ବ୍ୟାନର : ମୁନ୍ ଟିଭି ମୁଭିଜ୍ ଓ ପ୍ରକାଶ ଫିଲ୍ମସ୍
ପ୍ରଯୋଜକ : ସଚ୍ଚିକାନ୍ତ ଜେନା, ପ୍ରଶାନ୍ତ ବେହେରା
ନିର୍ଦ୍ଦେଶନା : ପ୍ରତାପ ରାଉତ
ସଂଳାପ : ଡ. ରଜନୀ ରଞ୍ଜନ
ଅଭିନୟରେ: ଚୌଧୁରୀ ଜୟପ୍ରକାଶ ଦାସ, ଦୀପନ୍ୱିତ ଦାସ ମହାପାତ୍ର, ସୂର୍ଯ୍ୟମୟୀ, ଶୁଭାଶିଷ ଶର୍ମା, ସମରେଶ ରାଉତରାୟ, ଚୌଧୁରୀ ବିକାଶ ଦାସ
ଗତ ରବିବାର ପ୍ରେକ୍ଷାଳୟକୁ ଆସିଛି ଚଳଚ୍ଚିତ୍ର ‘ରଙ୍ଗଶୁର’ । ଫିଲ୍ମର କାହାଣୀ ଆରମ୍ଭ ହେଉଛି ଏକ ଗ୍ରାମୀଣ ପରିବେଶରୁ । ଗାଁର ବୟସ୍କ ବ୍ୟକ୍ତି ଘନିଆ ଜଣେ ବାଘନାଚ ଶିଳ୍ପୀ । ବାପା, ଜେଜେବାପାଙ୍କଠାରୁ ଘନିଆ ବାଘନାଚ ଶିଖିଛି । ପରମ୍ପରାକୁ ଆଗକୁ ବଢ଼ାଇବା ସହ ପରିବାର ପ୍ରତିପୋଷଣ କରୁଛି । କେବଳ ସେତିକି ନୁହେଁ, ଅନେକଙ୍କୁ ବାଘନାଚ ଶିଖାଇ ନୂଆ ନୃତ୍ୟଶିଳ୍ପୀ ମଧ୍ୟ ଗଢ଼ୁଛି । ଲାଖ ଘନିଆର ପ୍ରିୟଶିଷ୍ୟ । ଗୁରୁ-ଶିଷ୍ୟ ବିଭିନ୍ନ ମଞ୍ଚରେ ନୃତ୍ୟ ପରିବେଷଣ କରି ବେଶ୍ ସୁନାମ ଅର୍ଜନ କରନ୍ତି । ଘନିଆର ଇଚ୍ଛା, ପୁଅଟିଏ ଜନ୍ମ ହେଲେ ବାଘନାଚ ପରମ୍ପରାକୁ ଆଗକୁ ନେବ । ମାତ୍ର ତାହା ହୁଏ ନାହିଁ । ଘନିଆର ସ୍ତ୍ରୀ ଝିଅଟିଏକୁ ଜନ୍ମ ଦେଇ ଆଖି ବୁଜେ । ଜେଜେମା’ ଓ ବାପାଙ୍କ ଦ୍ୱାରା ଲାଳିତ ପାଳିତ ହୁଏ ଘନିଆର ଝିଅ ଚିତ୍ରା । ଘନିଆ ମନରେ ଅନେକ ଦୁଃଖ, ଅନେକ ସନ୍ତାପ - ବାଘନାଚ ପୁରୁଷଙ୍କ ନାଚ । ପୂରା ଶରୀରକୁ କ୍ଲିନ୍ସେଭ୍ କରି ରଙ୍ଗ ବୋଳିହୋଇ ବାଘନାଚରେ ମାତେ ପୁରୁଷ । ଝିଅଟିଏ କ’ଣ ତାହା କରିପାରିବ? ଯଦି ବି କରିବସେ, ସମାଜ ତାହାକୁ କିଭଳି ଦୃଷ୍ଟିରେ ଦେଖିବ?
