ପ୍ରମୂଖ ଖବର
  • ଏଚଏମପିଭିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ରାଜ୍ୟ ସରକାର, ସବୁ ଜିଲ୍ଲାର ସ୍ଥିତିକୁ ନେଇ ହେବ ଆଲୋଚନା
  • ||
  • ଦେବଜିତ୍ ସାଇକିଆ ବିସିସିଆଇ ନୂଆ ସମ୍ପାଦକ, ଜୟ ଶାହଙ୍କ ଜାଗା ନେବେ
  • ||
  • ଫିରିଙ୍ଗିଆ : ବାଇକ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, କ୍ଷତି ପୂରଣ ପାଇଁ ଉତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ
  • ||
  • କଟକରେ ରୋଡ୍‌ ରନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ, ସମସ୍ତଙ୍କୁ ଫିଟ୍‌ ରହିବାକୁ ଅତିଥିଗଣଙ୍କ ଆହ୍ୱାନ
  • ||
  • ମାଲକାନଗିରି-ଛତିଶଗଡ଼ ସିମାନ୍ତ ବିଜାପୁର ଜିଲ୍ଲାରେ ଏନକାଣ୍ଟର,୩ ମାଓବାଦୀ ନିହତ
  • ||
  • ଖୋର୍ଦ୍ଧା : ଗୋରୁ ଗାଡି ଜବତ ବେଳେ ମିଳିଲା ଗଞ୍ଜେଇ ଭର୍ତ୍ତି କାର୍‌, ଡ୍ରାଇଭର ସହ ସହଯୋଗୀ ଫେରାର
  • ||
  • ଭୁବନେଶ୍ୱର : ଲୋକଙ୍କ ଉତ୍ସାହ ଏବଂ ଭିଡ଼କୁ ଦେଖି ନିଷ୍ପତ୍ତି, ବର୍ଷକୁ ୧୨ ଥର ହେବ ପଥ ଉତ୍ସବ
  • ||
  • ରାଜଧାନୀରୁ ହାଇପ୍ରୋଫାଇଲ ଠକେଇ ମାମଲା: କଳା ସାମ୍ରାଜ୍ୟର ଗୁମର ଖୋଲିବ ଇଡି
  • ||
  • ପାଳଗଦାରେ ଦୁଇ ନାବାଳକ ଜଳିଯିବା ଘଟଣା: ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ରୁଷ ଉପରେ ପୁଣି କଟକଣା ଲଗାଇଲା ଆମେରିକା, ୩% ବଢ଼ିଲା ଅଶୋଧିତ ତୈଳ ଦର.ପ୍ରଭାବିତ ଭାରତ, ଚୀନ
  • ||
  • ସ୍ପେଶ ଡ଼କିଂ ମିଶନରେ ମିଳିବ ବଡ଼ ସଫଳତା, ୧୫ ମିଟର ଦୂରରେ ୨ ସାଟେଲାଇଟ୍
  • ||
  • ବିଏମ୍‌ସିର ଦ୍ୱିତୀୟ ପଥ ଉତ୍ସବ: ଦୁଲୁକୁଛି ଜାଗମରା ନ୍ୟୁ ରୋଡ୍, ନାଚ, ଗୀତରେ ଝୁମିଲେ ସହରବାସୀ
  • ||
  • କୁମ୍ଭମେଳାକୁ ଗଡିବ ହାଇ-ଏଣ୍ଡ ପ୍ରିମିୟମ ବସ୍‌, ରବିବାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଶୀତରେ ଲାଗି ସାମୟିକ ବିରତି: ଆଜିଠୁ କମିବ ଥଣ୍ଡା, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ସବୁଠୁ ଉତ୍ତପ୍ତ ବର୍ଷ...

Published By : Prameya | January 12, 2025 3:07 PM

ଜଳବାୟୁ ସଙ୍କଟର ଅତ୍ୟନ୍ତ ଭୟାବହ  ପରିଣାମକୁ ଏଡ଼ାଇବା ନିମନ୍ତେ  ବିଶ୍ୱବ୍ୟାପୀ ପ୍ରୟାସ ତୀବ୍ର ହେବା ଜରୁରି ।  ନିର୍ଗମନ ହ୍ରାସ, ନିରନ୍ତର ଶକ୍ତି ବ୍ୟବସ୍ଥାକୁ  ପରିବର୍ତ୍ତନ ଏବଂ ଜଳବାୟୁ ମୁକାବିଲା  କୌଶଳକୁ ସମର୍ଥନ କରିବାରେ  ସରକାର, ବ୍ୟବସାୟ, ଅନୁଷ୍ଠାନ ଏବଂ  ବ୍ୟକ୍ତିବିଶେଷ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ  ଭୂମିକା ରହିଛି ।

ନିକଟରେ ପ୍ରକାଶିତ କୋପରନିକସ୍‌ ଜଳବାୟୁ  ପରିବର୍ତ୍ତନ ସେବା ରିପୋର୍ଟ ୨୦୨୪  ବିଶ୍ୱତାପନଜନିତ କ୍ରମାଗତ ବର୍ଦ୍ଧିତ ସଙ୍କଟର ଏକ ସୁସ୍ପଷ୍ଟ, ଉଦ୍‌ବେଗଜନକ ଚିତ୍ର ଉପସ୍ଥାପନ କରେ । ୟୁରୋପୀୟ ସଂଘର ପୃଥିବୀ ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମର  ଏହି ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ତଥ୍ୟ-ସମ୍ବଳିତ  ରିପୋର୍ଟ ବିଶ୍ୱବାସୀଙ୍କୁ ଜଳବାୟୁ ସଙ୍କଟର ବାସ୍ତବତା  ସମ୍ପର୍କରେ ସଚେତନ କରି ଏହାର ପ୍ରଶମନ ନିମନ୍ତେ  ଜରୁରିକାଳୀନ ଭିତ୍ତିରେ କାର୍ଯ୍ୟକ୍ରମ ଗ୍ରହଣ ଉପରେ  ଗୁରୁତ୍ୱ ଆରୋପ କରେ । ଜଳବାୟୁ ପରିବର୍ତ୍ତନର  ଗଭୀର କ୍ଷୟକ୍ଷତି ପ୍ରଭାବକୁ ବିଶ୍ୱ ଯେତେବେଳେ ଆଜି  ଅନୁଭବ କରିବା ଆରମ୍ଭ କରୁଛି, ସେତେବେଳେ ଏହି ରିପୋର୍ଟ ତାପମାତ୍ରା ବୃଦ୍ଧିଗତ ତଥ୍ୟ, ଚରମ ପାଣିପାଗ  ଢାଞ୍ଚା ଏବଂ ଦୀର୍ଘମିଆଦି ଧାରାକୁ ଏକତ୍ର ବିଶ୍ଳେଷଣ କରି  ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣର ତତ୍ପରତାକୁ ଦର୍ଶାଇଛି ।  ପ୍ୟାରିସ୍‌ ଜାତିସଂଘ ଜଳବାୟୁ ସମ୍ମିଳନୀ ୨୦୧୫  ଚୁକ୍ତିନାମାର ଇପ୍ସିତ ଲକ୍ଷ୍ୟ ଥିଲା ଏକବିଂଶ ଶତାବ୍ଦୀ ଶେଷ  ସୁଦ୍ଧା ତାପମାତ୍ରା ବୃଦ୍ଧିକୁ ୧.