ପାଗଳ କରିଛି ସ୍ମାର୍ଟଫୋନ୍ । ବାପା-ମାଆଙ୍କ ଚିନ୍ତା ବଢ଼ିଛି । କିଶୋରମାନେ ଏବେ ଅସହିଷ୍ଣୁ, ବଦ୍ରାଗୀ ଓ ଗ୍ଲାନିଗ୍ରସ୍ତ । ଜୀବନ ରଙ୍ଗହୀନ ଆଉ ରସହୀନ । ପିଲାଙ୍କ ସାମାଜିକ ଗଣମାଧ୍ୟମ ନିଶାରେ ଅଙ୍କୁଶ ଲଗାଇବାକୁ ସରକାର ଆଣୁଛନ୍ତି ନୂଆ ଆଇନ ।
ବାପା-ମାଆଙ୍କ ପାଇଁ ବଡ଼ ଖବର । ପିଲାମାନେ ଆଉ ଏଣିକି ମନଇଚ୍ଛା ବ୍ୟବହାର କରିପାରିବେନି ସୋସିଆଲ ମିଡିଆ । ଫେସବୁକ୍ ହେଉ ଅବା ୟୁଟ୍ୟୁବ୍ । ଇନ୍ଷ୍ଟାଗ୍ରାମରୁ ‘ଏକ୍ସ’, କୌଣସି ପ୍ଲାଟ୍ଫର୍ମରେ ନିଜର ଆକାଉଣ୍ଟ ଖୋଲିପାରିବେନି । ଲଗାମ ଲଗାଇବ ଆଇନ । ବାଟ ଜଗିବ । ନିୟନ୍ତ୍ରଣରେ ରହିବେ ସୋସିଆଲ ମିଡିଆପାଗଳ ପିଲା । ନିଜ ପାଠପଢ଼ା, କ୍ୟାରିୟର, ସୃଜନଶୀଳତାରେ ଅଧିକ ମନ ଦେବେ । ଘର ଭିତରେ କବାଟ କିଳି ଫେସବୁକ୍ ଦେଖିବା କିମ୍ବା ହ୍ୱାଟସଆପ୍ ଚାଟିଂ ଛାଡ଼ି ବାହାର ଦୁନିଆ ସହ ଯୋଡ଼ିବେ ସଂପର୍କ । ଦେଖିବେ ଦୁନିଆ କେତେ ମଧୁମୟ । ଜାଣିବେ ସଂପର୍କର ନିବିଡ଼ତା ।
ମନଇଚ୍ଛା ଇଣ୍ଟରନେଟ୍ ବ୍ୟବହାର କରିବେନି କିଶୋର । ଲାଗିବ କଟକଣା । କେନ୍ଦ୍ର ସରକାର ଆଣୁଛନ୍ତି ନୂଆ ଆଇନ । ଜାରି ହୋଇଛି ଡିଜିଟାଲ୍ ବ୍ୟକ୍ତିଗତ ଡାଟା ସୁରକ୍ଷା ଆଇନର ଚିଠା ନିୟମ । ୧୮ ବର୍ଷରୁ କମ୍ ପିଲାଙ୍କ ମାତ୍ରାଧିକ ସୋସିଆଲ ମିଡିଆର ବ୍ୟବହାର ଉପରେ ଲାଗିବ ଅଙ୍କୁଶ । ଭାରତର ଭବିଷ୍ୟତ ପିଢ଼ି ପାଇଁ ସଶକ୍ତ ଓ ସୁରକ୍ଷିତ ଡିଜିଟାଲ୍ ପରିବେଶର ପଡ଼ିବ ମୂଳଦୁଆ ।
ଅଷ୍ଟ୍ରେଲିଆରେ ନିଷେଧ, ବିଶ୍ୱରେ ବିତର୍କ
ଐତିହାସିକ ଆଇନ୍ । ଅଭିଭାବକ ଆଶ୍ୱସ୍ତ । ଅଷ୍ଟ୍ରେଲିଆ ସରକାର ଆଣିଛନ୍ତି ନୂଆ ଆଇନ । ଏଣିକି ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମ ମନା । କିଶୋରମାନେ ଫେସବୁକ୍, ଟିକ୍ଟକ, ଇନଷ୍ଟାଗ୍ରାମ୍, ସ୍ନାପଚାଟ୍ ଓ ଏକ୍ସ ଭଳି ପ୍ଲାଟଫର୍ମ ବ୍ୟବହାର କରିପାରିବେ ନାହିଁ । ଯଦି କୌଣସି