ଚିତ୍ରା ବଡ଼ ହୁଏ । ଝିଅଟିଏ ହୋଇଥିଲେ ବି ତା’ର ଚଳଣି, ଢଙ୍ଗଢାଙ୍ଗ ପୂରା ପୁଅଟିଏ ଭଳି । ସମୟ ଆସେ, ସେ ବାଘନାଚ ଶିଖେ । ଇଚ୍ଛା କରେ ଗାଁର ଉତ୍ସବ ଅନୁଷ୍ଠାନରେ ନାଚ କରିବାକୁ । ହେଲେ ତାହା କରାଇ ନ ଦେବାକୁ ଚକ୍ରାନ୍ତ କରେ ଓଲବ ପଞ୍ଚାୟତର ଅସାଧୁ ସରପଞ୍ଚ ମାଧବ ମହାନ୍ତି । ମାଧବ ତା’ର ଚେଲାମାନଙ୍କୁ ଲଗାଇ ଘନିଆର ଶିଷ୍ୟ ଲାଖ ବାଘନାଚ କରିବ ବୋଲି ଘୋଷଣା କରେ ସଭାରେ । ଏହାକୁ ବିରୋଧ କାରେ ଘନିଆ । ତାକୁ ସମର୍ଥନ କରନ୍ତି ଗାଁର ବୟୋଜ୍ୟେଷ୍ଠ ମୁଖିଆ । ଚକ୍ରାନ୍ତ ଫେଲ୍ ମାରିବା ଦେଖି ମାଧବ ରକ୍ତ ଚାଉଳ ଚୋବାଏ । ସେପଟେ ଡିଏଫ୍ଓ ରଞ୍ଜନ ସହିତ ମିଶି ମାଧବ ମହାନ୍ତି ଜଙ୍ଗଲ କାଟେ, ଗାଁରେ ମଦ, ଗଞ୍ଜେଇ ବ୍ୟବସାୟ କରେ । ଘଟଣାକ୍ରମେ ମାଧବକୁ ହତ୍ୟା କରେ ଡିଏଫ୍ଓ ରଞ୍ଜନ । ନିଜେ ରଚିଥିବା କୁଚକ୍ରରେ ଫସେ ରଞ୍ଜନ । ଅପକର୍ମ ଯୋଗୁଁ ଜେଲ୍ ଯାଏ । ବାଘନାଚର ମୁଖିଆ ହେବାକୁ ଯାଇ ଲାଖ ଘନିଆ ଦେହରେ ବିଷାକ୍ତ ରଙ୍ଗ ବୋଳେ । ଘନିଆ ମୃତ୍ୟୁମୁଖରେ ପଡ଼େ । ତେଣେ ବାଘନାଚ ପରିବେଷଣ କରୁ କରୁ ଲାଖକୁ ମାରି ପିତୃହତ୍ୟାର ପ୍ରତିଶୋଧ ନିଏ ଚିତ୍ରା।
ଫିଲ୍ମରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ବାଘନାଚକୁ ପର୍ଦ୍ଦାରେ ଦେଖାଇବାର ମହତ ପ୍ରୟାସ କରିଛନ୍ତି ନିର୍ଦ୍ଦେଶକ । ଏଭଳି ପ୍ରୟାସ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ । ଚୌଧୁରୀ ଜୟପ୍ରକାଶ, ଜ୍ୟୋତିରଞ୍ଜନ, ସୂର୍ଯ୍ୟମୟୀ, ଶୁଭାଶିଷ, ଦୀପନ୍ୱିତ, ସମରେଶ ପ୍ରମୁଖ ନିଜ ନିଜ ଚରିତ୍ରରେ ବେଶ୍ ସୁନ୍ଦର ଅଭିନୟ କରିଛନ୍ତି । ‘ରଙ୍ଗଶୁର’ରେ ଜଙ୍ଗଲ ସୁରକ୍ଷା, ନିଶାମୁକ୍ତି ସମାଜ ଗଠନ ଭଳି ବଳିଷ୍ଠ ବାର୍ତ୍ତା ଦିଆଯାଇଛି । ବଡ଼କଥା ହେଉଛି କାହାଣୀକାର ଏ ଫିଲ୍ମ ମାଧ୍ୟମରେ କହିବାକୁ ଚାହିଁଛନ୍ତି ପୁଅ ଭଳି ଝିଅ ମଧ୍ୟ ବଂଶ ପରମ୍ପରାକୁ ଆଗକୁ ନେଇପାରିବ । ପୁଅ ଓ ଝିଅଙ୍କ ଭିତରେ ପ୍ରଭେଦର ଯେଉଁ ସୀମାରେଖା ଟଣାଯାଇଛି ସମାଜରେ, ତାହା ଲିଭିଯାଉ । ତେବେ ପରଦା ଉପରେ ଫିଲ୍ମଟି ସ୍ପଷ୍ଟ ଦୃଶ୍ୟମାନ ହେଉନାହିଁ । ଛବି, ଦୃଶ୍ୟ ସବୁ ଅନ୍ଧାରୁଆ, କୁହୁଡ଼ିଆ, ଝାପ୍ସା ଦିଶୁଛି । ସଂଳାପରେ ତ୍ରୁଟି ରହିଛି । ଯେମିତିକି ସମରେଶ ‘ରୂପରେଖ’ ବଦଳରେ ‘ରୂପରେଖା’ କହୁଛନ୍ତି । ଏସବୁ ତ୍ରୁଟି ସୁଧାରିଥିଲେ ‘ରଙ୍ଗଶୁର’ ଆହୁରି ଗ୍ରହଣୀୟ ହୋଇପାରନ୍ତା। ପରବର୍ତ୍ତୀ ଚଳଚ୍ଚିତ୍ର ନିର୍ମାଣବେଳେ ପ୍ରଯୋଜକ, ନିର୍ଦ୍ଦେଶକ ଏ ଦିଗଟିକୁ ଦୃଷ୍ଟି ଦେବେ ବୋଲି ଆଶା ।