ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବିହନ ବିଳାପ

ଏବେ ଦେଶୀ ବିହନ ଖୋଜା ହେଲାଣି । ହାଟୁଆ ହୁଡ଼ିଲେ ହାଟ ପାଳିଏ, ଚଷା ହୁଡ଼ିଲେ ବରଷେ । ଆମେ ୫୦ବର୍ଷ ଲାଭ, ଲାଭ ପଛରେ ଦଉଡ଼ିଲୁ । ଅଧିକ ପାଇବାକୁ ବାରଣାସୀ ଗଲା । ମାଈପ ଥାଉ ଥାଉ ଘଇତା ମଲା । ଅଧିକ ଅମଳ ମାୟା ଛାଡ଼ି ଦେଶୀ ବିହନ, ଦେଶୀ ଚଷା ଆପଣେଇବା ସମୟ ଆସିଛି । ବିଦେଶୀ ଚାଷରୁ ଲାଭ ଦିହରେ ମୁଣ୍ଡରେ । ଦେଶୀ ବିହନର ବିକଳ୍ପ ନାହିଁ ।

ବିହନ କୃଷିର ବୀଜମନ୍ତ୍ର । କୃଷକର ପ୍ରାଣକେନ୍ଦ୍ର । ବିହନ ସାଂସ୍କୃତିକ ବିବିଧତାର ପ୍ରତୀକ । ଖାଦ୍ୟ ନିରାପତ୍ତାର ଜାଗ୍ରତ ପ୍ରହରୀ । ଚାଷୀ ପାଇଁ ବିହନ ଦେବୀ ଲକ୍ଷ୍ମୀ ଠାକୁରାଣୀ । ବିହନ ଅଛି ତ ଚାଷ ଅଛି । ମାତ୍ର ବିହନ ଆଜି ବିପନ୍ନ । ଚାଷୀ ବିହନର ସାର୍ବଭୌମ୍ୟ ଅଧିକାର ହରାଇ ବସିଛି । ବିହନ ସାମ୍ରାଜ୍ୟବାଦ ବିସ୍ତାର କରୁଛି । ଶଙ୍କର ବିହନର ରାଜ୍ୟତ୍ୱ ଚାଲିଛି । କାହିଁକି ବିହନ ଉପରେ ବିପଦ? ବିହନର ଜନ୍ମ ରହସ୍ୟ କ’ଣ? ବିହନର ଶତ୍ରୁ କିଏ? କ’ଣ ପାଇଁ ବିହନ କାନ୍ଦୁଛି? ଏହିସବୁ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆଜିର ଆଲେଖ୍ୟ ‘ବିହନ ବିଳାପ’ ।

ଆଦିମ ମଣିଷ (ହୋମ ସାପିଆନ) ୨.୫ ନିୟୁତ ବର୍ଷ ବଣ ଜଙ୍ଗଲରେ ବୁଲି ବୁଲି ଶିକାର ଓ ଫଳମୂଳ ସଂଗ୍ରହ କରି ଜୀବନ ରକ୍ଷା କଲା (ସାପିଏନ- ୟୁଭାଲ ନୋଆ ହାରାରି) । ଲୋକସଂଖ୍ୟା ବଢୁଛି । ଜୀବଜନ୍ତୁ କମି ଯାଉଛନ୍ତି । ଫଳମୂଳ ଅଭାବ ପଡୁଛି । ମୁଣ୍ଡ ଧଇଲା । ଆଗକୁ କ’ଣ ଖାଇ ଜୀବନ ରକ୍ଷା କରିବେ । ଜୀବ ମାତ୍ରେ ବଞ୍ଚିବା ପାଇଁ ସଂଗ୍ରାମ କରେ । ଜୀବନ ସଂଗ୍ରାମ ଏକ ଚିରନ୍ତନ ପ୍ରକ୍ରିୟା (ଦି ଓରିଜିନ ଅଫ ସ୍ପେସିସଚାର୍ଲସ ଡାର