ଯାତ୍ରାର ବୟସ ପାଖାପାଖି ଦେଢ଼ଶହ ବର୍ଷ । ତା’ର ଗତି ପ୍ରଗତି ଓ ପରିସ୍ଥିତି ଯେତିକି ସ୍ମରଣୀୟ, ତା’ଠାରୁ ଅଧିକ ଆଦରଣୀୟ । ଏଇ ଯାତ୍ରାର ଯାତ୍ରା ଆଜି ଦିନରେ ପହଞ୍ଚିବାକୁ ଯେତିକି ସଂଗ୍ରାମ କରିଛି ତା’ଠୁ ଅଧିକ ଜଞ୍ଜାଳ ମୁଣ୍ଡେଇଛି । ଯାତ୍ରା ଏବେ କିନ୍ତୁ ଯନ୍ତ୍ରଣାରେ । ଯନ୍ତ୍ରଣାରେ ଅଶ୍ଳୀଳତାର ଅପବାଦ ପାଇଁ । ଅଣଦେଖାର ଦାୟିତ୍ୱହୀନତା ପାଇଁ । ମଧ୍ୟବିତ୍ତ ମଣିଷର ମନୋରଞ୍ଜନର ମାଧ୍ୟମ ଯାତ୍ରା ଉଚ୍ଚବର୍ଗ ମଣିଷର ଅଦାଲତ ସାମ୍ନାରେ । ଯାତ୍ରାରେ ଆଇଟମ ଗାର୍ଲର ଅଙ୍ଗ ପ୍ରଦର୍ଶନ ଓଡ଼ିଆ ଅସ୍ମିତା ପ୍ରତି ଅବମାନନା । ନାଟକ ଅପେକ୍ଷା ଏଇ ଅର୍ଦ୍ଧଉଲଗ୍ନ ଦୃଷ୍ଟିକଟୁ ନୃତ୍ୟ ଆମକୁ ଲଜ୍ଜିତ କରୁଛି । ଆମେ ଆଉ ଯାତ୍ରା ଦେଖିବାକୁ ଯାଇପାରୁନୁ ବୋଲି ଗଣମାଧ୍ୟମ ଠାରୁ ବୁଦ୍ଧିଜୀବୀ ମହଲ ଯାଏଁ କଥାଯୁଦ୍ଧ ଚାଲିଥିଲାବେଳେ, ସେଇ ଆଇଟମ ଗାର୍ଲର ନାଚ ଦେଖିବାକୁ ସଂଜରେ ଟିକେଟ କାଉଣ୍ଟର ଆଗରେ ଦର୍ଶକର ଖଣ୍ଡଯୁଦ୍ଧ, ଆମକୁ ଆଗ ଧାଡ଼ିର ଟିକେଟ ଦିଅ । ଆଇଟମ ଗାର୍ଲ ପାଇଁ ହାଉସ୍ ଫୁଲ୍- ପକେଟ ଫୁଲ୍ । ଦଶ ମିନିଟର ନୃତ୍ୟ(ଅଙ୍ଗ) ପ୍ରଦର୍ଶନ ପାଇଁ ଷାଠିଏରୁ ସତୁରି ହଜାର ପାଉଥିବା ନର୍ତ୍ତକୀ (ଯିଏ ଯାତ୍ରାର ନୁହେଁ) ରାତାରାତି ସେଲିବ୍ରେଟି । କିଛି ସମୟ ପାଇଁ ଯାତ୍ରା ମଞ୍ଚରେ ବାର୍ ଡ୍ୟାନ୍ସର ମାହୋଲ । ଟଙ୍କା ଉଡ଼େଇବା ଓ ଉଚ୍ଛୃଙ୍ଖଳ ଯୁବ ଦର୍ଶକର ଚିତ୍କାର ସତରେ ଯାତ୍ରାକୁ କେମିତି ଯନ୍ତ୍ରଣାରେ ଅତ୍ୟାଚାର କରୁଥାଏ, ସେକଥା ଯାତ୍ରାପ୍ରେମୀ ହିଁ ଜାଣେ ।