ସୋସିଆଲ ମିଡିଆ କମ୍ପାନି ଏ ଆଇନକୁ ଉଲ୍ଲଂଘନ କରନ୍ତି, ତେବେ ଗଣିବେ ମୋଟା ଅଙ୍କର ଜରିମାନା। ଆଇନ ତ ଆସିଲା । ମାତ୍ର ଅଷ୍ଟ୍ରେଲିଆର ଏ ସଶକ୍ତ ଆଇନକୁ ନେଇ ଆରମ୍ଭ ହୋଇଛି ବିତର୍କ । ସାମାଜିକ ଗଣମାଧ୍ୟମ ଦୁନିଆରେ କିଶୋରମାନଙ୍କ ସଂପୂର୍ଣ୍ଣ ପ୍ରବେଶ ନିଷେଧକୁ ଅନେକ ବିରୋଧ କରୁଛନ୍ତି । ଏହା କିଶୋରମାନଙ୍କୁ ଜ୍ଞାନ ଆହରଣ, ରୁଚି, ସୃଜନଶୀଳତାରୁ ବଞ୍ଚିତ କରିବ । ପିଲାମାନେ ଡିଜିଟାଲ୍ ଅଧିକାର ମଧ୍ୟ ହରାଇବେ । ଏମିତି ତୀବ୍ର ସମାଲୋଚନାର ସ୍ୱର ଉଠିଛି । ମାତ୍ର ଆଉ କିଛି ଆଇନ ସପକ୍ଷରେ ଯୁକ୍ତି କରୁଛନ୍ତି । ପିଲାଙ୍କ ସୁରକ୍ଷିତ ଭବିଷ୍ୟତ ଓ ମୋବାଇଲର ନକାରାତ୍ମକ ପ୍ରଭାବରୁ ଏ ଆଇନ ସୁରକ୍ଷା ଦେବ । ବାପାମାଆଙ୍କୁ ଆଶ୍ୱସ୍ତି କରିବ ବୋଲି ଓକିଲାତି କରୁଛନ୍ତି ।
ପିଲାଙ୍କୁ ପାଗଳ କରିଛି ସ୍ମାର୍ଟଫୋନ୍ । ବାପା-ମାଆଙ୍କ ଚିନ୍ତା ବଢ଼ିଛି । ପୂର୍ବରୁ ଚୀନ୍ରେ ଛୋଟ ପିଲାଙ୍କ ସାମାଜିକ ଗଣମାଧ୍ୟମ ବ୍ୟବହାର ଉପରେ ଲାଗୁ ହୋଇଛି କଟକଣା । ୧୪ ବର୍ଷରୁ କମ୍ ପିଲାମାନେ ଦିନକରେ ୪୦ ମିନିଟ୍ରୁ ଅଧିକ ସମୟ ଡୋୟିନ୍ (ଚାଇନା ଟିକ୍ଟକ ଭର୍ସନ) ଦେଖିପାରିବେ ନାହିଁ । ପିଲାମାନଙ୍କ ପାଇଁ ଅନଲାଇନ ଗେମ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି । ଅଷ୍ଟ୍ରେଲିଆ କିନ୍ତୁ ବିଶ୍ୱର ପ୍ରଥମ ଦେଶ ଭାବେ ଛୋଟ ପିଲାଙ୍କ ପାଇଁ ସୋସିଆଲ୍ ମିଡିଆର ବ୍ୟବହାର ଉପରେ ସଂପୂର୍ଣ୍ଣ ନିଷେଧ ଲଗାଇଛି । ନରୱେରେ ସୋସିଆଲ୍ ମିଡିଆ ବ୍ୟବହାର ପାଇଁ ସର୍ବନିମ୍ନ ବୟସ ୧୫ କରିବାକୁ ଚାଲିଛି ବିଚାର ବିମର୍ଶ । ଫ୍ରାନ୍ସ ସରକାର ସ୍କୁଲ ପରିସରରେ ମୋବାଇଲ ଫୋନକୁ ନିଷେଧ କରିଛନ୍ତି । ଫିନ୍ଲ୍ୟାଣ୍ଡରେ କିନ୍ତୁ ପିଲାମାନେ କିପରି ଦାୟିତ୍ୱବାନ ଭାବେ ଡିଜିଟାଲ୍ ମିଡିଆ ବ୍ୟବହାର କରିବେ ସେ ଦିଗରେ ଉଦ୍ୟମ ଜାରି ରହିଛି । ଏଥିପାଇଁ ସ୍କୁଲ, କଲେଜ ସହ ଘରେ ପିଲାମାନଙ୍କୁ ସଚେତନ କରାଯାଉଛି । ପିଲାମାନେ କିଭଳି ‘ସେଫ୍ମୋଡ୍’ରେ ସୋସିଆଲ୍ ମିଡିଆର ବ୍ୟବହାର କରିବେ ସେ ଦିଗରେ ବୈଷୟିକ କଂପାନି କାମ କରୁଛନ୍ତି । ସାରା ବିଶ୍ୱରେ ଏବେ ସୋସିଆଲ୍ ମିଡିଆର ଅପବ୍ୟବହାର ଓ ପିଲାମାନଙ୍କ ମାନସିକ ସ୍ଥିତିକୁ ନେଇ ଜୋର ଧରିଛି ବିତର୍କ । ଭାରତ ସରକାର ମଧ୍ୟ ପିଲାଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ସ୍ୱତନ୍ତ୍ର ତଥ୍ୟ ସୁରକ୍ଷା ଆଇନ ଆଣିଛନ୍ତି । ଏହି ଆଇନକୁ କାର୍ଯ୍ୟକାରୀ କରିବାକୁ ଆରମ୍ଭ ହୋଇଛି ନିୟମାବଳୀ ପ୍ରଣୟନ କାମ ।
କେନ୍ଦ୍ର ଲୋଡ଼ୁଛି ଲୋକଙ୍କ ମତ
ସାଧାରଣ ଲୋକ କ’ଣ କହୁଛନ୍ତି ? ଡାଟା ସୁରକ୍ଷା ଆଇନରେ ପିଲାମାନଙ୍କୁ ସୋସିଆଲ୍ ମିଡିଆରୁ ସଂପୂର୍ଣ୍ଣ ନିଷେଧ କରାଯିବ ନା ନିୟନ୍ତ୍ରଣରେ ରଖାଯିବ ? ଏଥିପାଇଁ ଚିଠା ନିୟମ ଜାରି କରି ଲୋକଙ୍କ ମତ ଲୋଡ଼ିଛନ୍ତି କେନ୍ଦ୍ର ସରକାର । ଲୋକଙ୍କ ମତ ଓ ବିଶେଷଜ୍ଞଙ୍କ ପରାମର୍ଶ ଆଧାରରେ ତିଆରି ହେବ ଚୂଡ଼ାନ୍ତ ନିୟମାବଳୀ ।
ଇଣ୍ଟରନେଟ୍ର ଯୁଗ । ବଦଳିଛି ପିଲାଙ୍କ ଦୁନିଆ । ଆଜିର ପିଲାମାନଙ୍କ ମଧ୍ୟରେ ସଂପର୍କର ନିବିଡ଼ତା ଏବେ ଧୂସର । ଫେସ୍ବୁକ୍, ୟୁଟ୍ୟୁବ୍, ଇନ୍ଷ୍ଟା ଏବେ ପାଲଟିଛି ଜୀବନ । ସୋସିଆଲ୍ ମିଡିଆ ପିଲାମାନଙ୍କର ଏବେ ବଡ଼ ନିଶା । ସରକାରଙ୍କ ଚିଠା ନିୟମାବଳୀରେ ଏହାକୁ ଜଗିବାକୁ ରହିଛି ବ୍ୟବସ୍ଥା । ଏଣିକି କିଶୋରମାନେ କୌଣସି ସୋସିଆଲ୍ ମିଡିଆ ଆକାଉଣ୍ଟ ଖୋଲିବାକୁ ହେଲେ ବାପା-ମାଆଙ୍କ ସମ୍ମତି ବାଧ୍ୟତାମୂଳକ ହେବ । ପ୍ରସ୍ତାବିତ ନିୟମାବଳୀ ଅନୁସାରେ ଏ ସମ୍ମତି ସଂଗ୍ରହ ଦାୟିତ୍ୱକୁ କଡ଼ାକଡ଼ି ପାଳନ କରାଯିବ । ଏଥିରେ ସାମାନ୍ୟତମ ଢିଲାପଣ ବରଦାସ୍ତ କରାଯିବନି ।
ଏଥିରେ ଜାଲିଆତି ରୋକିବାକୁ ସୋସିଆଲ୍ ମିଡିଆ କଂପାନି ବାଟ କାଢ଼ିବେ । ପ୍ରକୃତରେ ପିଲାର ବୟସ କେତେ? ଏହା ଜାଣିବାକୁ କୃତ୍ରିମ ମେଧାର ହେବ ବ୍ୟବହାର । ନାଗରିକମାନେ ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟକ୍ତିଗତ ଗୋପନୀୟ ତଥ୍ୟ ବିଭିନ୍ନ ସଂସ୍ଥାନ (ସରକାରୀ ଓ ବେସରକାରୀ)କୁ ଦେଇଥାନ୍ତି । କିନ୍ତୁ ଏହି ଡାଟା କେଉଁ ଉଦ୍ଦେଶ୍ୟରେ ବ୍ୟବହାର ହେଉଛି? ଏହାର ଅପବ୍ୟବହାର ହେଉଛି ନା ନାହିଁ । ସେ ସଂପର୍କରେ ଜଣେ ଭାରତୀୟ ଜାଣିପାରୁନି । ଫଳରେ ତଥ୍ୟର ସୁରକ୍ଷାକୁ ନେଇ ସବୁବେଳେ ତର୍କବିତର୍କ ଲାଗି ରହୁଛି । ଏ ନୂଆ ଆଇନ ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷାକୁ ଜଗିବ । ଯେଉଁ ଉଦ୍ଦେଶ୍ୟରେ ତଥ୍ୟ ନିଆଯାଇଥିବ କେବଳ ସେହି ଉଦ୍ଦେଶ୍ୟରେ ହିଁ ବ୍ୟବହାର ହେବ । ଏହାର ଉଲ୍ଲଙ୍ଘନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନର ନିୟମ ରହିଛି । ଫୋନ୍ ନମ୍ବର, ପାନ୍କାର୍ଡ, ଠିକଣା, ଆଧାର ନମ୍ବର, ବ୍ୟାଙ୍କ ଆକାଉଣ୍ଟର ସୂଚନା ଲିକ୍ ହେଲେ କିମ୍ବା କୌଣସି ସଂସ୍ଥା ଦ୍ୱାରା ଅପବ୍ୟବାହର ହେଲେ ନାଗରିକ କ୍ଷତି ସହୁଛି । ଏଭଳି ମାଳ ମାଳ ଅଭିଯୋଗ ଗତ କିଛି ବର୍ଷ ମଧ୍ୟରେ ଉପରମୁହାଁ ଧରିଛି । ଡିଜିଟାଲ୍ ଯୁଗରେ ପ୍ରତ୍ୟେକ ଭାରତୀୟଙ୍କୁ ସୁରକ୍ଷିତ, ସଶକ୍ତ କରିବାକୁ ଡିଜିଟାଲ୍ ବ୍ୟକ୍ତିଗତ ଡାଟା ସୁରକ୍ଷା ଆଇନରେ କଡ଼ା ନିୟମ ଆଣିବାକୁ ଯାଉଛି କେନ୍ଦ୍ର ।
ହୁଗୁଳା ସଂପର୍କ, ରଙ୍ଗହୀନ ଜୀବନ
ସ୍ମାର୍ଟଫୋନ୍ ପିଲାଙ୍କ ଶରୀର ଓ ମନକୁ କରୁଛି ଭାରାକ୍ରାନ୍ତ । ସମାଜ ବିଜ୍ଞାନୀଙ୍କ ମତରେ ଏହା କିଶୋରମାନଙ୍କୁ ଅସହିଷ୍ଣୁ, ବଦ୍ରାଗି ଓ ଗ୍ଲାନିଗ୍ରସ୍ତ କରୁଛି । ସାମାଜିକ ବାତାବରଣ ଅସୁସ୍ଥ ହୋଇ ଚାଲିଛି । ଧୀରେ ଧୀରେ ପରିବାରରେ ସଂପର୍କ ହୁଗୁଳା ଧରୁଛି । ପିଲାମାନେ ଚୁପ୍ଚାପ ରହୁଛନ୍ତି । ଖେଳକୁଦ ପ୍ରତି ନୂଆ ପିଢ଼ି ଭିତରେ ଅନାଗ୍ରହ । ଫେସବୁକ୍, ୟୁଟ୍ୟୁବ୍, ହ୍ୱାଟସଆପ୍ରେ ବୁଡ଼ି ରହୁଛନ୍ତି । ଏକା ରହିବା ଏବେ ପ୍ରଥମ ପସନ୍ଦ । ଜାତୀୟ ଶିଶୁଅଧିକାର ସୁରକ୍ଷା ଆୟୋଗ ରିପୋର୍ଟ କହୁଛି, ଦେଶରେ ୮ରୁ ୧୮ ବର୍ଷ ମଧ୍ୟରେ ୩୦ ପ୍ରତିଶତ ପିଲାଙ୍କର ନିଜସ୍ୱ ସ୍ମାର୍ଟଫୋନ୍ ଅଛି । ୬୨ ପ୍ରତିଶତ ପିଲା ନିଜ ଅଭିଭାବକଙ୍କ ଫୋନରେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି । ୪୩ ପ୍ରତିଶତଙ୍କର ସକ୍ରିୟ ସୋସିଆଲ ମିଡିଆ ଆକାଉଣ୍ଟ ଅଛି । ମାତ୍ରାଧିକ ସାମାଜିକ ଗଣମାଧ୍ୟମର ବ୍ୟବହାର ପିଲାଙ୍କ ମନରେ ଚାପ, ବ୍ୟଗ୍ରତା ଓ ମାନସିକ ଅଶାନ୍ତି ଆଣୁଛି ।
ଜାତୀୟ ମାନସିକ ସ୍ୱାସ୍ଥ୍ୟ ଓ ସ୍ନାୟୁ ବିଜ୍ଞାନ ସଂସ୍ଥାନର ଅଧ୍ୟୟନ କହୁଛି, ସ୍ମାର୍ଟଫୋନ୍ର ବହୁଳ ବ୍ୟବହାର, ଅନ୍ଲାଇନ ଗେମ୍ ଓ ସୋସିଆଲ ମିଡିଆରେ ଘଣ୍ଟା ଘଣ୍ଟା ବୁଡ଼ି ରହିବା ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟକୁ ଢେର ପ୍ରଭାବିତ କରୁଛି । ଅସଲ ଦୁନିଆ ବନ୍ଧୁ ବଦଳରେ ନକଲି ଦୁନିଆରେ ବଞ୍ଚିବାକୁ ନାବାଳକମାନେ ଆଗ୍ରହ ଦେଖାଉଛନ୍ତି । ଯାହାର ଫଳ ହେଉଛି ହତାଶା, ଅବସାଦ, ଅସହିଷ୍ଣୁତା ।
ଗୋଦରା କୋଡ଼େ ଯେତେ ମାଡ଼େ ସେତେ ଭଳି ଆମ ଭବିଷ୍ୟତ ପିଢ଼ି ଆଗକୁ ଯାଉଛନ୍ତି । କିଶୋରମାନେ ଏବେ ବାଟବଣା । ନିଃସଙ୍ଗତା ଓ ଈର୍ଷା ବଢୁଛି । ମାନସିକ ଚାପ ସହ ଚିଡ଼ିଚିଡ଼ାପଣ ବଢୁଛି । ରାତିରେ ନିଦ ହେଉନି । ନିରାଶା ଓ ହତାଶାପଣ ଛାଇ ଭଳି ଗୋଡ଼ାଉଛି । ସାମାଜିକ ଗଣମାଧ୍ୟମର ନାଗଫାଶରେ ବାନ୍ଧି ହୋଇ ପିଲାମାନେ ଏବେ ଶୈଶବ, କିଶୋର ସମୟକୁ ଦଳିକୁଦି ବିପର୍ଯ୍ୟସ୍ତ କରିବାରେ ଲାଗିଛନ୍ତି । ସଂପର୍କରୁ ମଉଳି ଯାଉଛି ଆବେଗର ରଙ୍ଗ । ଜୀବନ ହେଉଛି ରଙ୍ଗହୀନ ଆଉ ରସହୀନ । ନା ଅଛି ବନ୍ଧୁତାର ଚପଳତା, ନା ଭଲପାଇବାର ନିଚ୍ଛକତା । ସାମାଜିକ ଗଣମାଧ୍ୟମର ମୋହରୁ ମୁକ୍ତି ଆଣିବାକୁ ସରକାରଙ୍କ ନୂଆ ଆଇନ କେତେ ସହାୟକ ହେବ ତାହାକୁ ଏବେ ଅପେକ୍ଷା।