ଯଦି ମଣିଷ ହୋଇ ଆଉ ଜଣେ ମଣିଷର କାମରେ ଆସିପାରିଲେ ନାହିଁ, ତେବେ ମଣିଷ ଜନ୍ମ ବୃଥା । ଆଜିକାଲି ବ୍ୟସ୍ତବହୁଳତା ଜୀବନରେ ଆମେ ତ ନିଜେ ନିଜ ପାଇଁ ସମୟ ଦେଇପାରୁ ନାହୁଁ, ଅନ୍ୟ କାହାକୁ ବା କେମିତି କ’ଣ ଦେବା । ହେଲେ, ଯଦି ମୃତ୍ୟୁ ପରେ ଆମ ଶରୀର କାହାରି ବା କୌଣସି କାମରେ ଲାଗିପାରିବ ତେବେ ସେଇ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିବା କଥା ନୁହେଁ।
ଗୀତା, ପୁରାଣ, ଉପନିଷଦ, ବାଇବେଲ୍, କୋରାନ୍, ଗୁରୁ ଗ୍ରନ୍ଥସାହେବ ସବୁଠାରେ ଦାନର ଉଲ୍ଲେଖ ରହିଛି । ଦାନ ସହିତ ଧର୍ମ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଧର୍ମ ଅଲଗା ଅଲଗା ହୋଇପାରେ, କିନ୍ତୁ ଦାନର ମହତ୍ତ୍ୱ ସବୁଠି ସମାନ । ମୃତ୍ୟୁ ପରେ ସତ୍ୟବାନଙ୍କୁ ଯମଠାରୁ ଜୀବନ ଦାନ ହେଉ ବା ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଠାରୁ ଅର୍ଜୁନଙ୍କୁ ଶିକ୍ଷାଦାନ ହେଉ । ଅଶ୍ୱମେଧ ଯଜ୍ଞରେ ଗୋଦାନ ହେଉ ବା ଭୋକିଲାଙ୍କୁ ଖାଦ୍ୟଦାନ ହେଉ । ଶ୍ରାଦ୍ଧରେ ପିତୃପୁରୁଷଙ୍କୁ ପିଣ୍ଡଦାନ ହେଉ ବା ବାହାବେଦିରେ କନ୍ୟାଦାନ ହେଉ । ସବୁ ଦାନର ନିଜ ନିଜର ମହତ୍ତ୍ୱ ରହିଛି । ସମୟର ପରିବର୍ତ୍ତନ ସହିତ ଦାନ ଧର୍ମର ପରିଭାଷା କିନ୍ତୁ ବଦଳି ଚାଲିଛି । ଆଜିକାଲି ଦାନ କେବଳ ମାଗଣା ପାଇବାକୁ ଓ ମାଗଣାରେ ଚଳିବାକୁ ସୀମିତ ହୋଇଗଲାଣି । କନ୍ୟାଦାନ ଆଉ ମହାପୁଣ୍ୟ ନାହିଁ । କାହିଁକି ନା, ଆଧୁନିକ ନାରୀ ଯେତେବେଳେ ସଶକ୍ତ ହୋଇଗଲେଣି ସେତେବେଳେ ଦାନରେ ଦିଆଯିବାଟା ତାଙ୍କୁ ଆଉ ପସନ୍ଦ ଆସୁନାହିଁ । ଯେତେ ଯେତେ ଆମେ ସଭ୍ୟତା ଆଡ଼କୁ ମାଡ଼ି ଚାଲିଛନ୍ତି, ସେତେ ସେତେ ଆମେ ଅସଭ୍ୟ ହୋଇଯାଉଛନ୍ତି । ଦାନ ଦେଉଥିବା ଓ ଦାନ ଗ୍ରହଣ କରୁଥିବା ପଛର ମାହାତ୍ମ୍ୟକୁ ଅତ୍ୟାଧୁନିକ ମଣିଷ ବୁଝି ପାରୁନାହିଁ । ମଣିଷ ନିଜ ଜ୍ଞାନ, ଗାରିମାର ଅହଙ୍କାରରେ ଦାନ ଧର୍ମର ପ୍ରକୃତ ଅର୍ଥ ଓ ଉଦ୍ଦେଶ୍ୟକୁ ବୁଝି ପାରୁନାହିଁ । ଦାନ କରିଲେ ଜୀବନ ସୁଖମୟ ହୁଏ । କିନ୍ତୁ ଏମିତି ମଧ୍ୟ କିଛି ଦାନ ଅଛି, ଯେଉଁଥିରେ ସୁଖର ଅନ୍ତ ନାହିଁ, କି ମୃତ୍ୟୁ ପରେ ଦାନର ଅନ୍ତ ନାହିଁ । ସବୁ ଦାନ ମଧ୍ୟରୁ ଜୀବନ ଦାନ ହେଉଛି ଅତି ମୂଲ୍ୟବାନ । ଜୀବନ ଦାନ ଦେବାର ସାମର୍ଥ୍ୟ କେବଳ ଦୁଇଜଣଙ୍କ ପାଖରେ- ଜଣେ ହେଲେ ସୃଷ୍ଟିର ସ୍ରଷ୍ଟା ଓ ଆଉ ଜଣେ ହେଲେ ସ୍ରଷ୍ଟାଙ୍କର ଶ୍ରେଷ୍ଟ ସୃଷ୍ଟି । ଆଜ୍ଞା ହଁ! ଈଶ୍ୱର ଓ ମଣିଷ ହିଁ ଜୀବନ ଦାନ ଦେଇପାରିବେ ।
ମନ୍ଦିରରେ ଥିବା ଦିଅଁଙ୍କ ପାଖରେ ଆମେ ଅଧିଆ ପଡୁ, ପ୍ରଭୁଙ୍କ କୃପା ଓ ମନ ଚାହୁଁଥିବା ଦାନ ଲାଗି । ହେଲେ ଡାକ୍ତରଖାନାରେ ଯେଉଁ ଦିଅଁ ଥାଆନ୍ତି ତାଙ୍କ ପାଖରେ ଅଧିଆ ପଡୁ କେବଳ ଜୀବନ ଦାନ ଲାଗି । ସେ ମୂର୍ତ୍ତିସ୍ୱରୂପ ଭଗବାନ ହୁଅନ୍ତୁ ବା ମାନବରୂପୀ ଭଗବାନ ଡାକ୍ତର ହୁଅନ୍ତୁ । ଡାକ୍ତରଖାନା ଏମିତି ଏକ ଜାଗା, ଯେଉଁଠି ଜନ୍ମ ଓ ମୃତ୍ୟୁର ମେଳା ଲାଗିଥାଏ । ଥରେ ସେଇ ଡାକ୍ତରଖାନାରେ ଥିବା ଏକ ଗଣେଶଙ୍କ ମୂର୍ତ୍ତି ସାମ୍ନାରେ ଦୁଇଜଣ ଯୁବକ ଗୁହାରି କରୁଥାନ୍ତି । ଏଥି ମଧ୍ୟରେ ଜଣେ ଯୁବକ ଜୋର୍ରେ କାନ୍ଦିବାକୁ ଲାଗିଲେ । ତାହା ଦେଖି ଆର ଯୁବକ ଜଣକ ସାନ୍ତ୍ୱନା ଦେଇ ପଚାରିଲେକ'ଣ ହୋଇଛି? ଯୁବକ ଜଣକ କହିଲେ- ମୋ ବାପା ଶିଡ଼ିରୁ ପଡ଼ି ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ଡାକ୍ତର କହୁଛନ୍ତି