ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଫେବ୍ରୁଆରୀ ୧୦ରୁ ୧୨ ଯାଏଁ ତିନି ଦିନିଆ ଫ୍ରାନ୍ସ ଗସ୍ତ କରିବେ । ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ସହ ଏଆଇ ଆକ୍ସନ୍ ସମିଟ୍କୁ ମିଳିତ ଭାବେ ଅଧ୍ୟକ୍ଷତା କରିବେ । ଏନେଇ ଶୁକ୍ରବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ବିକ୍ରମ ମିସ୍ରୀ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଫେବ୍ରୁଆରୀ ୧୦ ସଂଧ୍ୟାରେ ପ୍ୟାରିସରେ ପହଞ୍ଚିବେ । ଏହାପରେ ରାଷ୍ଟ୍ରପତି ମାକ୍ରୋନଙ୍କ ଦ୍ୱାରା ଆୟୋଜିତ ରାତ୍ରି ଭୋଜନରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଫେବ୍ରୁଆରୀ ୧୨ରେ ଆମେରିକା ଗସ୍ତ କରିବେ ବୋଲି ଜଣାପଡ଼ିଛି । ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଇଥିବା ବେଳେ ତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ । ଫେବ୍ରୁଆରୀ ୧୨ ଏବଂ ୧୩ ଦୁଇ ଦିନ ପ୍ରଧାନମନ୍ତ୍ରୀ ଆମେରିକାରେ ରହିବାର କାର୍ଯ୍ୟକ୍ରମ ରହିଛି । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି ।
ବିଦେଶ ସଚିବ ବିକ୍ରମ ମିସ୍ରୀ କହିଛନ୍ତି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ଫେବ୍ରୁଆରୀ ୧୨-୧୩ ଆମେରିକା ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଶପଥ ଗ୍ରହଣ ପରେ ଆମେରିକା ଗସ୍ତ କରିବାକୁ ଥିବା ବିଶ୍ୱର ପ୍ରଥମ କିଛି ନେତାଙ୍କ ମଧ୍ୟରେ ସାମିଲ ହେବେ । ନୂଆ ପ୍ରଶାସନର ଦାୟିତ୍ୱ ଗ୍ରହଣର ମାତ୍ର ତିନି ସପ୍ତାହ ଭିତରେ ହିଁ ପ୍ରଧାନମନ୍ତ୍ରୀଙ୍କୁ ଆମେରିକା ଆସିବା ପାଇଁ ନିମନ୍ତ୍ରଣ ମିଳିଛି । ଏହା ଭାରତ-ଆମେରିକା ସହଭାଗୀତାର ମହତ୍ୱକୁ ଦର୍ଶାଉଛି ।
ପିଏମ୍ ମୋଦୀ ଫେବ୍ରୁଆରୀ ୧୦ ସଂଧ୍ୟାରେ ପ୍ୟାରିସରେ ପହଞ୍ଚିବେ । ଏହା ପରେ ସେଠାରେ ଆୟୋଜିତ ହେବାକୁ ଥିବାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ସମିଟ୍ରେ ଭାଗ ନେବେ । ଫ୍ରାନ୍ସରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ପୂର୍ବରୁ ଏହି ଘୋଷଣା କରିଥିଲେ । ଏଆଇ କ୍ଷେତ୍ରରେ ଭାରତ ସହ ସମ୍ପର୍କକୁ ମଜଭୁତ କରିବା ଏହାର ଉଦ୍ଦେଶ୍ୟ ବୋଲି ସେ କହିଥିଲେ । ରିପୋର୍ଟ ଅନୁସାରେ ପିଏମ୍ ମୋଦୀଙ୍କ ଏହି ଗସ୍ତରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଦୁଇଟି ବଡ଼ ପ୍ରତିରକ୍ଷା ବୁଝାମଣା ଉପରେ ହସ୍ତାକ୍ଷର ହୋଇପାରେ । ଏହି ଚୁକ୍ତିର ଆନୁମାନିକ ମୂଲ୍ୟ ୧୦ ବିଲିୟନ ଡଲାରରୁ ଅଧିକ ହୋଇପାରେ । ଏଥିରେ ଭାରତୀୟ ନୌସେନା ପାଇଁ ୨୬ ରାଫେଲ୍-ଏମ୍ ଯୁଦ୍ଧ ବିମାନ କ୍ରୟ ଏବଂ ତିନି ଅତିରିକ୍ତ ସ୍କର୍ପିୟନ ଶ୍ରେଣୀର ପାରମ୍ପାରିକ ବୁଡ଼ାଜାହାଜ ଚୁକ୍ତି ସାମିଲ ରହିଛି । ଏହି କ୍ରୟ ପାଇଁ ଆଗାମୀ କିଛି ଦିନରେ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟିରୁ ମଞ୍ଜୁରି ମିଳିବାର ସମ୍ଭାବନା ରହିଛି । ଏହି ବୁଝାମଣା ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ଅଧିକ ମଜଭୁତ କରିବ ।