ମାତୃଭାଷା ଭଳି ନଦୀକୁ ମାଆ ଭଳି ସମ୍ମାନ ଦେଉଥିବା ଆମ ଦେଶର ନାଗରିକମାନେ ନଦୀକୁ ସେମାନଙ୍କର ଜୀବନରକ୍ଷାକାରୀ ଅନେକ ପଦାର୍ଥ ମଧ୍ୟରୁ ନଦୀର ମଧୁର ଜଳକୁ ଶ୍ରେଷ୍ଠତା ପ୍ରଦାନ କରି ପୂଜା ଅର୍ଚ୍ଚନା କରନ୍ତି । ଏପରି ଗଙ୍ଗା, ଯମୁନା ଭଳି କେତୋଟି ନଦୀରେ ବୁଡ଼ ପକାଇ ପୁଣ୍ୟ ଅର୍ଜନ କରନ୍ତି ।
ମାଆ, ମାତୃଭୂମି ଏବଂ ମାତୃଭାଷାକୁ ନେଇ ଏବେ ରାଜନୀତିଠାରୁ ଆରମ୍ଭ କରି ଶିକ୍ଷାକ୍ଷେତ୍ରରେ ଚର୍ଚ୍ଚା ଜୋର ଧରୁଛି । ପ୍ରକୃତରେ ଭାରତୀୟମାନେ ମାଆ ଶବ୍ଦକୁ ଉଚ୍ଚାରଣ କରିବା ମାତ୍ରେ ସେମାନଙ୍କ ମନରେ ଏକ ଉଦ୍ବେଳନ ସ୍ୱତଃ ଖେଳିଯାଏ । ମାଆ ବଞ୍ଚିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଧିକାଂଶ ବ୍ୟକ୍ତି ଏକ ଆଶ୍ୱସ୍ତ ତଥା ନିଶ୍ଚିନ୍ତ ଜୀବନ ବିତାଉ ଥିବାବେଳେ "ବାପା ଥିବା ପୁଅ ସଭାରେ ହାରେନାହିଁ' ଭଳି ଉକ୍ତିଟି କେବଳ ଓଡ଼ିଆ ଭାଷାଭାଷୀ ବ୍ୟକ୍ତିଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ, ବରଂ ସମଗ୍ର ଭାରତବର୍ଷର ଅଧିବାସୀ ମାତୃଶକ୍ତି ଆଗରେ ନତମସ୍ତକ ହୋଇପଡ଼ନ୍ତି । ପିତାଙ୍କର ମହାନତା, ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ ଶ୍ରମଦାନରେ ପାରଦର୍ଶିତାକୁ ମନେପକାଇ ପିଲାମାନେ ସଂକୁଚିତ ହୋଇପଡ଼ିବା ସ୍ୱାଭାବିକ କଥା । ମାତ୍ର ସବୁଠାରୁ ବଡ଼ କଥା ହେଲା, ପୃଥିବୀର କୌଣସି ଦେଶର ନାମ ସହିତ ମାଆ ଭଳି ଶବ୍ଦକୁ ସଂଯୋଗ କରିବା କଥା ଦେଖାଯାଉନଥିବା ବେଳେ ଆମେ ଭାରତ ସହିତ ମାତା ଶବ୍ଦକୁ ଯୋଡ଼ିଦେଇ ଉତ୍ଫୁଲ୍ଲିତ ହୋଇଯାଏ । ଭାରତ ମାତାର ସନ୍ତାନ ହିସାବରେ ଆମର ଦାୟିତ୍ୱବୋଧ ଦ୍ୱିଗୁଣିତ ହୋଇଯାଏ । ଦେଶପ୍ରେମରେ ଉତ୍ଫୁଲ୍ଲିତ ଅନେକ ବ୍ୟକ୍ତି ଦେଶମାତୃକା ପାଇଁ ପ୍ରାଣ ଦେବାକୁ ସବୁଠାରୁ ବଡ଼ ଉପଲବ୍ଧି ବୋଲି ମାନୁଥିବାବେଳେ ସେମାନଙ୍କର ତ୍ୟାଗକୁ ନେଇ ପିଢ଼ି ପରେ ପିଢ଼ି ଆଲୋଚନା ଜୋର୍ ଧରେ । ବିଦ୍ୟାଳୟରେ ବକ୍ତୃତା ପ୍ରତିଯୋଗିତା ହୁଏ । ଅମର ଯବନ ଜ୍ୟୋତି ନିକଟରେ ବିଶିଷ୍ଟ ବ୍ୟକ୍ତିମାନେ ନତମସ୍ତକ ହୋଇ ସମ୍ମାନ ଜଣାଇବାକୁ ବାରମ୍ବାର ଯାଆନ୍ତି । ସେଥିରେ ସେମାନଙ୍କର ଆତ୍ମସନ୍ତୁଷ୍ଟି ବହୁଗୁଣିତ ହୋଇଯାଏ ଯାହା ମନ୍ଦିର, ମସ୍ଜିଦ୍, ଗୀର୍ଜା, ଗୁରୁଦ୍ୱାରାରେ ମିଳେନାହିଁ । ଏମାନଙ୍କ ବ୍ୟତୀତ ଆହୁରି ଅନେକ ଦେଶଦ୍ରୋହୀ ଅଛନ୍ତି । ମାତୃଜାତି ପ୍ରତି ସମ୍ବେଦନଶୀଳ ନହୋଇ ତା'ର ବିରୋଧାଚରଣ କରନ୍ତି । ସେମାନଙ୍କୁ ଜାତି ମନେ ରଖେନାହିଁ, ବରଂ ଘୃଣା କରେ ।
ଖୁସିର କଥା ହେଲା, ଭାରତ ମାତାଙ୍କର କନ୍ୟାସନ୍ତାନମାନେ ଏବେ ଘରର ଏରୁଣ୍ଡି ଡେଇଁ ବାହାରକୁ ଆସିଲେଣି । କେତେକ ରାଜ୍ୟରେ କନ୍ୟାସନ୍ତାନମାନଙ୍କର ସଂଖ୍ୟା ପୁତ୍ରସନ୍ତାନ ପ୍ରାପ୍ତି ମୋହରେ କମିଯାଇଛି । ତଥାପି ନାରୀମାନେ ସ୍ୱାବଲମ୍ବୀ ହେବାକୁ ପ୍ରୟାସ ଜାରି ରଖିଥାନ୍ତି । ପରିବାରର ସଦସ୍ୟମାନେ ମଧ୍ୟ ଝିଅମାନଙ୍କୁ ସାହାଯ୍ୟ ସହଯୋଗ ପାଇଁ ଲମ୍ବାହାତ ବଢ଼ାଇ ଦେଉଛନ୍ତି । ସେ ଯାହା ହେଉନା କାହିଁକି, ଦେଶର ଆର୍ଥିକ ବିକାଶରେ ମହିଳାମାନଙ୍କର ଯୋଗଦାନ ଏବେ ଅନସ୍ୱୀକାର୍ଯ୍ୟ । ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଅର୍ଥାତ୍ ଶ୍ରମଦାନ ଦେଉଥିବା ମହିଳାଙ୍କ ସଂଖ୍ୟା ଏବେ ୫୬.୮%ରେ ପହଞ୍ଚିଥିବାବେଳେ ସିକିମ୍ରେ ମହିଳାଙ୍କ ଯୋଗଦାନ ୭୦%ରେ ପହଞ୍ଚିଛି । ଯାହା କେରଳ ଭଳି ଅଗ୍ରଣୀ ରାଜ୍ୟଠାରୁ ମଧ୍ୟ ଅଧିକ । ଆମ ରାଜ୍ୟର ମହିଳା ବା ମାଆମାନେ ଏବେ ଘରେ ନାହାନ୍ତି । ମାଛଚାଷ, କୁକୁଡ଼ା ଚାଷ, ଛତୁ ଚାଷଠାରୁ ଆରମ୍ଭ କରି ଘରୋଇ ଉଦ୍ୟୋଗରେ କାମ କରି ଖୁବ୍ ଆନନ୍ଦରେ ଅଛନ୍ତି । ମାତ୍ର ବିଡ଼ମ୍ବନାର କଥା ହେଲା, ସୁଧ କାରବାରଠାରୁ ଆରମ୍ଭ କରି ମଦ ପ୍ରସ୍ତୁତି ସହ ନିଶା ପଦାର୍ଥକୁ ନେବା ଆଣିବା କରିବା ଭଳି ଘୃଣ୍ୟ କାମରେ କେତେଜଣ ମହିଳାଙ୍କ ପ୍ରତ୍ୟକ୍ଷ ଯୋଗଦାନ ଆମ ସମାଜକୁ ବିଶୃଙ୍ଖଳିତ ବା ବିପଦମୁଖି କରୁଛି । ଯାହାକୁ ରୋକିବା ପ୍ରଶାସକଙ୍କ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ହେଲାବେଳେ ଭବିଷ୍ୟ ପିଢ଼ିଙ୍କ ପାଇଁ ଏହା ଏକ ଲଜ୍ଜାଜନକ ଘଟଣା ରୂପେ ସ୍ଥାନ ପାଇଛି । ତଥାପି ଭାରତବର୍ଷରେ ଶୃଙ୍ଖଳିତ ଜୀବନ ଜିଇଁବା ପାଇଁ ମାତୃଭାଷା, ମାତୃଜାତି ଏବଂ ମାତୃଭୂମିର ଗାରିମା ରକ୍ଷା କରିବାକୁ ଯାଇ ନ୍ୟାୟିକ ବ୍ୟବସ୍ଥାରେ ଅନେକ ସଂସ୍କାର ଆଣିବା ସହିତ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ୍ ବିଭାଗକୁ ଅଖଣ୍ଡ କ୍ଷମତା ପ୍ରଦାନ କରାଯାଇଛି ।
ନାଗରିକମାନଙ୍କର ସୁବିଧା ଅସୁବିଧାକୁ ଶୁଣିବା ଏବଂ ଶୁଣାଇବା ପାଇଁ ମାତୃଭାଷାର ପ୍ରୟୋଗ ଉପରେ ଗୁରୁତ୍ୱ ଦିଆଯାଇଛି³ ଯାହା ଅତ୍ୟନ୍ତ ସରଳ ତଥା ହୃଦୟସ୍ପର୍ଶୀ ହୋଇପାରିବ ବୋଲି ଆଶା କରାଯାଉଛି । ମାତୃଭାଷାରେ ବୁଝିବା, ବୁଝାଇବା, ଅଭିଯୋଗ କରିବା, ପୁଣି ଅଭିଯୋଗକୁ ଶୁଣିବା ଯେତିକି ମର୍ମସ୍ପର୍ଶୀ ଅନ୍ୟ କୌଣସି ଭାଷାରେ ଏସବୁକୁ ଅଭିବ୍ୟକ୍ତ କରିବା ସାଧାରଣ ଲୋକଙ୍କ ପାଇଁ ଆଦୌ ସହଜ କଥା ନୁହେଁ । ସେଥିପାଇଁ ଆମ ଦେଶର ଏକଶହ ଏକୋଇଶିଟି କଥିତ ଭାଷା ଚଳୁଥିବାବେଳେ, ବାଇଶିଟି ଭାଷାକୁ ଅଫିସିଆଲ୍ ଭାଷାର ମାନ୍ୟତା ମିଳିଛି ଏବଂ ଆଶା କରାଯାଉଛି ପ୍ରାଥମିକ ଶିକ୍ଷା ସହିତ ଥାନା, କୋର୍ଟ କଚେରିରେ ମାମଲା ଦାୟର ଏବଂ ଶୁଣାଣି ଭଳି କାମ ମାତୃଭାଷାରେ ହିଁ ହେଉ । କାରଣ ଦେଶବାସୀଙ୍କୁ ଶିକ୍ଷିତ କରିବା ସହିତ ଉପଯୁକ୍ତ ତଥା ଉଚ୍ଚତର ଗୁଣାତ୍ମକ ଶିକ୍ଷା ପ୍ରଦାନରେ ମାତୃଭାଷାର ବ୍ୟବହାର ଅତୁଳନୀୟ । ମାତୃଭାଷାକୁ ଭିତ୍ତିକରି କାରିଗରୀ ବିଦ୍ୟା, ପ୍ରଯୁକ୍ତିବିଦ୍ୟା ସହ ମହାକାଶ ସମ୍ବନ୍ଧୀୟ ଜ୍ଞାନ ଆହରଣ କରିବା ଦେଶ ମଧ୍ୟରେ ଜାପାନ, ରୁଷ, ଚୀନ, ଉ.କୋରିଆ, ଦ.କୋରିଆ, ଜର୍ମାନ ଭଳି ଅନେକ ୟୁରୋପୀୟ ଦେଶର ଉଦାହରଣକୁ ନିଆଯାଇପାରେ ।
ଏତେସବୁ ତଫାତ୍କୁ ଦେଖି "ଦେଶ୍କେ ଫାଙ୍କ୍, ନଦୀକେ ବାଙ୍କ୍' ଭଳି ଲୋକକଥା ପ୍ରଚଳିତ ହୋଇଛି । ମାତୃଭାଷା ଭଳି ନଦୀକୁ ମାଆଭଳି ସମ୍ମାନ ଦେଉଥିବା ଆମ ଦେଶର ନାଗରିକମାନେ ନଦୀକୁ ସେମାନଙ୍କର ଜୀବନରକ୍ଷାକାରୀ ଅନେକ ପଦାର୍ଥ ମଧ୍ୟରୁ ନଦୀର ମଧୁର ଜଳକୁ ଶ୍ରେଷ୍ଠତା ପ୍ରଦାନ କରି ପୂଜା ଅର୍ଚ୍ଚନା କରନ୍ତି । ଏପରି ଗଙ୍ଗା, ଯମୁନା ଭଳି କେତୋଟି ନଦୀରେ ବୁଡ଼ ପକାଇ ପୁଣ୍ୟ ଅର୍ଜନ କରନ୍ତି । ଆମ ଦେଶରେ ଏବେ ସର୍ବମୋଟ ଚାରିଶହଟି ନଦୀ ପ୍ରବାହିତ ହେଉଥିବାବେଳେ ସେଥିମଧ୍ୟରୁ ବାରଟି ମୁଖ୍ୟ ନଦୀ ଭାରତବର୍ଷର ଭାଗ୍ୟ ନିର୍ଦ୍ଧାରକ ସାଜି ପ୍ରବାହିତ ହେଉଛନ୍ତି । ଏମାନଙ୍କ ବ୍ୟତୀତ କୋଡ଼ିଏଟି ନଦୀକୁ ସଂଯୋଗ କରାଯାଇ ବନ୍ୟାବିପତ୍ତିରୁ ରକ୍ଷା କରାଯିବା ବ୍ୟତୀତ ଜଳ ସେଚନକୁ ତ୍ୱରାନ୍ୱିତ କରାଯାଇଛି । ତଥାପି ଆହୁରି ଅନେକ ନଦୀଜନିତ ସମସ୍ୟା ଭାରତବାସୀଙ୍କୁ ବିବ୍ରତ କରୁଛି । କେଉଁଠି ଜଳାଭାବ ତ କେଉଁଠି ଅତ୍ୟଧିକ ଜଳ ପ୍ରବାହ ଜନଜୀବନକୁ ଦୁର୍ବିସହ କରିଦେଉଛି ।
