ଆମ ଦେଶ ଟ୍ୟାଲେଣ୍ଟ ସୃଷ୍ଟି କରିବ, କିନ୍ତୁ ଲାଭ ଉଠାଇବ ଆମେରିକା । ୨୦୧୫ରୁ ୨୦୨୨ ମଧ୍ୟରେ ୧୩ଲକ୍ଷ ଭାରତୀୟ ଆମ ଦେଶ ଛାଡ଼ି ବିଦେଶ ଚାଲିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଉଚ୍ଚତମ କୁଶଳୀ । ଯଦି ସେମାନେ ରହିଥାନ୍ତେ ଆମ ଦେଶରେ ଆମରି ଆଇଟି ସେକ୍ଟର ଆମରି ଅର୍ଥବ୍ୟବସ୍ଥାକୁ ଯୋଡ଼ିଥାନ୍ତା ଦୁଇ ବିଲିୟନ ଡଲାର ବା ୨୦୦କୋଟି ଡଲାରର ଅର୍ଥ ପ୍ରତିବର୍ଷ ।
ଏକ ପ୍ରବାସୀମାନଙ୍କ ଦେଶରେ କେହି ଜଣେ ଅଜଣା ମଣିଷ ନୁହନ୍ତି, ବରଂ ସଦ୍ୟ ପ୍ରବେଶ କରିଥିବା ମଣିଷ- ଏକଥା କହିଥିଲେ ଆମେରିକୀୟ ମନସ୍ତତତ୍ତ୍ୱବିତ୍ ଜର୍ମାନୀ ଜନ୍ମିତ ରୁଡୋଲଫ ଆର୍ନେସ୍ ଆମେରିକାକୁ ଆସୁଥିବା ହଜାର ହଜାର ପ୍ରବାସୀଙ୍କୁ ଲକ୍ଷ୍ୟ କରି । କୁହାଯାଏ, ଆମେରିକା ହେଉଛି ପ୍ରବାସୀମାନଙ୍କ ଭୂମି । ବିଭିନ୍ନ ଦେଶରୁ ସେଠାକୁ ଆସୁଥିବା ଇମିଗ୍ରାଣ୍ଟସ୍ ବା ପ୍ରବାସୀମାନେ ଆମେରିକାକୁ ସମୃଦ୍ଧ କରିଛନ୍ତି ବିଭିନ୍ନ କ୍ଷେତ୍ରରେ । ସେମାନଙ୍କୁ ଭିସା ପ୍ରଦାନ କରେ ଆମେରିକା । ପ୍ରତିବର୍ଷ ୮୫ହଜାର ଭିସା ଇସ୍ୟୁ କରେ ଆମେରିକା । ଯେପରିକି ଏଚ-୧ବି ଭିସା, ଏଚ-୨ଏ ଭିସା, ଏଚ-୨ବି, ଏଫ-୧ ଭିସା ଇତ୍ୟାଦି । ଏଚ-୧ବି ଭିସା ହେଉଛି ୱାର୍କ ଭିସା, ଅର୍ଥାତ୍ ସେଠାରେ କୌଣସି ଅନୁଷ୍ଠାନ ଅଧୀନରେ କୁଶଳୀ, ଦକ୍ଷ ଶ୍ରମିକ ଅସ୍ଥାୟୀ ଭାବରେ କାର୍ଯ୍ୟ କରିବାର ଅନୁମତି । ଏହା ୩ବର୍ଷ ପାଇଁ ପ୍ରଦାନ କରାଯାଏ । ଜଣେ ଚାହିଁଲେ ଏହାକୁ ବଢ଼ାଇ ପାରିବ କିମ୍ବା ସେଠାରେ ସ୍ଥାୟୀ ବାସିନ୍ଦା ହେବାକୁ ଚାହିଁଲେ ଗ୍ରୀନକାର୍ଡ ପାଇଁ ଆବେଦନ କରିପାରିବ । ଏହି ଏଚ-୧ବି ଭିସାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ଭିସା ଯୁଦ୍ଧ ରାଷ୍ଟ୍ରପତି ଭାବେ ନିର୍ବାଚିତ ଡୋନାଲଡ ଟ୍ରମ୍ପଙ୍କ ଦୁଇ ସମର୍ଥକ ଗୋଷ୍ଠୀଙ୍କ ମଧ୍ୟରେ ।
