ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ସମୟ ସ୍ରୋତରେ ଆୟକର ବିଭାଗ

ଶାସନତନ୍ତ୍ର ଚଳାଇବା ପାଇଁ ଅର୍ଥ ବା ଆର୍ଥିକ ସମ୍ବଳ ଅତ୍ୟାବଶ୍ୟକ । ଏହି ଆର୍ଥିକ ସମ୍ବଳର ସିଂହଭାଗ ଆସେ ରାଜସ୍ୱ ବା ଟିକସ ଆଦାୟରୁ । ଦେଶପାଇଁ ରାଜସ୍ୱ ଆଦାୟ କ୍ଷେତ୍ରରେ ଆୟକର ବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତରେ ପ୍ରଥମ ଆୟକର ଆଇନ ୧୮୬୦ ମସିହାରେ ବ୍ରିଟିଶ ଶାସନାଧୀନ ଭାରତରେ ପ୍ରଣୀତ ହୋଇଥିଲା । ୧୮୫୭ ମସିହାରେ ସଂଘଟିତ ସିପାହୀ ବିଦ୍ରୋହର ପରବର୍ତ୍ତୀ ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ବ୍ରିଟିଶ ଶାସନାଧୀନ ଭାରତର ପ୍ରଥମ ଅର୍ଥମନ୍ତ୍ରୀ ସାର୍‌ ଜେମେସ ୱିଲସନ ଏହି ପ୍ରଥମ ଆୟକର ଆଇନର ପ୍ରଣେତା । ଏହି ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ଶାସନ କର୍ତ୍ତୃପକ୍ଷ ସୃଷ୍ଟି ହୋଇଥିଲା ତାହା ସେହି ବର୍ଷ ଜୁଲାଇ ୨୪ ତାରିଖରୁ କାର୍ଯ୍ୟାରମ୍ଭ କରିଥିଲା । ସେହି କାରଣରୁ ୨୦୧୦ ମସିହାରୁ ଜୁଲାଇ ୨୪ ତାରିଖକୁ ସାରା ଭାରତରେ ଆୟକର ଦିବସ ରୂପେ ପାଳନ କରାଯାଉଛି । ଦେଶର ସମ୍ବଳ ସଂଗ୍ରହ କରିବାରେ ଆୟକର ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ଆୟକର ଆଇନ ଯାହା ୧୮୬୦ ମସିହାରେ ପ୍ରଣୀତ ହୋଇଥିଲା ତାହାକୁ ପ୍ରତ୍ୟାହାର କରି ଆଉ ଏକ ଆୟକର ଆଇନ ଆସିଥିଲା ୧୯୧୮ ମସିହାରେ । ଏହି ଆଇନ ୧୯୨୨ରେ ପ୍ରତ୍ୟାହୃତ ହୋଇ ଆଉ ଏକ ନୂଆ ଆୟକର ଆଇନ ତିଆରି କରାଯାଇଥିଲା । 

ଆୟକର ଆଇନ ୧୯୨୨ କାର୍ଯ୍ୟକାରୀ ହୋଇଥିଲା ୧୯୬୧ ମସିହା ପର୍ଯ୍ୟନ୍ତ । ଏହାପରେ ଆସିଥିଲା ଆୟକର ଆଇନ ୧୯୬୧ ଯାହା ଆଜିପର୍ଯ୍ୟନ୍ତ ବଳବତ୍ତର ରହିଛି । ଅବଶ୍ୟ ଗତ ବାଷଠି ବର୍ଷ ମଧ୍ୟରେ ଅସଂଖ୍ୟ ପରିବର୍ତ୍ତନ କରାଯାଇଛି ଏହି ଆଇନରେ । ଆୟକର ବିଭାଗ କେବଳ ଆୟକର ନୁହେଁ ସମସ୍ତ ପ୍ରତ୍ୟକ୍ଷ କର ଆଇନ, ଯଥା- ସମ୍ପତ୍ତି କର (ଏହି କର ଏବେ ଆଉ ନାହିଁ), ପ୍ରତିଭୂ ବା ସିକ୍ୟୁରିଟି ହସ୍ତାନ୍ତର କର, ପୁଞ୍ଜିଲାଭ କର ପ୍ରଭୃତି ଆଇନ କାର୍ଯ୍ୟକାରୀ କରି କର ସଂଗ୍ରହ କରିଥାଏ । ଗତ ଆର୍ଥିକ ବର୍ଷ ୨୦୨୨- ୨୩ରେ ଆୟକର ସଂଗ୍ରହରେ ବିପୁଳ ବୃଦ୍ଧି ପରିଲକ୍ଷିତ ହୋଇଛି । ମୋଟ୍‌ କର ସଂଗ୍ରହ ପରିମାଣ ୧୬,୧୬,୮୧୩ କୋଟି ଟଙ୍କାରେ ପହଞ୍ଚିଛି । ବର୍ଷକୁ ବର୍ଷ ଆୟକର ସଂଗ୍ରହ ଦେଶରେ ବୃଦ୍ଧି ପାଇବାରେ ଲାଗିଛି । ଦେଶର ଅର୍ଥନୈତିକ ଅଭିବୃଦ୍ଧିର ଏହା ଏକ ଶୁଭ ଲକ୍ଷଣ । ଆମ ଦେଶର ୫୪୦ଟି ସ୍ଥାନରେ ୭୪୫ଟି ଆୟକର କାର୍ଯ୍ୟାଳୟ ବର୍ତ୍ତମାନ କାର୍ଯ୍ୟରତ । ଆୟକର ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସଂଖ୍ୟା ଏବେ ପ୍ରାୟ ୪୬,୦୦୦ । ଓଡ଼ିଶାରେ ପ୍ରାୟ ୧୨୦୦ କର୍ମଚାରୀ କାର୍ଯ୍ୟ ନିଯୁକ୍ତ ୨୩ଟି ସ୍ଥାନରେ ଥିବା ଆୟକର କାର୍ଯ୍ୟାଳୟରେ । ଆମ ଦେଶକୁ ଆୟକର ଆଇନ ପରିଚାଳନା ଓ କର ସଂଗ୍ରହ ପାଇଁ ୧୮ଟି ଜୋନ ବା କ୍ଷେତ୍ରରେ ବିଭକ୍ତ କରାଯାଇଛି । ସବୁ କ୍ଷେତ୍ରରେ ଜଣେ ଜଣେ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ରହିଛନ୍ତି ସର୍ବୋଚ୍ଚ କର୍ତ୍ତା ଭାବରେ । ଓଡ଼ିଶା ଏହିପରି ଏକ କ୍ଷେତ୍ର । ଏହି କ୍ଷେତ୍ରର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ଠାରେ ଅବସ୍ଥାପିତ । ଇତିମଧ୍ୟରେ ଦେଶରେ ଆୟକର ଦାତା ବା ଆୟକର ରିଟର୍ଣ୍ଣ ଦାଖଲକାରୀଙ୍କ ସଂଖ୍ୟା ମଧ୍ୟ ବହୁ ଗୁଣରେ ବୃଦ୍ଧି ପାଇଛି । 

ଗତ ଆର୍ଥିକ ବର୍ଷରେ ପ୍ରାୟ ୮ କାଟି ୨୭ଲକ୍ଷ ଆୟକର ରିଟର୍ଣ୍ଣ ଆୟକର ବିଭାଗ ନିକଟରେ ଦାଖଲ ହୋଇଥିଲା । ଏବେ ଭାରତରେ ଆୟକର ରିଟର୍ଣ୍ଣ ଦାଖଲକାରୀଙ୍କ ମୋଟ୍‌ ଜନସଂଖ୍ୟାର ମାତ୍ର ଛଅ ପ୍ରତିଶତରୁ କିଛି ଅଧିକ । କିଛି ବର୍ଷ ପୂର୍ବେ ଏହା ମାତ୍ର ଦୁଇ ପ୍ରତିଶତରୁ କମ୍‌ ଥିଲା । ଗତ ଦଶନ୍ଧିରେ ଆୟକର ସଂଗ୍ରହ ଓ ଆୟକର ରିଟର୍ଣ୍ଣର ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଆୟକର ରିଟର୍ଣ୍ଣ ଦାଖଲକାରୀଙ୍କ ସଂଖ୍ୟା ଓ ଆୟକର ସଂଗ୍ରହ ପରିମାଣରେ ଉଲ୍ଲେଖଯୋଗ୍ୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ଏବେ ଆମ ରାଜ୍ୟରେ ଆୟକର ରିଟର୍ଣ୍ଣ ଦାଖଲକାରୀଙ୍କ ସଂଖ୍ୟା ସତର ଲକ୍ଷରୁ ଅଧିକ । ଗତ ଆର୍ଥିକ ବର୍ଷ ୨୦୨୨-୨୩ରେ ଓଡ଼ିଶା ଆୟକର ଜୋନ ମୋଟ୍‌ ୧୯,୨୬୫ କୋଟି ଟଙ୍କା ସଂଗ୍ରହ କରିଛି । ଓଡ଼ିଶାରେ ଆୟକର ରାଜସ୍ୱ ଗତ କିଛିବର୍ଷ ଧରି ନିରବଚ୍ଛିନ୍ନ ଭାବେ ବୃଦ୍ଧିପ୍ରାପ୍ତ ହୋଇଆସୁଛି କେବଳ ଆର୍ଥିକ ବର୍ଷ ୨୦୨୦-୨୧କୁ ଛାଡ଼ି । କରୋନା ମହାମାରୀ ସକାଶେ କର ସଂଗ୍ରହ ଓଡ଼ିଶାରେ ଆର୍ଥିକ ବର୍ଷ ୨୦୨୦- ୨୧ରେ ବହୁତ ପରିମାଣରେ କମିଯାଇଥିଲା । ବିଗତ ଦଶବର୍ଷ ମଧ୍ୟରେ ଆୟକର ବିଭାଗରେ ବୈପ୍ଳବିକ ପରିବର୍ତ୍ତନ ସଂଘଟିତ ହୋଇଛି । ଆୟକର ପ୍ରଦାନ ଓ ରିଟର୍ଣ୍ଣ ଦାଖଲ ପ୍ରକ୍ରିୟାକୁ ସହଜ ଓ ସରଳ କରିବାପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଏକ କରଦାତା ସୁବିଧାକୈନ୍ଦ୍ରିକ କର ପରିଚାଳନା ବ୍ୟବସ୍ଥା ପ୍ରଚଳନ ପାଇଁ ସମସ୍ତ ଆନୁଷଙ୍ଗିକ ପଦକ୍ଷେପ ନିଆଯାଇଛି ଓ ନିଆଯାଉଛି । 

ପୂର୍ବରୁ କରଦାତାଙ୍କ ମନରେ ଆୟକର ବିଭାଗର ଯେଉଁ ଉତ୍ପୀଡ଼କ ଓ ସନ୍ତ୍ରସ୍ତକାରୀ ସ୍ୱରୂପ ରହିଛି ତାହା ପରିବର୍ତ୍ତନ କରିବା ପାଇଁ ବିଭାଗ ସତତ ଚେଷ୍ଟିତ । ଏହି ବିଭାଗର ଭାବମୂର୍ତ୍ତି ପରିବର୍ତ୍ତନ କରି ଏହାକୁ "ଏକ ସେବା ପ୍ରଦାନକାରୀ କରଦାତା ବନ୍ଧୁ' ବିଭାଗରେ ପରିଣତ କରିବାର ପ୍ରକ୍ରିୟା କେବେଠୁ ଆରମ୍ଭ ହୋଇସାରିଛି । କରଦାତାଙ୍କ ସୁବିଧା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି ଗତ କିଛି ବର୍ଷରେ । ଆୟକର ରିଟର୍ଣ୍ଣ ଦାଖଲ ପ୍ରକ୍ରିୟାକୁ ସଂପୂର୍ଣ୍ଣ ରୂପେ କମ୍ପ୍ୟୁଟରିକରଣ କରାଯାଇଛି । କରଦାତାଙ୍କୁ ରିଟର୍ଣ୍ଣ ଦାଖଲ କରିବା ପାଇଁ ଆୟକର କାର୍ଯ୍ୟାଳୟରେ ଲାଇନରେ ଘଣ୍ଟା ଘଣ୍ଟା ଧରି ଆଉ ଛିଡ଼ା ହେବାକୁ ପଡୁନାହିଁ । ବୈଦ୍ୟୁତିକ ଦାଖଲ ପ୍ରଣାଳୀରେ ଜଣେ କରାଦାତା ନିଜ ଘରେ ବସି ଇଣ୍ଟର୍ନେଟ ଜରିଆରେ ପୃଥିବୀର ଯେକୌଣସି ପ୍ରାନ୍ତରୁ ଆୟକର ରିଟର୍ଣ୍ଣ ଦାଖଲ କରିପାରିବ । ଇ-ଫାଇଲିଂ ସହିତ "ଇ-ଆସେସମେଣ୍ଟ' ପ୍ରଣାଳୀ ମଧ୍ୟ ଗତ କିଛିବର୍ଷ ହେଲା ପ୍ରବର୍ତ୍ତନ କରାଯାଇଛି । ଏହି ପ୍ରଣାଳୀରେ କରଦାତାଙ୍କୁ ଆୟକର କାର୍ଯ୍ୟାଳୟକୁ ଆସିବାର ଆବଶ୍ୟକତା ନାହିଁ । ସେ ଘରେ ବସି ଆବଶ୍ୟକ କାଗଜପତ୍ର ଇ-ମେଲ୍‌ରେ ପଠାଇବେ ଓ ଆୟକର ଅଧିକାରୀ ତାଙ୍କର ସମସ୍ତ ନୋଟିସ ଇ-ମେଲ ମାଧ୍ୟମରେ ହିଁ ପ୍ରେରଣ କରିବେ । ଶେଷରେ କର ନିର୍ଦ୍ଧାରଣ ଆଦେଶ ବା ଆସେସମେଣ୍ଟ ଅର୍ଡର ମଧ୍ୟ ଇ-ମେଲରେ କରଦାତାଙ୍କ ନିକଟକୁ ପଠାଯିବ । ଇଣ୍ଟର୍ନେଟ୍‌ ମାଧ୍ୟମରେ କର ପ୍ରଦାନ ବ୍ୟବସ୍ଥା ଏବେ ବହୁତ ସୁବିଧାଜନକ ହୋଇଛି । କର ଦେବାପାଇଁ ଆଉ ବ୍ୟାଙ୍କକୁ ଯିବା ଦରକାର ନାହିଁ । ଅପିଲ ଦାଖଲ ପାଇଁ ଏବେ ଇ-ଫାଇଲିଂ ବାଧ୍ୟତାମୂଳକ । 

ଅପିଲ ଶୁଣାଣି ଏବେ ଇ-ହିଅରିଂ ମାଧ୍ୟମରେ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏବେ ଆୟକର ବିଭାଗର ପ୍ରାୟ ସବୁ ପ୍ରକ୍ରିୟା ଓ ପ୍ରଣାଳୀକୁ କମ୍ପ୍ୟୁଟରିକରଣ କରାଗଲାଣି । ଏହାଫଳରେ ଉଭୟ ଆୟକର ବିଭାଗ ଓ କରଦାତାଙ୍କୁ ବହୁତ ସୁବିଧା ହେଉଛି । ବିଭାଗର କାର୍ଯ୍ୟରେ ପ୍ରଭୂତ ସ୍ୱଚ୍ଛତା ଆଣିଛି କମ୍ପ୍ୟୁଟରିକରଣ । ଆୟକର ବିଭାଗ ଏବେ ଏକ ଦୁର୍ନୀତିମୁକ୍ତ, ସ୍ୱଚ୍ଛ ଓ କରଦାତା ସେବାପରାୟଣ ବିଭାଗରେ ରୂପାନ୍ତରିତ ହୋଇଛି । ଗତ ୨୦୨୦ ମସିହା ଅଗଷ୍ଟ ମାସରୁ ଆରମ୍ଭ ହୋଇଛି ଏକ ଯୁଗାନ୍ତକାରୀ ଅଭିଯାନ ଆୟକର ବିଭାଗରେ । ଏହାକୁ ‘ସ୍ୱଚ୍ଛ ଟିକସ ବ୍ୟବସ୍ଥା: ସଚ୍ଚୋଟ କରଦାତାଙ୍କୁ ସମ୍ମାନ' ଯୋଜନା ବାଲି ଅଭିହିତ କରାଯାଇଛି । ଏହି ନୂତନ ପ୍ରଣାଳୀ ସମ୍ପୂର୍ଣ୍ଣ "ଫେସ୍‌ଲେସ' ବା ‘ମୁଖବିହୀନ' । ଆୟକର ବିଭାଗ ସଚ୍ଚୋଟ ଓ ନିଷ୍ଠାପର କରାଦାତାଙ୍କ ପ୍ରତି ଯେତିକି ଦୟାର୍ଦ୍ର, ଅସାଧୁ କରଦାତାଙ୍କ ପାଇଁ ସେତିକି କଠୋର ଓ ନିର୍ମମ । କମ୍ପ୍ୟୁଟର ସହାୟତାରେ ଏଣିକି ସବୁ ଆର୍ଥିକ କାରବାରର ତଥ୍ୟ ସଂଗ୍ରହ କରି ଅନୁଶୀଳନ କରାଯାଉଛି ବିଭାଗର ଦୁଇଟି ତଦନ୍ତକାରୀ ବିଶେଷ ଉପବିଭାଗ ଦ୍ୱାରା ।ଭାରତ ଭଳି ଏକ ଗଣତାନ୍ତ୍ରିକ ଜନମଙ୍ଗଳକର ରାଷ୍ଟ୍ର ପାଇଁ ଅର୍ଥ ସମ୍ବଳର ବିଶେଷ ଆବଶ୍ୟକତା ରହିଛି । ଟିକସ ବା କର ହେଉଛି ଏକ ସଭ୍ୟ ସମାଜ ଗଠନରେ ଆମର ଆର୍ଥିକ ଯୋଗଦାନ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.