୫ (ଅପରିହାର୍ଯ୍ୟ ସ୍ଥଳେ ୨) ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ସୀମିତ ରଖିବା । କିନ୍ତୁ  ସର୍ବାଧିକ ଉତ୍ତପ୍ତ ବର୍ଷ ରେକର୍ଡର ଅଧିକାରୀ ହୋଇଥିବା  ୨୦୨୩କୁ ଅତିକ୍ରମ କରି ସମ୍ପ୍ରତି ୨୦୨୪ ମସିହାର ବିଶ୍ୱ  ତାପମାତ୍ରା ପ୍ରାକ୍‌-ଶିଳ୍ପ ବିପ୍ଳବ ତୁଳନାରେ ପ୍ରଥମ ଥର  ୧.୫ ଡିଗ୍ରୀ ଅଧିକ ସ୍ତରରେ ଉପନୀତ ହୋଇଛି, ଯାହା  ଜରୁରି ଜଳବାୟୁ କାର୍ଯ୍ୟକ୍ରମର ପ୍ରୟୋଜନୀୟତାକୁ  ଦର୍ଶାଉଛି । ୱାର୍ଲଡ ୱେଦର୍‌ ଆଟ୍ରିବ୍ୟୁସନ୍‌ ଏବଂ  କ୍ଲାଇମେଟ୍‌ ସେଣ୍ଟ୍ରାଲ ଅନୁଷ୍ଠାନର ଦୁଇ ଗୋଷ୍ଠୀ  ଜଳବାୟୁ ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି  ବାର୍ଷିକ ସମୀକ୍ଷା ରିପୋର୍ଟରେ ଦର୍ଶାଯାଇଛି ଯେ,  ୨୦୨୪ରେ ବିଶ୍ୱରେ ହାରାହାରି ୪୧ଟି ଅଧିକ ଦିନରେ  ବିପଜ୍ଜନକ ସ୍ତରର ଉତ୍ତାପ ଅନୁଭୂତ ହୋଇଛି । ଏହି  ବର୍ଷ କ୍ଷୁଦ୍ର ଦ୍ୱୀପ ବିକାଶଶୀଳ ଦେଶମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି, ଯେଉଁଠି ଏପରି ଅଧିକ ଉତ୍ତପ୍ତ  ଦିବସର ସଂଖ୍ୟା ଥିଲା ୧୩୦ରୁ ଅଧିକ । 

ଏହି ରିପୋର୍ଟ ଚରମ ପାଣିପାଗ ଘଟଣାର  ବାରମ୍ବାରତା ଏବଂ ତୀବ୍ରତାରେ ବୃଦ୍ଧିର ଏକ ମହତ୍ତ୍ୱପୂର୍ଣ୍ଣ  ଦଲିଲ ରୂପେ ସାବ୍ୟସ୍ତ ହୋଇଛି, ଯାହା ବିଶ୍ୱର  ତାପମାତ୍ରା ବୃଦ୍ଧି ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।  ବୈଜ୍ଞାନିକମାନେ ୨୦୨୪ରେ ଘଟିଥିବା ୨୧୯ଟି ଚରମ  ପାଣିପାଗଜନିତ ବିପର୍ଯ୍ୟୟକୁ ଚିହ୍ନଟ କରି ସେଥିମଧ୍ୟରୁ  ୨୯ଟିକୁ ଅଧ୍ୟୟନ କରିଥିଲେ । ସେମାନଙ୍କର ଅନୁସନ୍ଧାନ  ସୂଚାଏ ଯେ ଜଳବାୟୁ ପରିବର୍ତ୍ତନର ୨୬ଟି ଭୟାନକ  ପାଣିପାଗ ଘଟଣା ଅତି କମ୍‌ରେ ୩,୭୦୦ ଜଣଙ୍କର  ଅକାଳ ମୃତ୍ୟୁରେ ସହାୟକ ହୋଇଛି ଏବଂ ଲକ୍ଷ  ଲକ୍ଷ ଲୋକଙ୍କର ସ୍ଥାନାନ୍ତରଣ ଘଟାଇଛି । ସୁଦାନ,  ନାଇଜେରିଆ, ନାଇଜର, କାମେରୁନ୍‌ ଏବଂ ଚାଦ୍‌ରେ  ହୋଇଥିବା ବନ୍ୟା ହେଉଛି ଏହି ଗୋଷ୍ଠୀ ଦ୍ୱାରା ଅଧ୍ୟୟନ  ହୋଇଥିବା ସବୁଠାରୁ ମାରାତ୍ମକ ଘଟଣା, ଯେଉଁଥିରେ  ଅତି କମ୍‌ରେ ୨,୦୦୦ ଲୋକଙ୍କର ପ୍ରାଣହାନି ଘଟିଥିଲା ।  ସେହିପରି, ଦକ୍ଷିଣ-ୟୁରୋପ ଏବଂ ଦକ୍ଷିଣ-ପୂର୍ବ  ଏସିଆର କିଛି ଅଂଶରେ ଅପର୍ଯ୍ୟାପ୍ତ ବର୍ଷା ବିପର୍ଯ୍ୟସ୍ତ  ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା, ଯାହା ହଜାର ହଜାର  ଲୋକଙ୍କୁ ସ୍ଥାନାନ୍ତରିତ କରିଥିଲା ଏବଂ ଭିତ୍ତିଭୂମିରେ  ବ୍ୟାପକ କ୍ଷୟକ୍ଷତି ଘଟିଥିଲା । 

ଅନ୍ୟପକ୍ଷରେ, ୨୦୨୪  ମସିହାରେ ୟୁରୋପ, ଉତ୍ତର ଆମେରିକା ଏବଂ  ଏସିଆର କିଛି ଅଞ୍ଚଳରେ ଉଲ୍ଲେଖନୀୟ ଗ୍ରୀଷ୍ମପ୍ରବାହ  ସଂଘଟିତ ହୋଇଥିଲା । ଏପରି ଅତିଶୟ ଉତ୍ତାପ ବୃଦ୍ଧି ବିବିଧ ସ୍ୱାସ୍ଥ୍ୟ ସମସ୍ୟା, କୃଷି ଉତ୍ପାଦନର ବିଫଳତା  ଏବଂ ଜଳାଭାବର କାରଣ ହୋଇଥିଲା । ଏସବୁ ଚରମ  ଘଟଣା ସ୍ଥାନୀୟ ଅର୍ଥନୀତିକୁ ବ୍ୟାହତ କରିବା ସହ  ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ପୁନରୁଦ୍ଧାର ଦୃଷ୍ଟିରୁ ସରକାର  ଏବଂ ସମ୍ପ୍ରଦାୟ ପାଇଁ ଚ୍ୟାଲେଞ୍ଜ ସୃଷ୍ଟିକାରୀ ପାଲଟିଥିଲା । 

ଅନୁସନ୍ଧାନ ସୂଚାଇଛି ଯେ, ଯଦି ବିଶ୍ୱ ତାପମାତ୍ରା  ବୃଦ୍ଧି ୨ଡିଗ୍ରୀରେ ପହଞ୍ଚିଯାଏ, ଯାହା ୨୦୪୦ କିମ୍ବା  ୨୦୫୦ ଦଶକ ପୂର୍ବରୁ ହୋଇପାରେ, ଏହି ଅଞ୍ଚଳଗୁଡ଼ିକ  ପ୍ରତିବର୍ଷ ସମାନ ପ୍ରବଳ ବର୍ଷା ଓ ବନ୍ୟାର ସମ୍ମୁଖୀନ  ହୋଇପାରନ୍ତି । ଏହି ବୈଜ୍ଞାନିକ ଗୋଷ୍ଠୀର ଫ୍ରିଡେରିକ୍‌  ଅଟ୍ଟୋ ପ୍ରକାଶ କରିଛନ୍ତି ଯେ, ଜୀବାଶ୍ମ ଇନ୍ଧନଜନିତ  ଉତ୍ତାପ ବୃଦ୍ଧିର ପ୍ରଭାବ ୨୦୨୪ ତୁଳନାରେ ପୂର୍ବରୁ  କଦାପି