ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦର ମଞ୍ଜି ବୁଣିଥିବା ପାକିସ୍ତାନ ଫୁଣି ଥରେ ଭାରତ ସମ୍ନାରେ ମୁଣ୍ଡ ନୁଆଁଇଛି। ଖବର ମୁତାବକ, ମଙ୍ଗଳବାର ପାକିସ୍ତାନ ସଂସଦରେ ଏକ ପ୍ରସ୍ତାବ ପାରିତ ହୋଇଛି। ଯେଉଁଥିରେ କାଶ୍ମୀରବାସୀଙ୍କୁ ତାଙ୍କ ଭବିଷ୍ୟତ ନିର୍ଣ୍ଣୟ କରିବାକୁ ଏକ ନିଷ୍ପକ୍ଷ ଜନମତ ସଂଗ୍ରହ କରିବାକୁ ଅନୁରୋଧ କରାଯାଇଛି। ଏହି ପ୍ରସ୍ତାବରେ ଆମେରିକା ସୁରକ୍ଷା ପରିଷଦର ପ୍ରସ୍ତାବ ଅନୁଯାୟୀ କାଶ୍ମୀରବାସୀଙ୍କ ଲୋକତାନ୍ତ୍ରୀକ ହକର ପ୍ରୟୋଗ କରିବାକୁ ଅନୁମତି ଦେବାପାଇଁ ଭାରତକୁ ଦାବି କରାଯାଇଛି।
କାଶ୍ମୀର ପ୍ରସଙ୍ଗରେ ମନ୍ତ୍ରୀ ଅମିର ମହମ୍ମଦ କାଶ୍ମୀରବାସୀଙ୍କୁ ପାକିସ୍ତାନର ରାଜନୈତିକ ଓ କୁଟନୈତିକ ସମର୍ଥନ ଦେବାକୁ କହିଥିଲେ ବୋଲି ରେଡିଓ ପାକିସ୍ତାନ ଖବର ପ୍ରସାରଣ କରିଛି। ତେବେ ମଙ୍ଗଳବାର ପାକିସ୍ତାନ ସଂସଦରେ ପାରିତ ହୋଇଥିବା ଏହି ପ୍ରସ୍ତାବ ପଛର କାରଣ ଏଯାଏ ସ୍ପଷ୍ଟ ହୋଇପାରିନାହିଁ।
ଭାରତ ବାରମ୍ୱାର ପାକିସ୍ତାନକୁ ଜମ୍ମୁ ଓ କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଥିଲା ଓ ଆଗକୁ ମଧ୍ୟ ରହିବ ବୋଲି କହି ଆସିଛି। ୨୦୧୯ ମସିହା ଅଗଷ୍ଟ ମାସ ୫ ତାରିଖ ଦିନ ଭାରତ ଜମ୍ମୁକାଶ୍ମୀରରୁ ଧାରା ୩୭୦ ହଟାଇ ଏହାକୁ ଦେଶର ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରିଥିଲେ। ପାକିସ୍ତାନ ଭାରତର ଏହି ପ୍ରସ୍ତାବକୁ କଡା ନିନ୍ଦା କରିବା ସହ ଏହାର ଘୋର ବିରୋଧ କରିଥିଲା। ତେବେ ପାକିସ୍ତାନି ସଂସଦରେ ପାରିତ ହୋଇଥିବା ପ୍ରସ୍ତାବରେ ପାକିସ୍ତାନ ଅଧିକୃତ କାଶ୍ମୀର ଓ ଗିଲଗିଟ ବାଲତିସ୍ତାନକୁ ନେଇ ଭାରତୀୟ ନାଗରିକ ଓ ସୈନ୍ୟ ନେତୃତ୍ତ୍ୱ ଦ୍ୱାରା ଦିଆଯାଉଥିବା ବୟାନ ଉପରେ ଆଲୋଚନା କରିଥିଲା।
ଜମ୍ମୁ ଓ କାଶ୍ମୀରର ବିବାଦ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ପ୍ରସ୍ତାବ ଓ କାଶ୍ନୀର ଜନତାଙ୍କ ଆକାଙ୍କ୍ଷ୍ୟା ଅନୁସାରେ ଠିକ କରାଯିବା ଉଚିତ୍। ଯାହା ଦକ୍ଷିଣ ଏସିଆରେ ଶାନ୍ତି ଓ ସ୍ଥିରତା ଆଣିବ ବୋଲି ଏହି ପ୍ରସ୍ତାବରେ କୁହାଯାଇଛି। କାଶ୍ମୀର ମାମଲାରେ ଜଡିତ ଥିବା ମନ୍ତ୍ରୀ ଆମେରିକାକୁ ଏହି ବିବାଦକୁ ବନ୍ଦ କରିବାକୁ କିଛି ନିଷ୍ପତି ନେବାର ଆବଶ୍ୟକତା ରହିଛି ବୋଲି ଅନୁରୋଧ କରିଛନ୍ତି। ଏହା ସହ ପାକିସ୍ତାନର ନାଗରିକମାନେ କାଶ୍ମୀରି ଭାଇ-ଭଉଣୀ ମାନଙ୍କ ସହ ଠିଆ ହୋଇଛନ୍ତି ବୋଲି ସେ କହିଛନ୍ତି।