ଅଶି ଦଶକରୁ ଓଡ଼ିଶାର ଲୋକପ୍ରିୟ ଥିଏଟରମାନଙ୍କର ପତନ ଆରମ୍ଭ ଓ ଯାତ୍ରାକୁ ନାରୀ ଅଭିନେତ୍ରୀମାନଙ୍କର ପ୍ରବେଶ ଯାତ୍ରାକୁ ଏକ ମିଶ୍ରିତ ରୂପରେଖ ପ୍ରଦାନ କରେ । ପୁରୁଷମାନେ ନାରୀ ଭୂମିକାରେ ଅଭିନୟ କରି ପୌରାଣିକ, ଐତିହାସିକ ଓ କାଳ୍ପନିକ ନାଟକ ପରିବେଷଣ କରୁଥିବାବେଳେ, ଖଣ୍ଡେଅଧେ ସାମାଜିକ ନାଟକ ଦେଖିବାକୁ ମିଳୁଥିଲା ଅନୁଷ୍ଠାନମାନଙ୍କରେ । ଦର୍ଶକମାନଙ୍କର ସାମାଜିକ ନାଟକ ଦେଖିବାକୁ ସେମିତି ଆଗ୍ରହ ବି ନଥିଲା, ଆଦର ବି ନଥିଲା । ପରେ ପରେ ଥିଏଟର ଓ ଯାତ୍ରା ମଞ୍ଚର ମିଶ୍ରଣ । ମୁକ୍ତମଞ୍ଚର ଅନତି ଦୂରରେ ସାଇକ୍ଲୋରମାର ସଂଯୋଗ । ଆଲୋକ, ମଞ୍ଚସଜ୍ଜା, ଯାତ୍ରାକୁ ଧୀରେ ଧୀରେ ଯୁବବର୍ଗକୁ ଆକୃଷ୍ଟ କରିବାକୁ ମାୟା ବିସ୍ତାର କଲା । ବଙ୍ଗଳା ନାଟକର ଅନୁବାଦ, ହିନ୍ଦୀ ସିନେମାର କାହାଣୀକୁ ନେଇ ନାଟକ ତିଆରି ଓ ନାରୀ ଅଭିନେତ୍ରୀମାନଙ୍କର ସମ୍ପୂର୍ଣ୍ଣ ପ୍ରବେଶ ଯାତ୍ରାକୁ ନୂଆ ରୂପ ଦେଲା । ଯାତ୍ରାର ପାରମ୍ପରିକ ମାଷ୍ଟ୍ରେଙ୍କ ଜାଗାରେ ଦେଖିବାକୁ ମିଳିଲା ଥିଏଟର ଜଗତର ଅଭିଜ୍ଞ କଳାକାର ତଥା ନିର୍ଦ୍ଦେଶକମାନଙ୍କୁ । ପରେ ପରେ ଯାତ୍ରାରେ ନାଟିକା ଜାଗା ଦଖଲ କରିନେଲା ରେକର୍ଡ ଡ୍ୟାନ୍ସ ଓ ମେଲୋଡ଼ି । ସେତେବେଳେ ବି ବିଦ୍ରୋହର ସ୍ୱର ଉଠିଥିଲା ଦୁଇ ଭାଗ ହେଇଥିଲେ ଦର୍ଶକ ।
ରେକର୍ଡ ଡ୍ୟାନ୍ସପ୍ରେମୀ ଦଶକମାନେ ମଞ୍ଚ ଚାରିପଟେ ଭିଡ଼ ଜମେଇଲେ ଓ ନିରୋଳା ଯାତ୍ରାପ୍ରେମୀ ଦର୍ଶକ ମଞ୍ଚରୁ ମୁହଁ ଫେରେଇଲେ । ହଜିବା ଆରମ୍ଭ କଲା ଯାତ୍ରାର ଅସ୍ମିତା । ବାପା ମାଆ ପରିବାର ଧରି ଯାତ୍ରା ଦେଖିବାକୁ ଯାଉଥିବା ଦର୍ଶକଙ୍କ ସଂଖ୍ୟା କମିବା ଆରମ୍ଭ ହେଲା । ନୂଆ ମାଲିକମାନଙ୍କର ପ୍ରବେଶ ହେଲା । ଆରମ୍ଭ ହେଲା ସମ୍ପୂର୍ଣ୍ଣ ବ୍ୟବସାୟର ହିସାବ, କିତାବ । ଲାଇଟ୍, ସାଉଣ୍ଡ, ଷ୍ଟେଜ ଠାରୁ ଗ୍ରୀନରୁମ୍ ଯାଏଁ ସବୁକିଛିର ରୂପରେଖ ବଦଳିଗଲା । ପୁରୁଣା ଯାତ୍ରା ଅନୁଷ୍ଠାନମାନେ ବନ୍ଦ ହେଇଗଲେ । ୧୯୯୦ ଦଶକରୁ ୨୦୨୪ ମସିହାର ଆଜିର ଦିନଯାଏଁ ଯାତ୍ରା ଭୟଙ୍କର ବ୍ୟାଧିର ଶିକାର ହେଲା । ଗୋଟିଏ ଦୁଇଟି ଟ୍ରକରେ ସୀମିତ ଯାତ୍ରା ଛଅରୁ ସାତଟି ଟ୍ରକ ଆବଶ୍ୟକ କଲା । ଲାଇଟ୍ରେ ଦର୍ଶକ ଜଳକା ହେବାବେଳେ ସାଉଣ୍ଡର ଛାତିଥରା ଶବ୍ଦ ଡରେଇଲା ଦର୍ଶକକୁ ନାଟକ ଦେଖିବାକୁ । ବସ୍, ପ୍ରଚାର ଗାଡ଼ି ସହ କଳାକାରମାନଙ୍କର ଦାମୀ ଦାମୀ ଗାଡ଼ିରେ ଯାତ୍ରା ତା’ର ମାନ ବଢ଼େଇଛି ବୋଲି ଚିତ୍ରିତ ହେଲା । ଟିକେଟର ମୂଲ୍ୟ ତିନିଶହରୁ ପାଞ୍ଚଶହ ହେଲା । ଶିଳ୍ପପତି, ନେତା, ମନ୍ତ୍ରୀ, ମିଡିଆ ହାଉସ୍ର ମାଲିକମାନେ ଯାତ୍ରାର ପ୍ରଯୋଜକ ହେଇ ବାହାରିଲେ । ଓଡ଼ିଆ ସିନେମାର ଅଭିନେତାଙ୍କଠୁଁ ହିନ୍ଦୀ ସିନେମାର ଅଭିନେତା ଯାଏଁ ଯାତ୍ରା ମଞ୍ଚକୁ ଆସିଲେ । ଯେମିତି ମୀନକେତନ, ରାଇମୋହନ, ହର ପଟ୍ଟନାୟକ, ଉଷସୀ ମିଶ୍ର, ସୋମେଶ ମହାନ୍ତି, ଶକ୍ତି କପୁର ଇତ୍ୟାଦି । ଆୟ ବ୍ୟୟଠୁଁ ଏଠି ପ୍ରଯୋଜକମାନଙ୍କର ପତିଆରା ଏସବୁ ଘଟଣାକୁ ବେଶ୍ ସୁହେଇଲା ପରି ପରିସ୍ଥିତି ତିଆରି କଲା ।
ସିନେମା, ସିରିଏଲରୁ ମୁହଁ ଫେରେଇ କଳାକାରମାନେ ବେଶୀ ବେଶୀ ଯାତ୍ରା ପ୍ରେମରେ ପଡ଼ିଲେ ଏବଂ ଅଦୃଶ୍ୟ ପ୍ରତିଯୋଗିତା କାରଣରୁ ସେମାନେ ବେଶ୍ ଭଲ ଆର୍ଥିକ ଫାଇଦା ଉଠେଇଲେ । ଏହି ବେହିସାବ ବ୍ୟବସାୟ ଏତେ ଭାରସାମ୍ୟ ହରେଇଲା ଯେ, ମାଲିକ ଓ କମିଟିମାନେ ନିଜର କ୍ଷତି ଭରଣା କରିବାକୁ ଆଇଟମ ଗାର୍ଲର ଶରଣକୁ ଚାଲିଗଲେ । ବିଭିନ୍ନ ଯାତ୍ରା ମଞ୍ଚକୁ କେବେ କମିଟି ଓ କେବେ ମାଲିକ ଆଇଟମ ଗର୍ଲମାନଙ୍କୁ ଡାକି ଅର୍ଦ୍ଧଉଲଗ୍ନ ନୃତ୍ୟ ପରିବେଷଣ କଲେ । ଯାତ୍ରାର ଆୟୋଜକ ପ୍ରାୟୋଜକମାନେ ବିକଳରେ ପିନ୍ଧି ପକେଇଥିବା ଲଙ୍ଗଳା ନୃତ୍ୟର ଏଇ ସୁରକ୍ଷା କବଚଟି ଏବେ ଯାତ୍ରାର ତଣ୍ଟି ଚିପିବାକୁ ବସିଛି । ଯନ୍ତ୍ରଣାରେ ସଢୁଛି ଯାତ୍ରା । ଅସ୍ମିତା କଥା କହିଆସିଥିବା ନୂଆ ସରକାର କିଛି ନକରି ଚୁପ୍ ରହିପାରିବେନି । କିଛି ବି କରିବାକୁ ହେବ । ଏହି ଖିଆଲରେ ସିଏ କ’ଣ କରିବେ, ସେକଥା ସମୟ କହିବ । କିନ୍ତୁ ଯାତ୍ରା ପାଇଁ ଯେ ଅନେକ କିଛି କରିବାକୁ ଅଛି, ଏକଥା ସରକାର କଳ, ବଳ, କୌଶଳ ଲଗାଇ ଅନୁସନ୍ଧାନ କରିନେବା ଉଚିତ । ଯାତ୍ରା ସଂଖ୍ୟା ସମୁଦାୟ ଓଡ଼ିଶାରେ ଏକଶହରୁ ଅଧିକ । ପ୍ରତ୍ୟକ୍ଷ କଳାକାର ପାଖାପାଖି ପନ୍ଦର ହଜାର । ପ୍ରତ୍ୟକ୍ଷ, ପରୋକ୍ଷରେ ଯାତ୍ରାରେ ନିର୍ଭରଶୀଳ ଲୋକଙ୍କ ସଂଖ୍ୟା ଦଶଲକ୍ଷ ।
ପାଖାପାଖି ପ୍ରତିବର୍ଷ ଓଡ଼ିଶାର ଯାତ୍ରା ସମୁଦାୟରେ ପ୍ରାୟତଃ ଦୁଇଶହ କୋଟି ଟଙ୍କାର କାରବାର ହୁଏ । ସମୁଦାୟ ଯାତ୍ରାର ମୂଲ୍ୟ ୩ଶହ କୋଟିରୁ ବେଶୀ । ଯାତ୍ରାରେ କାମ କରି ଜୀବନ ସାରିଥିବା, ସ୍ୱର୍ଗବାସ କରିଥିବା ଅଥବା ଶେଷ ଜୀବନରେ ପହଞ୍ଚିଥିବା କଳାକାର କେମିତି ଯନ୍ତ୍ରଣା ପାଆନ୍ତି ତାର କୁଢ଼ କୁଢ଼ ଉଦାହରଣର ଅଭାବ ନାହିଁ । ଅନୁରୂପ ଭାବରେ ଶ୍ରଦ୍ଧାରେ ଯାତ୍ରାଦଳ ତିଆରି କରିଥିବା ସଂସ୍କୃତିପ୍ରେମୀ ପ୍ରଯୋଜକମାନେ ଯାତ୍ରା ଅନୁଷ୍ଠାନର କ୍ଷତିକୁ ସମୟେ ସମୟେ ଭରଣା କରିନପାରି ସର୍ବସ୍ୱାନ୍ତ ହେବାର ବି ଅନେକ ଉଦାହରଣ ଅଛି । ଦୋଳ, ଦୁର୍ଗାପୂଜା, ଚନ୍ଦନ ଯାତ, ଲକ୍ଷ୍ମୀପୂଜା, ରଜ ପରି ଗଣପର୍ବର ସାଂସ୍କୃତିକ ଉତ୍ସବରେ ଯାତ୍ରା ଯୋଡ଼ାନଗଲେ ସେଇସବୁ ପର୍ବର ସରାଗ ରହେନି ବୋଲି ଆଜିଯାଏଁ ଯାତ୍ରାର ଆଦର କମିନି । ଯାତ୍ରା, ଶିଳ୍ପର ମାନ୍ୟତାକୁ ଅପେକ୍ଷା କରୁଥିବାବେଳେ ସରକାର ଏଯାଏଁ ଏ ବାବଦରେ ପଦୁଟିଏ ବି କହିନାହାଁନ୍ତି । ପୁରାଣ, ଇତିହାସ, ସାହିତ୍ୟ ସଂସ୍କୃତିଠୁଁ ସ୍ୱାଧୀନତା ସଂଗ୍ରାମର କାହାଣୀକୁ ନିଜ ସହ ମୁଣ୍ଡେଇ ବୁଲୁଥିବା ଯାତ୍ରାର ନାଁ ସଂସ୍କୃତି