍ଚ ମଧ୍ୟ ବହନ କରିବାର ସୁବିଧା ଅଛି । ଯୋଜନାରେ ଔଷଧ, ରୋଗ ନିର୍ଣ୍ଣୟ ସେବା, ଡାକ୍ତରଙ୍କ ପାଉଣା, ଖଟିଆ ଓ କୋଠରିର ଭଡ଼ା, ଅସ୍ତ୍ରୋପଚାର କରୁଥିବା ସର୍ଜନଙ୍କ ପାଉଣା, ଅସ୍ତ୍ରୋପଚାର ଗୃହ ଏବଂ ଆଇସିୟୁ ଖର୍ଚ୍ଚ ଇତ୍ୟାଦି ଅନ୍ତର୍ଭୁକ୍ତ । ଅଥଚ, ଏଭଳି ଏକ ଚମତ୍କାର ତଥା ଯୁଗାନ୍ତକାରୀ ସର୍ବବୃହତ ସ୍ୱାସ୍ଥ୍ୟ ଯୋଜନାକୁ କେବଳ ରାଜନୀତି କରିବା ପାଇଁ ଆମ ରାଜ୍ୟର ଲୋକଙ୍କୁ ଏଥିରୁ ଦୂରେଇ ରଖାଯାଇଥିଲା ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟଙ୍କ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ଆମ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ଓଡ଼ିଶାକୁ ସାମିଲ କରିବା ପାଇଁ ମୋ ଉପସ୍ଥିତିରେ ଏକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରୋକ୍ଷ (ଭର୍ଚୁଆଲ୍) ଉପସ୍ଥିତିରେ, କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଏବଂ ରସାୟନ ଏବଂ ସାର ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାକ୍ଷର ସମାରୋହରେ ମୁଁ ନିଜେ ଉପସ୍ଥିତ ରହିଥିଲି । ମୋ ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଆଲ ଓରାମ, କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ ଏବଂ ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏବଂ ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ । ଏହି ଅବସରରେ, ମୁଁ ସୂଚନା ଦେବାକୁ ଚାହେଁ ଯେ, ପ୍ରଚଳିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ସମନ୍ୱୟ ରଖି କାର୍ଯ୍ୟକାରୀ ହେବ । ଏହା ପ୍ରତି ପରିବାରକୁ ବାର୍ଷିକ ୫ଲକ୍ଷ ଟଙ୍କାର ବୀମା ପ୍ରଦାନ କରିବ ଏବଂ ମାଆମାନଙ୍କ ପାଇଁ ଅତିରିକ୍ତ ୫ଲକ୍ଷ ଟଙ୍କା, ଅର୍ଥାତ୍ ୧୦ଲକ୍ଷ ଟଙ୍କା ପ୍ରଦାନ କରିବ ।
ଆପଣମାନେ ନିଶ୍ଚୟ ଖୁସି ହେବେ ଯେ, ଏହା କେବଳ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ଯୋଜନା ନୁହେଁ ବରଂ କାର୍ଯ୍ୟକାରୀ ହେଉଥିବା ସବୁଠାରୁ ଦ୍ରୁତତମ ଯୋଜନା । ଏହି ଯୋଜନା ସ୍ୱୟଂସମ୍ପୂର୍ଣ୍ଣ ତଥା ଡିଜିଟାଲ୍ ପରିଚାଳିତ ହୋଇଥିବାରୁ ତ୍ରୁଟିଶୂନ୍ୟ । ଦେଶର ପ୍ରାୟ ୪୫ ପ୍ରତିଶତ ଜନସଂଖ୍ୟାକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଯୋଜନା ଆରମ୍ଭ ହେବା ପରଠାରୁ, ୮.୧୯ କୋଟି ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରେକର୍ଡ କରାଯାଇଛି ଏବଂ ସମାଜର ଉପେକ୍ଷିତ ବର୍ଗଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ୧.