ଛତ୍ରପୁର,୦୯/୦୪: ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ଡାକ୍ତର ଓ ଜଣେ ମେଡିକାଲ ଷ୍ଟାଫ୍ଙ୍କ ମଧ୍ୟରେ ବଚସା ହୋଇଥିବାରୁ ଆଜିଠୁ କୌଣସି ରୋଗୀ ଦେଖୁ ନାହାନ୍ତି ଉପସ୍ଥିତ ଡାକ୍ତର । ଯାହା ଫଳରେ ରୋଗୀ ନିରାଶ ହୋଇ ଫେରୁଛନ୍ତି ।
ସୂଚନା ମୁତାବକ, ମଙ୍ଗଳବାର ରାତିରେ ରମ୍ଭା ବୋରିଗାଁର ସୋମାରଥି ନାହାକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଡାକ୍ତର ଜଣକ ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରିବାକୁ କହିଥିଲେ । ଏହି ସମୟରେ ଉପସ୍ଥିତ ଥିବା ମେଡିକାଲ ଗାଡି ଚାଳକ ଉକ୍ତ ରୋଗୀଙ୍କ ମୃତ୍ୟୁ ହୋଇଥିବା କହିବା ସହ ଡାକ୍ତର ସହ ପାଟିତୁଣ୍ଡ କରିଥିଲେ ଏବଂ ମେଡିକାଲ ଗାଡିରେ ବ୍ରହ୍ମପୁର ନେବା ପାଇଁ ମନା କରିଥିଲେ । ଶେଷରେ ଡାକ୍ତର ଜଣକ ଏକ ଘରୋଇ ଗାଡି କରି ଉକ୍ତ ଗୁରୁତର ରୋଗୀଙ୍କୁ ବ୍ରହ୍ମପୁର ପଠାଇଥିଲେ । ବ୍ରହ୍ମପୁରରେ ଚିକିତ୍ସାଧିନ ଅବସ୍ଥାରେ ରୋଗୀଙ୍କ ମୃତ୍ୟୁ ହୋଇଥିଲା । କର୍ମଚାରୀ ଜଣକ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିଥିବାରୁ ମଙ୍ଗଳବାର ରାତିରୁ ଏଯାଏଁ କୌଣସି ରୋଗୀଙ୍କୁ ଦେଖୁ ନାହାନ୍ତି ଡାକ୍ତର । ତେବେ ଡାକ୍ତର ଓ କର୍ମଚାରୀଙ୍କ କଳି ଭିତରେ ରୋଗୀ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ।