ନୂଆଦିଲ୍ଲୀ: ବିଜେପିର ନୂଆଦିଲ୍ଲୀ ପାର୍ଥୀ ପରଭେଶ ବର୍ମାଙ୍କ ଉପରେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରିବା ପାଇଁ ଏକ ମାମଲା ରୁଜୁ କରାଯାଇଛି। ନୂଆଦିଲ୍ଲୀ ବିଧାନସଭା ମଣ୍ଡଳରେ ସେ ଜୋତା ବାଣ୍ଟୁଥିବାର ଭିଡିଓ ମିଳିବା ପରେ ତାଙ୍କ ଉପରେ ଏହି ମାମଲା ରୁଜୁ କରାଯାଇଛି।
ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନୂଆଦିଲ୍ଲୀ ଆସନରୁ ଆପ୍ ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ କଂଗ୍ରେସର ସନ୍ଦିପ ଦିକ୍ଷିତଙ୍କ ବିରୁଦ୍ଧରେ ପରବେଶ ବର୍ମାଙ୍କୁ ଠିଆ କରିଛି ବିଜେପି।
ସୁଚନା ମୁତାବକ, ଦିଲ୍ଲୀରେ ରହୁଥିବା ଆଡଭୋକେଟ ରଜନୀଶ ଭାସ୍କରଙ୍କୁ ଏହି ଭିଡିଓ ମିଳିଥିଲା। ଯେଉଁତିରେ ପରଭେଶ ବର୍ମା ମହିଳା ମାନଙ୍କୁ ଜୋତା ବାଣ୍ଟୁଥିବାର ଦୃଶ୍ୟ ରହିଥିଲା। ତାଙ୍କୁ ଏହି ଭିଡିଓ ମିଳିବା ପରେ ସେ ସାଙ୍ଗେସାଙ୍ଗେ ଭିଡିଓଟିକୁ ରିଟର୍ଣ୍ଣି ଅଫିସରଙ୍କ ନିକଟକୁ ପଠାଇଥିଲେ। ଆଉ ଏହା ପରେ ଷ୍ଟେସନ ହାଉସ ଅଫିସର ଏହା ଉପରେ ଏକ ମାମଲା ରୁଜୁ କରିଥିଲେ।
ରିପ୍ରେଣ୍ଟେସନ ଅଫ ପିପୁଲ ଆକ୍ଟର ସେକ୍ସନ ୧୨୩ରେ ନିର୍ବାଚନ ଆଚରଣ ବିଧି ଲାଗୁହେବା ପରେ ଭୋଟର ମାନଙ୍କୁ ପାର୍ଥୀ ମାନଙ୍କ ଦ୍ୱାରା କୌଣସି ଉପହାର ବଣ୍ଟନ, ଅଫର କିମ୍ବା ପ୍ରତିଜ୍ଞା ଦେବା ଆଇନଗତ ଅପରାଧ। ଏଣୁ ବର୍ତ୍ତମାନ ପରଭେଶଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲଘଂନ କରିଥିବା ନେଇ ମାମଲା ରୁଜୁ ହୋଇଛି।
ଏହା ବ୍ୟତୀତ, ନିକଟରେ ବିଜେପି ପ୍ରାର୍ଥୀ ପରଭେଶ ବର୍ମା ମହିଳା ଭୋଟରଙ୍କୁ ୧୧୦୦ ଟଙ୍କା ନଗଦ ବାଣ୍ଟିବା ଓ ଭୋଟରମାନଙ୍କୁ ପ୍ରଲୋଭିତ କରିବା ପାଇଁ 'ହର ଘର ନୈକରି' ଯୋଜନାକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି କେଜ୍ରିୱାଲ ନିର୍ବାଚନ କମିଶନରଙ୍କ ସମ୍ମୁଖରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ମଧ୍ୟ ପରଭେଜ ନିର୍ବାଚନ ପ୍ୟାନେଲର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଛନ୍ତି।
ଆସନ୍ତା ଫ୍ରେବୃୟାରି ୫ ତାରିଖରେ ଦିଲ୍ଲୀ ନିର୍ବାଚନ ହେବାକୁ ଯାଉଥିବା ବେଳେ, ଫ୍ରେବୃୟାରି ୮ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବାର ଲକ୍ଷ୍ୟ ରହିଛି।