ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଆଗାମୀ ୫ ବର୍ଷ ମଧ୍ୟରେ ଦ୍ୱିଗୁଣିତ ହେବ ଭାରତ-ଆମେରିକା ବ୍ୟାପାର,ବୈଠକ ପରେ ଟ୍ରମ୍ପ ଏବଂ ମୋଦିଙ୍କ ମଧ୍ୟରେ ଚୁକ୍ତିନାମା

Published By : prameya | February 14, 2025 7:35 AM

ନୂଆଦିଲ୍ଲୀ,୧୪/୦୨: ଦୁଇଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସେ ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି । ଯେଉଁଥିରେ ଉଭୟ ନେତା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଟ୍ରମ୍ପ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଗଣମାଧ୍ୟମକୁ ସମ୍ବୋଧିତ କରିଥିବା ବେଳେ  ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆଗାମୀ ୫ ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଦ୍ୱିଗୁଣିତ ହେବ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈଠକ ସମୟରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଏବଂ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ଯେଉଁଥିରେ ପ୍ରଧାନମନ୍ତ୍ରୀ ୨୦୩୦ ସୁଦ୍ଧା ଭାରତ-ଆମେରିକା ବାଣିଜ୍ୟକୁ ଦ୍ୱିଗୁଣିତ କରିବା ବିଷୟରେ କହିଥିଲେ। ସେ କହିଥିଲେ ଯେ ଆମେ ୨୦୩୦ ସୁଦ୍ଧା ଆମର ଦ୍ୱିପାକ୍ଷିକ ବାଣିଜ୍ୟକୁ ଦୁଇଗୁଣରୁ ଅଧିକ କରି ୫୦୦ ବିଲିୟନ ଡଲାର କରିବାକୁ ଲକ୍ଷ୍ୟ ରଖିଛୁ। ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ,  ଆମର ଦଳ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତିନାମାକୁ ଶେଷ କରିବା ପାଇଁ କାମ କରିବେ। ଯାହା ଉଭୟ ଦେଶକୁ ପାରସ୍ପରିକ ଭାବରେ ଲାଭଦାୟକ କରିବ। ଭାରତର ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମେ ତୈଳ ଏବଂ ଗ୍ୟାସ ବାଣିଜ୍ୟକୁ ସୁଦୃଢ଼ କରିବୁ। ଶକ୍ତି ଭିତ୍ତିଭୂମିରେ ନିବେଶ ବୃଦ୍ଧି ପାଇବ। ସେ ଆହୁରି କହିଛନ୍ତି ଯେ, ଭାରତର ପ୍ରତିରକ୍ଷା ପ୍ରସ୍ତୁତିରେ ଆମେରିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ରଣନୈତିକ ଏବଂ ବିଶ୍ୱସ୍ତ ଅଂଶୀଦାର ଭାବରେ, ଆମେ ସକ୍ରିୟ ଭାବରେ ମିଳିତ ବିକାଶ, ମିଳିତ ଉତ୍ପାଦନ ଏବଂ ପ୍ରଯୁକ୍ତିବିଦ୍ୟା ଦିଗରେ ଅଗ୍ରସର ହେଉଛୁ। ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ଉପକରଣ ଆମର କ୍ଷମତା ବୃଦ୍ଧି କରିବ।

ରିପୋର୍ଟ ଅନୁଯାୟୀ, ଭାରତ ଆମେରିକାର ଦ୍ୱିତୀୟ ସର୍ବବୃହତ ବାଣିଜ୍ୟିକ ଅଂଶୀଦାର। ୨୦୨୪ ଏପ୍ରିଲ-ନଭେମ୍ବରରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ୮୨.୫୩ ବିଲିୟନ ଡଲାର ହୋଇଥିଲା। ଆମେରିକା ଭାରତରୁ ୫୨.୮୯ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରିଛି।  ଯାହା ଭାରତର ମୋଟ ରପ୍ତାନିର ୧୮.୬ ପ୍ରତିଶତ। ସେହିପରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ମଧ୍ୟରେ ଜାନୁଆରୀ ୨୦୧୭ ରୁ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ଚାରି ବର୍ଷ ମଧ୍ୟରେ ଆମେରିକାକୁ ଭାରତର ରପ୍ତାନି ୨୨ ପ୍ରତିଶତ ବୃଦ୍ଧି ପାଇଛି। ଟ୍ରମ୍ପଙ୍କ ପୁଣିଥରେ ରାଷ୍ଟ୍ରପତି ହେବା ପରେ  ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବୃଦ୍ଧି ପାଇବ ବୋଲି ବିଶ୍ୱାସ କରାଯାଉଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.