ଉଇନ) । ଖ୍ରୀପୂ. ୭୦୦୦ ବେଳକୁ ଆଦିମ ମଣିଷମାନେ ଫ୍ଲିଣ୍ଟ (ଆଗ୍ନେୟଶିଳା) ଘଷି ମୁନିଆ କେଞ୍ଚା ତିଆରି କରନ୍ତି । ମାଟି ତାଡ଼ି ପକାନ୍ତି । ସେତେବେଳକୁ ଜଙ୍ଗଲରୁ ଗହମ, ବାର୍ଲି ଓ ଓଟ୍‌ସ ଭଳି ଜଙ୍ଗଲୀ ଘାସର ଦାନା ଆଣି ଖାଇଲେଣି । ଗହମ, ବାର୍ଲି, ଓଟ୍‌ସ, ଧାନ ଏମାନଙ୍କ ପୂର୍ବପୁରୁଷ ଘାସ । ଦେଖିଲେ କୁଡ଼ିଆ ଚାରିପଟେ ପଡ଼ିଯାଉଥିବା ଦାନାରୁ ଗଛ ଉଠୁଛି । ଫଳ ଧରୁଛି । ପାକଳ ଦାନାକୁ ମାଟି ଖୋଳି ପୋତିଲେ । ଗଛ ବଢ଼ିଲା । ଏଣିକି ମଣିଷ ଗହମ, ବାର୍ଲି ଓ ଓଟ୍‌ସ ଅମଳ କରି ଖାଇଲା । ଆମ ଓଡ଼ିଶାର କୋରାପୁଟର ଆଦିବାସୀ ସ୍ତ୍ରୀଲୋକମାନେ ବାଳୁଙ୍ଗା ଧାନରୁ (ଔଲଡ ରାଇସ) ଧାନ ଉଦ୍ଭାବନ କଲେ (ଏ ହିଷ୍ଟ୍ରି ଅଫ୍‌ ଏଗ୍ରିକଲ୍‌ଚର ଇନ୍‌ ଇଣ୍ଡିଆ- ଏମ ଏସ ରାନ୍ଧୁଆ- ପୃ ୨୭୧) । ଖ୍ରୀପୂ. ୭୦୦୦କୁ ଐତିହାସିକମାନେ ପୃଥିବୀର ପ୍ରଥମ କୃଷି ବିପ୍ଳବ କହିଲେ (ଆର. ଜେ. ବ୍ରେଡ ଉଡ, ଦି ଏଗ୍ରିକଲ୍‌ଚରାଲ ରିଭଲ୍ୟୁସନ, ସାଇଣ୍ଟିଫିକ ଆମେରିକା ସେପ୍ଟେମ୍ବର ୧୯୬୦) । ଏଇଠୁ ମଞ୍ଜିର ଜନ୍ମ । ସ୍ତ୍ରୀଲୋକମାନେ ହିଁ ବିହନର ସଂଗ୍ରାହକ ଓ ରକ୍ଷକ । 

ଭାତ ଓ ରୁଟି ଭାରତର ପ୍ରଧାନ ଖାଦ୍ୟ । ଚାଷୀ ଜମିରୁ ବାଛି ବାଛି ବିହନ ହଳା ବାନ୍ଧିବ । ଘରଣୀ ଗୋଡ଼ରେ ବିହନ ହଳା ମକଚି ଧାନ ଅମଳ କରିବ । କୁଲାରେ ପାଛୋଡି କଣ୍ଠା, ଅଗାଡ଼ି ଛେଦିଦେବ । ନିରୁତା ବିହନ ୩/୪ ଦିନ ଖରାରେ ହେଁସ ଉପରେ ଶୁଖାଇବ । ୨୦୦୦ ବର୍ଷ ପୂର୍ବରୁ ଭାରତର ଲୋକ- କୃଷି ବୈଜ୍ଞାନିକ ପରାଶର କୃଷି ପରାଶରେ ବିହନ ବିଧି ଲେଖିଛନ୍ତି । "ମାଘେ ବା ଫାଲଗୁନେ ମାସି ସର୍ବ ବୀଜାନି ସହରେତ । ଶୋଧୟେ ଦାତବେ ସମ୍ୟକ ନୈବାଧୋ ବିନି ଧାପୟେତ ।୧୫୭ । 