ଟ୍ରମ୍ପ ନିଜର ୨୦୧୬ ମସିହା ନିର୍ବାଚନ ବେଳେ ଏହି ପ୍ରବାସୀମାନଙ୍କ ଉପରେ ଅନେକ କଟକଣା ଲାଗୁ କରିଥିଲେ, ଯାହାଫଳରେ ଏଚ୧ବି ଭିସା ପାଇବା ଅତ୍ୟନ୍ତ କଷ୍ଟକର ଥିଲା । ମାତ୍ର ଏଥର ୨୦୨୪ ନିର୍ବାଚନରେ ସ୍ଳୋଗାନ ଦେଇଥିଲେ ‘ମେକ୍ ଆମେରିକା ଗ୍ରେଟ୍ ଏଗେନ୍’ ବା ‘ମାଗା’ । ସେ ସ୍ୱୟଂ କହିଛନ୍ତି ଏଇ ଭିସାକୁ ମୁଁ ବିଶ୍ୱାସ କରେ । ଏହାକୁ ମୁଁ ବ୍ୟବହାର କରିଛି ଅନେକ ଥର ମୋର ପ୍ରୋପର୍ଟି ପାଇଁ । ଏହା ଏକ ଗ୍ରେଟ୍ ପ୍ରୋଗ୍ରାମ । ତେବେ ଏହି ଭିସାକୁ ନେଇ ଲଢ଼େଇ କାହିଁକି? କାରଣ, ଏହା ଏକ ସ୍ପେସିଆଲ ଟାଇପ୍ର ଭିସା । ଇଞ୍ଜିନିୟର୍ସ, ଆଇଟି, ପ୍ରଫେସନାଲ ଆଦିଙ୍କୁ ଆମେରିକୀୟ କମ୍ପାନୀ ଓ ସେଠାରେ ଥିବା ଅନ୍ୟ କମ୍ପାନୀ, ଅନୁଷ୍ଠାନଗୁଡ଼ିକରେ ନିଯୁକ୍ତିଦାତାମାନେ ବିଦେଶୀ ୱାର୍କରମାନଙ୍କୁ ନିଯୁକ୍ତି ପ୍ରଦାନ କରିପାରିବେ ଏହି ଭିସା ମାଧ୍ୟମରେ । ଆମେରିକାକୁ ପ୍ରବେଶ କରିବା ପୂର୍ବରୁ ଆବେଦନ କରିବାକୁ ହେବ ସିଟିଜେନସିପ୍ ଆଣ୍ଡ ଇମିଗ୍ରେସନ ସର୍ଭିସେସ୍ରେ ପଞ୍ଜିକରଣ ପାଇଁ ।
ଏହାର ଅତ୍ୟଧିକ ଦାବି ପରିଲକ୍ଷିତ ହୋଇଛି ବିଗତ ବର୍ଷମାନଙ୍କରେ । ଏହି ଏଚ-୧ବି ଭିସା ୬୫ହଜାର ଆବେଦନକାରୀଙ୍କୁ ପ୍ରଦାନ କରାଯାଏ ପ୍ରତିବର୍ଷ ଓ ଆଉ ୨୦ହଜାର ଗ୍ରାଜୁଏଟ ଡିଗ୍ରୀ ଥିବା ଆବେଦନକାରୀଙ୍କୁ ମଧ୍ୟ ପ୍ରଦାନ କରାଯାଏ । ଏଥିରେ ମଧ୍ୟ କ୍ୟାପ୍ ବା ଉଚ୍ଚତମ ସୀମା ଅଛି । ଏହି ୮୫ହଜାର ଭିସା ମଧ୍ୟରୁ ୨୦୧୩ର ଡାଟାରୁ ଜଣାଯାଏ ୭୨.୩% ହେଉଛନ୍ତି ଭାରତୀୟ, ୧୩% ଚାଇନିଜ, ୦.୭% ୟୁରୋପୀୟ । ଭାରତୀୟ ଟ୍ୟାଲେଣ୍ଟ୍ସମାନଙ୍କୁ ଏତେ ପରିମାଣ ଭିସା ପ୍ରଦାନ କରାଯାଉଛି, କାରଣ ଆମେରିକା ଲାଭବାନ ହୋଇଉଠିଛି ସେଇମାନଙ୍କ ଅବଦାନରୁ । ଅନେକଙ୍କୁ ସେଠାରେ ଗ୍ରୀନକାର୍ଡ ମିଳିଯାଇଛି ଓ ସ୍ଥାୟୀ ବାସିନ୍ଦା ହୋଇଯାଇଛନ୍ତି । ୧୯୫୮ରେ ଭାରତୀୟଙ୍କ ସଂଖ୍ୟା ମାତ୍ର ୧୨ହଜାର ଥିବାବେଳେ ତାହା ଦ୍ରୁତଗତିରେ ବଢ଼ିଛି ।
ତଥାପି ସେମାନଙ୍କ ସଂଖ୍ୟା ଆମେରିକା ଜନସଂଖ୍ୟାର ମାତ୍ର ପାଖାପାଖି ୧.୫% । ସେମାନଙ୍କ ମଧ୍ୟରୁ ଆମେରିକା ପାଇଛି ଗୁଗୁଲ୍ର ସିଇଓ ସୁନ୍ଦର ପିଚାଇ, ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲାଙ୍କ ଠାରୁ ଆରମ୍ଭ କରି ଅନେକ ବୈଜ୍ଞାନିକ, ମହାକାଶଚାରୀ, ସାଂସଦ, ଓପିନିଅନ ମେକର, ଏପରିକି ପ୍ରଥମ ହିନ୍ଦୁ ସେକେଣ୍ଡ ଲେଡି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଟ୍ରମ୍ପଙ୍କ ଦୃଢ଼ ସମର୍ଥକ । କିନ୍ତୁ ଏହି ଏଚ-୧ବି ଭିସାକୁ ବିରୋଧ କରୁଥିବା ବିଶିଷ୍ଟ ଟ୍ରମ୍ପ ସମର୍ଥକ ଲୁରା ଲୁମର ଖ୍ରୀଷ୍ଟମାସରେ ନିଜର କ୍ଷୋଭ ପ୍ରକାଶ କରି ଏମାନଙ୍କୁ ଆଖ୍ୟାୟିତ କରିଛନ୍ତି- ତୃତୀୟ ବିଶ୍ୱର ଆକ୍ରମଣକାରୀ ଭାରତୀୟ । ତେବେ ଟ୍ରମ୍ପଙ୍କ ପ୍ରଥମ ପାଳିରେ ସ୍ଳୋଗାନ ଥିଲା ‘ଆମେରିକା ଫାଷ୍ଟ । ତେଣୁ ସେ ଏଚ-୧ବି ଭିସା ଉପରେ କଟକଣା ଲାଗୁ କରିଦେଇଥିଲେ ୨୦୧୬ ମସିହାରେ । ଫଳରେ ସେହି ବର୍ଷ ଭିସା ଡିନାଏଲ୍ ଥିଲା ୬%, ଅର୍ଥାତ୍ ଯେତେ ଲୋକ ଭିସା ପାଇବା କଥା ତାକୁ ୬ ପ୍ରତିଶତ ହ୍ରାସ କରାଯାଇଥିଲା । ୨୦୧୮ରେ ଏହା ହୋଇଯାଇଥିଲା ୨୪% ଏବଂ ୨୦୨୦ ବେଳକୁ ୧୩% । ଏହା କେବଳ ଲିଗାଲ ଚାଲେଞ୍ଜ ଯୋଗୁଁ ହୋଇଥିଲା । ଜୋ ବାଇଡେନ ଗତମାସ ଏହି ଭିସା ଆଇନକୁ କୋହଳ କରିଦେଇଥିଲେ । ଏଲନ ମସ୍କ ଏଚ-୧ବି’ର ସମର୍ଥକ । କାରଣ ସେ ନିଜେ ଏଇ ଭିସା ମାଧ୍ୟମରେ ଦକ୍ଷିଣ ଆଫ୍ରିକାରୁ ଆସି ଆମେରିକାରେ କମ୍ପାନୀ ଖୋଲିଥିଲେ, ପରେ ସ୍ଥାୟୀ ବାସିନ୍ଦା ହୋଇଥିଲେ । ଏଇବର୍ଷ ତାଙ୍କ କମ୍ପାନୀ ‘ଟେସଲା’ ୭୦୦ ଏହି ଭିସା ପାଇଥିବା ଇଞ୍ଜିନିୟର ଓ ଟେକନିସିଆନଙ୍କୁ ଦେଇଛି । ସେ ଯୁକ୍ତି ଦର୍ଶାଇଛନ୍ତି ଆମେରିକୀୟ କମ୍ପାନୀମାନଙ୍କର ଦରକାର ଏପରି କୁଶଳୀ ଇଞ୍ଜିନିୟର ଓ ଟେକନିସିଆନ । ଏମାନେ କେବଳ ଟେସଲା ନୁହେଁ, ସ୍ପେସ୍-ଏକ୍ସ ଓ ଶତାଧିକ କମ୍ପାନୀଗୁଡ଼ିକର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଆମେରିକା ଏତେ ଶକ୍ତିଶାଳୀ ହୋଇଛି କେବଳ ଏଇମାନଙ୍କ ଯୋଗୁଁ । ତାଙ୍କର ସମାଲୋଚକମାନେ ଟ୍ରମ୍ପଙ୍କ ଉପରେ ଚାପ ପ୍ରଦାନ କରୁଛନ୍ତି ଓ ଆମେରିକାର ବାସିନ୍ଦାଙ୍କ ସହିତ ବିଶ୍ୱାସଘାତକତା କରୁଛନ୍ତି ବୋଲି କହିଛନ୍ତି । ଏପରିକି ସେମାନେ ଜଣେ ଭାରତୀୟ ଆମେରିକୀୟ ସାଂସଦ ବିବେକ ରାମସ୍ୱାମୀଙ୍କ ସମର୍ଥନକୁ ଦୃଢ଼ ସମାଲୋଚନା କରିଛନ୍ତି । ନିଜ ପୋଷ୍ଟଗୁଡ଼ିକରେ ଏଇ ଘୃଣା, ତିରସ୍କାରକୁ ପ୍ରୋତ୍ସାହନ ଦେଉଛନ୍ତିକେତେ ସଂଖ୍ୟକ ଭାରତୀୟଙ୍କ ପରିବାରରେ ଫ୍ଲସେବ୍ଲ ଟଏଲେଟ୍ ଅଛି? ଜାତିପ୍ରଥାରେ ଜର୍ଜରିତ ଭାରତୀୟମାନେ ଆମେରିକାର ସଂସ୍କୃତିକୁ ଅପମାନିତ କରୁଛନ୍ତି । ଆଉ ଜଣେ ପୋଷ୍ଟ କରିଛନ୍ତି- ସେମାନେ ପୌତଳିକ, ସେମାନେ ଆମ ଲୋକ ନୁହନ୍ତି, ଆମରି ମୂଲ୍ୟବୋଧ ସେମାନେ ଜାଣନ୍ତି ନାହିଁ । ଏହାର ଅର୍ଥ ଏହି ଯୁଦ୍ଧ ଏଚ-୧ବି ଭିସାରେ ସୀମିତ ନାହିଁ । ଏହା ବର୍ଣ୍ଣ ବିଦ୍ୱେଷକୁ ରୂପାନ୍ତରିତ ହୋଇଯିବାକୁ ଆରମ୍ଭ କରିଛି ।
ଅର୍ଥାତ୍ ଆମେରିକା ଫାଷ୍ଟ ଏକ ରାଜନୈତିକ ସ୍ଳୋଗାନ ନୁହେଁ, ଏହା ହ୍ୱାଇଟ ସୁପ୍ରିମେସି । ଏହି ହିନ୍ଦୁବିଦ୍ୱେଷୀ ମନୋଭାବକୁ ଲକ୍ଷ୍ୟ କରି ଭାରତୀୟ-ଆମେରିକୀୟ ପ୍ରତିଷ୍ଠିତ ବ୍ୟବସାୟୀ ଶ୍ରୀ ଥାନେଦାର, ମନ୍ତବ୍ୟ ଦେଇଛନ୍ତିଏପର୍ଯ୍ୟନ୍ତ ବି ଲାଗିରହିଛି ବର୍ଣ୍ଣବିଦ୍ୱେଷୀ ମନୋଭାବ ଓ ନିଜକୁ ସବୁଠୁ ଶ୍ରେଷ୍ଠ ଦେଖାଇ ହେବାର ଭାବନା । ତାଙ୍କର ବେଷ୍ଟ ସେଲିଂ ପୁସ୍ତକ ହେଲା- ଦ ବ୍ଲୁ ସୁଟ୍କେଶ: ଟ୍ରାଜେଡି ଆଣ୍ଡ ଟ୍ରାଏମ୍ପ ଇନ୍ ଏନ୍ ଇମିଗ୍ରାଣ୍ଟସ୍ ଲାଇଫ୍ । ସେଥିରେ ବର୍ଣ୍ଣିତ ହୋଇଛି ଏଇ ଇମିଗ୍ରାଣ୍ଟମାନଙ୍କର ଜୀବନରେ ସଂଘର୍ଷର କାହାଣୀ ନିଜକୁ ପ୍ରତିଷ୍ଠିତ କରିବା ପଥରେ ।
ଆମେରିକାର ୱାଶିଂଟନ ଠାରେ ଥିବା ଇକନମିକ୍ ପଲିସି ଇନଷ୍ଟିଚ୍ୟୁଟର ରିପୋର୍ଟ ଅନୁସାରେ, ଏଚ-୧ବି ଭିସା ପ୍ରାପ୍ତ ହୋଇଥିବା ଭାରତୀୟମାନେ ଏକେଇ ଚାକିରି ଏକେଇ ସ୍କେଲରେ ନିଯୁକ୍ତି ପାଇଥିବା ଆମେରିକୀୟଙ୍କ ଠାରୁ କମ୍ ବେତନ ପାଆନ୍ତି । ଏହା ୬୦% ଭାରତୀୟଙ୍କ କ୍ଷେତ୍ରରେ ଘଟେ, ଯାହାକି ଜଣେ ହାରାହାରି ଆମେରିକୀୟ ଠାରୁ ଯଥେଷ୍ଟ କମ୍ । ଅର୍ଥାତ୍ ଭାରତୀୟମାନେ ଶସ୍ତାରେ ଏକା କାମ କରନ୍ତି ଆମେରିକୀୟଙ୍କ ଠାରୁ । ତାର କାରଣ ହେଲା ସେମାନେ ନିଜର ବେତନ ବାବଦରେ ପ୍ରଶ୍ନ ଉଠାନ୍ତି ନାହିଁ ୱାର୍କପ୍ଲେସ୍ରେ ଘଟୁଥିବା ଇସ୍ୟୁଗୁଡ଼ିକୁ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣନ୍ତି ନାହିଁ, କାରଣ ସେମାନେ ନିଜର ସୀମା ବିଷୟରେ ସଚେତନ । ଅର୍ଥାତ୍ ସେମାନେ ଗୋଟିଏ ବାହାର ରାଷ୍ଟ୍ରରେ ଯାଇ କାର୍ଯ୍ୟ କରୁଛନ୍ତି । ପୁଣି ଅସ୍ଥାୟୀ ଶ୍ରମିକ ଭାବରେ । ସେ ଦେଶର ଉନ୍ନତିକୁ ଅଗ୍ରାଧିକାର ଦିଅନ୍ତି ଓ କମ୍ପାନୀ କର୍ତ୍ତୃପକ୍ଷ ଯେପରି ସନ୍ତୁଷ୍ଟ ରହିବେ ତାହା ତାଙ୍କର ଭାବନା ଭିତରେ ଥାଏ । ଶୋଷଣର ଶିକାର ହେଲେ ବି ନିରବ ରହନ୍ତି । ସେମାନେ ମସ୍ତକ ନତ କରି କାର୍ଯ୍ୟ କରିଯାଆନ୍ତି । ସେଥିପାଇଁ ଟେକ୍ କମ୍ପାନୀମାନେ ଭାରତୀୟଙ୍କୁ ପସନ୍ଦ କରନ୍ତି, ଭଲପାଆନ୍ତି, ନିଜ କମ୍ପାନୀରେ ନେବାକୁ ଆଗ୍ରହ ଦେଖାନ୍ତି ।