ତାଙ୍କର ବ୍ରେନ୍ ଡେଡ୍ ହୋଇଯାଇଛି । କୃତ୍ରିମ ଯନ୍ତ୍ର ସାହାଯ୍ୟରେ ସେ କୃତ୍ରିମ ଭାବରେ ଜୀବିତ । ଯନ୍ତ୍ର ବାହାର କରିଦେଲେ ବାପା ଚାଲିଯିବେ । ବାପାଙ୍କର ଜୀବନ ମୃତ୍ୟୁ ଏବେ କେବଳ ମୋର ଏକ "ହଁ' ଆଉ "ନା'ରେ । କେମିତି ବାପାଙ୍କୁ ମରିବାକୁ ଅନୁମତି ଦେବି? ଏହା ଶୁଣି ଆର ଯୁବକ ଜଣକ କହିଲେ "ତୁମେ ତୁମ ବାପାଙ୍କୁ କେମିତି ମୃତ୍ୟୁ ଦେବ ଜାଣି ପାରୁନାହଁ । ମୁଁ ମୋ ସ୍ତ୍ରୀକୁ କେମିତି ବଞ୍ଚେଇବି ବୁଝିପାରୁ ନାହିଁ ।
ଡାକ୍ତର କହୁଛନ୍ତି ହୃତ୍ପିଣ୍ଡଜନିତ ରୋଗ ଯୋଗୁଁ ମୋ ସ୍ତ୍ରୀର ବଞ୍ଚିବା କଷ୍ଟ । ହୃତପିଣ୍ଡ ପ୍ରତିରୋପଣ କରିବାକୁ ପଡ଼ିବ, କିନ୍ତୁ ସମୟ ବେଶୀ ନାହିଁ । ଦୁଇ ଯୁବକଙ୍କ କଥା, ପାଖରେ ବସିଥିବା ଜଣେ ଡାକ୍ତର ଶୁଣୁଥାନ୍ତି । ସେ ଦୁଇଜଣଙ୍କୁ ପାଖକୁ ଡାକି କହିଲେ- ଗୋଟିଏ ବାଟ ଅଛି ଯେଉଁଥିରେ ତୁମେ ତୁମ ବାପା ଓ ତୁମେ ତୁମ ସ୍ତ୍ରୀଙ୍କୁ ବଞ୍ଚାଇ ପାରିବ । ଡାକ୍ତରଙ୍କ କଥା ଶୁଣି ଯୁବକ ଦୁଇଜଣ ଟିକିଏ ଆଶ୍ୱସ୍ତ ହୋଇ ପଚାରିଲେ- କେମିତି? ଡାକ୍ତର ଜଣଙ୍କ କହିଲେ- ତୁମ ପ୍ରଶ୍ନର ଉତ୍ତର ସାମ୍ନାରେ ଥିବା ଗଣେଶଙ୍କ ପାଖରେ । ଭାବିଲ ଦେଖି ଯଦି ମା' ଦୁର୍ଗା, ପାର୍ବତୀ, ସରସ୍ୱତୀ, ମଙ୍ଗଳା ବା ଅନ୍ୟ ଦେବୀମାନେ ନାରୀ ଭଳି । ଶିବ, କାର୍ତ୍ତିକ, ବିଶ୍ୱକର୍ମା, ବିଷ୍ଣୁ, ବ୍ରହ୍ମା ସବୁ ପୁରୁଷଙ୍କ ଭଳି, ତେବେ ଗଣେଶ କାହିଁକି ହାତୀ ଭଳି? ଶିବଙ୍କ କୋପରେ ଯେତେବେଳେ ଗଣେଶ ଜୀବନ ମୃତ୍ୟୁ ସାଙ୍ଗରେ ଲଢେଇ କରୁଥିଲେ, ସେତେବେଳେ ମୃତ୍ୟୁମୁଖରେ ଥିବା ସେଇ ଐରାବତ ଗଣେଶଙ୍କ କାମରେ ଲାଗିଲା । ଐରାବତର ମସ୍ତକ ଗଣେଶଙ୍କ ଦେହରେ ରୋପଣ ହେଲା । ଆଜି ଐରାବତ ଅମର । ଠିକ୍ ସେହିପରି ଆଜି ଐରାବତ ତୁମ ବାପା ଓ ଗଣେଶ ତୁମ ସ୍ତ୍ରୀ । ତୁମ ସ୍ତ୍ରୀ ବଞ୍ଚିବାକୁ ଏକ ହୃତପିଣ୍ଡ ଆବଶ୍ୟକତାରେ ଓ ତୁମ ବାପାଙ୍କୁ ଆଉ ବଞ୍ଚାଇ ହେବନାହିଁ । ତୁମେ କିନ୍ତୁ ତୁମ ବାପାଙ୍କୁ ଜୀବିତ ରଖିପାରିବ, ଯଦି ତୁମେ ତାଙ୍କର ଅଙ୍ଗଦାନ କରିବାକୁ ଚୟନ କର । ଏହା ହୋଇପାରେ ଯେ ତୁମ ବାପାଙ୍କ ହୃତପିଣ୍ଡ ତାଙ୍କ ସ୍ତ୍ରୀଙ୍କ ସହ ମେଳ ନକରିପାରେ, ହେଲେ ସେ ଆଉ କାହା ସାଙ୍ଗରେ ତ ମେଳ କରିଯିବ, ଯିଏ ହୃତପିଣ୍ଡ ଆବଶ୍ୟକତା ଧାଡ଼ିରେ ଅପେକ୍ଷା କରିଛି । ଏହାଫଳରେ, ତାଙ୍କ ସ୍ତ୍ରୀଙ୍କ ନମ୍ବର ଟିକିଏ ଆଗୁଆ ଆସିପାରେ ।
ଡାକ୍ତରଙ୍କ ଠାରୁ ଅଙ୍ଗଦାନ କଥା ଶୁଣି ଯୁବକ ଟିକିଏ ଅନିଚ୍ଛୁକ ହେଇଗଲେ,କିନ୍ତୁ ଅଙ୍ଗଦାନ କରି ଜଣେ ମଣିଷ ହିଁ ମଣିଷକୁ ଜୀବନ ଦାନ ଦେଇପାରିବ, ତାହା ଆର ଯୁବକ ଜଣଙ୍କ ବୁଝିଯାଇଥିଲେ । ପ୍ରତିବର୍ଷ ଭାରତରେ ବୃକକ୍ ଅକାମି ରୋଗରେ ପୀଡ଼ିତ ଆନୁମାନିକ ୧.୮ଲକ୍ଷ ଲୋକଙ୍କୁ ମଣିଷ ଜୀବନ ଦାନ ଦେଇପାରିବ । ଭାରତରେ ପ୍ରତିବର୍ଷ ଆନୁମାନିକ ୨ଲକ୍ଷ ରୋଗୀ ଯକୃତ ରୋଗରେ କିମ୍ବା ଯକୃତ କର୍କଟରେ ମୃତ୍ୟୁବରଣ କରନ୍ତି, ଯାହାଙ୍କୁ ମଣିଷ ଜୀବନ ଦାନ ଦେଇପାରିବ । ସେହିଭଳି ବାର୍ଷିକ ପ୍ରାୟ ୫୦୦୦୦ ବ୍ୟକ୍ତି ହୃଦ୍ଘାତରେ ପୀଡ଼ିତ ହୁଅନ୍ତି, ସେମାନଙ୍କୁ ମଧ୍ୟ ମଣିଷ ଜୀବନଦାନ ଦେଇପାରିବ । କର୍ନିଆ ବିଫଳତା ଏବଂ ଅନ୍ଧତ୍ୱ କ୍ଷେତ୍ରରେ ଆନୁମାନିକ ୧ଲକ୍ଷ ଲୋକଙ୍କୁ ମଣିଷ ରଙ୍ଗୀନ ଜୀବନ ଦେଇପାରିବ । ମଣିଷ ଜୀବନ ଦାନ ସେତେବେଳେ ଦେଇପାରିବ, ଯେତେବେଳେ ମଣିଷ ମଣିଷକୁ ଅଙ୍ଗଦାନ କରିବ । ରକ୍ତଦାନ ଓ ଅଙ୍ଗଦାନ ଭଳି ଆଉ କିଛି ଦାନ ନାହିଁ । ଆଜିର ଅତ୍ୟାଧୁନିକ ଯୁଗରେ ଧନଦାନ ବଦଳରେ ଭଗବାନ ମିଳିବା ସହଜ, କିନ୍ତୁ ଅଙ୍ଗଦାନ ଅଭାବରୁ ଜୀବନ ରକ୍ଷା କରିବା କଷ୍ଟ ।
