ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ହ୍ବାଇଟହାଉସରେ ଟ୍ରମ୍ପ-ମୋଦି ଦ୍ବିପାକ୍ଷିକ ଆଲୋଚନା ,ଟ୍ରେଡଠୁ ଆତଙ୍କବାଦ ଦମନ ଯାଏ ବହୁ ବଡ ଘୋଷଣା

Published By : Ankita S | February 14, 2025 7:42 AM

ୱାଶିଂଟନ,୧୪/୦୨: ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହ୍ବାଇଟ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ସହ ଦୁଇ ନେତାଙ୍କ ମଧ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ଟ୍ରେଡଠୁ ନେଇ ଆତଙ୍କବାଦ ଦମନ ଯାଏ ବହୁ ବଡ ବଡ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହ୍ବାଇଟ ହାଉସରେ ଦୁଇ ବିଶ୍ବନେତାଙ୍କ ମଧ୍ୟରେ ବାଣିଜ୍ୟ, ଋଷ-ୟୁକ୍ରେନ ଯୁଦ୍ଧ, ଭିସା ଓ ପ୍ରତିରକ୍ଷା ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ମୋଦିଙ୍କୁ ଗ୍ରେଟ୍ ଲିଡର ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଭାରତ ଓ ଆମେରିକା ସମ୍ପର୍କ ଅତୁଟ । ଭାରତର ସ୍ବାର୍ଥ ପ୍ରଥମ ପରେ ଯାହା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦୁଇ ବିଶ୍ବନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଉପରେ ସାରା ବିଶ୍ବର ନଜର ରହିଛି । ୨୦୩୦ ସୁଦ୍ଧା ଆମେରିକା-ଭାରତ ବାଣିଜ୍ୟ କାରବାର ଦୁଇଗୁଣା ବଢି ୫ବିଲିୟନ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ । 

ଟ୍ରମ୍ପ ଦ୍ବିତୀୟ ଥର ରାଷ୍ଟ୍ରପତି ହେବା ପରେ ମୋଦିଙ୍କର ଏହା ପ୍ରଥମ ଗସ୍ତ । ହ୍ବାଇଟ୍ ହାଉସରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ରାଷ୍ଟ୍ରପତି ଡୋନାଲ଼୍ଡ ଟ୍ରମ୍ପ ତାଙ୍କ ନେତୃତ୍ବରେ ଭାରତ ଓ ଆମେରିକା ସମ୍ପର୍କକୁ ଜୀବନ୍ତ କରିଛନ୍ତି । ଯେଉଁ ଉତ୍ସାହରେ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ଆମ ଏକାଠୀ କାମ କରିଥିଲୁ ସେହି ଧାରାରେ ଆଜି ବି କାମ କରିବୁ । ଭାରତ ଓ ଆମେରିକାର ବନ୍ଧୁତା ଏକ ଉତ୍ତମ ବିଶ୍ବକୁ ସୁରକ୍ଷିତ କରିପାରିବ । ଆମେରିକାବାସୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୋଟୋ ( ମେଡ୍ ଆମେରିକା ଗ୍ରେଟ୍ ଏଗେନ୍)କୁ ପୁରଣ କରିବା ଦିଗରେ ଆଗେଇ ଆସିଛନ୍ତି । ଭାରତବାସୀ ମଧ୍ୟରେ ବିରାସତ ଓ ବିକାଶ ରାସ୍ତାରେ ବିକଶିତ ଭାରତ ୨୦୪୭ ଦୃଢ ସଂକଳ୍ପକୁ ନେଇ ଦ୍ରୁତ ଗତିରେ ଆଗକୁ ବଢୁଛନ୍ତି । ଆମେରିକା ଭାଷାରେ କହିବାକୁ ଗଲେ ବିକଶିତ ଭାରତର ଅର୍ଥ (ମେଡ୍ ଇଣ୍ଡିଆ ଗ୍ରେଟ୍ ଏଗେନ୍) । 