ସେମାନଙ୍କର ଉଦ୍ବେଗ ହେଲା, ଟ୍ରମ୍ପ ଶପଥ ଗ୍ରହଣ କଲାପରେ ଏହାକୁ ଗ୍ରହଣ କରିବେ ନା ତାଙ୍କ କଠୋରପନ୍ଥୀ ସମର୍ଥକଙ୍କ କଥାରେ ଭାସିଯିବେ । ଆଉ ଏକ ଦିଗ ହେଲା, ମନେ କରାଯାଉ ଟ୍ରମ୍ପ ସେମାନଙ୍କ କଥା ନଶୁଣି ଏଲନ ମସ୍କ ଦେଇଥିବା ଏଚ-୧ବି ଭିସାର ସଂସ୍କାର ଆଣି କ୍ୟାମ୍ ବା ସର୍ବୋଚ୍ଚ ଭିସା ଇସ୍ୟୁ ସୀମାକୁ ହଟାଇଦେଲେ । ତାହେଲେ ଅତ୍ୟଧିକ ସଂଖ୍ୟାରେ ଆଶାୟୀ ଭାରତୀୟ ଆମ ଦେଶ ଛାଡ଼ି ବିଦେଶ/ଆମେରିକାକୁ ଚାଲିଯିବେ ଜବ୍ କରିବେ । ଫଳରେ ଆରମ୍ଭ ହୋଇଯିବ ବ୍ରେନ୍ ଡ୍ରେନ୍ । ଆମ ଦେଶ ଟ୍ୟାଲେଣ୍ଟ ସୃଷ୍ଟି କରିବ, କିନ୍ତୁ ଲାଭ ଉଠାଇବ ଆମେରିକା । ୨୦୧୫ରୁ ୨୦୨୨ ମଧ୍ୟରେ ୧୩ଲକ୍ଷ ଭାରତୀୟ ଆମ ଦେଶ ଛାଡ଼ି ବିଦେଶ ଚାଲିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଉଚ୍ଚତମ କୁଶଳୀ । ଯଦି ସେମାନେ ରହିଥାନ୍ତେ ଆମ ଦେଶରେ ଆମରି ଆଇଟି ସେକ୍ଟର ଆମରି ଅର୍ଥବ୍ୟବସ୍ଥାକୁ ଯୋଡ଼ିଥାନ୍ତା ଦୁଇ ବିଲିୟନ ଡଲାର ବା ୨୦୦କୋଟି ଡଲାରର ଅର୍ଥ ପ୍ରତିବର୍ଷ । ଏହା ହେଉଛି ଆମରି ଦେଶର ବ୍ରେନ୍ ଡ୍ରେନ୍ର ପରିଣତି । ସବୁବେଳେ ଟ୍ୟାଲେଣ୍ଟ ଅର୍ଥ ରୋଜଗାରକୁ ଅନୁଧାବନ କରେ । ଏହି ଅର୍ଥ ଏବେ ଉପାର୍ଜନ କରିଛି ଆମେରିକା । ତେଣୁ ଏକମାତ୍ର ସମାଧାନ, ସରକାର ଆଇଟି ସେକ୍ଟରକୁ ଉନ୍ନତ କରନ୍ତୁ । ଟ୍ୟାଲେଣ୍ଟଙ୍କୁ ଯୋଗାଇ ଦିଅନ୍ତୁ ଉପଯୁକ୍ତ ପରିବେଶ, ଅର୍ଥାତ୍ ନିଜସ୍ୱ ଟେକନିକାଲ ଲ୍ୟାଣ୍ଡସ୍କେପ୍ । ଏହାହିଁ କରିପାରିଛି ବୋଲି ଚୀନର ବିଦ୍ୟାର୍ଥୀମାନେ ଆମେରିକା ଯାଉଛନ୍ତି, ଜ୍ଞାନ ଆହରଣ କରୁଛନ୍ତି, ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରି ସେହି ଜ୍ଞାନ ଦେଶ ସମୃଦ୍ଧିରେ ବିନିଯୋଗ କରୁଛନ୍ତି । ଏକଥା ଆମ ଦେଶ ବୁଝିବା ଜରୁରି । କାରଣ ଆମକୁ ପ୍ରତିଯୋଗୀ ହୋଇ ଉଭା ହେବାକୁ ପଡ଼ିବ, କାହା ପାଖରେ ହାତପାତିବାକୁ ନୁହେଁ ।