ଚାଷୀ ମାଘ ବା ଫଗୁଣ ମାସରେ ବିହନ ସଂଗ୍ରହ କରିବ । ମାଟିରେ ନପକାଇ ବିହନକୁ ଭଲଭାବରେ ଖରାରେ ଶୁଖାଇ ରଖିବ । ଶୁଖିଲା ବିହନ ଚାଷୀ ଓଳିଆ ବାନ୍ଧି ଭାଡିରେ ଥୋଇବ । ତାଳ ପତ୍ରରେ ବିହନ କିସମ ଲେଖି ଓଳିଆରେ ଖୋସିଦେବ । ସମୟ ଥିଲା ଭାରତରେ ଏକଲକ୍ଷରୁ ଅଧିକ ଓ ଓଡ଼ିଶାରେ ପ୍ରାୟ ୩୦ହଜାର କିସମ ଧାନ ଚାଷ ହେଉଥିଲା (ଆର ଏଚ ରିଚାରିୟା- ନିର୍ଦ୍ଦେଶକ, କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, କଟକ)  । ମାଆ, ଜେଜେମାଆମାନେ ଦୁଆରେ, ବାଡ଼ିରେ ଜହ୍ନି, ଭେଣ୍ଡି, ଛଚିନ୍ଦ୍ରା, କାକୁଡ଼ି, କଖାରୁ ମନ୍ଦା କରି ଲଗାଇବେ । ପରିବା ଖାଇବେ । ମଞ୍ଜି ସାଇତି ରଖିବେ । ଛଚିନ୍ଦ୍ରା ମଞ୍ଜି ଶୁଖାଇ ଗୋବର ଗୋଳାଇ ଦେବେ । ହାଣ୍ଡିଶାଳ କାନ୍ଥରେ ଲେସିଦେବେ । ଗୋବର ଲାଗିଛି ତ ରୋଗପୋକ ହେବେନି । ପାକଳ ଶୁଖିଲା ଜହ୍ନି, ଭେଣ୍ଡି, ବରଗୁଡି, ଶିମ୍ବ ରୋଷେଇ ଘରେ ଟାଙ୍ଗିଦେବେ । ବୁଢ଼ା କାକୁଡ଼ି ଫୁଟି ଖାଇଲେ ମଞ୍ଜି ହାଣ୍ଡିଶାଳ କାନ୍ଥରେ ଲେସିଦେଲେ । କଲରା, କଖାରୁ, ଲାଉ, ପାଣିକଖାରୁ ମଞ୍ଜି କନା ପୁଡ଼ାରେ ବାନ୍ଧି ପେଟେରାରେ ସାଇତି ଦେବେ । 

ବୈଶାଖ ମାସ ଖରା । ଝିଙ୍କାରି ବୋବାଇଲାଣି । ଖରାରେ ତା’ ମୁଣ୍ଡ ଫାଟିଯାଉଛି । ଅନୁଭବୀ ଚାଷୀ ବାରିଲା ଆଗକୁ ବର୍ଷା ହେବ । ଗାଁ ଭାଗବତ ଘରେ ବିହନ ବୁଣାବୁଣି ବିଷୟରେ ଚର୍ଚ୍ଚା ହେଲା । ଏଥର ବିହନ ପକାଇ ଯିବା । ଆଗରୁ ତ ଜମିରେ ଖତ ପକାଇ କାଣ୍ଡି ଦେଇଛନ୍ତି । ବିହନ ଖରୁଡ଼ି ପାଗରେ ବୁଣିଦେଲେ । ରଜକୁ ଫେଣଲଗା ବର୍ଷା ଅସରାଏ ହେଲା ତ ଅଗାଡ଼ି ଫୋଡ଼ ଗଛ । ଅଲବତ ବିହନ । ଓଳିଆରୁ ପଡ଼ି ଗଜା । “ଝିଂ ଝିଂ ଡାକିଲା ଝିଙ୍କାରି ଉଠ ଚଷାପୁଅ ବୁଣ ଧାନ/ ଅକ୍ଷି ତୃତୀୟାକୁ ମୁଠି ଅନୁକୂଳ ବଇଶାଖ ଖରା ହେଲା ଟାଣ । ଜ୍ୟେଷ୍ଠ ରଜ ଜାତ ହୋଇଯିବ ଗଜା ଅଦିନ ବରଷା ପାଣି ପାଇ/ ଆଷାଢ଼େ ଗୁଣ୍ଡିଚା କରି ବେଉଷଣ ମଈ ଦେଉଥିବ ଗୀତ ଗାଈ ।” 