ଓଡ଼ିଶାରେ ପ୍ରବାହିତ ହେଉଥିବା ଦୀର୍ଘତମ ନଦୀ ମହାନଦୀ ସହିତ ଋଷିକୂଲ୍ୟା, ବୈତରଣୀ, ବୁଢ଼ାବଳଙ୍ଗ, ଖରସ୍ରୋତା ଭଳି ନଦୀ ଓଡ଼ିଶାର ଶସ୍ୟକ୍ଷେତ୍ର ସହ ସମସ୍ତ ରାଜ୍ୟବାସୀଙ୍କର ତୃଷ୍ଣାକୁ ମେଣ୍ଟାଇବାର କ୍ଷମତା ରଖିଥିବାବେଳେ ନଦୀଜଳ ପରିଚାଳନା ସହ ନଦୀ ସଂଯୋଗୀକରଣ ଭଳି ଉନ୍ନତ ଚିନ୍ତାଧାରା ଆମ ରାଜ୍ୟରେ ବିଶେଷ ଭାବରେ ପରିଲକ୍ଷିତ ହେଉନାହିଁ । କିଛି ଦେଶ ବଦଳୁଛି । ତା'ସହିତ ସମତାଳରେ ଆମ ରାଜ୍ୟର ଅଧିବାସୀମାନଙ୍କର ଜୀବନଶୈଳୀର ବ୍ୟାପକ ଅଗ୍ରଗତି ପରିଲକ୍ଷିତ ହେଉଛି । ମାତ୍ର ମହାନଦୀ ଏବଂ ତା’ର ଶାଖାନଦୀଗୁଡ଼ିକର ଦୁରବସ୍ଥା ଅର୍ଥାତ୍ ବାଲୁକାପୂର୍ଣ୍ଣ ଶଯ୍ୟାକୁ ଦେଖିଲେ ମନରେ କ୍ଷୋଭ ଜାତ ହେଉଛି । ଆଖିଆଗରେ ନାଚିଉଠୁଛି ଜାପାନର ସିନାନୋ ନଦୀରେ ଗଢ଼ାଯାଇଥିବା ଅନେକଗୁଡ଼ିଏ ସାତରୁ ଆଠଫୁଟ ଉଚ୍ଚତାବିଶିଷ୍ଟ ମଜଭୁତ କାନ୍ଥ । ଯାହା ପାହାଡ଼ିଆ ନଦୀର ଜଳପ୍ରବାହକୁ ରୋକିବା ସହିତ ସ୍ଥାନୀୟ ଅଞ୍ଚଳର ଆବଶ୍ୟକତାକୁ ପୂରଣ କରିବାରେ ବିଶେଷ ସହାୟକ ହୋଇଥାଏ । ଜାପାନର ମୁଖ୍ୟ ଫସଲ ଅଟେ ଧାନ, ଯାହା ସର୍ବାଧିକ ମଧୁର ଜଳ ଆବଶ୍ୟକ କରିଥାଏ । ଛୋଟ ଦେଶଟିର ଗଡ଼ାଣିଆ ଧାନ ଜମି ସହିତ ଦଶ କୋଟି ଲୋକଙ୍କର ଆବଶ୍ୟକତା ବ୍ୟତୀତ ଅନେକ ଶିଳ୍ପକୁ ମଧୁର ଜଳ ଯୋଗାଇବା ଆଦୌ ସହଜ କଥା ହୋଇନଥିବାବେଳେ ଜାପାନୀମାନଙ୍କର ଜଳ ସଂଚୟର ପ୍ରୟାସ ଆମକୁ ଚମତ୍କୃତ କରୁଥାଏ । ବିଶେଷ କରି କମନ୍ ବାଥ୍ଟବ୍ ବା ଗୋଟିଏ ବଡ଼ ଉଷୁମ ଜଳପୂର୍ଣ୍ଣ କୁଣ୍ଡର ଚାରିପଟେ ଅନେକ ଲୋକ ସାବୁନ୍ ଲଗାଇ ଭଲକରି ଗାଧୋଇ ସାରିଲା ପରେ କୁଣ୍ଡ ମଧ୍ୟରେ ପଶି ବେଶ୍ କିଛି ସମୟ ବୁଡ଼ି ମନଶାନ୍ତି ହୋଇସାରିଲା ପରେ ବାହାରି ଆସନ୍ତି । ଯାହା ମଧୁର ଜଳକୁ ସଂଚୟ କରିବାର ମନୋବୃତ୍ତି ସ୍ପଷ୍ଟଭାବରେ ପ୍ରକାଶ ପାଇଥାଏ ।
ବିଶେଷକରି ପୃଥିବୀର ସର୍ବାଧିକ ଜନବହୁଳ ଦେଶ ଭାରତର ଦେଶବାସୀଙ୍କୁ ଅନେକ କିଛି ଶିଖାଇ ଦିଅନ୍ତି । ଦେଶପ୍ରେମଠାରୁ ଆରମ୍ଭ କରି ମାତୃଭାଷା ପ୍ରତି ଥିବା ପ୍ରଗାଢ଼ ନିଷ୍ଠା, କାରିଗରୀ କୌଶଳ ସହିତ ନଦୀମାତୃକାର ରକ୍ଷଣାବେକ୍ଷଣ ବ୍ୟତୀତ ନଦୀପଥକୁ ବିନିଯୋଗ କରି ପରିବହନ ବ୍ୟବସ୍ଥାକୁ ସୁଗମ କରିବାର ଶୈଳୀ ଆମକୁ ସଂକୁଚିତ କରିଦେଉଥିଲା, ଆମ ସହିତ ଥିବା ପର୍ଯ୍ୟଟକମାନେ ଗାଇଡ୍କୁ ପ୍ରଶ୍ନ କଲେ ଇଂରାଜୀ ଭାଷାକୁ ପଢୁନଥିବା ଜାପାନର ଛାତ୍ରଛାତ୍ରୀମାନେ କାରିଗରୀ ବିଦ୍ୟାଭଳି ଜଟିଳ ପାଠ ସହିତ ଗବେଷଣା କାର୍ଯ୍ୟକୁ କିଭଳି ନିର୍ଭୁଲ ଭାବରେ ଆଗେଇ ନିଅନ୍ତି । ଗାଇଡ୍ ଜଣକ କିଛି ସମୟ ଚୁପ୍ ରହିବା ପରେ ଗମ୍ଭୀର ଭାବରେ ଆମ ପ୍ରଶ୍ନର ଉତ୍ତର ଦେଇ କହିଲେ- ଆମର ଭାଷାକୋଷ ବା ଡିକ୍ସିନାରୀରେ ଶବ୍ଦର ସଂଖ୍ୟା ଆଦୌ କମ୍ ନୁହେଁ, ଯାହା ଆମକୁ ଉଚ୍ଚଶିକ୍ଷା ପ୍ରାପ୍ତି ବା ଗବେଷଣା କ୍ଷେତ୍ରରେ ବାଧକ ସୃଷ୍ଟି କରିବ । ଏହା ବ୍ୟତୀତ ଆମେ ଜାପାନୀମାନେ ଖୁବ୍ ପରିବାରପ୍ରିୟ । ବିଶେଷକରି ନିଜର ମାତୃଭୂମି, ମାତୃଭାଷା ସହିତ ଆମ ମାଆମାନଙ୍କୁ ଆମେ ଖୁବ୍ ସମ୍ମାନ ଦେଉ । ମାଆଙ୍କର ସ୍ୱାସ୍ଥ୍ୟପ୍ରଦ ହାତରନ୍ଧା ଖାଦ୍ୟ ଖାଇବା ପାଇଁ ଆମେ ଦୀର୍ଘ ତିନିଶହ କିଲୋମିଟର ରାସ୍ତା ଅତିକ୍ରମ କରି ପ୍ରତ୍ୟେକ ଦିନ କାର୍ଯ୍ୟକ୍ଷେତ୍ରକୁ ଯାଉ ଏବଂ କାମ ସାରି ପୁଣି ଘରକୁ ଫେରିଆସୁ ।
ଗାଇଡ୍ଙ୍କର ସଂକ୍ଷିପ୍ତ ଭାଷଣ ଆମକୁ ସ୍ତବ୍ଧ କରିଦେଇଥିଲା । ଫୁଜି ପର୍ବତମାଳାର ଅଗ୍ନିଉଦ୍ଗୀରଣ ବେଶ୍ କିଛିବର୍ଷ ତଳୁ ବନ୍ଦ ହୋଇଯାଇଛି । ବରଫ ଚାଦରର ଆବୃତ୍ତ ଗିରିଶୃଙ୍ଗ ଆମ ଦେଶର ହିମାଳୟ ଗିରିଶୃଙ୍ଗକୁ ମନେପକାଇ ଦେଉଥିଲା । ତା’ସହିତ ଆଖିଆଗରେ ନାଚିଉଠିଲା