ଏପରି ସ୍ପଷ୍ଟ ବା ଅଧିକ ଭୟଙ୍କର ଭାବେ  ପ୍ରତିପାଦିତ ହୋଇନଥିଲା । ଏହା ସୂଚାଉଛି ଯେ, ଆମେ  ସମ୍ପ୍ରତି ଏକ ବିପଦପୂର୍ଣ୍ଣ ନୂତନ ଯୁଗରେ ପଦାର୍ପଣ କରିସାରିଛୁ । ଆମେ ଉତ୍ତମ ରୂପେ ଅବଗତ ଅଛୁ  ଯେ, ଏପରି ଦୃଶ୍ୟପଟ୍ଟରେ ଥିବା ଖଳନାୟକ ହେଉଛି  ଜୀବାଶ୍ମ ଇନ୍ଧନର ଅତ୍ୟଧିକ ବ୍ୟବହାରରୁ ନିର୍ଗତ ସବୁଜ  ଗୃହ ବାଷ୍ପର ବର୍ଦ୍ଧିତ ନିର୍ଗମନ, ଯାହା ବାୟୁମଣ୍ଡଳରେ  ଜମିରହି ଉତ୍ତାପ ବୃଦ୍ଧି ଘଟାଉଛି ଏବଂ ଜଳବାୟୁ ପରିବର୍ତ୍ତନ ତଥା ପ୍ରାକୃତିକ ବିପର୍ଯ୍ୟୟ ଘଟଣା ସବୁର  କାରଣ ପାଲଟୁଛି । ପରିସ୍ଥିତି ଅଧିକ ଗମ୍ଭୀର ହେବା  ପୂର୍ବରୁ ଆମକୁ ବିଜ୍ଞତାର ପ୍ରଦର୍ଶନ ପୂର୍ବକ କୋଇଲା,  ପେଟ୍ରୋଲିୟମ୍‌ ଏବଂ ପ୍ରାକୃତିକ ବାଷ୍ପ ପରି ଜୀବାଶ୍ମ  ଇନ୍ଧନର ବ୍ୟବହାରକୁ ସର୍ବନିମ୍ନ କରି ପ୍ରଦୂଷଣମୁକ୍ତ, ନବୀକରଣୀୟ, ଅକ୍ଷୟଶକ୍ତିର ଉତ୍ସକୁ ସର୍ବାଧିକ  କାର୍ଯ୍ୟକାରୀ କରିବା ଏକାନ୍ତ ଅପରିହାର୍ଯ୍ୟ । 

ଅଧିକନ୍ତୁ, ଏହି ରିପୋର୍ଟରେ ବିଶେଷ  ଭାବରେ ଆଟଲାଣ୍ଟିକ୍‌ ଏବଂ ଭାରତ ମହାସାଗରରେ  ବହୁସଂଖ୍ୟାରେ ବିଷୁବମଣ୍ଡଳୀୟ ଝଡ଼ବାତ୍ୟା ସୃଷ୍ଟି ଏବଂ  ଏଥିନିମନ୍ତେ ଅଧିକ ଶକ୍ତି ଯୋଗାଉଥିବା ସମୁଦ୍ରପୃଷ୍ଠର  ତାପମାତ୍ରା ବୃଦ୍ଧି ପ୍ରସଙ୍ଗ ଆଲୋଚିତ ହୋଇଛି । ଏହି  ଘୂର୍ଣ୍ଣିବଳୟ ପ୍ରବଳ ବର୍ଷା, ଅତ୍ୟଧିକ ପବନ ଏବଂ ଝଡ଼  ସୃଷ୍ଟି କରିଥାଏ, ଯାହା ଉପକୂଳର ଅବକ୍ଷୟ ଏବଂ ବନ୍ୟା  ପ୍ଳାବନ ସୃଷ୍ଟିରେ ସହାୟକ ହେଉଛି । ୨୦୨୪ ମସିହାରେ  ସମୁଦ୍ର ପତ୍ତନ ବର୍ଷକୁ ପ୍ରାୟ ୩.୬ ମିଲିମିଟର ହାରରେ  ବୃଦ୍ଧି ପାଇଛି, ଯାହା କ୍ରମାଗତ ଭାବେ ତ୍ୱରାନ୍ୱିତ  ହେଉଛି । ଏପରି ବୃଦ୍ଧି ଉପକୂଳବର୍ତ୍ତୀ ସହର ଏବଂ ଦ୍ୱୀପ  ଦେଶମାନଙ୍କ ନିମନ୍ତେ ଏକ ବିଶାଳ ବିପଦର କାରଣ  ହେଉଛି, ଯାହା ବନ୍ୟା ହେବାର ଆଶଙ୍କାରେ ବୃଦ୍ଧି ଘଟାଏ  ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ନିମ୍ନାଞ୍ଚଳରୁ ସ୍ଥାନାନ୍ତରିତ  ହେବାକୁ ବାଧ୍ୟ କରେ । 