ମାନବ ଅଙ୍ଗ ପ୍ରତିରୋପଣ ଅଧିନିୟମ ଅନୁଯାୟୀ, ଭାରତରେ ବ୍ରେନ୍ ଷ୍ଟେମ ମୃତ୍ୟୁକୁ (ବ୍ରେନ୍ ଡେଡ୍) ଏକ ଆଇନଗତ ମୃତ୍ୟୁ ଭାବରେ ସ୍ୱୀକୃତି ଦିଆଯାଇଛି, ଯାହା ମୃତ୍ୟୁ ପରେ ଅଙ୍ଗଦାନର ଧାରଣାକୁ ବୈପ୍ଳବିକ କରିଦେଇଛି । ପ୍ରାକୃତିକ ହୃଦ୍ରୋଗଜନିତ ମୃତ୍ୟୁ ପରେ କେବଳ ଅଳ୍ପ କିଛି ଅଙ୍ଗ, ଯେପରିକି କର୍ନିଆ, ହାଡ଼, ଚର୍ମ ଏବଂ ରକ୍ତନଳୀ ଦାନ କରାଯାଇପାରିବ, ଯେତେବେଳେ ମସ୍ତିଷ୍କ ଷ୍ଟେମ ମୃତ୍ୟୁ ପରେ ବୃକକ୍, ହୃତପିଣ୍ଡ, ଯକୃତ ଏବଂ ଫୁସ୍ଫୁସ୍ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସମେତ ପ୍ରାୟ ୩୭ଟି ଭିନ୍ନ ଭିନ୍ନ ଅଙ୍ଗ ଏବଂ ତନ୍ତୁ ଦାନ କରାଯାଇପାରିବ । ଭାରତରେ ପ୍ରତିବର୍ଷ ପାଖାପାଖି ୧୧୦,୦୦୦ ମସ୍ତିଷ୍କମୃତ ରୋଗୀ ଅଛନ୍ତି, ଯେଉଁଠାରେ ଜଣେ ମସ୍ତିଷ୍କ-ମୃତ ରୋଗୀ ଆଠ ଜଣଙ୍କୁ ଜୀବନ ଦେଇପାରିବେ । କିନ୍ତୁ ଆମ ପାଖରେ କେବଳ ୭୦୦-୮୦୦ ଡାକ୍ତରଖାନା ଅଛି, ଯାହା ପ୍ରତିରୋପଣ ଏବଂ ଦାନ ପାଇଁ ଅନୁମତିପ୍ରାପ୍ତ । ତେଣୁ ଏହି ଶୂନ୍ୟସ୍ଥାନ ପୂରଣ କରିବା ପାଇଁ କେବଳ ସଚେତନତା ନୁହେଁ, ଚିକିତ୍ସା ସୁବିଧା ମଧ୍ୟ ଆବଶ୍ୟକ । ନ୍ୟାସନାଲ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍ ଅନୁଯାୟୀ, ପ୍ରତିବର୍ଷ ପ୍ରାୟ ୫୦,୦୦୦ ରୋଗୀ ଅଙ୍ଗଦାନ ପାଇଁ ପ୍ରତୀକ୍ଷା ତାଲିକାରେ ରହୁଛନ୍ତି, ଯେଉଁଥିରୁ ଅଧିକାଂଶଙ୍କର ମୃତ୍ୟୁ ଠିକ୍ ସମୟରେ ଅଙ୍ଗରୋପଣ ଅଭାବରୁ ହୋଇଯାଉଛି ।
ତଥ୍ୟ ଅନୁଯାୟୀ, କେବଳ ୯୪୧ଜଣ ଲୋକ ଅଙ୍ଗଦାନ କରିଲାବେଳେ ୫ଲକ୍ଷ ଲୋକ ଅଙ୍ଗ ଆବଶ୍ୟକ କରନ୍ତି, ଯାହା ଚାହିଦା ଏବଂ ଯୋଗାଣରେ ଏକ ବିରାଟ ପାର୍ଥକ୍ୟକୁ ଦର୍ଶାଏ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁଯାୟୀ, ଭାରତରେ କେବଳ ୦.୦୧% ଲୋକ ମୃତ୍ୟୁ ପରେ ଅଙ୍ଗଦାନ କରିଥାନ୍ତି । ଏଭଳି ନୈରାଶ୍ୟଜନକ ସଂଖ୍ୟା ପଛରେ ଥିବା କାରଣ ହେଉଛି ସଚେତନତାର ଅଭାବ, ଲୋକଙ୍କ ମଧ୍ୟରେ ଧାର୍ମିକ ବିଶ୍ୱାସ କିମ୍ବା ଅନ୍ଧବିଶ୍ୱାସ ଓ ଜଟିଳ ଆଇନ । ଯେତେବେଳେ ଜଣେ ବ୍ୟକ୍ତି ନିଜ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନିଅନ୍ତି, ସେମାନେ କେବଳ ଏକ ଦାନ କରନ୍ତି ନାହିଁ, ବରଂ ଅନ୍ୟମାନଙ୍କୁ ଜୀବନ ବିସ୍ତାର କରିଥାନ୍ତି । ଅର୍ଥ, ସମୟ ଏବଂ ସମ୍ବଳ ଦାନର ନିଜସ୍ୱ ମୂଲ୍ୟ ଥିବାବେଳେ, ଅଙ୍ଗଦାନ ଅମୂଲ୍ୟ ।
ଅଙ୍ଗଦାନ ଅମରତ୍ୱର ଏକ ରୂପ, ଯେଉଁଠାରେ ଦାତା କେବଳ ସ୍ମୃତିରେ ନୁହେଁ ବରଂ ସ୍ପନ୍ଦିତ ହୃଦୟ, ଶ୍ୱାସକ୍ରିୟା ଫୁସ୍ଫୁସ୍ ଏବଂ ଅନ୍ୟର ସୁସ୍ଥ ଅଙ୍ଗ ମାଧ୍ୟମରେ ବଞ୍ଚିଥାଏ । ଜୀବନର ସବୁଠାରୁ ବଡ଼ ବାସ୍ତବତା ହେଲା ମୃତ୍ୟୁ । କିନ୍ତୁ ଦୁର୍ଘଟଣାଗ୍ରସ୍ତ, ରୋଗ ଜର୍ଜରିତ ବା ଅଙ୍ଗ ବିଫଳତାଜନିତ ଅକାଳ ମୃତ୍ୟୁ ଅତି ଭୟଙ୍କର ଓ ଦୁଃଖଦାୟକ । ଯଦି ମଣିଷ ହୋଇ ଆଉ ଜଣେ ମଣିଷର କାମରେ ଆସିପାରିଲେ ନାହିଁ, ତେବେ ମଣିଷ ଜନ୍ମ ବୃଥା । ଆଜିକାଲି ବ୍ୟସ୍ତବହୁଳତା ଜୀବନରେ ଆମେ ତ ନିଜେ ନିଜ ପାଇଁ ସମୟ ଦେଇପାରୁ ନାହୁଁ, ଅନ୍ୟ କାହାକୁ ବା କେମିତି କ'ଣ ଦେବା । ହେଲେ, ଯଦି ମୃତ୍ୟୁ ପରେ ଆମ ଶରୀର କାହାରି ବା କୌଣସି କାମରେ ଲାଗିପାରିବ ତେବେ ସେଇ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିବା କଥା ନୁହେଁ ।
