ମାଲକାନଗିରି ୨୫/୦୬ : ଛତିଶଗଡ ଧମତରି ଜିଲ୍ଲା ଖାଲାରୀ ଥାନା ଅନ୍ତର୍ଗତ ମୁହଁକୋଟ-ଆମଜହର ଜଙ୍ଗଲରେ ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଯବାନଙ୍କ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ପ୍ରାଣ ହରାଇଛନ୍ତି । ମୃତ ନକ୍ସଲ ଅରୁଣ ମାଣ୍ଡାଭି ଓ ସେ ସୀତାନଦୀ ଏରିଆ କମିଟି କମାଣ୍ଡର ବୋଲି ପୋଲିସ କହିଛି । ମୃତ ନକ୍ସଲଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ପୁର୍ବରୁ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ।
ଧମତରୀ ଏସ.ପି. ଆଞ୍ଜେନେୟ ବୈଷ୍ଣୟ ନିଜେ ଏହି ନକ୍ସଲ ବିରୋଧୀ ଅପରେସନରେ ସାମିଲ୍ ହୋଇଥିଲେ । ଜଙ୍ଗଲ ଭିତରେ ଲୁଚି ରହିଥିବା ମାଓବାଦୀ ମାନେ ପ୍ରଥମେ ଯବାନଙ୍କ ଉପରେ ଗୁଳି ଚାଳନା କରିଥିଲେ ପରେ ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷା କର୍ମୀ । ପ୍ରାୟ ଏକ ଘଣ୍ଟା ଧରି ଗୁଳି ବିନିମୟ ହେବା ପରେ ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଜଣେ ମାଓବାଦୀଙ୍କ ମୃତଦେହ ଠାବ କରିବା ସହ ଗୋଟିଏ SLR ବନ୍ଧୁକ, ମାଗାଜିନ୍ ଏବଂ ୮ ଟି କାର୍ଟ୍ରିଜ୍, କର୍ଡେକ୍ସ ତାର ଓ ନକ୍ସଲ ଉପକରଣ, ମୋବାଇଲ୍ ଫୋନ୍ ଏବଂ ଦୈନନ୍ଦିନ ବ୍ୟବହାରର ଅନେକ ଜିନିଷ ଜବତ କରାଯାଇଛି ।