ଅଷ୍ଟାଦଶ ଶତାଦ୍ଦୀ ମଧ୍ୟଭାଗ ପର୍ଯ୍ୟନ୍ତ ପୃଥିବୀ ସାରା ବିହନ ଉପରେ ଚାଷୀର ମାଲିକାନା ଥିଲା । ଆମ ଚାଷୀ ପାରମ୍ପରିକ ବିହନ ଚାଷ କରି କୃଷି ଅର୍ଥନୀତିରେ ପୃଥିବୀରେ ଆଗୁଆ ଥିଲା । ୨୦୨୦ ଜୁନ ୧୧ ବିଲାତର ଗର୍ଡିୟନ ଖବର କାଗଜରୁ ଜଣାଯାଏ- ଇଷ୍ଟ ଇଣ୍ଡିଆ କମ୍ପାନୀ ୧୭୫୭ ମସିହାରେ ଭାରତରେ ମୁଳଦୂଆ ପକାଇଥିଲା । ସେ ସମୟରେ ବିଲାତ ପୃଥିବୀର ଜିଡିପିର ୧.୮ ପ୍ରତିଶତ ଥିଲାବେଳେ ଭାରତର ଜିଡିପି ୨୨.୫ ପ୍ରତିଶତ ଥିଲା । (ରବର୍ଟ କ୍ଲାଇବ ୱାଜ ଏ ଭିସିୟସ ଆସେଟ- ଷ୍ଟ୍ରାଇପର) । ହିଜ ଷ୍ଟାଚୁ ହାଜ ନୋ ସ୍ପେସ ଅନ ହ୍ୱାଇଟ ହଲ୍‌ । ଦେଶୀ ଚାଷ ଓ ଦେଶୀ ବିହନର କମାଲ । ୧୭୨୯କୁ ଦେଶୀ ବିହନର ବିପର୍ଯ୍ୟୟ ଆରମ୍ଭ । ବିଲାତର ଥମାସ ଫେଲ୍ଲାର ଚାଇଲଡ ୧୭୨୯ରେ ମଟର ଏବଂ ୧୭୪୯କୁ ମକାର ସଙ୍କରୀକରଣ କରନ୍ତି । ବିଲାତର ରଏଲ ସୋସାଇଟି ଏହି ସଙ୍କରୀକରଣ (ହାଇବ୍ରିଡ) କୁ ମୋହର ଦିଏ । (ନେଚର ଭଲ୍ୟୁମ ୧୩୪, ପୃ:୬୨୩-୧୯୩୪) । ଚାର୍ଲସ ଡାରଉଇନ ୧୮୫୯ରେ ହାଇବ୍ରିଡାଇଜେସନକୁ ବିରୋଧ କରନ୍ତି । କାରଣ ଏହି ବିହନ ଅସ୍ଥାୟୀ ବାଞ୍ଝ ବିହନ । ପ୍ରତିବର୍ଷ ଚାଷୀଙ୍କୁ କମ୍ପାନୀ ଠାରୁ ବିହନ କିଣିବାକୁ ପଡ଼ିବ । ବିହନ କମ୍ପାନୀମାନେ ମାଲାମାଲ । ଚାଷୀ ଦେଶୀ ବିହନକୁ ଝୁରୁଛି । ୟୁରୋପ ଓ ଆମେରିକାରେ ହାଇବ୍ରିଡ ଗହମ, ମକା ବିହନର ରାଜ୍‌ । 

୧୭୮୯ରୁ ୧୭୯୭ ଜର୍ଜ ୱାଶିଙ୍ଗଟନ ଆମେରିକାର ରାଷ୍ଟ୍ରପତି ଓ ଥମାସ ଜାଫରଶନ ଉପରାଷ୍ଟ୍ରପତି । ଦୁହେଁ ଚାଷ ଓ ଚାଷୀ ପାଇଁ ଖୁବ୍‌ ଅନୁରକ୍ତ । ଜାଣିଲେ, ୟୁରୋପର ବିହନ ଆମେରିକାରେ ଫଳବତୀ ହେଉନାହିଁ । ଆମେରିକାର ମୂଳ ଅଧିବାସୀଙ୍କ ଠାରୁ ଦେଶୀ ବିହନ ସଂଗ୍ରହ କରି ଚାଷୀଙ୍କୁ ବାଣ୍ଟିଲେ । ପାରମ୍ପରିକ ବିହନ ପ୍ରତି ଚାଷୀ ଆକୃଷ୍ଟ ହେଲେ । ୧୮୬୪ ସୁଦ୍ଧା ଆମେରିକାର କୃଷି ବିଭାଗ ୧୦କୋଟି ଦେଶୀ ବିହନ ପ୍ୟାକେଟ ବାଣ୍ଟିଛନ୍ତି । ବିହନ କମ୍ପାନୀମାନଙ୍କର ବେପାର ମାନ୍ଦା । ସେମାନେ ସରକାରରେ ଲବି କରି ୧୯୨୪କୁ ମାଗଣା ବିହନ ବଣ୍ଟା ବନ୍ଦ କରିଦେଲେ । ୧୮୪୦ । ଜନ୍‌ ଭନ୍‌ ଲିବିଗ ରାସାୟନିକ ସାର ଉଦ୍ଭାବନ କରନ୍ତି । ୧୯୩୯କୁ ସୁଇସ ରସାୟନବିତ୍‌ ପଲ୍‌ ମୁଲାର କୀଟନାଶକ ବିଷ ଡିଡିଟି ଉଦ୍ଭାବନ କରନ୍ତି । ଶିଳ୍ପ ବିପ୍ଳବରୁ ଟ୍ରାକ୍ଟର, ହାର୍ବେଷ୍ଟର, ବୁଲଡୋଜର ଭଳି କୃଷି ଯନ୍ତ୍ରପାତି ମିଳିଲା । ହାଇବ୍ରିଡ ବିହନ କମ୍ପାନୀମାନେ ଯୋଗାଇଲେ । ରାସାୟନିକ କୃଷି ୟୁରୋପ ଓ ଆମେରିକାରେ ବ୍ୟାପିଗଲା । ଫ୍ରାନ୍‌ସ, ଜର୍ମାନ, ଇଟାଲିରେ ହାଇବ୍ରିଡ ବିହନକୁ ଘୋର ବିରୋଧ ହେଲା । କମ୍ପାନୀମାନେ ଲବି କରି କୃଷକ ବିରୋଧୀ "ବିହନ ଆଇନ' ସବୁ ଦେଶରେ କରାଇଲେ । ଦେଶୀ ବିହନ ସାଇତିବା, ବୁଣିବା ବା ବିକିବା ବେଆଇନ କରିଦିଆଗଲା । ଖିଲାପକାରୀ ଚାଷୀ ପାଇଁ ଜେଲ୍‌ ଜରିମାନା ଆଇନରେ ରଖିଦିଆଗଲା । ଦେଶୀ ବିହନ ସେଇ କାଳରୁ କୋମାରେ । ଭାରତରେ ବିଲାତ ସରକାର କମ୍ପାନୀମାନଙ୍କୁ ମଦତ ଦେଉଥାଏ । ମାତ୍ର ଆମ ଚାଷୀ କମ୍ପାନୀ ବିହନକୁ ଘୋର ବିରୋଧ କଲେ । ଚାଷୀଙ୍କୁ ବୁଝାଇ ରାସାୟନିକ କୃଷି ଓ ହାଇବ୍ରିଡ ବିହନ ଚାଷ ପାଇଁ ବିଲାତ ଦୁଇ ଜଣ ଦୂତ ଭାରତ ପଠାଇଲା । ୧୮୮୯ରେ ଡଂ. ଜନ୍‌ ଅଗଷ୍ଟସ ଭୋଲକର ଏବଂ ୧୯୦୫ରେ ସାର୍‌ ଆଲବଟ ହାୱାର୍ଡଙ୍କୁ ଭାରତ ପଠାଗଲା । ଭୋଲକର ୨ବର୍ଷ ଏବଂ ହାୱାର୍ଡ ୩୦ବର୍ଷ ଭାରତରେ ରହି ବିଲାତ ସରକାରଙ୍କୁ ଯେଉଁ ରିପୋର୍ଟ ଦେଲେ ତାହାର ସାରାଂଶ "ଭାରତରେ ଚାଷ ଓ ଚାଷୀ ପୃଥିବୀ ପାଇଁ ଉଦାହରଣ । ଲଙ୍ଗଳ, ଖତଗଦା ଓ ବିହନର ସଫଳ ପ୍ରୟୋଗ କରି ସେ କ୍ଷେତରୁ ସୁନା ଫଳଉଛି । ସେମାନେ ଜଣେ ଜଣେ କୃଷି ବୈଜ୍ଞାନିକ କହିଲେ ଭୁଲ୍‌ ହେବନାହିଁ । ସେମାନଙ୍କ ଠାରୁ ଶିଖିବାର ଯଥେଷ୍ଟ ଅଛି । ଆମେ ସେମାନଙ୍କୁ ଶିଖାଇବାର କିଛି ନାହିଁ । 

୧୯୬୭ । ପଞ୍ଜାବରେ ସବୁଜ ବିପ୍ଳବର ଶୁଭ ମୁହୂର୍ତ୍ତ । ଅଧିକ ଅମଳକ୍ଷମ ଧାନ ଓ ଗହମ ବିହନ ରାସାୟନିକ ସାର, କୀଟନାଶକ, କେନାଲ ପାଣି, କୃଷି ସାଧନ କିଣିବାକୁ ବ୍ୟାଙ୍କ ଋଣ ଓ ଟ୍ରାକ୍ଟର ଚାଷୀ ପାଖରେ ପହଞ୍ଚିଗଲା । ଚାଷୀ ଅଧିକ ଉତ୍ପାଦନ ନିଶାରେ ମାତିଗଲେ । ଦେଶୀ ବିହନ କବର ଦିଆଗଲା । ବଡ଼ ଚାଷୀମାନେ ୮/୧୦ ବର୍ଷ ଫାଇଦା ନେଲେ । ଛୋଟ ଚାଷୀର ଖର୍ଚ୍ଚ ଓ ଆୟ ଦେଉଳକୁ ମୁଖ ମାଳୀ ବଳିପଡ଼ିଲା । ଋଣ ଶୁଝିନପାରି ଆତ୍ମହତ୍ୟା କରୁଛନ୍ତି । ହାଇବ୍ରିଡ ଧାନ ବିହନ କିଲୋ ୪୦୦/୫୦୦ ଟଙ୍କା ଚାଷୀ ମଞ୍ଜି ବା ବିହନ କିଣିବା ପାଇଁ ଦୋକାନକୁ ଯିବ । ବାଇଗଣ କିଲୋ ୫/୧୦ ଟଙ୍କାରେ ବିକିବ । ମଞ୍ଜି ୧୦ ଗ୍ରାମକୁ ୮୦୦ ଟଙ୍କାରେ କିଣିବ । ବିଲାତି ବାଇଗଣ ବିକିବ କିଲୋକୁ ୨ ଟଙ୍କା /୩ ଟଙ୍କା । ମଞ୍ଜି ୧୦ ଗ୍ରାମ୍‌କୁ ୮୦୦ ଟଙ୍କା । ଚାଷୀର ବିହନ ବିବିଧତା ହଜିଯାଉଛି । ବେୟର କ୍ରପ ସାଇନ୍‌ସ, ମନସାଣ୍ଟୋ, ଡୁପଣ୍ଟୋ, ମାହିକୋ ଭଳି କମ୍ପାନୀମାନେ ମଞ୍ଜି ବିକି ଅରବପତି । ଆଉ ସବୁଜ ବିପ୍ଳବର ଜୁଆର ନାହିଁ । ଭଟ୍ଟା ପଡ଼ିଗଲାଣି । ମାଟି ମରିଗଲା । ପାଣି ପ୍ରଦୂଷିତ । ଜିଆ, ଗେଣ୍ଡା, କଙ୍କଡ଼ା, ଅଣୁଜୀବ ମାଟିର ଜୀବନ । ବିଷ କ୍ରିୟାରେ ସେମାନେ ମରିଗଲେ । ସବୁଜ ବିପ୍ଳବ ଏବେ ଧୂସର ବିପ୍ଳବ ରୂପ ନେଲାଣି । ମରୁଭୂମି କାୟା ବିସ୍ତାର କଲାଣି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.