ଗଙ୍ଗୋତ୍ରୀର ତୁଷାରସ୍ରୋତରୁ ଜନ୍ମ ନେଇଥିବା ମାଆ ଗଙ୍ଗାଙ୍କର ସ୍ୱଚ୍ଛ ଜଳଧାରା । ଯାହା ଉତ୍ତରପ୍ରଦେଶର ବନାରସ, ବିହାର, କୋଲକାତା ଭଳି ସହରାଞ୍ଚଳର ବର୍ଜ୍ୟବସ୍ତୁକୁ ସିଧାସଳଖ ଧାରଣ କରି ନିଜର ସ୍ୱଚ୍ଛତାକୁ ହରାଇବା ସହିତ ଦୂଷିତ ହୋଇଯାଉଛି । ବନାରସର ଅସିଘାଟର ଅଧାପୋଡ଼ା ଶବ ସହିତ ଯାବତୀୟ ଅର୍ଦ୍ଧଦଗ୍ଧ କାଠ, ଲୁଗାପଟା, ଜରି, ଫୁଲମାଳର ଭାସମାନ ଦୃଶ୍ୟ ସହିତ ଦିଲ୍ଲୀରେ ପ୍ରବାହିତ ହେଉଥିବା ଯମୁନା ନଦୀର ଫେଣ ଭର୍ତ୍ତି ଜଳରାଶିକୁ ନେଇ ଆମ ସହିତ ଥିବା ଅଧିକାଂଶ ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକମାନଙ୍କ ମୁଖରୁ ହସ ଲିଭିଗଲା । ଚେରୀ ବ୍ଲୋସମ୍ରେ ଫୁଲର ସମ୍ଭାର ଆମକୁ ଯେତିକି ଆନନ୍ଦିତ କରୁଥାଏ, ଆମେ ଆମ ଦେଶର କୃଷ୍ଣଚୂଡ଼ା ଫୁଲର ସୌନ୍ଦର୍ଯ୍ୟକୁ ଚେରୀ ବ୍ଲୋସମ୍ ସହିତ ତୁଳନା କରି ଖୁସି ହେଉଥାଉ ।
ଆମ ସାଙ୍ଗରେ ଥିବା ଅବସରପ୍ରାପ୍ତ ଚିଫ୍ ଇଞ୍ଜିନିୟର ସୁରେଶ ସାହା କହିଲେ, ଆମେ ଯଦି ବ୍ୟବସ୍ଥିତ ଢଙ୍ଗରେ କୃଷ୍ଣଚୂଡ଼ା ଗଛକୁ ପର୍ଯ୍ୟାପ୍ତ ପରିମାଣରେ ପର୍ଯ୍ୟଟନ ସ୍ଥାନମାନଙ୍କରେ ଲଗାଇ ଦେଇପାରନ୍ତୁ ଏବଂ ମହାନଦୀର ଶୁଖିଲା ବାଲୁକା ଶଯ୍ୟାରେ ଏ କୂଳରୁ ସେ କୂଳଯାଏ କେତୋଟି ପଥର ବନ୍ଧ ବାନ୍ଧିଦେଇ ପାରନ୍ତୁ, ତେବେ ଆମ ରାଜ୍ୟ ମଧ୍ୟ ଜାପାନକୁ ବଳେଇ ଯିବାକୁ ବେଶୀ ସମୟ ଲାଗନ୍ତା ନାହିଁ । ଅନ୍ୟମାନଙ୍କର ଟୁପ୍ଟାପ୍ କଥା ଆମକୁ ଶୁଣାଯାଉନଥିଲା । କିନ୍ତୁ ଲାଗୁଥିଲା ଏମାନେ ମଧ୍ୟ କିଛି କରିବାର ପ୍ରତିଜ୍ଞାରେ ନିଜକୁ ଦୃଢ଼ କରୁଛନ୍ତି। ବିଶେଷ କରି ମାତୃଭୂମି, ମାତୃଭାଷା, ନଦୀ ମାତୃକା ସହିତ ମାତୃଶକ୍ତିର ଉନ୍ନତି କଳ୍ପେ ସେମାନେ ନିଶ୍ଚୟ ଆଲୋଚନା କରୁଥିବେ ।