ଭାରତ ନେବାକୁ ପ୍ରସ୍ତୁତ-ବେଆଇନ ଇମିଗ୍ରେସନ ସମ୍ପର୍କରେ ୱାଶିଂଟନରେ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି, ବେଆଇନ ଭାବେ ରହୁଥିଲେ ନେବାକୁ ପ୍ରସ୍ତୁତ । ବେଆଇନ ଭାବେ ରହୁଥିଲେ ଆଇନଗତ କୌଣସି ଅଧିକାର ନାହିଁ । ଯଦି  ବେଆଇନ ଭାବେ ଆମେରିକାରେ ରହୁଛନ୍ତି ତେବେ ଭାରତ ନେବାକୁ ପ୍ରସ୍ତୁତ । ସେମାନଙ୍କୁ ବଡ ବଡ ସ୍ବପ୍ନ ଦେଖାଇ ସେଠାକୁ ନିଆଯାଇଛି । ଏ ଦିଗରେ ଭାରତ ଓ ଆମେରିକା ମିଳିତ ଭାବେ ପ୍ରୟାସ କରିବା ଉଚିତ୍ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ । ଭାରତ ସମଗ୍ର ବିଶ୍ବର ଶାନ୍ତି କାମନା କରେ । ବର୍ତ୍ତମାନ ଯୁଗ ଯୁଦ୍ଧର ସମୟ ନୁହେଁ ବୋଲି ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ କହିଛନ୍ତି ମୋଦି । ସେହପରି ଯୁଦ୍ଧ ସମାପ୍ତ ଲାଗି ଆଗକୁ ବଢୁଛୁ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଫେରିବ ୨୬/୧୧ ମାଷ୍ଟରମାଇଣ୍ଡ- ମୁମ୍ବାଇରେ ବିସ୍ଫୋରଣ ଘଟାଇଥିବା ୨୬/୧୧ ମାଷ୍ଟରମାଇଣ୍ଡ ତହବୁର ରାଣାକୁ ଭାରତ ପ୍ରତ୍ୟାର୍ପଣକୁ ମଞ୍ଜୁରୀ ଦେଇଛନ୍ତି ଟ୍ରମ୍ପ । ବାଇଡେନଙ୍କ ସମୟରେ ଭାରତ ସହ ଭଲ ସମ୍ପର୍କ ନ ଥିଲା ବୋଲି କହିବା ସହ ଖଲିସ୍ଥାନୀ ବିଚ୍ଛିନ୍ନତାବାଦୀଙ୍କ କଥା ମଧ୍ୟ ଉଠାଇଥିଲେ ଡୋନାଲ୍ଡ ଟ୍ରମ୍ପ । ମୋତେ ଏହା ଘୋଷଣା କରି ଖୁସି ଲାଗୁଛି କି ମୋର ପ୍ରଶାସନ ଭାରତରେ ୨୦୦୮ରେ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା ପ୍ରତ୍ୟାର୍ପଣକୁ ମଞ୍ଜୁରୀ ଦେଇଛି ।

ଏହା ବି ପଢନ୍ତୁ...ଆଗାମୀ ୫ ବର୍ଷ ମଧ୍ୟରେ ଦ୍ୱିଗୁଣିତ ହେବ ଭାରତ-ଆମେରିକା ବ୍ୟାପାର,ବୈଠକ ପରେ ଟ୍ରମ୍ପ ଏବଂ ମୋଦିଙ୍କ ମଧ୍ୟରେ ଚୁକ୍ତିନାମା


ମୋଦିଙ୍କୁ ଟ୍ରମ୍ପଙ୍କ ଉପହାର-ଭେଟଘାଟ୍ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ବହି ଉପହାର ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ବହିଟିର ନାମ ରହିଛି 'ଆୱାର ଜର୍ଣ୍ଣି ଟୁଗେଦର୍' । ୱାଶିଂଟନ ଡିସିରେ ମୋଦିଙ୍କୁ ଏହି ପୁସ୍ତକ ପ୍ରଦାନ କରିଛନ୍ତି ଟ୍ରମ୍ପ । ବହିରେ ଦୁଇ ବନ୍ଧୁଙ୍କ ବିଭିନ୍ନ ସମୟରେ ଉଠାଇଥିବା ଫଟୋ ରହିଛି । ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ସମୟରେ ଦୁଇ ନେତା ସ୍ମରଣୀୟ ଫଟୋ ସ୍ଥାନ ପାଇଛି । ଏହା ଛଡା ବହିରେ ଟ୍ରମ୍ପଙ୍କ ହସ୍ତାକ୍ଷର ସହ ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି -'ମିଷ୍ଟର ପ୍ରାଇମ୍ ମିନିଷ୍ଟର ୟୁ ଆର ଗ୍ରେଟ୍' । ଟ୍ରମ୍ପଙ୍କୁ ଭେଟିବା ପୂର୍ବରୁ ଏଲମ ମସ୍କଙ୍କୁ ଭେଟିଥିଲେ ମୋଦି । ସୋସିଆଲ ମିଡିା 'ଏକ୍ସ'ର ପ୍ରତିଷ୍ଠାତା ଏଲନ ମସ୍କଙ୍କୁ ଭେଟିଥିଲେ । ଏହା ସହିତ ମସ୍କଙ୍କ ପିଲାମାନଙ୍କୁ ଉପହାରରେ ବହି ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.