ସମୁଦ୍ର ପତ୍ତନରେ କ୍ଷୁଦ୍ର  ପରିବର୍ତ୍ତନ ମଧ୍ୟ ଉପକୂଳ ପରିସଂସ୍ଥା ଉପରେ ଭୟଙ୍କର  ପ୍ରଭାବ ବିସ୍ତାର କରିପାରେ, ଏପରିକି ଅଙ୍ଗାରକାମ୍ଳ ସଂରକ୍ଷଣ ଏବଂ ଉପକୂଳ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ  ସେବା ପ୍ରଦାନକାରୀ ପ୍ରବାଳ ପ୍ରାଚୀର, ହେନ୍ତାଳ ବନ  ଏବଂ ଆର୍ଦ୍ରଭୂମିକୁ ବିନାଶ କରେ । ଯଦିଓ ୨୦୨୪ ନିମନ୍ତେ ତାପମାତ୍ରାରେ ୧.୫୫  ଡିଗ୍ରୀ ବୃଦ୍ଧିର ଆକଳନ କରାଯାଇଥିଲା, କିନ୍ତୁ ପ୍ୟାରିସ୍‌  ଚୁକ୍ତିରେ ଯେଉଁ ନିର୍ଦ୍ଦିଷ୍ଟ ୧.୫ ଡିଗ୍ରୀ ସୀମାର ଲକ୍ଷ୍ୟ  ରଖାଯାଇଛି, ତାହା ଦୀର୍ଘକାଳୀନ ଭିତ୍ତିରେ ୨୦-୩୦  ବର୍ଷ ଧରି ଉତ୍ତାପର ଉଲ୍ଲଂଘନକୁ ବୁଝାଏ । ତେବେ  ଜଳବାୟୁ ବିଶେଷଜ୍ଞମାନେ ଅଧୁନା ଆଶଙ୍କା କରୁଛନ୍ତି ଯେ  ତାପମାତ୍ରା କ୍ରମାଗତ ଭାବରେ ଏହି ସୀମାଠାରୁ ଅଧିକ  ସ୍ତରରେ ରହିବାର ସମ୍ଭାବନା ରହିଛି। 

ଆଜିର ବାସ୍ତବତା  ହେଉଛି ଯେ, ବିଶ୍ୱର ହାରାହାରି ତାପମାତ୍ରା ୧୮୫୦- ୧୯୦୦ ତୁଳନାରେ ୧.୩ ଡିଗ୍ରୀ ଅଧିକ ବୃଦ୍ଧି ପାଇସାରିଛି,  ଯେଉଁଥିପାଇଁ ବାୟୁମଣ୍ଡଳରେ ଉପସ୍ଥିତ ଅଙ୍ଗାରକାମ୍ଳ,  ମିଥେନ ପରି ସବୁଜଗୃହ ବାଷ୍ପର ଅଧିକ ପରିମାଣ  ହିଁ ଦାୟୀ । ଜଳବାୟୁ ପରିବର୍ତ୍ତନ ଉପରେ କାର୍ଯ୍ୟରତ  ଜାତିସଙ୍ଘର ଆନ୍ତଃସରକାରୀ ଗୋଷ୍ଠୀ (ଆଇପିସିସି)  ମୂଲ୍ୟାଙ୍କନ କରିଛି ଯେ ତାପମାତ୍ରାକୁ ସୀମିତ ରଖିବା  ପାଇଁ ୨୦୨୫ ସୁଦ୍ଧା ବିଶ୍ୱ ନିର୍ଗମନ ସର୍ବାଧିକ ହୋଇ  ୨୦୧୯ ସ୍ତର ତୁଳନାରେ ୨୦୩୦ ସୁଦ୍ଧା ୪୩% ଏବଂ  ୨୦୩୫ ସୁଦ୍ଧା ୫୭% ହ୍ରାସ ପାଇବା ଆବଶ୍ୟକ ।  