୧୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଯୋଜନା ଅଧୀନରେ ୨୭ ପ୍ରକାର ବିଶେଷଜ୍ଞ ଚିକିତ୍ସା ବିଭାଗରେ ପ୍ରାୟ ୨,୦୦୦ ଚିକିତ୍ସା ପ୍ରକ୍ରିୟା ଅନ୍ତର୍ଭୁକ୍ତ, ଯେଉଁଥିରେ ବାଇପାସ୍ ସର୍ଜରୀ ଏବଂ ଆଣ୍ଠୁ ପ୍ରତିସ୍ଥାପନ ଭଳି ପ୍ରମୁଖ ଅସ୍ତ୍ରୋପଚାର ଅନ୍ତର୍ଭୁକ୍ତ ଅଛି । ଆମ ରାଜ୍ୟର ଲୋକମାନେ, ଯେଉଁମାନେ ପୂର୍ବରୁ ପ୍ରାୟ ୯୦୦ ତାଲିକାଭୁକ୍ତ ହସ୍ପିଟାଲରେ ଚିକିତ୍ସା ପାଉଥିଲେ, ସେମାନେ ଏବେ ଦେଶର ତାଲିକାଭୁକ୍ତ ୨୯,୦୦୦ରୁ ଅଧିକ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ନଗଦହୀନ ଚିକିତ୍ସାର ସୁବିଧା ପାଇପାରିବେ । ଏହି ଅବସର ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଓଡ଼ିଶାର ଜନସଂଖ୍ୟାର ୮୬ ପ୍ରତିଶତ ଲୋକଙ୍କ ସ୍ୱାସ୍ଥ୍ୟ ସ୍ଥିତିକୁ ପରିବର୍ତ୍ତନ କରିବା ସହିତ ଓଡ଼ିଶା ବାହାରେ ରହୁଥିବା ମୋର କର୍ମଜୀବୀ ଭାଇଭଉଣୀମାନଙ୍କୁ ଭଲ ଡାକ୍ତରଖାନାମାନଙ୍କରେ ଭର୍ତ୍ତି ହୋଇ ମାଗଣା ଚିକିତ୍ସା ସୁବିଧା ଦେବ ଏବଂ ସେମାନଙ୍କ ବହୁମୂଲ୍ୟ ଜୀବନ ରକ୍ଷା କରିବ । ବାସ୍ତବରେ, ଏହି ବୁଝାମଣାପତ୍ର ସ୍ୱାକ୍ଷର କରି ଆମେ ଦୁଇଟି ଉପଲବ୍ଧି ହାସଲ କରିପାରିଛୁ ।
ପ୍ରଥମରେ, ଆମେ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଛୁ ଏବଂ ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରର ବିକାଶ କାହାଣୀରେ ଏକ ନୂତନ ପୃଷ୍ଠା ଯୋଡ଼ିଛୁ । ଏହାକୁ ‘ବିକଶିତ ଭାରତ' ଏବଂ ‘ଉତ୍କର୍ଷ ଓଡ଼ିଶା' ଲକ୍ଷ୍ୟ ହାସଲ କରିବା ଦିଗରେ ଆଉ ଏକ ପ୍ରଗତିଶୀଳ ପଦକ୍ଷେପ ବୋଲି କହିଲେ ଠିକ୍ ହେବ । ଏହି ଯୋଜନାରେ ଓଡ଼ିଶାର ଜନସାଧାରଣ ତଥା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ସାରା ଦେଶରେ ସୁଲଭ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ମିଳିବ । ଏଥିରେ ରାଜ୍ୟର ୧କୋଟି ୩ଲକ୍ଷ ପରିବାର ଉପକୃତ ହେବେ । ଏହାଦ୍ୱାରା ରାଜ୍ୟର ୨୩, ୧୨,୯୭୯ ଜଣ ୭୦ବର୍ଷରୁ ଊଦ୍ଧ୍ୱର୍ ବରିଷ୍ଠ ନାଗରିକମାନେ ମଧ୍ୟ ମାଗଣା ଚିକିତ୍ସା ସୁବିଧା ପାଇପାରିବେ । ଧନୀ କିମ୍ବା ଗରିବ ନୁହେଁ ବରଂ ଯେକୌଣସି ଆର୍ଥିକ ବର୍ଗର ୭୦ବର୍ଷରୁ ଊଦ୍ଧ୍ୱର୍ ବରିଷ୍ଠ ନାଗରିକ ଏହି ଯୋଜନାରେ ସାମିଲ ହେବାର ବ୍ୟବସ୍ଥା କରାଯାଇଛି । ଯେଉଁ ସରକାରୀ ଯୋଜନାମାନ ଲୋକଙ୍କ ପାଇଁ ଉଦ୍ଦିଷ୍ଟ, ତାହାର ଲାଭ ସଂପୃକ୍ତ ହିତାଧିକାରୀ ପାଇବା ଉଚିତ । ରାଜ୍ୟର ସମସ୍ତ ଲୋକପ୍ରତିନିଧି ଏହି ଯୋଜନା ସହ ସମ୍ପୃକ୍ତ ସମସ୍ତ ଅଧିକାରୀ, କର୍ମଚାରୀ, ସାମାଜିକ ସଂଗଠନ ତଥା ସଚେତନ ନାଗରିକଙ୍କୁ ବିନମ୍ର ନିବେଦନ, ସେମାନେ ଏହି ଯୋଜନାରେ ସକ୍ରିୟ ଭୂମିକା ଗ୍ରହଣ କରନ୍ତୁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ଓଡ଼ିଶାବାସୀ ନିରାମୟ ରୁହନ୍ତୁ ଏହା ହିଁ ପ୍ରାର୍ଥନା । ଜୟ ଜଗନ୍ନାଥ ।
ପ୍ରଚଳିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ସମନ୍ୱୟ ରଖି କାର୍ଯ୍ୟକାରୀ ହେବ । ଏହା ପ୍ରତି ପରିବାରକୁ ବାର୍ଷିକ ୫ଲକ୍ଷ ଟଙ୍କାର ବୀମା ପ୍ରଦାନ କରିବ ଏବଂ ମାଆମାନଙ୍କ ପାଇଁ ଅତିରିକ୍ତ ୫ଲକ୍ଷ ଟଙ୍କା, ଅର୍ଥାତ୍ ୧୦ଲକ୍ଷ ଟଙ୍କା ପ୍ରଦାନ କରିବ ।