ବିଭାଗର ଖାତା ଖତିଆନକୁ ଏଯାଏଁ ଚଢ଼ିନି । ଏବେର ଉଚ୍ଚ, ଅତି ଉଚ୍ଚ ବେତନଭୋଗୀ ଅଭିନେତା ସର୍ବୋଚ୍ଚ ୬୦/୭୦ ଲକ୍ଷ ଟଙ୍କା ଓ ସର୍ବନିମ୍ନ ୧୦/୧୫ ଲକ୍ଷ ଟଙ୍କା ବାର୍ଷିକ ଦରମା ନେଉଥିଲେ ବି ଆୟକର ବିଭାଗ ଏସବୁର କେମିତି ଖବର ରଖିଛି ଏହା ଏବେବି ସନ୍ଦେହଘେରରେ । ଯାତ୍ରା ନାଟକ କାହିଁକି, ସାହିତ୍ୟ ଏକାଡେମୀରେ ଜାଗାଟିଏ ପାଇନି, ତାର ବ୍ୟାପକତା ଆଉ ଲୋକପ୍ରିୟତା କ’ଣ ଏସବୁରେ ଦାବି ରଖେନି, ଏମିତି ପ୍ରଶ୍ନଟିଏ କେହି ପଚାରିନି । ବହୁଳ ଭାବରେ ଯାତ୍ରା ନାଟକକୁ ସମୟ ଅବଧି କାମ କରି ରବିନ୍ଦ୍ର ମଣ୍ଡପରେ ଥିଏଟର ରୂପରେ ପରିବେଷଣ କରାଯାଉଥିଲେ ବି କେହି ନାଟ୍ୟ ମଉଡ଼ମଣି ଏ ବାବରେ ଧାଡ଼ିଟିଏ କହିନାହାଁନ୍ତି ।
ଯାତ୍ରା କାମ କରୁଥିବା ଏକାଧିକ ମହିଳା, ଶ୍ରମିକ, ଗାଡ଼ିଚାଳକ, ପରିଚାଳକମାନେ ମଧ୍ୟ ନିଜର ଜୀବନ ଜୀବିକାକୁ ନେଇ ଶିଳ୍ପର ମାନ୍ୟତା ଲାଭ କରିନଥିବା ଯାତ୍ରାର ବାବୁଙ୍କ ପାଖରେ କେତେ ସୁରକ୍ଷିତ, ସେକଥା ସେମାନେ ଜାଣନ୍ତି । ସମାଜ ନଈର ବଢ଼ିଲା ପାଣିରେ ଯାତ୍ରାର ଯେଉଁ ଡଙ୍ଗାସବୁ ଭାସୁଛି, ସେଥିରେ ବହୁତ ଛିଦ୍ର, ପ୍ରତି ମୁହୂର୍ତ୍ତରେ ସେଇ ଛିତ୍ର ଦେଇ ଡଙ୍ଗା ଭିତରକୁ ପାଣି ପଶିଚାଲିଛି । ସରକାର କୂଳରେ, ମାଲିକମାନେ ବି କୂଳରେ । ଯାତ୍ରାର ଡଙ୍ଗାସବୁ ବୁଡ଼ିଗଲେ ଏମାନେ କାନ୍ଦିବେନି । କାନ୍ଦିବେ କଳାକାର, ଯାତ୍ରାଜୀବୀ, ଯାତ୍ରାର ମାଷ୍ଟର ପୂର୍ବସୂରୀମାନେ । ଯେଉଁମାନେ ପେଟି ମୁଣ୍ଡେଇ, ଶଗଡ଼ ଗୁଳାରେ ଏ ପରମ୍ପରାକୁ ଆଣି ଆମ ପରି ଅଯୋଗ୍ୟଙ୍କ ପାଖରେ ପହଞ୍ଚେଇଥିଲେ । ଆଶା କରିବି- ସରକାର, କଳାକାର, ଦର୍ଶକ, ପ୍ରଯୋଜକ, ଆୟୋଜକ, ଲେଖକ ଓ ନିର୍ଦ୍ଦେଶକମାନେ ଯାତ୍ରାର ଯନ୍ତ୍ରଣାକୁ ଅନୁଭବ କରିବେ, ଉପଶମର ଉପାୟ କରିବେ ।