ଜାତିସଙ୍ଘର ସର୍ବଶେଷ ତଥ୍ୟ ଅନୁଯାୟୀ, ବର୍ତ୍ତମାନର  ନୀତିଗୁଡିକ ଅପରିବର୍ତ୍ତିତ ରହିଲେ ୨୧୦୦ ସୁଦ୍ଧା  ବିଶ୍ୱତାପନ ପ୍ରାୟ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧିପାଇବ । ଏପରି  ସ୍ଥିତିରେ ରାଷ୍ଟ୍ରମାନଙ୍କର ସମସ୍ତ ଜାତୀୟ ନିର୍ଣ୍ଣିତ ଅବଦାନ  (ଏନ୍‌ଡିସି) କିମ୍ବା ଜାତୀୟ ଜଳବାୟୁ ଯୋଜନାଗୁଡ଼ିକର  ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ଭୟାବହତାକୁ କିଛି ମାତ୍ରାରେ  ଲାଘବ କରିବ ।

 ଆଜିର ବାସ୍ତବତା ହେଉଛି ଯେ, ଜୀବାଶ୍ମ ଇନ୍ଧନ  ହିଁ ଜଳବାୟୁ ପରିବର୍ତ୍ତନର ସର୍ବବୃହତ କାରକ,  ଯାହା ବିଶ୍ୱ ସବୁଜଗୃହ ଗ୍ୟାସ୍‌ ନିର୍ଗମନର ୭୫%ରୁ  ଅଧିକ ଏବଂ ସମସ୍ତ ଅଙ୍ଗାରକାମ୍ଳ ନିର୍ଗମନର ପ୍ରାୟ  ୯୦% ଅଟେ । ଏପରି ସ୍ଥଳେ ଶକ୍ତି କ୍ଷେତ୍ରରେ ତ୍ୱରିତ୍‌  ପରିବର୍ତ୍ତନର ଏକ ଜୁଆର ଆସିବାର ଆବଶ୍ୟକତା  ରହିଛି, ଯାହା ରାଜନୈତିକ, ଅର୍ଥନୈତିକ, ବୈଷୟିକ  ଏବଂ ସାମାଜିକ କ୍ଷେତ୍ରର ସମନ୍ୱୟରେ ଏକ ବୈପ୍ଳବିକ  ପରିବର୍ତ୍ତନ ଘଟାଇ ଜଳବାୟୁ ଆହ୍ୱାନର ସମାଧାନର  ସୂତ୍ରକୁ କାର୍ଯ୍ୟକାରୀ କରିବ ଓ ସୌର ଶକ୍ତି, ପବନ  ଶକ୍ତି, ଜୁଆର ଶକ୍ତି, ଜୈବିକ ଶକ୍ତି, ଜଳବିଦ୍ୟୁତ୍‌ ଶକ୍ତି,  ଉଦ୍‌ଜାନ ଶକ୍ତି ଏବଂ ନାଭିକୀୟ ଶକ୍ତି ପରି ଅକ୍ଷୟ ଓ ସ୍ୱଚ୍ଛ  ଶକ୍ତିର ଉତ୍ସ ଯେତେ ଅଧିକ ବ୍ୟବହୃତ ହେବ, ଜୀବାଶ୍ମ  ଇନ୍ଧନ ଉପରେ ଆମ ନିର୍ଭରଶୀଳତା ସେତେ ହ୍ରାସ  ପାଇବ । ମାତ୍ର ନିଯୁକ୍ତି ସୁଯୋଗ ତଥା ଶସ୍ତାରେ ଉପଲବ୍ଧ  ଶକ୍ତି ନିମନ୍ତେ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା,  ଆର୍ଥିକ ସମ୍ବଳ ଓ ପ୍ରଯୁକ୍ତିବିଦ୍ୟାର ଅଭାବ, ଦୁର୍ବଳ  ବିଦ୍ୟୁତ୍‌ ଗ୍ରୀଡ୍‌ ଏବଂ ସୀମିତ ପାରଦର୍ଶିତା ହେତୁ ବିଶ୍ୱ  ଦକ୍ଷିଣ (ଗ୍ଲୋବାଲ୍‌ ସାଉଥ୍‌)ର ଗରିବ ରାଷ୍ଟ୍ରମାନଙ୍କ  