ଆମେ ପ୍ରାୟତଃ ଆମ ପିଲାମାନଙ୍କୁ ବଡ଼ ହେଲେ ଡାକ୍ତର ବା ଇଞ୍ଜିନିୟରଟେ ହେବାକୁ କହୁ । ତାହାଛଡ଼ା ଆଜିକାଲି କେତେ କ'ଣ ବୃତ୍ତି ବାହାରିଲାଣି, ଯେଉଁଥିରେ ଆମ ପିଲାମାନେ ବହୁତ ଭଲ କାମ କରୁଛନ୍ତି । ହେଲେ,ସବୁ ବୃତ୍ତିକୁ ଗୋଟିଏ ପାଖରେ ରଖିଲେ, ଡାକ୍ତରୀ ପାଠ ଏମିତି ଏକ ପାଠ ଯେଉଁଥିରେ ନିପୁଣତା ହାସଲ କରିବାକୁ ଲୋଡ଼ା ମାନବ ଶରୀର । ଇଞ୍ଜିନିୟରଙ୍କର ବ୍ୟାବହାରିକ ତାଲିମ ଲାଗି ମେସିନ୍ ଅଛି, ଅନ୍ୟ ବୃତ୍ତି ଲାଗି ବହି ଅଛି, କୃତ୍ରିମ ବୁଦ୍ଧିମତ୍ତା ବା ଅନ୍ୟାନ୍ୟ ପନ୍ଥା ଅଛି । ହେଲେ ମଣିଷ ଶରୀର ଭିତରେ ଘଟୁଥିବା ବ୍ୟତିକ୍ରମ, ସମସ୍ୟା ବା ନିରାକରଣ ନିମନ୍ତେ ଏକ ମଣିଷ ଶରୀର ହିଁ ଲୋଡ଼ା । ଶିକ୍ଷା ଏବଂ ଗବେଷଣା ଉଦ୍ଦେଶ୍ୟରେ ମେଡିକାଲ କଲେଜଗୁଡ଼ିକରେ ମାନବ ଶବ ଅଭାବ ମଧ୍ୟରେ, ଶବ ଦାନ ପାଇଁ ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିବେଦନ କରିଛି । ‘ମାନବ ଶରୀର ବିଜ୍ଞାନ' ଶିଖିବା ପାଇଁ ପ୍ରଥମ ବର୍ଷର ଡାକ୍ତରୀ ଛାତ୍ରମାନଙ୍କୁ ଏକ ଶବ ଆବଶ୍ୟକ ।
ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ ଅନୁଯାୟୀ, ଛାତ୍ରମାନଙ୍କ ମଧ୍ୟରେ ଶବ ଅନୁପାତ ୧ରୁ ୧୦ ଅଟେ । ମରିଲା ପରେ ମଧ୍ୟ ଯଦି ଆମେ ଆମ ମଲା ଶରୀରକୁ ଦାନ କରିବା ନାହିଁ, ତେବେ ଆମ ପିଲା ଭଲ ଡାକ୍ତର କେମିତି ହେବେ? ମୃତ୍ୟୁ ପରେ ଅଙ୍ଗ ଦାନ, କି ମୃତ ଶରୀର ଦାନ ଯଦି କରିବା ନାହିଁ, ତେବେ କ'ଣ ଏତେ ସ୍ୱାର୍ଥପର ହୋଇ ଇହଧାମ ତ୍ୟାଗ କରିଯିବା? ରକ୍ତଦାନ, ଅଙ୍ଗଦାନ, ମୃତ ଶରୀର ଦାନ, ମହାପୁଣ୍ୟ ଅଟେ, ଯାହା ବର୍ତ୍ତମାନ ଓ ଭବିଷ୍ୟତ ଲାଗି ଏକ ନିତାନ୍ତ ଜରୁରି ଦାନ ।