ନୂଆଦିଲ୍ଲୀ: ନିଜର ଫ୍ରାନ୍ସ ଗ୍ରସ୍ତ ଶେଷ କରି ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୱାସିଂଟନ ଡିସିରେ ପହଞ୍ଚିଛନ୍ତି। ଆମେରିକାରେ ପହଞ୍ଚିବା ପରେ ସେ ଟେକ ଟାଇଟନ ଏଲନ ମସ୍କ ଓ ଭାରତୀୟ-ଆମେରିକୀୟ ବ୍ୟବସାୟି ତଥା ରାଜନୈତିଜ୍ଞ ବିବେକ ରାମସ୍ୱାମୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ପିଏମ ମୋଦି ବହୁ ଜଲଦି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହ୍ୱାଇଟ ହାଉସରେ ଭେଟିବାର କାର୍ଯ୍ୟକ୍ରମ ରହିଛି। ଟ୍ରମ୍ପ ଓ ପିଏମ ମୋଦିଙ୍କ ଏହି ଭେଟଘାଟରେ ଟାରିଫ ଓ ଇମିଗ୍ରେସନ ଭଳି ପ୍ରମୁଖ ଘଟଣାରେ ଆଲୋଚନା ହେବାକୁ ଯାଉଛି।
ସୂଚନା ମୁତାବକ, ଆସନ୍ତା ଶୁକ୍ରବାର ଦିନ ହ୍ୱାଇଟ ହାଉସରେ ଟ୍ରମ୍ପ ଓ କ୍ୟବିନେଟର ପ୍ରମୁଖ ସଦସ୍ୟ ମାନଙ୍କ ସହ ପିଏମ ମୋଦିଙ୍କ ଦ୍ୱିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଉଭୟ ନେତା ଏକ ସାମ୍ବାଦିକ ସମ୍ମିଳନିରେ ଯୋଗଦେବା ସହ ଆମେରିକା ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ରାତ୍ରି ଭୋଜନରେ ମଧ୍ୟ ସାମିଲ ହେବାର କାର୍ଯ୍ୟସୁଚୀ ରହିଛି।
ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ମାଇକେଲ ୱାଲ୍ଟଜଙ୍କ ଓ ସରକାରୀ ଦକ୍ଷତା ବିଭାଗ(ଡିଓଜିଇ)ର ମୁଖ୍ୟ ଏଲୋନ୍ ମସ୍କଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଉଚ୍ଚସ୍ତରୀୟ ବୈଠକ ଆଜି ରାତି ୧୦ ଟାରେ ଆରମ୍ଭ ହେବାକୁ ଯାଉଛି। ଏହାପରେ ପିଏମ ମୋଦି ରାତି ୧୦ଟା ୪୫ରେ ଭାରତୀୟ-ଆମେରିକୀୟ ରାଜନୈତିଜ୍ଞ ବିବେକ ରାମସ୍ୱାମୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।
ଗତ ବର୍ଷ ଟେସଲା ସିଇଓ ଏଲନ ମସ୍କ ବିଭିନ୍ନ କାରଣ ପାଇଁ ଭାରତ ଗସ୍ତକୁ ବାତିଲ କରିଦେଇଥିଲେ। ତେବେ ପିଏମ ମୋଦୀଙ୍କ ସହ ମସ୍କଙ୍କ ଏହି ବୈଠକ ଉପରେ ସମସ୍ତଙ୍କର ତୀକ୍ଷ୍ଣ ନଜର ରହିଛି। ଭାରତରେ ଷ୍ଟାରଲିଙ୍କର ଉପଗ୍ରହ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ କରିବା ଏବଂ ଟେସଲା କାରଖାନା ପ୍ରତିଷ୍ଠା ସମ୍ପର୍କରେ ଏହି ବୈଠକରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇପାରେ ବୋଲି ସୂଚନା ରହିଛି।