ପାଇଁ ସ୍ୱଚ୍ଛ ଶକ୍ତି ଉତ୍ସକୁ ପରିବର୍ତ୍ତିତ ହେବା ବିଶେଷ  କଷ୍ଟସାଧ୍ୟ ଅଟେ । ଏହି ପରିପ୍ରେକ୍ଷୀରେ ବିକଶିତ,  ଧନୀକ ରାଷ୍ଟ୍ରମାନେ ସେମାନଙ୍କୁ ଆର୍ଥିକ ଓ ବୈଷୟିକ  ସହାୟତାର ହସ୍ତ ପ୍ରସାରଣର ନୈତିକ ଦାୟିତ୍ୱ ବହନ  କରିବା ଏକାନ୍ତ ଅପରିହାର୍ଯ୍ୟ । 

ଏହା ସ୍ୱୀକାର୍ଯ୍ୟ ଯେ, ୨୦୨୪ କୋପରନିକସ୍‌  ଜଳବାୟୁ ରିପୋର୍ଟ ବର୍ଦ୍ଧିତ ଜଳବାୟୁ ସଙ୍କଟର ଏକ  ସ୍ପଷ୍ଟ ଚିତ୍ର ଉପସ୍ଥାପନ କରେ । ଗ୍ରହର ଉତ୍ତାପ ବୃଦ୍ଧି,  ଅତ୍ୟଧିକ ପାଣିପାଗଜନିତ ଘଟଣା, ସମୁଦ୍ରର ଜଳସ୍ତର  ବୃଦ୍ଧି, ଏବଂ ପରିସଂସ୍ଥା ପ୍ରତି ବ୍ୟାଘାତ ଇତିମଧ୍ୟରେ  ବ୍ୟାପକ ଏବଂ ଗଭୀର ପ୍ରଭାବ ବିସ୍ତାର କରିଚାଲିଛି ।  ନିର୍ଗମନକୁ ହ୍ରାସ କରିବା ଏବଂ ଜଳବାୟୁ ପରିବର୍ତ୍ତନ  ସହିତ ଖାପ ଖୁଆଇବା ନିମନ୍ତେ ସ୍ୱଳ୍ପ କିଛି ପଦକ୍ଷେପ  ଗୃହୀତ ହୋଇଥିଲାବେଳେ ଆହ୍ୱାନର ଗାମ୍ଭୀର୍ଯ୍ୟ ସମାଜର  ସମସ୍ତ ସ୍ତରରେ ତୁରନ୍ତ ଏବଂ ନିରନ୍ତର କାର୍ଯ୍ୟାନୁଷ୍ଠାନ  ଆବଶ୍ୟକ କରେ । ଜଳବାୟୁ ସଙ୍କଟର ଅତ୍ୟନ୍ତ ଭୟାବହ  ପରିଣାମକୁ ଏଡ଼ାଇବା ନିମନ୍ତେ ବିଶ୍ୱବ୍ୟାପୀ ପ୍ରୟାସ ତୀବ୍ର  ହେବା ଜରୁରି । ନିର୍ଗମନ ହ୍ରାସ, ନିରନ୍ତର ଶକ୍ତି ବ୍ୟବସ୍ଥାକୁ  ପରିବର୍ତ୍ତନ ଏବଂ ଜଳବାୟୁ ମୁକାବିଲା କୌଶଳକୁ  ସମର୍ଥନ କରିବାରେ ସରକାର, ବ୍ୟବସାୟ, ଅନୁଷ୍ଠାନ  ଏବଂ ବ୍ୟକ୍ତିବିଶେଷ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା  ରହିଛି । ରିପୋର୍ଟର ତଥ୍ୟ ସ୍ପଷ୍ଟ କରୁଛି ଯେ, ସମୟ  ଅତିକ୍ରାନ୍ତ ହେଉଛି ଏବଂ ଅପୂରଣୀୟ କ୍ଷତିକୁ ରୋକିବା  ନିମନ୍ତେ ସୁଯୋଗର ଦ୍ୱାର ଶୀଘ୍ର ବନ୍ଦ ହୋଇଆସୁଛି ।  ବିଶ୍ୱବାସୀ ତ୍ୱରିତ୍‌ ଜାଗ୍ରତ ହେବାର ସମୟ ଉପନୀତ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.